Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରୀଙ୍କ ପାଇଲଟ୍ ହେବାର ସ୍ୱପ୍ନ: ପ୍ରେରଣା ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇଲେ ୫ଟି ସଚିବ

ସୁନ୍ଦରଗଡ଼: “ସେଦିନ ଭର୍ଚୁଆଲ ମିଟିଙ୍ଗ୍ ବେଳେ ୫ଟି ସଚିବ ପାଣ୍ଡିଆନ୍ ସାର୍ ଆମ ପିଲାମାନଙ୍କୁ ସେମାନଙ୍କ କ୍ୟାରିୟର ସ୍ୱପ୍ନ ବିଷୟରେ ପଚାରୁଥିଲେ। ଭବିଷ୍ୟତରେ ପାଇଲଟ୍ ହେବା ପାଇଁ ଲକ୍ଷ୍ୟ ରଖିଛି ବୋଲି ମୁଁ ତାଙ୍କୁ କହିଥିଲି। ଏହା ଶୁଣି ସେ ମୋ’ ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇବେ ବୋଲି କହିଥିଲେ। ଆଜି ତାହା ପାଇ ମୁଁ ବହୁତ ଖୁସି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଡୁଡୁକା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଭୂମିକା ପ୍ରଧାନ।

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ନିକଟରେ ହୋଇଥିବା ଭର୍ଚୁଆଲ ଆଲୋଚନା ବେଳେ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ କଥା ହୋଇଥିଲେ। ୧୩ଟି ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ପିଲାମାନେ ନିଜ ନିଜର କ୍ୟାରିୟର ସ୍ୱପ୍ନ ବିଷୟରେ ତାଙ୍କୁ କହିଥିଲେ। ଏହି ଅବସରରେ ପାଇଲଟ୍ ହେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରୀ ଭୂମିକା ପ୍ରଧାନଙ୍କୁ ୫ଟି ସଚିବ ଏକ ପ୍ରେରଣାଦାୟୀ ବହି ପଠାଇବେ ବୋଲି କହିଥିଲେ।

ଦୁଃସାହସୀ ପାଇଲଟ୍ ଏବଂ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବୀନୀ ଉପରେ ଆଧାରିତ ଏକ ଲୋକପ୍ରିୟ କମିକ୍ ପୁସ୍ତକ “ଦ ଆଡଭେଞ୍ଚରସ୍ ଅଫ୍ ଦ ଡେୟାରଡେଭିଲ ଡେମୋକ୍ରାଟ୍‌’ ୫ଟି ସଚିବ ଏହି ବହିଟିକୁ ଛାତ୍ରୀ ଭୂମିକାଙ୍କ ପାଇଁ ପଠାଇଛନ୍ତି। ମଙ୍ଗଳବାର ଦିନ ସୁନ୍ଦରଗଡ଼ଠାରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଭୂମିକାଙ୍କୁ ଏହା ପ୍ରଦାନ କରିଥିଲେ। ଏହି ବହିଟି ଭୂମିକାଙ୍କ ପାଇଁ ପ୍ରେରଣା ହେବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି।

ଭୂମିକା ତାଙ୍କ ବାପା ଥିପେନ୍ଦ୍ର ପ୍ରଧାନଙ୍କ ସହ ଆସି ଜିଲ୍ଲାପାଳଙ୍କଠାରୁ ଏହି ବହିଟି ଗ୍ରହଣ କରିଥିଲେ। ଏହି ପ୍ରେରଣାଦାୟୀ ପଦକ୍ଷେପ ପାଇଁ ଭୂମିକା ଓ ତାଙ୍କ ବାପା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପୁସ୍ତକ ପ୍ରଦାନ ସମୟରେ ସୁନ୍ଦରଗଡ଼ଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂହ ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ଓ ଡୁଡୁକା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିନେଶ ଚନ୍ଦ୍ର ପଟେଲ ଉପସ୍ଥିତ ଥିଲେ।

ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ୪୪ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ଏହା ମଧ୍ୟରେ ହେମଗିର ବ୍ଲକର ଡୁଡୁକା ହାଇସ୍କୁଲ ରହିଛି। ପୂର୍ବବର୍ତ୍ତୀ ଦୁଇଟି ପର୍ଯ୍ୟାୟରେ ୨୪୭ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ ଶେଷ ହୋଇଛି। ପ୍ରତିଟି ରୂପାନ୍ତରିତ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଆଧୁନିକ ବିଜ୍ଞାନାଗାର, ଇ-ପାଠାଗାର, ଉନ୍ନତ ଖେଳପଡ଼ିଆ ଇତ୍ୟାଦି କରାଯାଉଛି। ଏହି ରୂପାନ୍ତରିତ ଭିତ୍ତିଭୂମି ଓ ପରିବେଶ ପିଲାମାନଙ୍କ ଭବିଷ୍ୟତର ଲକ୍ଷ୍ୟ ପୂରଣ କରିବାରେ ବିଶେଷ ସହାୟକ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର ସ୍ୱପ୍ନ ବିଷୟରେ ପଚାରି ବୁଝିଲେ ୫ଟି ସଚିବ

