Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବଙ୍କ ପୁରୀ ଓ କଟକ ଗସ୍ତ, ଜୁନ ୧୫ ସୁଦ୍ଧା ସଂପୂର୍ଣ୍ଣ ହେବ ନେତାଜୀ ବସ ଟର୍ମିନାଲ ନିର୍ମାଣ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ପୁରୀ ଓ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀ ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ କରିଡର ଶ୍ରୀ ସେତୁ ଓ ଜଗନ୍ନାଥ ବଲ୍ଳଭ ଯାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।

ରାଜ୍ୟ ସରକାରଙ୍କ ଐତିହ୍ୟ ରୂପାନ୍ତର କାର୍ଯ୍ୟକ୍ରମରେ ଏହା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଆନ୍ତର୍ଜାତିକ ସ୍ତରରେ ଏକ ଗୃରୁତ୍ଵପୂର୍ଣ୍ଣ ଐତିହ୍ୟ ସ୍ଥଳ ଭାବରେ ଏହା ପୁରୀର ଗୁରୁତ୍ଵ ବୃଦ୍ଧି କରିବ। ପ୍ରତି ସପ୍ତାହରେ ପୁରୀ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ।

ଅପରାହ୍ନରେ  ଶ୍ରୀ ପାଣ୍ଡିଆନ କଟକ ଯାଇ ପ୍ରଥମେ ଖାନ୍ ନଗର ଠାରେ ନିର୍ମାଣାଧୀନ ନେତାଜୀ ବସ ଟର୍ମିନାଲ ର ନିର୍ମାଣ କାର୍ଯ୍ୟ ବୁଲି ଦେଖି ଥିଲେ ଏବଂ ଅଧିକାରୀ ମାନଙ୍କ ସହିତ କାର୍ଯ୍ୟର ସମୀକ୍ଷା କରି ଥିଲେ। ଆସନ୍ତା ଜୁନ୍ ୧୫ ତାରିଖ ସୁଦ୍ଧା ବସ ଟର୍ମିନାଲ ନିର୍ମାଣ ଶେଷ ହେବ ବୋଲି ସମୀକ୍ଷାରୁ ଜଣା ଯାଇଛି।

ସୂଚନା ଯୋଗ୍ୟ ଯେ ୧୫ ଏକର ପରିମିତ ଅଂଚଳରେ ନିର୍ମାଣାଧୀନ ଏହି ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ୨୦୨୧ ଜାନୁଆରୀ ୨୩ ରେ ଶୁଭ ଦେଇଥିଲେ। ଏଥିପାଇଁ ସତୁରୀ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

ଏଥିରେ ୧୮୦ ଟି ବସ ରହିବା ପାଇଁ ତିନି ମହଲା ବିଲ୍ଡିଂ ସହିତ ଆହୁରି ଅନେକ ସୁବିଧାର ନିର୍ମାଣ କରା ଯାଉଛି। ଏହାଦ୍ବାରା କଟକ ସହରର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆସିବା ସହିତ ଆନ୍ତ ରାଜ୍ୟ ବସ ଚଳରେ ସୁବିଧା ଆସିବ।

ଏହା ପରେ ଶ୍ରୀ ପାଣ୍ଡିଆନ ମା କଟକ ଚଣ୍ଡୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ଦିରର ସୌନ୍ଦର୍ଯ୍ୟକରଣ, ରାସ୍ତା ନିର୍ମାଣ ଆଦି କାମ ବୁଲି ଦେଖିଥିଲେ।
ସମୀକ୍ଷାରୁ ଜଣା ଯାଇଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମନ୍ଦିରର ରୂପାନ୍ତର କାର୍ଯ୍ୟ ଶେଷ ହେବ। ଚଣ୍ଡି ମନ୍ଦିର ରୂପାନ୍ତର ପାଇଁ ଚାଳିଶ କୋଟି ଟଙ୍କା ଖର୍ଚ କରାଯାଉଛି। ନୂଆବର୍ଷ ରେ ଚଣ୍ଡି ମନ୍ଦିର ର ରୂପାନ୍ତର କାମ ଭକ୍ତଙ୍କ ସେବା ରେ ଲୋକାର୍ପିତ ହେବ।

ଶ୍ରୀ ପାଣ୍ଡିଆନ ଏହାପରେ ରାଣୀ ହାଟ କ୍ଲକ୍ ଟାୱାର, ତାଳଦଣ୍ଡା କେନାଲ, ଛତରା ବଜାର ଭେଣ୍ଡିଂ ଜୋନ୍ ଆଦି ବୁଲି ଏସବୁ ସ୍ଥାନରେ ଉନ୍ନତି କରଣ କାର୍ଯ୍ୟ ବୁଲି ଦେଖିବା ସହିତ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, ସିଏମସି କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ କଟକ ଡିସିପି ଶ୍ରୀ ପିନାକ ମିଶ୍ର ଓ, ସିଡିଏ ଅଧ୍ୟକ୍ଷ ଶ୍ରୀ ଅନିଲ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୁପ୍ତେଶ୍ବର ମନ୍ଦିର ପରିଦର୍ଶନ କଲେ ଭି କେ ପାଣ୍ଡିଆନ, ବିକାଶ ଯୋଜନାର ସମୀକ୍ଷା

କୋରାପୁଟ:  ଆଜି ଦିନିକିଆ କୋରାପୁଟ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହିତ ଥିଲେ 5ଟି ସଚିବ ଭି କେ ପାଣ୍ଡିଆନ। ସେ ହେଲିକାପ୍ଟରରେ ରାମଗିରିରେ ଓହ୍ଲାଇବା ପରେ କାର ଯୋଗେ ଗୁପ୍ତେଶ୍ବର ପରିଦର୍ଶନ କରିଥିଲେ। ଏଥିସହିତ ସେ ସାବେରୀ ନଦୀ ମଧ୍ୟ ପରିଭ୍ରମଣ କରିଥିଲେ।

