Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ନୂଆ (ନୂତନ ଉନ୍ନତ ଅଭିଳାଷ) ଓଡ଼ିଶା ଯୋଜନା ର ଶୁଭାରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟର ଅଶ୍ଵାନ ସଭାଗୃହରେ ନୂଆ (ନୂତନ ଉନ୍ନତ ଅଭିଳାଷା) ଓଡିଶା ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାର ଶୁଭାରମ୍ଭ ଭୁବନେଶ୍ୱରରୁ ମାନ୍ୟବର ମନ୍ତ୍ରୀ ଦକ୍ଷତା ବିକାଶ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ଦ୍ୱାରା ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ କରାଯାଇ ଥିଲା। ଏଥିରେ ଦକ୍ଷତା ବିକାଶ ବିଭାଗ ର ପ୍ରମୁଖ ସଚିବ ଉଷା ପାଢ଼ୀ, ନିର୍ଦେଶକ ରେଘୁ ଜି ଏବଂ ଦକ୍ଷତା ବିକାଶ ବିଭାଗ ର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

ଏହି ଯୋଜନା ମାଧ୍ୟମରେ ୧ ଲକ୍ଷ ଯୁବକ ଯୁବତୀ ମାନଙ୍କୁ ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ନିଯୁକ୍ତିକ୍ଷମ କରାଇବାର ଲକ୍ଷ ରଖାଯାଇଛି। ଏହା ବ୍ୟତୀତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକର ରୂପରେଖ ପ୍ରସ୍ତୁତି ପାଇଁ ଜିଲ୍ଲା ମାନଙ୍କୁ ନୂଆ ଓଡିଶାରେ କ୍ଷମତା ପ୍ରଦାନ କରାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ ଆଲୁମିନା ସହଭାଗିତା ରେ ଚଳିତ ଆର୍ଥିକ ବର୍ଷରେ ୧୫୦ ଜଣ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ,କଳାହାଣ୍ଡି ଜିଲ୍ଲା ର ଆଗାମୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ଦିଶାନିର୍ଦେଶ ବିଷୟରେ ଉଦ୍ବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୋଇଥିଲା। ଏଥିରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ, ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା, ସୁଯୋଗ୍ୟ ମିଶ୍ର, ବେଦାନ୍ତ ତରଫରୁ ଶିଶିର ତରଫଦର, ଅଭିନୟ ପ୍ରତାପ ଓ ୫୦ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳ ବ୍ଲକରେ ‘ଆମ ଓଡିଶା, ନବୀନ ଓଡିଶା’ କାର୍ଯ୍ୟକ୍ରମ: ୧୬୭ ଟି ପ୍ରକଳ୍ପ ପାଇଁ ୭ କୋଟି

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଯୋଗେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି।  ବ୍ଲକର ୧୪ଟି ପଂଚାୟତ କୁ ୧୭୬ଟି ପ୍ରକଳ୍ପ ପାଇଁ ପ୍ରତି ପଂଚାୟତ କୁ ୫୦ଲକ୍ଷ ଲେଖାଏଁ ମୋଟ ୭କୋଟି ଟଙ୍କା ମଂଜୁର କରିଛନ୍ତି। ମିନି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜୋନ -୨ଜିଲ୍ଲା ପରିଷଦ ସଭ୍ୟା ଟିକେଶ୍ବରୀ ମେହେର ସ୍ୱାଗତ ଭାଷଣ ଦେଇଥିଲେ।

ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଙ୍କୁ ଭିଡିଓ କନଫରେନସି ଜରିଆରେ କୃତଜ୍ଞତା ଜଣାଇଥିଲେ। ନାକଟିଦେଉଳ ବିଡ଼ିଓ ଦନେଇ ଚରଣ ଟୁଡୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୋନ -୧ ଜିଲ୍ଲା ପରିଷଦ ସଭ୍ୟା ପ୍ରିୟମ୍ବଦା ସାହୁ ଜୋନ -୨ ସଭ୍ୟା ଟିକେଶ୍ବରୀ ମେହେର, ଉପଜିଲ୍ଲାପାଳ ରଶ୍ମିରଂଜନ ମହନ୍ତ, ତହସିଲଦାର ଅମର ଡୁଙ୍ଗଡୁଙ୍ଗ, ଜିଲ୍ଲା ବିଜେଡି ଉପସଭାପତି ଅନାଦି ଚରଣ ସାହୁ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ରିୟ ପ୍ରଧାନ, ଏମ ବି କେ, ସିଆରପି, ମିଶନ ଶକ୍ତି, ଏସଏଚଜି, ଦଳୀୟ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

ବ୍ଲକର ସବୁ ପଂଚାୟତର ସରପଞ୍ଚ ମାନେ ଅନୁପସ୍ଥିତ ଥିବାରୁ ବେଶ୍ ଚର୍ଚ୍ଚା ହୋଇଥିଲା।  ନାକଟିଦେଉଳ କଲେଜର ଛାତ୍ର ଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Categories
ଖେଳ ବିଶେଷ ଖବର

ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ଜରିଆରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୩କୁ ଉଦଘାଟନ କରିଛନ୍ତି। ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାର ୭୫୦ରୁ ଅଧିକ କ୍ରୀଡାବିତ୍ ଏହି କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରିବେ।

ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୩ର ଆୟୋଜନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଆଜି ଉତର ପ୍ରଦେଶ କ୍ରୀଡା ପ୍ରତିଭାମାନଙ୍କର ଏକ ସଙ୍ଗମ ପାଲଟି ଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଅଂଶଗ୍ରହଣ କରୁଥିବା ୪୦୦୦ କ୍ରୀଡାବିତ ବିଭିନ୍ନ ରାଜ୍ୟ ଓ ପ୍ରାନ୍ତରୁ ଆସିଛନ୍ତି ଏବଂ ସାଂସଦ ଭାବରେ ସେ ସେମାନଙ୍କୁ ସ୍ୱାଗତ କରିଥିଲେ। ତାଙ୍କ ନିଜର ନିର୍ବାଚନ ମଣ୍ଡଳୀ ବାରାଣସିରେ ଏହାର ଉଦଯାପନୀ ସମାରୋହ ଅନୁଷ୍ଠିତ ହେବାକୁ ଯାଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଭାରତ ଯେତେବେଳେ ଏହାର ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି, ସେହି ସମୟରେ ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଆୟୋଜନର ଗରୁତ୍ୱକୁ ଉପଲବଧି କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦଳୀୟ ଭାବନା ସହ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବିଚାରକୁ ମନରେ ଭରିବା ପାଇଁ ଏହି ସମାରୋହ ଏକ ଚମତ୍କାର ମାଧ୍ୟମ ପାଲଟିଛି। ସେ କହିଛନ୍ତି ଯେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡାବିତମାନେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ଉତର ପ୍ରଦେଶର ଯେଉଁ ଯେଉଁ ସ୍ଥାନରେ ଏହି ପ୍ରତିଯୋଗୀତା ଆୟୋଜିତ ହେଉଛି, ସେସବୁ ସ୍ଥାନକୁ ବୁଲି ଦେଖିବେ। ଏହାଦ୍ୱାରା ଏହି ସବୁ ସ୍ଥାନ ସହ ଏକ ସମ୍ପର୍କ ଯୋଡି ହୋଇଯିବ ଏବଂ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଯୋଗଦାନ ସବୁ ପ୍ରତିଯୋଗୀମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଘଟଣା ହୋଇ ରହିବ। ଆଗାମୀ ପ୍ରତିଯୋଗୀତାଗୁଡିକ ପାଇଁ ସେ ମଧ୍ୟ ସେମାନଙ୍କର ସଫଳତା କାମନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୯ ବର୍ଷ ମଧ୍ୟରେ ଭାରତରେ କ୍ରୀଡାର ଏକ ନୂଆ ଯୁଗର ଆରମ୍ଭ ହୋଇଛି ଯାହା କେବଳ ଭାରତକୁ କ୍ରୀଡାରେ ଏକ ବୃହତ ଶକ୍ତି ଭାବେ ପ୍ରସ୍ତୁତ କରିବାର ବିଷୟ ନୁହେଁ ବରଂ କ୍ରୀଡା ମାଧ୍ୟମରେ ସମାଜକୁ ସଶକ୍ତ କରିବାର ଏକ ଯୁଗ ମଧ୍ୟ। ପ୍ରଧାନମନ୍ତ୍ରୀ କ୍ରୀଡା ପ୍ରତି ବିମୁଖତାର ପୂର୍ବ ସମୟର କଥା ସ୍ମରଣ କରିଥିଲେ, ଯେତେବେଳେ ସରକାରମାନଙ୍କ ପକ୍ଷରୁ କ୍ରୀଡାକୁ ଆବଶ୍ୟକ ସମର୍ଥନ ମିଳୁ ନ ଥିଲା। ଏହା ଗରିବ, ମଧ୍ୟବିତ ଶ୍ରେଣୀ ଏବଂ ଗ୍ରାମୀଣ ପିଲାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ପାଇଁ କଠିନ ପରିସ୍ଥିତି ସୃଷ୍ଟି କରାଉଥିଲା। ଯାହା ଅଧିକାଂଶ ଅଭିଭାବକମାନଙ୍କୁ କ୍ରୀଡାକୁ  ଉପେକ୍ଷା କରିବା ପାଇଁ ବାଧ୍ୟ କରୁଥିଲା କାରଣ ପେଶା ଭାବରେ ଏହାର ସିମୀତ ସୁଯୋଗ ରହିଥିଲା । ଏବେ ଅଭିଭାବକମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆସିଥିବା ବିରାଟ ପରିବର୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଶେଷ ଭାବରେ ଉଲ୍ଲେଖ କରିଥିଲେ। “କ୍ରୀଡାକୁ ଏବେ ଏକ ଆକର୍ଷଣୀୟ ପେଶା ଭାବେ ବିବେଚନା କରାଯାଉଛି ଏବଂ ଖେଲୋ ଇଣ୍ଡିଆ ଅଭିଯାନ ସେଥିରେ ଏକ ବିରାଟ ଭୂମିକା ନିର୍ବାହ କରୁଛି” ସେ କହିଥିଲେ।

କ୍ରୀଡା ପ୍ରତି ପୂର୍ବର ସରକାରମାନଙ୍କ ମନୋଭାବ ସମ୍ପର୍କରେ ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ କ୍ରୀଡାକୁ ଘେରି ରହିଥିବା ଦୁର୍ନୀତିଗୁଡିକ ବିଷୟରେ ମନେ ପକାଇ ଦେଇଥିଲେ। ସେ ମଧ୍ୟ ପଂଚାୟତ ଯୁବ କ୍ରୀଡା ଓର ଖେଲ ଅଭିଯାନ ଭଳି ଯୋଜନା ଯାହାକୁ ପରେ ରାଜୀବ ଗାନ୍ଧୀ ଅଭିଯାନ ଭାବରେ ନାମିତ କରାଗଲା ସେଥିରେ ରହିଥିବା ଆନ୍ତରିକତାର ଅଭାବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପୂର୍ବ ସମୟରେ କ୍ରୀଡା ଭିତିଭୂମୀର ଅଭାବକୁ ନେଇ ଶ୍ରୀ ମୋଦୀ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଏବେ ଏସବୁ ବଦଳିବାରେ ଲାଗିଛି। ସହାଂଚଳ କ୍ରୀଡା ଭିତିଭୂମୀ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାରଗୁଡିକ ୬ ବର୍ଷରେ ମାତ୍ର ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଖେଲୋ ଇଣ୍ଡିଆ ଅଧୀନରେ ଏବେ କ୍ରୀଡା ଭିତିଭୂମୀ ବାବଦକୁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଯାହା ଫଳରେ ଅଧିକରୁ ଅଧିକ କ୍ରୀଡାବିତ୍ କ୍ରୀଡାକୁ ପେଶା ଭାବେ ନେବା ପାଇଁ ଏହା ସହଜ ହୋଇପାରୁଛି।

ଆଜି ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ କ୍ରୀଡାରେ ପ୍ରାୟ ୩୦ ହଜାର କ୍ରୀଡାବିତ୍ ଅଂଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ଯେଉଁମାନଙ୍କ ମଧ୍ୟରୁ ୧୫୦୦ ଜଣ ଖେଳାଳିଙ୍କୁ ଆର୍ଥିକ ସହାୟତା ମିଳୁଛି। ୯ ବର୍ଷ ପୂର୍ବେ କ୍ରୀଡା ପାଇଁ ଯେତିକି ବଜେଟ ଥିଲା ଏବେ ସେଥିରେ ୩ ଗୁଣା ବୃଦ୍ଧି ଘଟିଛି। ସେ କହିଥିଲେ, ଏପରି ଗ୍ରାମୀଣ ଏବଂ ଦୁର୍ଗମ ଅଂଚଳରେ ମଧ୍ୟ ଅଧିକ ଉତମ କ୍ରୀଡା ଭିତିଭୂମୀ ଉପଲବଧ ହେଉଛି।

ଉତ୍ତର ପ୍ରଦେଶ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲକ୍ଷ୍ନୌରେ କ୍ରୀଡା ସୁବିଧାର ସମ୍ପ୍ରସାରଣ, ବାରାଣସୀରେ ସିଗ୍ରା ଷ୍ଟାଡିୟମର ଆଧୁନିକୀକରଣ ଏବଂ ୪୦୦ କୋଟି ଟଙ୍କାର ଆର୍ଥିକ ସହାୟତାରେ ଆଧୁନିକ କ୍ରୀଡା ସୁବିଧା ସୃଷ୍ଟି ସମ୍ପର୍କରେ ସୂଚନା ଦେଇଥିଲେ। ସେ ଲାଲପୁରଠାରେ ସିନ୍ଥେଟିକ ହକି ପଡିଆ, ଗୋରଖପୁରର ବୀର ବାହାଦୁର ସିଂହ ସ୍ପୋର୍ଟସ କଲେଜରେ ବହୁମୁଖୀ ହଲ, ମିରଟରେ ସିନ୍ଥେଟିକ ହକି ପଡିଆ ଏବଂ ସାହରନପୁରଠାରେ ସିନ୍ଥେଟିକ ଦୌଡ ଟ୍ରାକ ବିଷୟରେ ସେ ଉଲ୍ଲେଖ କରିଥିଲେ।

କ୍ରୀଡାବିତମାନେ ଏବେ ଅଧିକରୁ ଅଧିକ ପ୍ରତିଯୋଗୀତାରେ ଭାଗ ନେଉଛନ୍ତି ଯାହା ସେମାନଙ୍କ ପାଇଁ ମୂଲ୍ୟାଙ୍କନ ଓ ଉନ୍ନତ ପ୍ରଦର୍ଶନର ଅଧିକରୁ ଅଧିକ ସୁଯୋଗ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ହିଁ ଖେଲୋ ଇଣ୍ଡିଆ କ୍ରୀଡା ଆରମ୍ଭ କରିବା ପଛର ମୂଳ କାରଣ ଯାହା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଏବଂ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଏହାର ସୁଫଳ ମିଳୁଛି ଏବଂ ଆମର କ୍ରୀଡାବିତମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରୁଛି ତଥା ଆନ୍ତର୍ଜାତିକ ପ୍ରତିଯୋଗୀତାରେ ଚମତ୍କାର ସଫଳତା ମିଳୁଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଜାତୀୟ ଶିକ୍ଷା ନୀତି କ୍ରୀଡାକୁ ଏକ ବିଷୟ ଭାବେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛି ଯାହା ପାଠ୍ୟକ୍ରମର ଏକ ଅଂଶ ହେବ ଏବଂ ଦେଶର ପ୍ରଥମ ଜାତୀୟ କ୍ରୀଡା ବିଶ୍ୱବଦ୍ୟାଳୟର ନିର୍ମାଣ ଏହି ଲକ୍ଷ୍ୟକୁ ଆହୁରି ମଜବୁତ କରିବ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଉଚ୍ଚତର ଶିକ୍ଷ କ୍ଷେତ୍ରରେ କ୍ରୀଡାକୁ ଅଧିକ ପ୍ରାଧାନ୍ୟ ଦେବା ଦିଗରେ ପ୍ରୟାସ କରାଯାଉଛି। ସେ କହିଥିଲେ ଯେ ଉତର ପ୍ରଦେଶ ଏ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରୁଛି ଏବଂ ସେ ମିରଟସ୍ଥିତ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇଥିଲେ। ଦେଶବ୍ୟାପୀ ୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ସ୍ଥାପନ କରାଯାଇଥିବା ବିଷୟ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ପ୍ରାୟ ୧୨ଟି  ଜାତୀୟ ଉତ୍କର୍ଷ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି ଯେଉଁଠାରେ ପ୍ରଦର୍ଶନରେ ଉନ୍ନତି ପାଇଁ କ୍ରୀଡା ବିଜ୍ଞାନର ସମର୍ଥନ ଏବଂ ପ୍ରଶିକ୍ଷଣ ସୁବିଧା ପ୍ରଦାନ କରାଯାଉଛି। “ଖେଲୋ ଇଣ୍ଡିଆ ମଧ୍ୟ ଭାରତର ପାରମ୍ପରିକ କ୍ରୀଡାର ହୃତ ଗୌରବ ଫେରାଇ ଆଣିଛି” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହିତ ଗଟକା, ମାଲଖମ୍ବ, ଥାଙ୍ଗ –ଟା, କଲରିପାୟଟ୍ଟୁ ଏବଂ ଯୋଗାସନ ଭଳି ସ୍ୱଦେଶୀ କ୍ରୀଡାର ପ୍ରୋତ୍ସାହନ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବୃତି ଉପରେ ମଧ୍ୟ ଆଲୋକପାତ କରିଥିଲେ।

ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ମହିଳା କ୍ରୀଡାବିତଙ୍କ ଅଂଶଗ୍ରହଣର ଉତ୍ସାହଜନକ ଫଳାଫଳ ବିଷୟରେ ଉଲ୍ଲେଖ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଅନେକ ସହରରେ ଏବେ ଖେଲୋ ଇଣ୍ଡିଆ ମହିଳା ଲିଗର ଆୟୋଜନ କରାଯାଉଛି। ସେ କହିଥିଲେ, “ ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ବିୟସ ବର୍ଗର ପ୍ରାୟ ୨୩ ହଜାର ମହିଳା କ୍ରୀଡାବିତ୍ ଏଥିରେ ଅଂଶଗ୍ରହଣ କରିଛନ୍ତି ।”ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ଅଧିକ ସଂଖ୍ୟାରେ ମହିଳା କ୍ରୀଡାବିତମାନେ ଅଂଶ କରିଥିବା ବିଷୟ ଉଲ୍ଲେଖ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

“ଭାରତର ପ୍ରଗତୀ ଆପଣମାନଙ୍କ ପ୍ରତିଭା ଓ ଆପଣମାନଙ୍କ ପ୍ରଗତୀ ଉପରେ ନିର୍ଭର କରେ। ଆପଣମାନେ ଭବିଷ୍ୟତର ଚାମ୍ପିଅନ ।”ବୋଲି କହିବା ସହ ପ୍ରଧାନମନ୍ତ୍ରୀ ତ୍ରୀରଙ୍ଗାର ସମ୍ମାନକୁ ନୂତନ ଶିଖରକୁ ନେବା କ୍ରୀଡାବିତମାନଙ୍କର ଦାୟିତ୍ୱ ବୋଲି ଗୁରୁତ୍ୱାରୋପ କରିଥିଲେ। ଖେଳାଳି ମନୋଭାବ ଏବଂ ଦଳଗତ କାର୍ଯ୍ୟ ବିଷୟ ଉଲ୍ଲେଖ କରି ଏହା କେବଳ ଜୟ ପରାଜୟର ସ୍ୱୀକାର ଏବଂ ଦଳଗତ କାର୍ଯ୍ୟ ମଧ୍ୟରେ ସୀମିତ କି ବୋଲି ପ୍ରଧାନମନ୍ତ୍ରୀ ଏକ ପ୍ରଶ୍ନ ପଚାରିଥିଲେ । ଖେଳାଳି ମନୋଭାବର ଅର୍ଥ ଏହାଠାରୁ ଢେର ବ୍ୟାପକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “କ୍ରୀଡା ଆମକୁ ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଧ୍ୱକୁ ଉଠି ସାମୁହିକ ସଫଳତା ଆଡକୁ ଆଗେଇବା ପାଇଁ ପ୍ରେରଣା ଦେଇଥାଏ ।” ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ, କ୍ରୀଡା ଆମକୁ ନିୟମ ଏବଂ ଶିଷ୍ଟାଚାର ଅନୁସରଣ କରିବାର ଶିକ୍ଷା ଦେଇଥାଏ । ଯେତେବେଳେ ପରିସ୍ଥିତି ସେମାନଙ୍କ ସପକ୍ଷରେ ନ ଥାଏ ସେ ସମୟରେ ଖେଳାଳିମାନେ ଧୈର୍ଯ୍ୟ ନ ହରାଇ ନିୟମ ଶୃଙ୍ଖଳ ପ୍ରତି ପ୍ରତିଶୃତିବଦ୍ଧ ରହିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ନିଜକୁ ନିୟମ ଓ ଅନୁଶାସନର ସୀମା ମଧ୍ୟରେ ରଖି ଧୈର୍ଯ୍ୟର ସହ ପ୍ରତିପକ୍ଷକୁ ଅତିକ୍ରମ କରିବା ହେଉଛି ଜଣେ ଖେଳାଳିର ପ୍ରକୃତ ପରିଚୟ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷରେ କହିଥିଲେ । ଜଣେ ବିଜୟୀ କ୍ରୀଡାବିତ୍ ଯଦି ସବୁବେଳେ ସମ୍ମାନ ଏବଂ ଖେଳାଳି ମନୋଭାବ ବିଚାରଧାରାର ଅନୁସରଣ କରିଥାଏ  ତେବେ ଯାଇ ସେ ମହାନ କ୍ରୀଡାବିତ୍ ହୋଇଥାଏ । “ଜଣେ ବିଜୟୀ ସେତିକିବେଳେ ମହାନ୍ ଖେଳାଳି ହୋଇଥାଏ ଯେତେବେଳେ ସମାଜ ତାର ପ୍ରତିଟି ଆଚରଣରୁ ପ୍ରେରଣା ନେଇଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପୃଷ୍ଠଭୂମି

ଦେଶରେ ଏକ କ୍ରୀଡା ସଂସ୍କୃତିର ବିକାଶ ଏବଂ କ୍ରୀଡାକୁ ପେଶା ଭାବେ ଗ୍ରହଣ କରିବା ପାଇଁ ଯୁବପିଢୀକୁ ପ୍ରୋତ୍ସାହନ ଦେବା ଉପରେ ପ୍ରଧାନମନ୍ତ୍ରୀ ବେଶ ଗୁରୁତ୍ୱ ଦେଇଛନ୍ତି। ଉଦୀୟମାନ ଖେଳାଳୀମାନଙ୍କୁ ସମର୍ଥନ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ଶୁଭାରମ୍ଭ କରାଯାଇଛି ଏବଂ ଦେଶରେ କ୍ରୀଡାର ପରିବେଷ୍ଟନୀ ତନ୍ତ୍ରକୁ ମଜବୁତ କରିବା ପାଇଁ ପ୍ରୟାସ କରାଯାଇଛି । ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାର ଆୟୋଜନ ଏ ଦିଗରେ ଆଉ ଏକ ପଦକ୍ଷେପ।

ଚଳିତ ବର୍ଷ ମେ ୨୫ ତାରିଖରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ଉତର ପ୍ରଦେଶରେ ତୃତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଆୟୋଜିତ ହେଉଛି। ଏହି ପ୍ରତିଯୋଗୀତାଗୁଡିକ ବାରାଣସୀ, ଗୋରଖପୁର, ଲକ୍ଷ୍ନୌ ଏବଂ ଗୌତମ ନଗର ଠାରେ ଆୟୋଜିତ ହେଉଛି।  ୨୦୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୪ ହଜାର ୭୫୦ରୁ ଅଧିକ କ୍ରୀଡାବିତ୍ ଏହି କ୍ରୀଡା ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ଏହାର ଉଦଯାପନୀ ସମାରୋହ ଜୁନ୍ ୩ ତାରିଖରେ ବାରାଣସୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତାର ଶୁଭଙ୍କର(ମାସ୍କଟ)ର ନାମ ଜିତୁ ରଖାଯାଇଛି, ଯାହା ଉତର ପ୍ରଦେଶର ରାଜ୍ୟ ପ୍ରାଣୀ ବାରାସିଂହା (ସ୍ୱାମ୍ପ ଡିଅର)ର ପ୍ରତିନିଧିିତ୍ୱ କରୁଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ୬ ଟି ପ୍ଲାନେଟାରିଅମ ଓ ୩୦ ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ସ୍ଥାପନ କରାଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନୋବୃତ୍ତି ନେଇ ଜୀବନରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଦୁଇଟି ପ୍ଲାନେଟାରିଅମ ଅଛି। ଏହାସହିତ ଆଉ 6 ଟି ପ୍ଲାନେଟାରିଅମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୩୦ ଟି ଜିଲ୍ଲା ରେ ମଧ୍ୟ ୩୦ ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ଏଥିପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ବରର ପଠାଣୀ ସାମନ୍ତ ପ୍ଲାନେଟାରିଅମ୍‌କୁ ଏକ ୩-ଡ଼ି ପ୍ଲାନେଟାରିଅମରେ ପରିଣତ କରାଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମଣିଷ ସଭ୍ୟତାର ବିକାଶରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଜ୍ଞାନ ବିନା ଆଜି ଜୀବନଯାପନ କରିବା ସମ୍ଭବ ନୁହେଁ। ଯଦି ଆଜି ମଣିଷ ସଭ୍ୟତାର ଶିଖରରେ ପହଞ୍ଚିପାରିଛି, ତେବେ ଏହା ହେଉଛି ବିଜ୍ଞାନର ଅବଦାନ। ବିଜ୍ଞାନ ଓ ବିକାଶ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଓଡିଶା ଆଜି ବିକାଶ ପଥରେ ଅଗ୍ରଗତି କରି ବିଜ୍ଞାନ ଓ ବୈଷୟିକ ଶକ୍ତିର ପ୍ରୟୋଗରେ ଏକ ଜ୍ଞାନ ଅର୍ଥନୀତି (ନଲେଜ ଇକୋନୋମି) ଦିଗରେ ଅଗ୍ରସର ହେଉଛି। ବିକାଶର ଏହି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଭିତରେ ବୈଜ୍ଞାନିକ ମନୋବୃତି, ଅନୁସନ୍ଧିତ୍ସୁ ମନୋଭାବ ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରା ରହିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ରାଜ୍ୟ ସରକାର ଓଡିଶାରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ଶିକ୍ଷାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନେଉଛନ୍ତି।

ବିଜ୍ଞାନ ଶିକ୍ଷା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଦ୍ବାରା ସମାଜରେ ବୈଜ୍ଞାନିକ ମନୋଭାବ ବୃଦ୍ଧି ପାଇବା ସହିତ ପିଲାମାନଙ୍କ ମଧ୍ୟରେ ତର୍କସଙ୍ଗତ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଠାରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ କହିଲେ ଯେ ବିକାଶର ଧାରାରେ ବିଜ୍ଞାନର ସହାୟତା ସବୁବେଳେ ଜରୁରୀ। ରାୟଗଡାରେ ପ୍ଲାନେଟାରିଅମ୍‌ ସ୍ଥାପନ ଦ୍ବାରା ସ୍ଥାନୀୟ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରାଜ୍ୟରେ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାନେଟାରିଅମ୍‌ ଓ ଜିଲ୍ଲା ଗୁଡିକରେ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଭୁବନେଶ୍ବରର ପ୍ଲାନେଟାରିଅମ୍‌କୁ ଆହୁରି ବଡ କରାଯାଇ ଏଥିରେ ୧୨୦ ଜଣ ବସିବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଥିଲେ।

ସେହିପରି ଜୟପୁର ଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଲେ ଯେ ଜୟପୁରରେ ପ୍ଲାନେଟାରିଅମ୍‌ ପ୍ରତିଷ୍ଠା ସମଗ୍ର କୋରାପୁଟ ଜିଲ୍ଲା ପାଇଁ ଖୁସିର କଥା। ଆଧୁନିକ ସମାଜରେ ବିଜ୍ଞାନଭିତ୍ତିକ ଜୀବନଶୈଳୀ ବହୁତ ଜରୁରୀ ବୋଲି ପ୍ରକାଶ କରି ଏହି ପଦକ୍ଷେପ ଦ୍ବାରା ବିଜ୍ଞାନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଅଗ୍ରହ ବୃଦ୍ଧି ପାଇବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ଲାନେଟାରିଅମ ଓ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସଂପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ, ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭିଡିଓ କନଫରେନସିଂ ଜରିଆରେ ଉଦଘାଟିତ ହେଲା କୁଜଙ୍ଗ-ପାରାଦ୍ବୀପ କୋଭିଡ-୧୯ ହସ୍ପିଟାଲ

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ-ପାରାଦ୍ବୀପ ରେ ଆଜି ଠାରୁ ଡେଡିକେଟେଡ କୋଭିଡ ୧୯ ହସ୍ପିଟାଲ ଆରମ୍ଭ ହୋଇଛି। ପାରାଦ୍ବୀପ ବିଜୁ ଯାତ୍ରୀ ନିବାସରେ ହୋଇଥିବା ଏହି କୋଭିଡ ହସ୍ପିଟାଲ ପାରାଦ୍ବୀପ ବନ୍ଦର,ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ତ୍ରିପାକ୍ଷିକ ଚୁକ୍ତି ଅନୁସାରେ କରାଯାଇଛି। ଏହାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ଏକ ଭିଡିଓ କନଫରେନସିଂରେ ଉଦଘାଟନ କରିଛନ୍ତି। ବିଜୁ ଯାତ୍ରୀ ନିବାସରେ ହେଉଥିବା ଏହି କୋଭିଡ ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ୫୦ ଆଇସୋଲେସନ ବେଡ ଓ ପାଞ୍ଚଟି ଆଇସିୟୁ ରହିଛି। ଏବଂ ଏହାକୁ ପରବର୍ତ୍ତୀ ସମୟରେ ଆଉ ଅଧିକ ୨୦ଟି ବୃଦ୍ଧି କରାଯିବ।

ଏହି ହସ୍ପିଟାଲରେ ବର୍ତ୍ତମାନ ଆଠ ଜଣ ଡାକ୍ତର ଓ ୩୦ ଜଣ ଷ୍ଟାଫ୍ ନର୍ସ ଓ ୧୮ ଜଣ ଏ ଏନ୍ ଏମ୍ ମେଡିକାଲ ନିୟୋଜିତ ହୋଇଛନ୍ତି। ପାରାଦ୍ବୀପର ଅଠରବାଙ୍କିର ମେଡିକାଲ ଅଫିସରଙ୍କୁ ଏହାର ଅଥରାଇଜଡ ଦାୟିତ୍ବ ଓ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ବୀପ ଙ୍କୁ ମଧ୍ୟ ଏହାର ଅତିରିକ୍ତ ପ୍ରଶାସନିକ ଦାୟିତ୍ବ ଦିଆଯାଇଛି। ତେବେ ଏହି ହସ୍ପିଟାଲର ସମସ୍ତ ଖର୍ଚ୍ଚ ପାରାଦ୍ବୀପ ବନ୍ଦର କର୍ତ୍ତୁପକ୍ଷ ବହନ କରିବେ ବୋଲି ଚୁକ୍ତିନାମା ହୋଇଛି। ଏହି ହସ୍ପିଟାଲର ସମସ୍ତ ଶ୍ରେୟ ପାରାଦ୍ବୀପ ବନ୍ଦରକୁ ଦିଆଯାଇଛି ।ପାରାଦ୍ବୀପ ଏକ ସ୍ପର୍ଶକାତର ଅଞ୍ଚଳ ହୋଇଥିବାରୁ ଏହିାକୁ ଦୃଷ୍ଟିରେ ରଖି ଏଠାରେ ଡେଡିକେଟେଡ କୋଭିଡ19 ହସ୍ପିଟାଲର ଶୁଭ ଉନ୍ମୋଚନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ପାରାଦିପ ବନ୍ଦର ଅଧକ୍ଷ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସମତେ ବହୁ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।