ସୁନ୍ଦରଗଡ଼/ରାଉରକେଲା: ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଶନିବାର ଦିନ ‘୫ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ବେଳେ ଉପସ୍ଥିତ ଛାତ୍ରଛାତ୍ରୀଙ୍କଠାରୁ ସେମାନଙ୍କ ଭବିଷ୍ୟତର ସ୍ୱପ୍ନ ବିଷୟରେ ପଚାରି ବୁଝିଥିଲେ।

‘‘ସ୍କୁଲ ହେଉଛି ଆମର ମା’ ଭଳି। ତେଣୁ ଆମେ ସମସ୍ତେ ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ବିକଶିତ କରାଯାଇଥିବା ବିଭିନ୍ନ ଅତ୍ୟାଧୁନିକ ଭିତ୍ତିଭୂମି ସହ ଏହାର ପରିବେଶର ପୂର୍ଣ୍ଣ ଯତ୍ନ ନେବା ଆବଶ୍ୟକ। ଆମ ସ୍କୁଲ ପରିବେଶ ଏଭଳି ରହିଲେ ପିଲାମାନଙ୍କର ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହୋଇପାରିବ। ତେଣୁ ଏହି କାମରେ ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ, ପଞ୍ଚାୟତ ପ୍ରତିନିଧିମାନେ ସହଯୋଗ କରିବା ଦରକାର’’, କହିଛନ୍ତି ୫ଟି ସଚିବ।

ଏହି ଅବସରରେ ସେ ଆହୁରି କହିଥିଲେ ଯେ, ‘‘ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏକ ଅଭିନବ ପରିକଳ୍ପନା। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତର ସ୍ୱପ୍ନକୁ ଏକ ନୂଆ ଦିଗ ଦେଖାଇବାରେ ବିଶେଷ ସହାୟକ ହେବ।’’ ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୫ଟି ସଚିବ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।

ସମସ୍ତ ରୂପାନ୍ତରିତ ହାଇସ୍କୁଲର ଆବଶ୍ୟକ ଜମି ପଟ୍ଟା ପ୍ରଦାନ ସହ ସ୍କୁଲଗୁଡ଼ିକୁ ନିରନ୍ତର ବିଦ୍ୟୁତ ସେବା, ସ୍ଥାୟୀ ରାସ୍ତା ନିର୍ମାଣ ଏବଂ ସ୍କୁଲ ପରିସରରେ ବ୍ୟାପକ ଚାରା ରୋପଣ କରିବା ଲାଗି ୫ଟି ସଚିବ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।
ବିଶେଷକରି ଏହି କାର୍ଯ୍ୟକ୍ରମ ଅବସରରେ ୫ଟି ସଚିବ ଉପସ୍ଥିତ ୧୩ଟି ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ନିଜର ଭବିଷ୍ୟତର ସ୍ୱପ୍ନ ବିଷୟରେ କହିଥିଲେ। ୫ଟି ସଚିବ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଓସ୍ୱାନ କନଫରେନ୍ସ ହଲଠାରେ ଉପସ୍ଥିତ ଥିଲେ। ସେହିପରି ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଏବଂ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

ସୁନ୍ଦରଗଡ଼ଠାରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ସମଗ୍ର ଶିକ୍ଷା ଅଭିଯାନର ବରିଷ୍ଠ ବୈଷୟିକ ପରାମର୍ଶଦାତା ବିଶ୍ୱମନୋହର ସୁବୁଦ୍ଧିଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜିଲ୍ଲାର ୧୩ଟି ବ୍ଲକ କାର୍ଯ୍ୟାଳୟଠାରେ ସ୍ଥାନୀୟ ବିଡିଓଙ୍କ ସହିତ ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୩୮୪ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେଥିମଧ୍ୟରୁ ପର୍ଯ୍ୟାୟକ୍ରମେ ୨୪୭ଟି ରୂପାନ୍ତରିତ ହାଇସ୍କୁଲକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଲୋକାର୍ପଣ ହେବାକୁ ଥିବା ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ୫ଟି ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ: ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ନେବ ନୂଆ ରୂପ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲ ସଂପୂର୍ଣ୍ଣ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଥମ ପର‌୍ୟ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ହାଇସ୍କୁଲ ମଧ୍ୟରୁ ୪୦ଟି ସ୍କୁଲର ସମୀକ୍ଷା କରାଯାଇଛି। ଶନିବାର ଦିନ ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ସମୀକ୍ଷା କରିଛନ୍ତି।

ଏହି ଅବସରରେ ହାଇସ୍କୁଲ ରୂପାନ୍ତରଣ ଲାଗି ପ୍ରସ୍ତୁତ ଜିଲ୍ଲାସ୍ତରୀୟ ‘ଭିଜନ ଡକ୍ୟୁମେଣ୍ଟ’ ଉନ୍ମୋଚିତ ହୋଇଥିଲା। ଏଥିରେ କାର‌୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ସହିତ ଏହାକୁ କିପରି ସଫଳତାର ସହ କାର‌୍ୟ୍ୟକାରୀ କରାଯିବ ସେ ନେଇ ମାର୍ଗଦର୍ଶନ ପ୍ରସ୍ତୁତ କରାଯାଇଛି। ସେହିପରି ପ୍ରତ୍ୟେକ ବିଦ୍ୟାଳୟର ମାଇକ୍ରୋ ପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନଫରେନ୍ସିଂ ହଲଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ରେ ଏହି କାର୍ଯ୍ୟକ୍ରମ ଲାଗୁ କରିବା ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ହାଇସ୍କୁଲ ରୂପାନ୍ତରଣ ଲାଗି ସରକାରଙ୍କୁ ଧନ୍ୟବାଦ ଦେବା ସହିତ ଏହାର ସଫଳ ରୂପାୟନ ପାଇଁ ସେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ।

ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପନା ହେଉଛି ରାଜ୍ୟର ସମସ୍ତ ସରକାରୀ ସ୍କୁଲକୁ ନୂଆ ରୂପ ଦେବା। ସ୍କୁଲର ଶିକ୍ଷା ପରିବେଶରେ ବ୍ୟାପକ ଉନ୍ନତି ଆଣିବା। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନର ମାନ ବଢ଼ାଇବା। ସେହିପରି ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଶିକ୍ଷାନୁଷ୍ଠାନର ସାମଗ୍ରିକ ଉନ୍ନତି ଆଣିବା। ଏହା ହେଲେ ଆମ ସରକାରୀ ସ୍କୁଲଗୁଡ଼ିକରେ ଯେଉଁ ପ୍ରତିଭାବାନ୍ ଛାତ୍ରଛାତ୍ରୀ ଅଛନ୍ତି ସେମାନଙ୍କର ଭବିଷ୍ୟତ ଲକ୍ଷ୍ୟ ସାକାର ହୋଇପାରିବ’’, ସମୀକ୍ଷା ବେଳେ କହିଥିଲେ ଭି କାର୍ତ୍ତିକେୟନ୍ପାଣ୍ଡିଆନ୍। ତେଣୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ବେଳେ ୫-ଟି ସଚିବ ଗୋଟି ଗୋଟି କରି ସମସ୍ତ ସ୍କୁଲ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ। ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମ ବେଳେ ବିଡିଓଙ୍କ ସହ ବ୍ଲକ ଶିକ୍ଷା ଅଧିକାରୀ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ, ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

‘‘୫-ଟି ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୩୮୩ଟି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଛି। ତା’ ଭିତରୁ ପ୍ରଥମ ପର‌୍ୟ୍ୟାୟରେ ହେବାକୁ ଥିବା ହାଇସ୍କୁଲଗୁଡ଼ିକର ରୂପାନ୍ତରଣ ବିଷୟରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆଗାମୀ ଅକ୍ଟୋବର ୨ ତାରିଖ ସୁଦ୍ଧା ପ୍ରଥମ ପର‌୍ୟ୍ୟାୟ ରୂପାନ୍ତରଣ କାର‌୍ୟ୍ୟ ଶେଷ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହା ଫଳରେ ସରକାରୀ ସ୍କୁଲର ପାଠ୍ୟ ପରିବେଶରେ ବିଶେଷ ଉନ୍ନତି ଆସିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କ୍ୟାରିୟର ଗଠନ ଉପରେ ଗୁରୁତ୍ୱ ଦିଆଯାଉଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଡିଏମଏଫର ସିଇଓ ରସାଇ ଲାଗୁରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ରୂପାନ୍ତରଣ କାର‌୍ୟ୍ୟକ୍ରମ ଜରିଆରେ ସ୍କୁଲଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ଉପରେ ପ୍ରାଥମିକତା ଦିଆଯାଉଛି। ସେହିପରି ଗୋଷ୍ଠୀ ସହଭାଗିତାକୁ ଆଧାର କରି ଏହି କାର‌୍ୟ୍ୟକ୍ରମକୁ ସଫଳ କରିବା ପାଇଁ ୫-ଟି ଅଧୀନରେ ଲକ୍ଷ୍ୟ ରଖାଯାଇଛି।