ଏହି ଗସ୍ତ ସମୟରେ ସେ ଗୁପ୍ତେଶ୍ବରର ବିକାଶ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ସମୟରେ ସଚିବଙ୍କ ସହ କୋରାପୁଟ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଅକତର ଉପସ୍ଥିତ ଥିଲେ। ସେହିପରି ବିଡ଼ିଓ ଅଭିମନ୍ୟୁ କବି ଶତପଥୀ, ରାସ୍ତା ଏବଂ ଗୃହ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ତଥା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ରାସ୍ତା ଓ ଗୃହ ବିଭାଗ ଦ୍ବାରା ପ୍ରସ୍ତୁତ ବିକାଶ ନକ୍ସାକୁ ପାଣ୍ଡିଆନ ଅନୁଧ୍ୟାନ କରି ଶିଘ୍ର କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଡେଲୋଏଟ କଂପାନୀ ପ୍ରତିଷ୍ଠା ସଂପର୍କରେ ସୂଚନା ଦେବାକୁ ପ୍ରଧାନ, ପାଣ୍ଡିୟାନଙ୍କ ମଧ୍ୟରେ ପ୍ରତିଯୋଗୀତା

ଭୁବନେଶ୍ବର: ବିଶ୍ବର ପ୍ରତିଷ୍ଠିତ ଆଇଟି କଂପାନୀ ଡେଲୋଏଟ ଭୁବନେଶ୍ବରରେ ତାହାର କଂପାନୀ କରିବ। ଏହା ନିଶ୍ଚିତ ଖୁସିର କଥା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ବିଦେଶ ବୁଲି ବୁଲି କଂପାନୀମାନଙ୍କ ସହ କଥା ହେଉଛନ୍ତି। ତେଣୁ ତାଙ୍କ ପ୍ରଚେଷ୍ଠାରେ ଓଡିଶାକୁ ପୁଂଜି ଆସିବା ଆରମ୍ଭ ହେଉଛି।

ହେଲେ ଏହାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ସୂଚନା ଦେବା ପାଇଁ ପ୍ରତିଯୋଗୀତା। ଏହି ଖବରଟି ଇନଷ୍ଟାଗ୍ରାମରେ 5ଟି ସଚିବ ଭି କେ ପାଣ୍ଡିୟାନ ପ୍ରଦାନ କଲେ। ସେ ଉଲ୍ଲେଖ କଲେ ଯେ, ଭୁବନେଶ୍ବରରେ ଡେଲୋଏଟ କଂପାନୀ ଆସିବ। ସେଥିପାଇଁ ବିଏମସିର ନୂଆ ବିଲିଡିଂ ପ୍ରସ୍ତୁତ ହୋଇ ରହିଛି।

ଏହି ଖବରଟି ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ଆକାଉଣ୍ଟରେ ପଢିବାକୁ ମିଳିଲା। ଏଥିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ‘ ଖୁସିର ବିଷୟ, ମୋର ଅନୁରୋଧ କ୍ରମେ ଡେଲୋଏଟ କଂପାନୀ ଭୁବନେଶ୍ୱର ଓ କୋଏମ୍ବାଟୁର ଠାରେ ଏକ ବୃହତ ଟେକ୍ନୋଲୋଜି ସେଣ୍ଟର ଆରମ୍ଭ କରିବା ପାଇଁ ଯାଉଛି। ଏହା ଯୁବବର୍ଗଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶର ଇକୋସିଷ୍ଟମକୁ ସୁଦୃଢ଼ କରିବ।’

ତେବେ ଏହାର ପ୍ରତିଷ୍ଠା ପାଇଁ ଯେ କେହି କ୍ରେଡିଟ ନେଉ ପଛେ ଓଡିଶାର ବିଶ୍ବ ସ୍ତରୀୟ କଂପାନୀ ପ୍ରତିଷ୍ଠା ହେଉ ତାହା ଦରକାର।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ, ୩ ମାସ ମଧ୍ୟରେ ଶିଳ୍ପାଞ୍ଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ।

ଆଲୋଚନା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଶିଳ୍ପ ବିଭାଗ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଶିଳ୍ପାଞ୍ଚଳର ପ୍ରାୟ ୫୦ ଜଣ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ସଂଘର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ ।

ଏଥିରେ ବିଜୁଳି ଓ ପାଣି ଯୋଗାଣରେ ଉନ୍ନତି, ଟ୍ରକ ଗୁଡିକର ପାର୍କିଂ ସମସ୍ୟା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ, ଟ୍ରାଫିକ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ସବୁ ଇଣ୍ଡଷ୍ଟ୍ରିୟାଲ ଇଷ୍ଟେଟ ରେ ଦୁଇ ହଜାରରୁ ତିନି ହଜାର ଶ୍ରମିକ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

କୋଭିଡ ମହାମାରୀ ସମୟରେ ଅନେକ ଶିଳ୍ପାନୁଷ୍ଠାନ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି ଆସିବ ବୋଲି ୫-ଟି ସଚିବ କହିଥିଲେ । ବୈଠକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ।

ଏହାପରେ ଶ୍ରୀ ପାଣ୍ଡିଆନ ଜୟମଙ୍ଗଳ ଶିଳ୍ପାଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ସେ କୋଭିଡ ମହାମାରୀ ସମୟରେ ଚାକିରୀ ଛାଡି ଥିବା ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଗ୍ରାଜୁଏଟ ମାନଙ୍କ ସହିତ ଆଲୋଚନା କରିଥିଲେ । ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସେମାନଙ୍କର ଉଦ୍ୟମରେ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ ।

୫-ଟି ସଚିବଙ୍କ ଏହି ଗସ୍ତରେ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଖୁସି ପ୍ରକାଶ ପାଇଥିଲା। ସେମାନଙ୍କର ଦୀର୍ଘ ବର୍ଷର ସମସ୍ୟାର ଆଜି ସମାଧାନ ହୋଇଛି ବୋଲି ସନ୍ତୋଷ ପ୍ରକାଶ କରି ସେମାନେ କହିଥିଲେ ଯେ ୪୦ ବର୍ଷର ସମସ୍ୟା ଆଜି ମାତ୍ର ୪୦ ମିନିଟ୍‌ରେ ସମାଧାନ ହୋଇପାରିଛି।

ଏହି ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଓ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେନକୋଟ୍ ପିନ୍ଧି ବର୍ଷାରେ ଭିଜି କଟକ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଭି କେ ପାଣ୍ଡିୟାନ

କଟକ : ଆଜି ସାରା ରାଜ୍ୟରେ ଲଗାତର ବର୍ଷା ଲାଗି ରହିଛି। ହେଲେ ଏହି ବର୍ଷାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିୟାନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି।ସେ ଏକ ରେନକୋଟ ପିନ୍ଧି ବର୍ଷାରେ ଭିଜି ଲୋକ କଲ୍ୟାଣ କାର୍ଯ୍ୟ ତଦାରଖ କରିଛନ୍ତି।

ରେନକୋଟ୍ ପିନ୍ଧି ବର୍ଷାରେ କଟକ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଭି କେ ପାଣ୍ଡିୟାନ

ଆଜି ସକାଳୁ ପାଣ୍ଡିୟାନ ପ୍ରଥମେ କଟକର ଏସସିବି ମେଡିକାଲ କଲେଜର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହାପରେ ତାଳଦଣ୍ଡା କେନାଲ କାମ ତଦାରଖ କରିଛନ୍ତି। ଶେଷରେ ସେ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ହେଉଥିବା ପିଣ୍ଢି ବୁଲି ଦେଖିଥିଲେ।

ଏହି ଗସ୍ତକାଳରେ ଭି.କେ ପାଣ୍ଡିଆନଙ୍କ ସହ ସିଡିଏ ଚେୟାରମ୍ୟାନ ଅନୀଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଓ ଡିସିପି ପିନାକ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଚିବ ଭି କେ ପାଣ୍ଡିୟାନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଥିବା ନବୀନଙ୍କ ଭିଡିଓ ଚର୍ଚ୍ଚାରେ

ଭୁବନେଶ୍ବର: ଗତ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ବିଭିନ୍ନ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ବୈଠକ କରିଥିଲେ। ଗୋଟିଏ ଦିନରେ ସେ ପ୍ରାୟ 18ଟି ବୈଠକ କରିଥିଲେ। ଏପରି ବୈଠକ ଦେଖି ସେଠାରେ ଥିବା ଓଡିଶା ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଗୁରୁବାର ଦିନ ହୋଟେଲରେ ମୁଖ୍ୟମନ୍ତ୍ରୀ ଏକ ରିଲାକ୍ସ ମୁଡରେ ଥିବା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିୟାନ ଏକ ପ୍ରଶ୍ନ କଲେ। ଯାହାର ଓଡିଆ ହେଲା, ‘ଆପଣ ଗତକାଲି ଏକାଥରେ 18ଟି ବୈଠକ କଲେ, ଆପଣ କ୍ଲାନ୍ତ ଅନୁଭବ କଲେ ନାହିଁ ?’ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଗୋଟିଏ ବାକ୍ୟରେ ଦେଲେ, ତାହା ହେଲା ‘ଲୋକଙ୍କ କାମ କରିବାରେ କ୍ଲାନ୍ତ ଲାଗେ ନାହିଁ। ‘

ଏହି ଭିଡିଓକୁ ଖୋଦ ପାଣ୍ଡିୟାନ୍ ତାଙ୍କର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯାହା ସାଧାରଣରେ ବେଶ ଆଲୋଚନା ହେଉଛି। ଏଥିରେ ବିଭିନ୍ନ ଲୋକେ ନିଜର ମତ ମଧ୍ୟ ପ୍ରଦାନ କରିଛନ୍ତି। ସେମାନେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି। କେତେକ ଓଡିଶାରେ ନବୀନ ସୁନାମୀ ଚାଲିଛି, ଏଥିରେ ଅନ୍ୟ ଦଳ ଧରାଶାୟୀ ହୋଇପଡିଛନ୍ତି ବୋଲି କହିଛନ୍ତି।

ଇନଭେଷ୍ଟର ମିଟ ପାଇଁ ନବୀନ ପଟ୍ଟନାୟକ ଗତ ମଙ୍ଗଳବାର ଦିନ ମୁମ୍ବାଇ ଗସ୍ତ କରିଥିଲେ। ସେଦିନ ସେ ମୁମ୍ବାଇରେ ରାତ୍ରୀ ଯାପନ କରି ବୁଧବାର ସକାଳୁ ବିଭିନ୍ନ ଶିଳ୍ପପତିଙ୍କୁ ସାକ୍ଷାତ କରିଥିଲେ। ସେଥିରେ ଥିଲେ ଶିଳ୍ପପତି ଅନୀଲ ଅଗ୍ରୱାଲା, ଆନନ୍ଦ ମହିନ୍ଦ୍ରା, ବିମଲ ଖଣ୍ଡେଲୱାଲା, ଅରବିନ୍ଦ ଭୋରା, ରାକେଶ ଝା ଏବଂ ଧ୍ରୁବ କୋଟାକ ପ୍ରମୁଖ ଶିଳ୍ପପତି। ଏମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ତମାମ ୱାନ ଟୁ ୱାନ ସାକ୍ଷାତ କରିଥିଲେ।

ଏହାପରେ ସଂଧ୍ୟାରେ ଏକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡିଶାର ଭିତ୍ତିଭୂମି ସଂପର୍କରେ ଉପସ୍ଥିତ ଶିଳ୍ପପତିମାନଙ୍କୁ ଅବଗତ କରାଇଥିଲେ। ସେଦିନ ସକାଳୁ ପୁରା ରାତ୍ରୀ ପର୍ଯ୍ୟନ୍ତ ନବୀନ ଶିଳ୍ପପତିଙ୍କ ଗହଣରେ କାମ କରି ଶେଷରେ ବିଶ୍ରାମ ନେଇଥିଲେ। ଏହି ବୟସରେ ଏପରି କାମ ଦେଖି ଖୋଦ ଭି କେ ପାଣ୍ଡିୟାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେଦିନ ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟ ବା ପରିଶ୍ରମ ଦେଖି ପାଣ୍ଡିୟାନ କୌଣସି ଆଲୋଚନା କରି ନ ଥିଲେ। ହେଲେ ସକାଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି କଥା ପଚାରିଥିଲେ। ସେ କହିଥିଲେ ଯେ, ଆପଣ ଦିନ ତମାମ ଏପରି ପରିଶ୍ରମ କରୁଛନ୍ତି ହାଲିଆ ହୋଇଯିବା କଥା। ହେଲେ ମୁଖ୍ୟମନ୍ତ୍ରୀ ଯୁବ ସୁଲଭରେ କହିଥିଲେ ଲୋକଙ୍କ କାମ କରିବାରେ ହାଲିଆ ହେବାର ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୧୬ଟି ଦେଶର ଆମ୍ବାସଡରଙ୍କ ସହ କରିବେ ଆଲୋଚନା

ଭୁବନେଶ୍ୱର: ଆଜିଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଂଧ୍ୟାରେ ଦିଲ୍ଲୀରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ମେକ ଇନ ଓଡିଶା କନକ୍ଲେଭରେ ବିଭିନ୍ନ ଦେଶରୁ କିପରି ଅଧିକ ପୁଞ୍ଜି ଓଡ଼ିଶାକୁ ଆସିବ ତାହା ଉପରେ ଗୁରୁତ୍ବ ଦେବେ।

ତେବେ ରାଜ୍ୟ ସରକାର ସିଙ୍ଗିଲ ଓ୍ବିଣ୍ଡୋ ଜରିଆରେ ଜମି, ବିଜୁଳି, ପାଣି ଓ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ନିବେଶକଙ୍କୁ ବୁଝାଇ କହିବେ ନବୀନ । ଅପରପକ୍ଷେ କରୋନା କାରଣରୁ ଦୁଇ ବର୍ଷ ପରେ ଏହି କନକ୍ଲେଭ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ଯ୍ୟନ୍ତ ହେବ ‘ମେକ ଇନ ଓଡ଼ିଶା କନକ୍ଲେଭ’।

ଏଥିସହିତ ମୁଖ୍ୟମନ୍ତ୍ରୀ ଆସନ୍ତା ଚାରି ତାରିଖରେ ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ତରଫରୁ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପି ସେବା ପାଇଁ ପୁରସ୍କୃତ କରାଯିବ। ଏହି ଉତ୍ସବରେ ପୂର୍ବତନ ମୁଖ୍ୟ ବିଚାରପତି ଏମ ଭି ରମନା ଯୋଗଦେଇ ପୁରସ୍କାର ପ୍ରଦାନ କରିବେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ମା ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, 5ଟି ସଚିବ

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତ କରିଥିଲେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭି କେ ପାଣ୍ଡିୟାନ। ଏଥିରେ ଶିଳ୍ପ ଏବଂ ଦକ୍ଷତା ବିକାଶ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ ସମ୍ବଲପୁର ଜିଲ୍ଲାପାଳ ଅନ୍ୟନ୍ୟା ଦାସ ମଧ୍ୟ ସାମିଲ ଥିଲେ। ଏମାନେ ବୁର୍ଲାସ୍ଥିତ ଭିସୁଟ ତଦାରଖ କରିବା ସହିତ ଏହାର ବିକାଶ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଘୋଷଣା କରିଥିଲେ।

ଏହି ଦଳ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ ଟି ରୂପାନ୍ତର କାର୍ଯ୍ୟକ୍ରମରେ ସମଲେଶ୍ୱରୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସେବାୟତ ଓ ଜନସାଧରଣଙ୍କ ମତାମତ ନେଇଥିଲେ। ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଓବିବିସି କର୍ତ୍ତୃପକ୍ଷ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଅବଗତ କରାଇଥିଲେ।

ପ୍ରକଳ୍ପ ଅଧିନସ୍ଥ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ୫ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଅଧିକାରୀମାନେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ମା’ଙ୍କର ପୂଜା ଅର୍ଚ୍ଚନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବୁର୍ଲା ଭିସୁଟ ବିକାଶ ପାଇଁ ଏକ ହଜ଼ାର କୋଟି ଟଙ୍କାର ବ୍ୟୟ ଅଟକଳ, ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ, ମା’ ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ରୂପାନ୍ତର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ।

ଭିସୁଟ ରାଜ୍ୟର ଏକ ଅଗ୍ରଣୀ ଇଂଜିନିୟରିଂ କଲେ ଭାବେ ସାରା ଦେଶରେ ସୁଖ୍ୟାତି ରହିଛି।  ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଭିସୁଟ ଯାଇ ବିଶ୍ୱବିଦ୍ୟାଳୟର ଏକାଡେମୀ ବ୍ଲକରେ  ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା ପ୍ରେକ୍ଷାଳୟ, ପୁଲହ ଓ ବଶିଷ୍ଠ ହଲ ପରିଦର୍ଶନ କରିଥିଲେ। ଏହି ଦଳ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା, ମିଳୁଥିବା ସୁବିଧା ତଥା ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବୁର୍ଲା ଭିସୁଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଏହାକୁ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଓ ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।  ଛାତ୍ର, ଶିକ୍ଷକ, ଶିଳ୍ପ ଜଗତ, ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ପ୍ରଶାସନ ସହିତ ବ୍ୟାପକ ଆଲୋଚନା କରାଯାଇ ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ଏହା ଯେପରି ଦେଶର ଶ୍ରେଷ୍ଠ ଅନୁଷ୍ଠାନ ହେବ ସେହିପରି ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିଷ୍ପତି କରାଯାଇଛି।

ଏହି ପରିଦର୍ଶନ ଅବସରରେ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନେ କରିଥିବା ପ୍ରକଳ୍ପ ସବୁ ଉପସ୍ଥାପନା କରିଥିଲେ। ୫ଟି ସଚିବ ଶ୍ରୀ ପାଣ୍ଡିଆନ ଏଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ ଶିଳ୍ପ ଭିତକି ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଇଥିଲେ। ପରେ ସେମାନେ ବଇଜାମୁଣ୍ଡାଠାରେ ଚାଲିଥିବା ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶନ କରି ସେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଭିକାରୀ ଥଇଥାନ କେନ୍ଦ୍ରର ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି ସମନ୍ୱିତ ପ୍ରକଳ୍ପର ଅଗ୍ରଗତିରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ସେବା ଯେପରି ସୁବିଧାରେ ମିଳିପାରିବ ସେଥିପାଇଁ ସମୟବଦ୍ଧ କାର୍ଯ୍ୟସୂଚୀ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ମହିଳା ଲୁଇସ ବାଳିକା ବିଦ୍ୟାଳୟ  ପରିଦର୍ଶନ କରି ଶିକ୍ଷକ, ଛାତ୍ରୀ ଏବଂ ଆଲମ୍ୟୁନିଙ୍କ ସହିତ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।

Categories
Hockey Worldcup23 ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ପୁରୁଷ ବିଶ୍ବକପ ହକି ଚମ୍ପିୟାନସିପ ପାଇଁ ପ୍ରସ୍ତୁତି ବୈଠକ, ଏଥର ଚମକାଇବ ଓଡିଶା

ଭୁବନେଶ୍ୱର: ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୨୦୧୮ ହକି ପୁରୁଷ ବିଶ୍ୱକପ୍‌ରେ ବ୍ୟାପକ ସଫଳତା ପାଇବା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି କାର‌୍ୟ୍ୟକ୍ରମ ଆୟୋଜନ କରୁଛି। ୨୦୧୭ ରେ ଓଡିଶା ଆଥଲେଟିକ୍ସ ଚାମ୍ପିଅନସିପ୍ ମଧ୍ୟ ଏକ ଚମତ୍କାର ସଫଳତା ହାସଲ କରିଥିଲା।

ସେହିସବୁ ସଫଳତା ପରେ ଓଡିଶା ପୁଣି ୨୦୨୩ ରେ ହକି ପୁରୁଷ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ପୂର୍ବ ଆୟୋଜନ ଅପେକ୍ଷା ଏଥର ଆହୁରି ବଡ ଏବଂ ବ୍ୟାପକ କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଲୋକସେବା ଭବନର ନୂତନ ପ୍ରେକ୍ଷାଳୟରେ ଆୟୋଜିତ ଏହି ବୈଠକରେ ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀ ସାମିଲ ହୋଇଥିଲେ। ଏଥିରେ ମୁଖ୍ୟ ଶାସନ ସଚିବ, ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) ଭି କେ ପାଣ୍ଡିଆନ୍ ଏବଂ ବିଭିନ୍ନ ବିଭାଗର ମୁଖ୍ୟମାନେ ଯୋଗଦେଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଏବଂ ରାଉରକେଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟ ଏକାବେଳେ ଭୁବନେଶ୍ବର ଏବଂ ରାଉରକେଲାରେ ଆୟୋଜିତ ହେବ ବୋଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଥିଲେ। ଖେଳାଳି, ଅଧିକାରୀ, ପ୍ରଶଂସକ ଏବଂ ଦର୍ଶକଙ୍କ ପାଇଁ ଏକ ସୁଗମ, ସଫଳ ଏବଂ ସ୍ମରଣୀୟ ବିଶ୍ୱକପ ନିଶ୍ଚିତ କରିବାକୁ ଆମେ ଚେଷ୍ଠିତ ବୋଲି ସେ କହିଛନ୍ତି। ଆମେ ଉତ୍ସାହର ସହିତ ବିଶ୍ବର ପ୍ରମୁଖ ଦଳଗୁଡିକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛୁ। ଏହାର ପ୍ରସ୍ତୁତି ପର୍ଯ୍ୟାୟ କ୍ରମେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ଗତ ମ୍ୟାଚଗୁଡିକ ବିଭିନ୍ନ ସରକାରୀ ବିଭାଗ ନିରବଚ୍ଛିନ୍ନ ଭାବରେ ଏବଂ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି। ୨୦୧୮ ମସିହାରେ ବିଶ୍ବକପ ହକି ଆୟୋଜନରେ ଏକ ଅଭୂତପୂର୍ବ ସଫଳତା ମିଳିଥିଲା। ଆମର ଏହି ସଫଳ ଆୟୋଜନ ସାରା ବିଶ୍ବର ବେଶ୍ ପ୍ରଭାବ ପକାଇଛି। ବାସ୍ତବରେ, ଆମେ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ବିଦେଶୀ ପର୍ଯ୍ୟଟକ କିପରି ଅଧିକ ଆସିପାରିବେ ତା ଉପରେ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T)  ଭି କେ ପାଣ୍ଡିୟାନ କହିଛନ୍ତି ଯେ ଗତ ପ୍ରତିଯୋଗୀତା ଯେପରି ଆୟୋଜନ କରାଯାଇଥିଲା ତାହା ପୂର୍ବରୁ କେବେ ହୋଇ ନଥିଲା। ଏହା ଆମେ ଏକ ଗର୍ବର ବିଷୟ ବୋଲି ସେ କହିଥିଲେ। ଆନ୍ତର୍ଜାତୀୟ ପ୍ରତିଯୋଗୀତ ଆୟୋଜନ କରିବାରେ ଓଡିଶା ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି ବିଶ୍ୱକପକୁ ଏକ ଉଲ୍ଲେଖନୀୟ ଆୟୋଜକ ଭାବରେ ନୁହେଁ ବରଂ ରାଜ୍ୟର କଳା, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶନ କରିବାର ସୁଯୋଗ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା ଆଗାମୀ ପ୍ରତିଯୋଗୀତା ପାଇଁ ଏକ ରୋଡ ମ୍ୟାପ ଉପସ୍ଥାପନ କରିଥିଲେ। ସହ-ଆୟୋଜକ ସହର ରାଉରକେଲାରେ ଭିତ୍ତିଭୂମି ତଥା ସୁବିଧାଗୁଡ଼ିକର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ବିକାଶ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆସନ୍ତା ମାସରେ ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।

ରାଉରକେଲା ସହରର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ସହ ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି। ଭୁବନେଶ୍ୱରରେ କିଛି ମାସ ପୂର୍ବରୁ କଳିଙ୍ଗ ହକି ଷ୍ଟାଡିୟମରେ ନୂତନ ଟର୍ଫ ସ୍ଥାପନ କରାଯାଇଛି। ଯାହା ମ୍ୟାଚ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ସେ କହିଥିଲେ।

ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ବିଶ୍ୱକପ୍‌ର ସାମଗ୍ରିକ ସୁଗମ ସଫଳ ଆୟୋଜନ ପାଇଁ ସୁରକ୍ଷା, ଅଗ୍ନି ନିରାପତ୍ତା, ପରିବହନ, ଯୋଗାଯୋଗ, ହସପିଟାଲିଟି, ପର୍ଯ୍ୟଟନ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ଅର୍ଥ, ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ଆବଶ୍ୟକତା ଦାୟିତ୍ବ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି। ପୂର୍ବ ଅପେକ୍ଷା ୨୦୨୩ ରେ ଆୟୋଜିତ ହେବାକୁ ଥିବା ବିଶ୍ବ କପ ଆହୁର ଅଧିକ ସଫଳତା ଆଣିବ ବୋଲି ବୈଠକରେ ଆଶା ପ୍ରକଟ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ଓ’ ହବ ଏବଂ ବିଏମସ ନୂଆ ଅଫିସ ଦେଖିଲେ ଭି କେ ପାଣ୍ଡିୟାନ, ଶିଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ସତ୍ୟନଗରସ୍ଥିତ ନୂଆ ବିଏମସି ଭବନ ଏବଂ ‘ଓ’ ହବ ବିଲଡିଂ ପରିଦର୍ଶନ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହିତ ସେ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏଥିରେ ଥିବା ନୂତନ ବିକାଶ କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ହେବା ପାଇଁ ଆବଶ୍ୟକ କାର୍ଯ୍ୟକୁ ଶିଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମ ଥର ପାଇଁ ରାଜ୍ୟରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡିଲଏଟ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦୁଇଟି କମ୍ପାନୀ ଡେଭଲମ୍ପମେଣ୍ଟ ସେଣ୍ଟର ପ୍ରତିଷ୍ଠା କଲେ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 2022 ଅକ୍ଟୋବର ସୁଦ୍ଧା 2ଟି ଯାକ ସେଣ୍ଟର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହାସହ ସେ ଭୁବନେଶ୍ବର ସ୍ମାର୍ଟ ସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟର ଅଗ୍ରଗତି ନେଇ 5ଟି ସଚିବ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ୍, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ବ ଦେଇଛନ୍ତି।

ଏହି ଗସ୍ତରେ ଶ୍ରୀ ପାଣ୍ଡିଆନଙ୍କ ସହ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଆଇଟି ସଚିବ ଶ୍ରୀ ମନୋଜ ମିଶ୍ର, ଚେୟାରମ୍ୟାନ୍ ବିଏସସିଏଲ ଶ୍ରୀ ସଞ୍ଜୟ ସିଂ, ବିଏମସି କମିଶନର ଶ୍ରୀ ବିଜୟ କୁଲାଙ୍ଗେ ଏବଂ ଏମଡି ଇଡିକୋ ଶ୍ରୀ ଭୁପିନ୍ଦର ସିଂ ପୁନିଆ ସହ ସମ୍ପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୮୯୧ ଜଣ ହାଇସ୍କୁଲ ଶିକ୍ଷକଙ୍କୁ ଦେଲେ ନିଯୁକ୍ତି

ଭୁବନେଶ୍ବର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ। ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ। ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ ଆପଣମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ଉଦ୍ବୋଧନ ଦେଇ ଏହି ପରାମର୍ଶ ଦେଇଛନ୍ତି।

ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ୬୮୯୧ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି।ଏହି ନବନିଯୁକ୍ତ ଶିକ୍ଷକ ମାନଙ୍କ ପାଇଁ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଜୋରଦାର ରେ ଜାରି ରହିଛି। ଗତ ୩ ବର୍ଷ ମଧ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ସେ କହିଥିଲେ।

ଶିକ୍ଷକତା ପରି ଏକ ମହାନ ବୃତ୍ତିରେ ଯୋଗ ଦେଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ରନିର୍ମାତା। ଜାତିର ଗୌରବ। ଦେଶର ଭବିଷ୍ୟତ ପୀଢିକୁ ଗଢିବାର ପବିତ୍ର ଦାୟିତ୍ବ ଆପଣମାନେ ନେଉଛନ୍ତି । ଶିକ୍ଷା ହିଁ କେବଳ ଗୋଟିଏ ବ୍ୟକ୍ତି ବା ପରିବାର ବା ସମାଜ ନୁହେଁ, ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିଦିଏ ବୋଲି ସେ ମତବ୍ୟକ୍ତ କରିଥିଲେ।

ସରକାରଙ୍କ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଲେ ଯେ ଶିକ୍ଷା ହେଉଛି ରୂପାନ୍ତରର ଶକ୍ତିଶାଳୀ ମାର୍ଗ। ସ୍ବଚ୍ଛତା, ପ୍ରଯୁକ୍ତିବିଦ୍ୟା, ଟିମ୍‌ ୱାର୍କ, ସମୟ ଓ ରୂପାନ୍ତର ହେଉଛି ଆମ ପ୍ରଶାସନିକ ବ୍ୟବସ୍ଥାର ମନ୍ତ୍ର ବୋଲି ସେ କହିଥିଲେ। ସ୍କୁଲ ରୂପାନ୍ତର ବିଷୟରେ ସୂଚନା ଦେଇ ସେ କହିଲେ ଯେ ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୪୦୦୦ ସ୍କୁଲର ରୂପାନ୍ତର କାମ ସରିଲାଣି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ଆଉ ଚାରି ହଜାର ଆଠ ଶହ ସ୍କୁଲ ରୂପାନ୍ତର କରାଯିବ।

ମୁଖ୍ୟମନ୍ତ୍ରୀ କହିଲେ, ‘ଆପଣଙ୍କ ଗାଁ, ଆପଣଙ୍କ ବ୍ଲକ୍‌ରେ ମଧ୍ୟ ଆପଣମାନେ ସ୍କୁଲର ନୂଆ ରୂପ ନିଶ୍ଚୟ ଦେଖିଥିବେ। ସ୍କୁଲ ରୂପାନ୍ତର ପିଲାଙ୍କ ଭିତରେ ନୂଆ ଉତ୍ସାହ ଆଣିଛି। ସେ ଉତ୍ସାହକୁ ଜୀବନର ସଫଳତାରେ ରୂପାନ୍ତର କରିବା ଦାୟିତ୍ବ ଆପଣମାନଙ୍କର।’ ଆମ ଶିକ୍ଷକମାନଙ୍କର ଜ୍ଞାନ, ତ୍ୟାଗ ଓ ନିଷ୍ଠା ହିଁ ଶିକ୍ଷା କ୍ଷେତ୍ରରେ ପ୍ରକୃତ ରୂପାନ୍ତର ଆଣିପାରିବ ବୋଲି ସେ କହିଥିଲେ।’

କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଏବଂ ଜଳସଂପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ଏବଂ ଶିକ୍ଷା କ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତର ରୂପାନ୍ତର ପାଇଁ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇ ଏ ଗୁରୁଦାୟିତ୍ବକୁ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତୁଲାଇବେ ବୋଲି ସେମାନେ ଆଶାପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ୩ ଜଣ ଶିକ୍ଷକ –ପବିତ୍ର କର, ପ୍ରମିତା ପଟ୍ଟନାୟକ ଓ ଜୟଶ୍ରୀ ପାଢୀ ପ୍ରମୁଖ ସେମାନଙ୍କ ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାରା ଦୁନିଆକୁ ଏହି ବାର୍ତ୍ତା ଦେଉଛି ଯେ ଓଡିଶାରେ ଶିକ୍ଷକ ମାନଙ୍କୁ କିଭଳି ଭାବରେ ସ୍ବାଗତ କରାଯାଏ ଓ ସମ୍ମାନ ଦିଆଯାଏ। ନିଯୁକ୍ତି ପ୍ରକ୍ରିୟା ଉପରେ ଆଲୋକପାତ କରି ସେମାନେ କହିଲେ ଯେ ଆମେ ସମସ୍ତେ ଖୁବ କମ୍‌ ସମୟରେ ଏକ ସ୍ବଚ୍ଛ ପ୍ରକ୍ରିୟା ମଧ୍ୟରେ ନିଯୁକ୍ତି ପାଇଛୁ ଏବଂ ଆମେ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ସାମଗ୍ରୀକ ବିକାଶ ପାଇଁ କାମ କରିବୁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ସ୍ବାଗତ ଭାଷଣ ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରାଯାଇଛି ବୋଲି କହିଥିଲେ। ପିଲାମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶ ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ସ୍କୁଲ ରୂପାନ୍ତର ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଶ୍ବସ୍ତରୀୟ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବ ନିଯୁକ୍ତ ଡାକ୍ତରଙ୍କୁ ଗୁରୁ ମନ୍ତ୍ର ଦେଲେ 5ଟି ସଚିବ ଭି କେ ପାଣ୍ଡିୟାନ

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୫୮ ଏଲୋପାଥିକ, ୧୧୬ ହୋମିଓପାଥିକ୍ ଓ ୩୬ ହୋମିଓପାଥିକ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ତାଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ 5ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ ସେମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

ବର୍ତ୍ତମାନ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଉପରେ କେତେ ଗୁରୁତ୍ବ ଦେଉଛନ୍ତି ତା ଉପରେ ସେ ଆଲୋକପାତ କରିଥିଲେ। ପାଣ୍ଡିୟାନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ‘ପ୍ରତିଟି ଜୀବନ ମୂଲ୍ୟବାନ’ କୁ ବିଶ୍ବାସ କରନ୍ତି। ଆପଣମାନେ ମଧ୍ୟ ସେହିପରି ନିଜକୁ ଗରିବଙ୍କ ସେବାରେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ୟୁରୋପରେ ଥିବା ଓଡିଆମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିୟାନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲୀର ରୋମରେ ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି। ୟୁରୋପର 12 ଟି ଦେଶରୁ ଆସିଥିବା ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଏବଂ ରେସିଡେଣ୍ଟ୍ କମିଶନର ଶ୍ରୀ ରବି କାନ୍ତ ମଧ୍ୟ ଆଲୋଚନା କରିଛନ୍ତି।

ଏଥିରେ ୟୁରୋପରେ ରହି ଚାକିରୀ କରୁଥିବା, ଉଦ୍ୟୋଗୀ, ଗବେଷକ, ମିଶନାରୀ, ବିଭିନ୍ନ ବର୍ଗର ଛାତ୍ର ଯେପରିକି ଡାକ୍ତରୀ, ଇଂଜିନିୟରିଂ, ଆଇଟି ସହିତ ବୁଦ୍ଧିଜୀବୀ, ବ୍ୟବସାୟୀ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ରାଜ୍ୟର ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା ସହିତ ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସଫଳତାକୁ ବର୍ଣ୍ଣନା କରି ଗର୍ବ ଅନୁଭବ କରିଥିଲେ।

ଓଡ଼ିଶାର ବିକାଶ ପାଇଁ ସେମାନଙ୍କର ଭାଗୀଦାରୀ ଏବଂ ଉତ୍ସର୍ଗୀକୃତ ମନୋଭାବକୁ ପ୍ରତିଶୃତି ଦେଇଥିଲେ। ଏପରି ପ୍ରତିଶୃତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଲେ। ୟୁରୋପରେ ଓଡିଆମାନେ ଭଲ ପ୍ରଦର୍ଶନ କରୁଥିବା ଦେଖି ସେ ବିଶେଷ ଆନନ୍ଦିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଓଡିଶାରେ ଚାଲିଥିବା ପରିବର୍ତ୍ତନଶୀଳ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ଏବଂ ରାଜ୍ୟର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ସହ ସହଭାଗୀ ହେବାକୁ ଆମନ୍ତ୍ରଣ କରିଥିଲେ।

ବ୍ରିଟେନର ଓଡିଆ ଆସୋସିଏସନର ପ୍ରତିନିଧୀମାନେ ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନେଉଥିବା ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିପାଇଁ ସମସ୍ତ ସହଯୋଗ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ବିଦେଶରେ ଓଡିଆମାନେ ସଫଳତାର ସହ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ଏବଂ ସେମାନଙ୍କ ସଫଳତା ପାଇଁ ରାଜ୍ୟ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ପୋପଙ୍କୁ ଭେଟିଲେ ନବୀନ ପଟ୍ଟନାୟକ, ସାଥୀରେ ଥିଲେ ଭି କେ ପାଣ୍ଡିୟାନ

ଭୁବନେଶ୍ବର: ଆଜି ରୋମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ପୋପଙ୍କୁ ସାକ୍ଷାତ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭାଟିକାନ ସିଟି ଯାଇ ସେଠାରେ ବିଶ୍ବର ଏହି ପ୍ରତିଷ୍ଠିତ ଧର୍ମଗୁରୁଙ୍କ ସହିତ କିଛି ସମୟ ଆଲୋଚନା ମଧ୍ୟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗତ ସୋମବାର ଦିନ ରୋମରେ ପହଞ୍ଚିବା ପରେ ପ୍ରଥମେ ଭାରତୀୟ ଦୂତାବାସକୁ ଯାଇଥିଲେ। ସେଠାରେ ଭାରତୀୟ ରାଷ୍ଟ୍ରଦୂତ ଡ ମୀନା ମାଲହୋତ୍ରା ସ୍ବାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଗତକାଲି ରୋମରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଥିଲେ।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିୟାନଙ୍କ ଜନ୍ମ ଦିନ, କାହିଁକି ସେ ଅଛନ୍ତି ଚର୍ଚ୍ଚାରେ

ଭୁବନେଶ୍ବର: ଆଜି ଓଡିଶାର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିୟାନଙ୍କ ଜନ୍ମ ଦିନ। ସେ ରାଜ୍ୟର ବହୁ ଲୋକପ୍ରିୟ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହିତ ସେ ୫ଟି ସଚିବ ମଧ୍ୟ ଅଛନ୍ତି। ବର୍ତ୍ତମାନ ରାଜ୍ୟରେ ବେଶ ଲୋକପ୍ରିୟଙ୍କ ଭିତରେ ନବୀନ ପଟ୍ଟନାୟକଙ୍କ ପରେ ଭି କେ ପାଣ୍ଡିୟାନଙ୍କ ନାଁ ଆସୁଛି।

ବର୍ତ୍ତମାନ ରାଜ୍ୟରେ ଯେଉଁସବୁ ଜନହୀତକର କାର୍ଯ୍ୟ ଚାଲିଛି ତାହା ପଛରେ ପ୍ରମୁଖ ବିନ୍ଧାଣୀ ହେଉଛନ୍ତି ଭି କେ ପାଣ୍ଡିୟାନ। ହେଲେ ସେ କେବେ କେଉଁଠି ଏହାର ଶ୍ରେୟ ନେବାକୁ ଚାହିଁ ନାହାଁନ୍ତି। ବଡି ଭୋରରୁ ଉଠି ରାତି ଗୋଟାଏ ପର୍ଯ୍ୟନ୍ତ କାମ କରୁଥିବା ଜଣେ ଅଧିକାରୀ ହେଉଛନ୍ତି ଭିକେ ପାଣ୍ଡିୟାନ। ଓଡିଶାର କିପରି ଉନ୍ନତି ହେବ ସେ ନେଇ ସେ ଅହରହ ନିଜର ଉଦ୍ୟମ ଜାରୀ ରଖିଛନ୍ତି।

ଓଡିଶାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା ତଦାରଖ କରିବା ପାