Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ଆରଟିଆଇ ପରିସରକୁ ଆସିଲା ଭିଜିଲାନସ ବିଭାଗ

କଟକ: ଏଣିକି ରାଜ୍ୟ ଭିଜିଲାନସ ବିଭାଗ ସୂଚନା ଅଧିକାର ନିୟମ ପରିସରକୁ ଆସିଲା। ଏ ନେଇ ଆଜି ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଜାରୀ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଦୁର୍ନିତି ଏବଂ ମାନବିକ ଅଧିକାର କୌଣସି ଗୁପ୍ତ ତଥ୍ୟ ନୁହେଁ। ଏହାକୁ ସର୍ବସାଧାରଣରେ ପ୍ରକାଶ କରିବା ଉଚିତ। ଏଥିସହିତ ପବ୍ଲିକ ଡୋମେନରେ ଏହାକୁ ରଖିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ସରକାର ଭିଜିଲାନସ ବିଭାଗ ଗୁପ୍ତ ତଥ୍ୟ ଉପରେ କାର୍ଯ୍ୟ କରୁଥିବାରୁ ତାହାକୁ ଆରଟିଆଇ ଅଧିନକୁ ଆଣି ନ ଥିଲେ। ଏହାକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ଋଜୁ କରାଯାଇଥିଲା। ସେସବୁକୁ ବିଚାରକୁ ନେଇ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ ଆଇନ କଲେଜର କିରାଣୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ସ୍ପେଶାଲ୍ ୱାରେଣ୍ଟ୍ ବଳରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ କିରାଣି (ଡ଼ିଏଲ୍‌ଆର୍ ଟାଇପିଷ୍ଟ)ପ୍ରଶାନ୍ତ କୁମାର ନାୟକଙ୍କ ଗେଟ୍‌ବଜାରରେ ଥିବା ତିନିମହଲା କୋଠା, ବ୍ୟାଙ୍କ କଲୋନୀ ଚତୁର୍ଥ ଗଳିରେ ଥିବା ଦୁଇ ମହଲା କୋଠା, ଆସିକା ରୋଡ଼୍ ଗେଟ୍‌ବଜାରରେ ଥିବା ଦୁଇମହଲା ଗୋଦାମ ଘର, ବିଷ୍ଣୁନଗର ମୁଖ୍ୟରାସ୍ତାରେ ଭଡ଼ା ଦିଆଯାଇଥିବା ଗୋଦାମ୍‌, ଶ୍ରୀରାମନଗର ବୃନ୍ଦାବନ ହୋଟେଲ୍ ନିକଟରେ ଭଡ଼ା ଦିଆଯାଇଥିବା ଗୋଦାମ୍ ଉପରେ ଚଢ଼ାଉ ହୋଇଥିଲା।

ଚଢ଼ାଉ ପରେ ଦେଢ଼କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଥିଲା। ଆଜି ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିର ପରିମାଣ ହିସାବ କରାଯିବା ସହ ଗିରଫ କରାଯାଇଛି। କିରାଣୀ ତଥା ଡ଼ିଏଲ୍‌ଆର୍ ଟାଇପିଷ୍ଟ ଭାବେ ପ୍ରଶାନ୍ତ ନାୟକ ୧୯୯୦ରୁ କାର୍ଯ୍ୟରତ ଥିବାବେଳେ ଏହି ସମୟରୁ ୩୦.୧୨.୨୦୨୦ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଆୟର ସ୍ରୋତର ହିସାବ କରାଯାଇଥିଲା। ଆଜି ତାଙ୍କର ୫୭ ଲକ୍ଷ ୩୮ହଜାର ୭୨୯ ଟଙ୍କାର ସଂପତ୍ତି ଆକଳନ ହୋଇଛି। ଉପରୋକ୍ତ ସମୟ ମଧ୍ୟରେ ସେ ୩୧ ଲକ୍ଷ ୩୪ହଜାର ଟଙ୍କାର ଆୟ କରିଥିବା ହିସାବ ଦେଖାଇଥିଲେ। ଏହି ସମୟ ମଧ୍ୟରେ ତାଙ୍କର ୧୮ ଲକ୍ଷ ୮୭ହଜାର ୭୩୫ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି। ବଳକା ୧ ଲକ୍ଷ ୪୪ହଜାର ୯୨ ହଜାର ୪୬୪ (୪୬୨%) ଅଧିକା ଟଙ୍କା ଅସାଧୁ ଉପାୟରେ ସେ ଆୟ କରିଛନ୍ତି ବୋଲି ପ୍ରମାଣିତ ହୋଇଥିଲା।

ତେଣୁ ଭିଜିଲାନସ କେସ ନଂ ୩୦/୩୧.୧୨.୨୦୨୦ ୟୁ/ଏସ୍ ୧୩(୨) ଆର୍‌/ଡ଼ବ୍ଲ୍ୟୁ ୧୩(୧)(ବି) ପିସି ଆକ୍ଟ ୨୦୧୮ ଅନୁସାରେ ମାମଲା ରୁଜୁ ହୋଇ ଗିରଫ କରାଯିବା ସହ କୋର୍ଟଚାଲଣ କରାଯାଇଥିବା ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି

Categories
ଆଜିର ଖବର ରାଜ୍ୟ ଖବର

ଲାବ୍ରେଟୋରୀ ସହାୟକଙ୍କ ଘରେ ଭିଜିଲାନସ ଚଢ଼ାଉ: କୋଟିଏ ଟଙ୍କାର ସଂପତ୍ତି ଠାବ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତକିଛି ଦିନ ହେଲା ବ୍ରହ୍ମପୁର ଭିଜିଲାନସ ବିଭାଗ ସଂପୂର୍ଣ୍ଣ ଏକ୍ସନ ମୋଡ଼୍‌ରେ ଅଛି। ଗତକିଛି ଦିନ ମଧ୍ୟରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାରିଚାରି ଜଣଙ୍କ ଘରେ ଭିଜିଲାନସ ଚଢ଼ାଉ ହେବା ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଆଜି ମଧ୍ୟ ସେସ୍ପାଲ୍ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଚିକିଟି କଲେଜରେ କାର୍ଯ୍ୟରତ ଲାବ୍ରୋଟରୀ ସହାୟକ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ସକାଳୁ ସକାଳୁ ଚଢ଼ାଉ ହୋଇଥିଲା।

ଅଧିକାରୀମାନେ ଏକକାଳୀନ ବ୍ରହ୍ମପୁର ଶ୍ରୀଟାୱାର ଷଷ୍ଠ ଫ୍ଲୋର୍‌ରେ ଥିବା ଫ୍ଲାଟ୍‌, ଗାନ୍ଧିନଗର ପଞ୍ଚମଗଳି ସ୍ପେକ୍ଟ୍ରମ କଲେଶନୀ ସରୋବର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌, ଭୁବନେଶ୍ୱର ବିଜେପି ନଗର ପ୍ରନଥ ଏନ୍‌କ୍ଲେଭ୍‌ରେ ଥିବା ଫ୍ଲାଟ୍‌, ଚିକିଟି ଗଡ଼ରେ ଥିବା ପୈତୃକ ଘର, ଚିକିଟି ଗଡ଼ରେ ଥିବା ଶ୍ୱଶୁର ଘର, ଚିକିଟି କଲେଜର ଅଫିସ୍ ଚାମ୍ବରରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ପ୍ରାୟ ଏକକୋଟିର ଉର୍ଦ୍ଧ୍ୱ ସ୍ଥାବର ଅସ୍ଥାବର ସଂପତ୍ତି ଠାବ କରାଯାଇଛି।

ଶ୍ରୀଟାୱାର ଥିବା ଫ୍ଲାର୍ଟର ମୂଲ୍ୟ ୨୦ଲକ୍ଷ ୬୨ହଜାର ୫୪୭ ଟଙ୍କା, ସେକ୍ଟ୍ରମ କଲୋନୀ ସରବୋର ଆପାର୍ଟମେଣ୍ଟରେ ଥିବା ଫ୍ଲାଟର ମୂଲ୍ୟ ୧୨ଲକ୍ଷ ୫୦ହଜାର ୧୮୧ ଟଙ୍କା, ଭୁବନେଶ୍ୱର ବିଜେପି ନଗରରେ ଥିବା ଫ୍ଲାର୍ଟର ମୂଲ୍ୟ ୩୧ ଲକ୍ଷ ୧୦ହଜାର ୭୫୭ଟଙ୍କା, ୩ଟି ସ୍ଥାନରେ ଜାଗା, ଯାହାର ମୂଲ୍ୟ ୧୩ ଲକ୍ଷ ୭ହଜାର ୫୭୫ଟଙ୍କା, ଚିକିଟି ଗଡ଼ରେ ଥିବା ପୈତୃକ ଘର ଯାହାର ମୂଲ୍ୟ ୨୬ ଲକ୍ଷ ୨୫ହଜାର ଟଙ୍କାର ସ୍ଥାବର ସଂପତ୍ତି ରହିଛି। ସେହିପରି ଘର ପ୍ରସାଦ ସାମଗ୍ରୀ ଯାହାର ମୂଳ୍ୟ ୬ଲକ୍ଷ ୬୨ହଜାର ୭୨୩ ଟଙ୍କା, ନଗଦ ୨୦,୫୭୦ଟଙ୍କା, ୨ଲକ୍ଷ ୧୯ହଜାର ୨୨୯ ଟଙ୍କା ସୁନା ଓ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଥିବା ୮ଲକ୍ଷ ୭୨୫୫ ଟଙ୍କାର ଡ଼ିପୋଜିଟ୍‌, ଆଇ-୧୦ କାର୍ ଯାହାର ମୂଲ୍ୟ ୪ଲକ୍ଷ, ହୋଣ୍ଡା ୟୁନିକନ୍ ଯାହାର ମୂଲ୍ୟ ୬୫ହଜାର, ହୋଣ୍ଡା ଏଭିଏଟର ଯାହାର ମୂଲ୍ୟ ୬୫ହଜାର, ଗୋଟିଏ ଟ୍ରିପର ଟ୍ରକ ଯାହର ମୂଲ୍ୟ ୧୩ ଲକ୍ଷ ୫୦ହଜାର ଟଙ୍କା, ଗୋଟିଏ ଟ୍ରାକ୍ଟର ଯାହାର ମୂଲ୍ୟ ୫ଲକ୍ଷ ୫୫ହଜାର ଟଙ୍କା। ମୋଟ ୧ କୋଟି ୪୫ ଲକ୍ଷ ୮୩୭ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି।

କୈଳାସ ଚନ୍ଦ୍ର ମହାନ୍ତି ୨୦୦୮ ମସିହାରେ ଲାବ୍ରୋଟରୀ ଆସିଷ୍ଟାଷ୍ଟ ରୂପେ କଣ୍ଟ୍ରାଚୁଆଲ୍‌ରେ ରହିଥିଲେ। ପରେ ୨୦୧୪ରେ ତାଙ୍କର ରେଗୁଲାର ହୋଇଥିଲା। ଅଧିକ ଅନୁସନ୍ଧାନ ଜାରି ରହିଥିବାବେଳେ କାଲି ମୋଟ ସଂପତ୍ତିର ଆକଳନ କରାଯିବ ବୋଲି ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡ଼େପୁଟି ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢ଼ାଉ: ୨୭ଟି ପ୍ଲଟ୍ ଏବଂ ୪୦ ଲକ୍ଷର କ୍ରସର ମିଶିନ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ତିନିଦିନ ମଧ୍ୟରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୁଇଜଣଙ୍କ ଘରେ ଚଢ଼ାଉ ହୋଇଛି। ଦୁଇଦିନ ପୂର୍ବରୁ କୋଟିପତି ଅଙ୍ଗନୱାନି ଘରେ ଚଢ଼ାଉ ହୋଇଥିବାବେଳେ ଗତକାଲି ଆର୍‌ଆଣ୍ଡଡ଼ି ଗୁଣପୁର ସବ୍‌ଡ଼ିଭିଜନର ଡ଼େପୁଟି ଏକଜ୍ୟୁକୁଟିଭ୍ ଇଂଜିନିୟର ଉଦ୍ଧବ ପାଢ଼ୀଙ୍କ ଘରେ ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି।

ଗତକାଲି ସକାଳୁ ସକାଳୁ ସ୍ପେଶାଲ୍ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଉଦ୍ଧବଙ୍କ ବ୍ରହ୍ମପୁର କମାପଲ୍ଲୀ ଆର୍‌ସି ଲେନ୍‌ର ତିନିମହଲା କୋଠାଘରେ, ଗୁଣପୁର କାର୍ଯ୍ୟାଳୟର ଅଫିସ ରୁମ୍‌, ଗୁଣପୁରଠାରେ ଥିବା କ୍ୱାଟର ଏବଂ ଧରାକୋଟ ବ୍ଲକ୍‌ର ଦୁର୍ଗାମାଧବପୁରଠାରେ ଚାଲିଥିବା ତାଙ୍କ ପୁଅ କାହ୍ନୁଚରଣ ପାଢ଼ୀଙ୍କ ଷ୍ଟୋନ୍ କ୍ରସର ମିଲ୍ ଉପରେ ଚଢ଼ାଉ ହୋଇଛି। ଚଢ଼ାଉରେ ତାଙ୍କର ଅସ୍ଥାବର ଓ ସ୍ଥାବର ସଂପତ୍ତିର ମୂଲ୍ୟ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି।

ବ୍ରହ୍ମପୁର କମାପଲ୍ଲୀ ଆର୍‌ସିଲେନ୍‌ରେ ଥିବା ଘରର ମୂଲ୍ୟ ୪୩ ଲକ୍ଷ ୬ହଜାର, ପୁଅ କାହ୍ନୁଚରଣ ପାଢ଼ୀଙ୍କ ନାମରେ ଦୁର୍ଗାମାଧମପୁର ଗ୍ରାମରେ ବିଭିନ୍ନ ସ୍ଥାନରେ ଥିବା ତିନୋଟି ଜାଗା ଯାହାର ମୂଲ୍ୟ ୩ଲକ୍ଷ ୯୨ହଜାର ୭୭୦ ଟଙ୍କା, ସ୍ତ୍ରୀ ମଧୁମଂଜରୀ ପାଢ଼ୀ ନାମରେ ଥିବା ୫ଟି ଜାଗା, ପୁଅ ନାମରେ ଥିବା ୧୫ଟି ଜାଗା, ଅନ୍ୟ ପୁଅ ନାମରେ ଥିବା ୪ଟି ସମୁଦାୟ ୨୪ଟି ଜାଗାର ମୂଲ୍ୟ ୧୬ ଲକ୍ଷ ୭ହଜାର ୨୩୦ ଟଙ୍କା, କ୍ରସର ଫେକ୍ଟ୍ରିର ମୂଲ୍ୟ ୭ଲକ୍ଷ ୧୧ହଜାର ୫୬୨ ଟଙ୍କାର ସ୍ଥାବର ସଂପତ୍ତି ଠାବ କରାଯାଇଛି।

ସେହିପରି ଅସ୍ଥାବର ସଂପତ୍ତି ମଧ୍ୟରେ ଘରକରଣା ସାମଗ୍ରୀ ଯାହାର ମୂଲ୍ୟ ୧୧ଲକ୍ଷ ୭ହଜାର ୩୭୫, ଗୋଟିଏ ୫ଲକ୍ଷ ୫୦ହଜାର ୬୫୪ ଟଙ୍କାର କାର୍‌, ଗୋଟିଏ ରୟଲ୍ ଇନ୍‌ଫିଲ୍ଡ ଯାହାର ମୂଲ୍ୟ ୧ ଲକ୍ଷ, ଗୋଟିଏ ଷ୍ଟନ କ୍ରସର ମେସିନ୍ ଯାହାର ମୂଲ୍ୟ ୪୦ ଲକ୍ଷ, ସୁନା ଅଳଙ୍କାର ଏବଂ ଲକରରେ ରଖିବା ସୁନା ସମୁଦାୟ ୭୧୮ ଗ୍ରାମ ଯାହାର ମୂଲ୍ୟ ୨୦ଲକ୍ଷ ୬୨ହଜାର ୨୬୦ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଡ଼ିପୋଜିଟ୍ ୩୨ ଲକ୍ଷ ୨ହଜାର ୦୬୮ ଟଙ୍କା, ନଗଦ ୨ଲକ୍ଷ ୯୫ହଜାର ୭୦ ଟଙ୍କା, ଫେକ୍ଟ୍ରି ମଧ୍ୟରେ ରଖାଯାଇଥିବା ଚିପ୍‌ସର ମୂଲ୍ୟ ୩୦ ହଜାର ଟଙ୍କା। ୭୦ଲକ୍ଷ ୧୭ହଜାର ୫୬୨ ସ୍ଥାବର ଓ ୧ କୋଟି ୧୩ ଲକ୍ଷ ୪୭ହଜାର ୪୩୦ ଅସ୍ଥାବର, ଏହିପରି ସମୁଦାୟ ୧ କୋଟି ୮୩ ଲକ୍ଷ ୬୪ହଜାର ୯୯୨ ଟଙ୍କାର ସଂପତ୍ତି ଠାବ କରାଯାଇଛି।

ଶ୍ରୀ ପାଢ଼ୀ ଗତ ୧୯୯୧ରେ ଜୁନିୟର ଇଂଜିନିୟର ଭାବେ କାର୍ଯ୍ୟରମ୍ଭ କରିଥିଲେ। ବର୍ତ୍ତମାନ ସେ ରାୟଗଡ଼ା ଗୁଣପୁର ଆର୍‌ଆଣ୍ଡବି ଡ଼ିଭିଜନ-୨ରେ ଡ଼େପୁଟି ଏକଜିକୁଟିଭ୍ ଇଂଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ସମସ୍ତ ସଂପତ୍ତିର ମୋଟ ଆକଳନ କରାଯାଉଥିବା ବେଳେ ଗତକାଲି ସମସ୍ତ ସଂପତ୍ତିର ପରିମାଣ ଏବେ କେତେ ସେ ଅୟ ବର୍ହିଭୂତ ସଂପତ୍ତି ଠୁଳ କରିଛନ୍ତି ତାହା ଜଣାପଡ଼ିବ ବୋଲି ଭିଜିଲାନସ ଏସ୍‌ପି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜେଲ୍ ଗଲେ କୋଟିପତି ଅଙ୍ଗନୱାଡ଼ି କର୍ମୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତି ସମୁଦାୟ ଦୁଇକୋଟିରୁ ଉର୍ଦ୍ଧ୍ୱ ଠାବ କରାଯାଇଥିଲା। ମୋଟ ସଂପର୍ତ୍ତି ଆୟ-ବ୍ୟୟକୁ ବାଦ୍ ଦେଲେ ଅଧିକା ୨୯୫ ପ୍ରତିଶତ ଆୟ କରିଥିବାରୁ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ କୋର୍ଟଚାଲଣ କରାଯାଇଥିଲା।

ଜାମିନ ଅଭାବରୁ ଜେଲ୍ ହାଜତକୁ ଯାଇଛନ୍ତି କୋଟିପତି ଅଙ୍ଗନୱାଡ଼ି କର୍ମୀ। ଭିଜିଲାନସ ଏସ୍‌ପିଙ୍କ ସୂଚନା ପ୍ରକାରେ ଗତ ୨୭.୧୧.୧୯୯୦ରୁ ୨୨.୧୨.୨୦୨୦ ମଧ୍ୟରେ ସେ ବିଭିନ୍ନ ଆୟ ବାବଦରେ ୭୪ଲକ୍ଷ ୬୩ ହଜାର ୧୯୫ ଟଙ୍କା ଆୟ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ୬୨ ଲକ୍ଷ ୭୯ହଜାର ୮୬୪ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି  । କିନ୍ତୁ ତାଙ୍କର ସଂପତ୍ତିର ପରିମାଣ ୨ କୋଟି ୩୨ ଲକ୍ଷ ୨୯ହଜାର ୯୧୬ ରହିଥିବାବେଳେ ଖର୍ଚ୍ଚକୁ ବାଦ୍ ଦେଇ ଅଧିକା ୨ କୋଟି ୨୦ ଲକ୍ଷ ୪୬ହଜାର ୫୮୫ (୨୯୫%) ପ୍ରତିଶତ ଆୟ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ଜାଲରେ ଦୁଇ ଅଧିକାରୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ଲାଞ୍ଚ ନେବା ସମୟରେ ଦୁଇଜଣ ଲାଞ୍ଚୁଆ ଅଧିକାରୀଙ୍କୁ ଧରାଯାଇଥିଲା। ପ୍ରଥମଘଟଣା କ୍ରମରେ ଫୁଲବାଣୀ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଅରୁପ କୁମାର ମିଶ୍ରଙ୍କୁ ଧରାଯାଇଥିବାବେଳେ ଦ୍ୱିତୀୟ ଘଟଣାକ୍ରମେ କନ୍ଧମାଳ ଦାରିଙ୍ଗିବାଡ଼ି ସିମନାବାଡ଼ି ଗ୍ରାମପଞ୍ଚାୟତର ଜିଆର୍‌ଏସ୍ ଦିଲିପ କୁମାର ସାହୁ ମଧ୍ୟ ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ପ୍ରଥମ ଘଟଣା କ୍ରମେ ଫୁଲବାଣୀ ମତ୍ସ୍ୟଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀ ଯିଏକି ଅବସର ନେଇସାରିଛନ୍ତି ତାଙ୍କର ଏରିୟର୍ ବିଲ୍ କରିଦେବାକୁ ଟ୍ରେଜେରୀ ଅଧିକାରୀ ଅରୁପଙ୍କ ସହ ଯୋଗାଯୋଗ କରିଥିଲେ। ଏହା କରିଦେବା ପାଇଁ ଲାଞ୍ଚୁଆ ଅଧିକାରୀ ଅରୁପ ତାଙ୍କୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ ବିଭାଗକୁ ଜଣାଇବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି ପୂର୍ବ ଯୋଜନା ମୁତାବକ ପ୍ରମୋଦ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେବା ପରେ ଭିଜିଲାନସ ଅଧିକାରୀମାନେ ଉକ୍ତ ସ୍ଥାନରେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ପରୀକ୍ଷା କରିବା ପରେ ଅରୁପଙ୍କୁ ଗିରଫ କରାଯାଇଥିଲା। ଭିଜିଲାନସ କେସ ନଂ ୧୦/୨୦୨୦ରେ ମାମଲା ରୁଜୁ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।

ଦ୍ୱିତୀୟ ଘଟଣାକ୍ରମରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ସିମନାବାଡ଼ି ଗ୍ରାମର ରଂଜନ ଦିଗାଲ ମନରେଗା କାର୍ଯ୍ୟର ୧ ଲକ୍ଷ ୬୦ ହଜାର ଟଙ୍କା ବିଲ୍ ପାସ କରିବା ପାଇଁ ଗ୍ରାମସେବକ ଦିଲିପ କୁମାର ସାହୁ ତାଙ୍କୁ ୩୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୨୦ ହଜାର ହାତରେ ଦେବେ ଏବଂ ଅନ୍ୟ ୧୨ ହଜାର ତାଙ୍କ ଆକାଉଣ୍ଟରେ ଜମା କରିବାକୁ କହିଥିଲେ। ଏନେଇ ରଂଜନ ଦିଗାଲ ବ୍ରହ୍ମପୁର ଭିଜିଲାନସ ବିଭାଗ ସହ ଯୋଗାଯୋଗ କରିବା ପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ଆଜି କ୍ୟାମିକେଲ ବୋଳା ଟଙ୍କା ଧରି ରଂଜନ ତାଙ୍କ କାର୍ଯ୍ୟାଳୟକୁ ଯାଇ ଦେବା ବେଳେ ଭିଜିଲାନସ ଅଧିକାରୀମାନେ ପହଞ୍ଚି ଟଙ୍କାକୁ ଜବତ କରିବା ସହ ଏସ୍‌ବିଆଇ ଆକାଉଣ୍ଟକୁ ମଧ୍ୟ ତଦନ୍ତ କରିଥିଲେ। ତାଙ୍କ କ୍ୱାଟର ଏବଂ ଘରେ ମଧ୍ୟ ଚଢ଼ାଉ କରାଯାଉଛି। ଏନେଇ ଭିଜିଲାନସ କେସ ନଂ ୧୧/୨୦୨୦ରେ ତାଙ୍କୁ ଗିରଫ କରାଯାଇଛି।