ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ, ଆଗାମୀ ଦୁଇ ଦଶନ୍ଧିରେ ନୂତନ ଶକ୍ତି ବଳରେ ଭାରତ ବୈଶ୍ୱିକ ମହାଶକ୍ତିର ମାନ୍ୟତା ହାସଲ କରିପାରିବ। ଫେବ୍ରୁଆରି ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା “ଏସିଆନ୍ ଇକୋନମିକ୍ ଡାଇଲଗ୍ ୨୦୨୨’ କୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି। ପୁଣେ ଇଟଂରନ୍ୟାସନାଲ୍ ସେଂଟର୍ ର ସଭାପତି ରଘୁନାଥ ମାଶେଲକରଙ୍କ ସହିତ ଆଲୋଚନା କରିବା ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ, ଆଗାମୀ ଦୁଇ ଦଶନ୍ଧିରେ ୨୦ ରୁ ୩୦ ଟି ଭାରତୀୟ ଶକ୍ତି କଂପାନି ରିଲାଏନ୍ସ ଭଳି ବଡ ଼ହେବା ଭଳି ସାମର୍ଥ୍ୟ ରଖିଛନ୍ତି।
ଦୁନିଆକୁ ପୁନର୍ବାର ନିର୍ଦ୍ଧାରଣ କରିବାର ଶକ୍ତି ନୂତନ ଉର୍ଜ୍ଜା ବା ସବୁଜ ଶକ୍ତି ପାଖରେ ରହିଛି। ଯେତେବେଳେ କାଠକୁ କୋଇଲାରେ ରୂପାନ୍ତରିତ କରାଗଲା ସେତେବେଳେ ୟୁରୋପ ଉଭୟ ଭାରତ ଓ ଚୀନ୍କୁ ପଛରେ ଛାଡ଼ିଦେଇଥିଲା। ସେହିଭଳି ତୈଳ ଜରିଆରେ ଆମେରିକା ଓ ପଶ୍ଚିମ ଏସିଆର ଦେଶଗୁଡ଼ିକ ବହୁତ ଆଗକୁ ବଢ଼ିଯାଇଥିଲେ । ଏବେ ଭାରତର ସମୟ ଆସିଛି ଯେଉଁଠାରେ ଭାରତ ସବୁଜ ଓ ସ୍ୱଚ୍ଛ ଶକ୍ତିରେ ଆତ୍ମନିର୍ଭର ହେବ ଏବଂ ତାହାର ରପ୍ତାନି କରିବ। ଏହା ପରେ ଭାରତକୁ ଏକ ବିଶ୍ୱଶକ୍ତି ହେବାରୁ କେହି ରୋକି ପାରିବେ ନାହିଁ। ସବୁଜଶକ୍ତି ଜରିଆରେ ଭାରତ କେବଳ ବିଶ୍ୱସ୍ତରୀୟ ଶକ୍ତିରେ ରୂପାନ୍ତରିତ ହେବ ତାହା ନୁଡେଁ ବରଂ ରୋଜଗାର ମଧ୍ୟ ସୃଷ୍ଟି କରିବ ଏବଂ ବୈଦେଶିକ ମୁଦ୍ରାର ମଧ୍ୟ ସଂଚୟ ହେବ, ବୋଲି ମୁକେଶ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରି ମୁକେଶ ଅମ୍ବାନି କହିଛନ୍ତି ଯେ ମାନନୀୟ ପ୍ରଧାନମନ୍ତ୍ରୀ ନୂତନ ଓ ସ୍ୱଚ୍ଛ ଶକ୍ତିର ଜଣେ ବହୁତ ବଡ଼ ସମର୍ଥକ। ଭାରତ ସବୁଜ ଶକ୍ତି ରପ୍ତାନି କରିବ, ସେଥିରେ ମୋର କୌଣସି ସନ୍ଦେହ ନାହିଁ କାରଣ ସରକାର ନୂତନ ଶକ୍ତି ଲାଗି ଦ୍ୱାର ଖୋଲି ଦେଇଛନ୍ତି। ଏଭଳି ନୀତି ଅଣାଯାଇଛି ଯାହା ଏହା ପାଇଁ ବିଶେଷ ସହାୟକ ହେବ। ଯେଭଳି ଭାରତ ଆଇଟି କ୍ଷେତ୍ରର ମହାଶକ୍ତି ହୋଇଛଇ ସେହିଭଳି ଭାରତ ଅକ୍ଷୟ ଶକ୍ତିରେ ମଧ୍ୟ ବିଶ୍ୱର ନେତୃତ୍ୱ ନେବ, ବୋଲି ସେ କହିଛନ୍ତି। ଆସନ୍ତା ୨୦ ବର୍ଷରେ ଭାରତରୁ ସ୍ୱଚ୍ଛ ଓ ସବୁଜ ଶକ୍ତି ରପ୍ତାନି ଅର୍ଦ୍ଧ ଟ୍ରିଲିଅନ ଡଲାରରେ ପହଂଚିବାର ସମ୍ଭାବନା ରହିଥିବା ବେଳେ ଭାରତ ଅକ୍ଷୟ ଶକ୍ତିକ୍ଷେତ୍ରରେ ନିବେଶ ଲାଗି ଦୁନିଆର ସବୁଠୁ ପସନ୍ଦର ଦେଶ ରହିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି।