Categories
ବିଶେଷ ଖବର

ଜି – ୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ଜି – ୨୦ ସଂସ୍କୃତି ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

କାଶୀ ନାମରେ ପରିଚିତ ବାରାଣସୀ ଠାରେ ପ୍ରଧାନମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ସହର ତାଙ୍କ ସଂସଦୀୟ କ୍ଷେତ୍ର ହୋଇ ଥିବାରୁ ଏଠାରେ ଜି- ୨୦ ସଂସ୍କୃତି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେଉ ଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । କାଶୀକୁ ଅନ୍ୟତମ ପୁରାତନ ଜୀବନ୍ତ ସହର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିକଟସ୍ଥ ସାରନାଥ ସହର ବିଷୟରେ କହିଥିଲେ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଧର୍ମୋପଦେଶ ଦେଇଥିଲେ। “କାଶୀ ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଭଣ୍ଡାର ଭାବରେ ଜଣାଶୁଣା ଏବଂ ଏହା ପ୍ରକୃତରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଅତିଥି ମାନଙ୍କୁ ଗଙ୍ଗା ଆରତୀ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ, ସାରନାଥ ପରିଦର୍ଶନ କରିବା ପାଇଁ ଏବଂ କାଶୀର ବ୍ୟଞ୍ଜନର ସ୍ୱାଦ ଚାଖିବା ପାଇଁ ପରାମର୍ଶ ଦେଇଥିଲେ।

ସଂସ୍କୃତିର ଅନ୍ତର୍ନିହିତ ସମ୍ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି – ୨୦ ସଂସ୍କୃତି ମନ୍ତ୍ରୀ ଗୋଷ୍ଠୀର କାର୍ଯ୍ୟ ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଭାରତରେ ଆମେ ଆମର ଚିରସ୍ଥାୟୀ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ। ଆମେ ଆମର ଦୃଶ୍ୟମାନ / ସ୍ଥାୟୀ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ବହୁତ ଗୁରୁତ୍ୱ ଦେଉଛୁ” ବୋଲି ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ ଭାରତ ଏହାର ଐତିହ୍ୟସ୍ଥଳୀ ଗୁଡ଼ିକର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ କଠିନ ପରିଶ୍ରମ କରୁଛି। ଦେଶର ସାଂସ୍କୃତିକ ସମ୍ପତ୍ତି ଓ କଳାକାର ମାନଙ୍କୁ ଜାତୀୟ ସ୍ତରରେ ତଥା ଗ୍ରାମ ସ୍ତରରେ ମାନଚିତ୍ରଣ କରିବା ପାଇଁ ସେ ଉଲ୍ଲେଖ କରିଥିଲେ।

ସେ ଭାରତର ସଂସ୍କୃତିକୁ ପାଳନ କରିବା ପାଇଁ ଅନେକ କେନ୍ଦ୍ର ନିର୍ମାଣ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ଆଦିବାସୀ ସଂଗ୍ରହାଳୟ, ଯାହା ଭାରତର ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ସଂସ୍କୃତିକୁ ପ୍ରଦର୍ଶିତ କରେ ତାହାର ଉଦାହରଣ ଦେଇଥିଲେ। ନୂଆଦିଲ୍ଲୀ ଠାରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ଏହା ଏକ ପ୍ରକାରର ପ୍ରୟାସ। ସେ “ୟୁଗେ ଯୁଗେ ଭାରତ’ ଜାତୀୟ ସଂଗ୍ରହାଳୟର ବିକାଶ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ସମ୍ପୂର୍ଣ୍ଣ ହେବା ପରେ ଭାରତର ୫,୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରୁଥିବା ବିଶ୍ୱର ସର୍ବବୃହତ ସଂଗ୍ରହାଳୟ ଭାବରେ ଠିଆ ହେବ। ୨୦୧୪ ମସିହାରୁ ଭାରତ ଏଭଳି ଶତାଧିକ କଳାକୃତିକୁ ଫେରାଇ ଆଣିଛି ଯାହା ଏହାର ପ୍ରାଚୀନ ସଭ୍ୟତାର ଗୌରବକୁ ପ୍ରଦର୍ଶିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଜୀବନ୍ତ ଐତିହ୍ୟ ତଥା ‘କଲଚର୍ ଫର ଲାଇଫ୍’ ପ୍ରତି ଅବଦାନକୁ ସେ ପ୍ରଶଂସା କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଂସ୍କୃତିକ ଐତିହ୍ୟ କେବଳ ପଥରରେ ଖୋଦେଇ କରାଯାଏ ନାହିଁ, ବରଂ ପରମ୍ପରା, ରୀତିନୀତି ଏବଂ ପର୍ବପର୍ବାଣୀ ଗୁଡିକୁ ମଧ୍ୟ ପର ପିଢ଼ିକୁ ପ୍ରଦାନ କରାଯାଏ। କାର୍ଯ୍ୟକାରୀ ଗୋଷ୍ଠୀର ପ୍ରୟାସ ନିରନ୍ତର ଅଭ୍ୟାସ ଏବଂ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିବିଧତା ପାଇଁ ଐତିହ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଏବଂ ଏହା ଭାରତର ‘ବିକାଶ ଭି , ବିରାସତ ଭି’ (ବିକାଶ ସହିତ ଐତିହ୍ୟ ମଧ୍ୟ) ମନ୍ତ୍ରରେ ପ୍ରତିଫଳିତ ହୋଇଛି , ଯାହାର ଅର୍ଥ ହେଉଛି ବିକାଶ ସହିତ ଐତିହ୍ୟର ସଂରକ୍ଷଣ। ପ୍ରାୟ ୩,୦୦୦ ଅନନ୍ୟ କଳାକୃତି ଏବଂ ହସ୍ତଶିଳ୍ପ ସହିତ ୨,୦୦୦ ବର୍ଷର ପରୁଣା ଶିଳ୍ପକାରିଗରୀ ଐତିହ୍ୟ ପାଇଁ ଭାରତ ଗର୍ବିତ” ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଯାହା ଏକା ସାଙ୍ଗରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଭାରତୀୟ ଶିଳ୍ପକାରିଗରୀର ସ୍ୱତନ୍ତ୍ରତାକୁ ପ୍ରଦର୍ଶିତ କରେ।

ସାଂସ୍କୃତିକ ଏବଂ ସୃଜନଶୀଳ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଜି- ୨୦ ରାଷ୍ଟ୍ର ଗୁଡ଼ିକର ପ୍ରୟାସ ଗଭୀର ଗୁରୁତ୍ୱ ବହନ କରୁଛି କାରଣ ଏହା ସାମଗ୍ରିକ ଅର୍ଥନୈତିକ ବିକାଶରେ ସହାୟକ ହେବ ଏବଂ ସୃଜନଶୀଳତା ଏବଂ ନବସୃଜନକୁ ସମର୍ଥନ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଆସନ୍ତା ମାସରେ ଭାରତ ୧.୮ ବିଲିୟନ ଡଲାରର ପ୍ରାରମ୍ଭିକ ବ୍ୟୟରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହା ପାରମ୍ପରିକ କାରିଗର ମାନଙ୍କ ପାଇଁ ସମର୍ଥନର ଏକ ପରିବେଶ ସୃଷ୍ଟି କରିବ ଏବଂ ସେମାନଙ୍କୁ ସେମାନଙ୍କ ଶିଳ୍ପକଳାରେ ଉନ୍ନତି ଆଣିବାରେ ସକ୍ଷମ କରିବ ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣରେ ଯୋଗଦାନ କରିବ ବୋଲି ସେ କହିଥିଲେ।

ସଂସ୍କୃତିକୁ ପାଳନ କରିବାରେ ପ୍ରଯୁକ୍ତି ବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ଜାତୀୟ ଡିଜିଟାଲ ଜିଲ୍ଲା ଭଣ୍ଡାର ବିଷୟରେ ଉଲ୍ଲେଖ କରିଥିଲେ, ଯାହା ସ୍ୱାଧୀନତା ସଂଗ୍ରାମର କାହାଣୀକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରୁଛି। ସାଂସ୍କୃତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକୁ ଅଧିକ ପର୍ଯ୍ୟଟନ ଅନୁକୂଳ କରିବା ସହିତ ଏହାର ସାଂସ୍କୃତିକ ଐତିହ୍ୟ ଗୁଡ଼ିକର ଉତ୍ତମ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଭାରତର ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଯେ ଜି – ୨୦ ସଂସ୍କୃତି ମନ୍ତ୍ରୀଙ୍କ କାର୍ଯ୍ୟକାରୀ ଗୋଷ୍ଠୀ ‘କଲଚର୍ ୟୁନାଇଟ୍ସ ଅଲ୍’ (ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରେ) ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ବସୁଧୈବ କୁଟୁମ୍ବକମ୍ – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ର ଭାବନାକୁ ଦର୍ଶାଯାଇଛି। ଜି – ୨୦ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ସଂସ୍କୃତି, ସୃଜନଶୀଳତା, ବାଣିଜ୍ୟ ଏବଂ ସହଯୋଗ ଭଳି ଚାରୋଟି ସି (C ) ର ମହତ୍ତ୍ୱକୁ ଆପଣଙ୍କ କାର୍ଯ୍ୟ ପ୍ରତିଫଳିତ କରୁଛି। ଏହା ଆମକୁ ଏକ ଦୟାଶୀଳ, ସମାବେଶୀ ଏବଂ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ ପାଇଁ ସଂସ୍କୃତିର ଶକ୍ତିକୁ ଉପଯୋଗ କରିବାରେ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

Categories
ବିଶେଷ ଖବର

“ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି”: ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜି-୨୦ ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପିଙ୍କ ସିଟି ଜୟପୁରକୁ ଭବ୍ୟ ସ୍ୱାଗତ କରିବା ସହ କହିଥିଲେ ଯେ ଏହି ଅଞ୍ଚଳ ଏହାର ଗତିଶୀଳ ଏବଂ ଉଦ୍ୟୋଗୀ ଲୋକଙ୍କ ପାଇଁ ଜଣାଶୁଣା। ଭାରତ ବାଣିଜ୍ୟ ଚିନ୍ତାଧାରା, ସଂସ୍କୃତି ଏବଂ ପ୍ରଯୁକ୍ତିବିଦ୍ୟାର ଆଦାନ ପ୍ରଦାନ କରିବା ସହିତ ସମଗ୍ର ଇତିହାସରେ ଲୋକଙ୍କୁ ନିକଟତର କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବାଣିଜ୍ୟ ଓ ଜଗତୀକରଣ ମଧ୍ୟ କୋଟି କୋଟି ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟରୁ ମୁକ୍ତ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।

ଭାରତୀୟ ଅର୍ଥନୀତିର ବିଶ୍ୱସ୍ତରୀୟ ବିଶ୍ୱାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତକୁ ଖୋଲାପଣ, ସୁଯୋଗ ଏବଂ ବିକଳ୍ପର ମିଶ୍ରଣ ଭାବରେ ଦେଖାଯାଉଛି। ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆମେ ୨୦୧୪ରେ “ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର”ର ଯାତ୍ରା ଆରମ୍ଭ କରିଥିଲୁ”। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଏବଂ ସ୍ୱଚ୍ଛତା ବୃଦ୍ଧି, ଡିଜିଟାଇଜେସନ୍ ର ପ୍ରସାର ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ସ୍ଥାପନ କରିଛି ଏବଂ ଶିଳ୍ପ ଜୋନ୍ ନିର୍ମାଣ କରିଛି। “ଆମେ ଲାଲଫିତା ଠାରୁ ଦୂରେଇ ରେଡ୍ କାର୍ପେଟ୍ କୁ ଯାଇଛୁ ଏବଂ ଏଫଡିଆଇକୁ ଉଦାର କରିଛୁ” ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଭଳି ପଦକ୍ଷେପ ବିଷୟକୁ ମଧ୍ୟ ସ୍ପର୍ଶ କରିଥିଲେ ଯାହା ଉତ୍ପାଦନକୁ ପ୍ରୋତ୍ସାହିତ କରିଛି ଏବଂ ଦେଶରେ ନୀତି ସ୍ଥିରତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଆଗାମୀ କିଛି ବର୍ଷ ମଧ୍ୟରେ ଭାରତକୁ ତୃତୀୟ ବୃହତ୍ତମ ବିଶ୍ୱ ଅର୍ଥନୀତି ରେ ପରିଣତ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ମହାମାରୀଠାରୁ ଆରମ୍ଭ କରି ଭୂ-ରାଜନୈତିକ ଉତ୍ତେଜନା ପର୍ଯ୍ୟନ୍ତ ସାମ୍ପ୍ରତିକ ବୈଶ୍ୱିକ ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ୱ ଅର୍ଥନୀତିକୁ ପରୀକ୍ଷା କରିଛି ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ଉପରେ ବିଶ୍ୱାସ ପୁନରୁଦ୍ଧାର କରିବା ଜି-୨୦ ରାଷ୍ଟ୍ର ଭାବରେ ଆମର ଦାୟିତ୍ୱ। ଭବିଷ୍ୟତର ବିପଦକୁ ସହ୍ୟ କରିପାରୁଥିବା ସ୍ଥିର ଏବଂ ଅନ୍ତର୍ଭୁକ୍ତ ବୈଶ୍ବିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ, ଦୁର୍ବଳତା ଆକଳନ, ବିପଦକୁ ହ୍ରାସ କରିବା ଏବଂ ସ୍ଥିରତା ବୃଦ୍ଧି କରିବା ପାଇଁ ମ୍ୟାପିଂ ଗ୍ଲୋବାଲ ଭାଲ୍ୟୁ ଚେନ୍ ପାଇଁ ଏକ ଜେନେରିକ ଫ୍ରେମୱାର୍କ ପ୍ରସ୍ତୁତ କରିବା ପାଇଁ ଭାରତର ପ୍ରସ୍ତାବର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

“ବାଣିଜ୍ୟରେ ପ୍ରଯୁକ୍ତିବିଦ୍ୟାର ପରିବର୍ତ୍ତନଶୀଳ ଶକ୍ତି ର୍ନିବିବାଦୀୟ”, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଏବଂ ଭାରତର ଅନଲାଇନ୍ ଏକକ ପରୋକ୍ଷ ଟିକସ – ଜିଏସଟି ଆଡକୁ ଅଗ୍ରସର ହେବାର ଉଦାହରଣ ଦେଇଥିଲେ ଯାହା ଆନ୍ତଃରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବାରେ ଏକକ ଆଭ୍ୟନ୍ତରୀଣ ବଜାର ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା। ବାଣିଜ୍ୟ ଲଜିଷ୍ଟିକ୍ସକୁ ଶସ୍ତା ଏବଂ ଅଧିକ ସ୍ୱଚ୍ଛ କରିବା ପାଇଁ ଭାରତର ୟୁନିଫାଏଡ୍ ଲଜିଷ୍ଟିକ୍ସ ଇଣ୍ଟର-ଫେସ୍ ପ୍ଲାଟଫର୍ମ କୁ ମଧ୍ୟ ସେ ସ୍ପର୍ଶ କରିଥିଲେ। ସେ ‘ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ’ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଏହାକୁ ଏକ ଗେମ୍-ଚେଞ୍ଜର ବୋଲି କହିଥିଲେ ଯାହା ଡିଜିଟାଲ୍ ମାର୍କେଟପ୍ଲେସ୍ ଇକୋ-ସିଷ୍ଟମକୁ ଗଣତାନ୍ତ୍ରିକ କରିବ। ପେମେଣ୍ଟ ବ୍ୟବସ୍ଥା ପାଇଁ ଆମେ ଆମର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ସହ ଏହା କରିସାରିଛୁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକ୍ରିୟାକୁ ଡିଜିଟାଇଜ୍ କରିବା ଏବଂ ଇ-କମର୍ସର ବ୍ୟବହାର ବଜାର ପ୍ରବେଶକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଏହି ଗୃପ୍‍ ‘ବାଣିଜ୍ୟ ଦସ୍ତାବିଜର ଡିଜିଟାଲାଇଜେସନ୍ ପାଇଁ ଉଚ୍ଚସ୍ତରୀୟ ନୀତି’ ଉପରେ କାର୍ଯ୍ୟ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଏହି ନୀତିଗୁଡ଼ିକ ସୀମାପାର ଇଲେକ୍ଟ୍ରୋନିକ୍ ବାଣିଜ୍ୟ ପଦକ୍ଷେପ କୁ କାର୍ଯ୍ୟକାରୀ କରିବା ରେ ଏବଂ ଅନୁପାଳନ ବୋଝ ହ୍ରାସ କରିବାରେ ଦେଶମାନଙ୍କୁ ସାହାଯ୍ୟ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସୀମାପାର ଇ-କମର୍ସର ଅଭିବୃଦ୍ଧିର ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବୃହତ ଏବଂ କ୍ଷୁଦ୍ର ବିକ୍ରେତାଙ୍କ ମଧ୍ୟରେ ସମାନ ପ୍ରତିଯୋଗିତା ସୁନିଶ୍ଚିତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉପଯୁକ୍ତ ମୂଲ୍ୟ ଆବିଷ୍କାର ଏବଂ ଅଭିଯୋଗ ପରିଚାଳନା ବ୍ୟବସ୍ଥାରେ ଉପଭୋକ୍ତାମାନେ ସମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଭାରତ ଏକ ନିୟମ ଭିତ୍ତିକ, ଖୋଲା, ଅନ୍ତର୍ଭୁକ୍ତ ଏବଂ ବହୁପାକ୍ଷିକ ବାଣିଜ୍ୟ ବ୍ୟବସ୍ଥାରେ ବିଶ୍ୱାସ କରେ ଯାହାର ମୂଳରେ ଡବ୍ଲ୍ୟୁଟିଓ ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଦର୍ଶାଇଛନ୍ତି ଯେ ଦ୍ୱାଦଶ ଡବ୍ଲ୍ୟୁଟିଓ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭାରତ ଦକ୍ଷିଣ ବିଶ୍ବର ଚିନ୍ତାକୁ ସମର୍ଥନ କରିଛି ଯେଉଁଠାରେ ସଦସ୍ୟମାନେ ଲକ୍ଷ ଲକ୍ଷ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସହମତି ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ବିଶ୍ୱ ଅର୍ଥନୀତିରେ ଏମଏସଏମଇର ପ୍ରମୁଖ ଭୂମିକାକୁ ଦୃଷ୍ଟିରେ ରଖି ସେମାନଙ୍କ ଉପରେ ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। “ଏମଏସଏମଇଗୁଡ଼ିକରେ ୬୦ରୁ ୭୦ ପ୍ରତିଶତ ନିଯୁକ୍ତି ପାଆନ୍ତି ଏବଂ ବିଶ୍ୱ ଜିଡିପିରେ ୫୦ ପ୍ରତିଶତ ଯୋଗଦାନ କରନ୍ତି”, ପ୍ରଧାନମନ୍ତ୍ରୀ ସେମାନଙ୍କ ସଶକ୍ତୀକରଣ ସାମାଜିକ ସଶକ୍ତୀକରଣରେ ପରିଣତ ହେଉଥିବାରୁ ସେମାନଙ୍କୁ ନିରନ୍ତର ସମର୍ଥନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

“ଆମ ପାଇଁ ଏମଏସଏମଇ ର ଅର୍ଥ ହେଉଛି – ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ସର୍ବାଧିକ ସହାୟତା”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଭାରତ ଅନଲାଇନ୍ ପ୍ଲାଟଫର୍ମ – ସରକାରୀ ଇ-ମାର୍କେଟପ୍ଲେସ୍ ମାଧ୍ୟମରେ ଏମଏସଏମଇଗୁଡ଼ିକୁ ସାଧାରଣ କ୍ରୟରେ ସଂଯୁକ୍ତ କରିଛି ଏବଂ ପରିବେଶ ଉପରେ ‘ଜିରୋ ଡିଫେକ୍ଟ’ ଏବଂ ‘ଜିରୋ ଇଫେକ୍ଟ’ର ନୀତି ଗ୍ରହଣ କରିବା ପାଇଁ ଏମଏସଏମଇ କ୍ଷେତ୍ର ସହିତ କାର୍ଯ୍ୟ କରୁଛି। ବିଶ୍ୱ ବାଣିଜ୍ୟ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଭାରତୀୟ ରାଷ୍ଟ୍ରପତିଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ଆଲୋକପାତ କରିଥିଲେ। ପ୍ରସ୍ତାବିତ ‘ଏମ୍ଏସ୍ଏମ୍ଇଗୁଡ଼ିକୁ ସୂଚନାର ନିରବଚ୍ଛିନ୍ନ ପ୍ରବାହକୁ ପ୍ରୋତ୍ସାହିତ କରିବା ପାଇଁ ଜୟପୁର ପଦକ୍ଷେପ’ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏମ୍ଏସ୍ଏମ୍ଇଗୁଡ଼ିକ ସମୁଖୀନ ହେଉଥିବା ବଜାର ଏବଂ ବ୍ୟବସାୟ ସମ୍ବନ୍ଧୀୟ ସୂଚନାରେ ପର୍ଯ୍ୟାପ୍ତ ଉପଲବ୍ଧତାର ଆହ୍ୱାନର ମୁକାବିଲା କରିବ। ଗ୍ଲୋବାଲ ଟ୍ରେଡ୍ ହେଲ୍ପ ଡେସ୍କର ଉନ୍ନତିକରଣ ଦ୍ୱାରା ବିଶ୍ୱ ବାଣିଜ୍ୟରେ ଏମଏସଏମଇର ଅଂଶଗ୍ରହଣ ବୃଦ୍ଧି ପାଇବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ନିବେଶ ପ୍ରକ୍ରିୟାରେ ବିଶ୍ୱାସ ଫେରାଇ ଆଣିବା ଏକ ପରିବାର ଭାବରେ ଜି-୨୦ ସଦସ୍ୟଙ୍କ ସାମୂହିକ ଦାୟିତ୍ୱ। ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ଧୀରେ ଧୀରେ ଅଧିକ ପ୍ରତିନିଧିତ୍ବପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତ ଭବିଷ୍ୟତରେ ପରିଣତ ହେବା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକାରୀ ଗୋଷ୍ଠୀ ମିଳିତ ଭାବେ ଆଗକୁ ବଢ଼ିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।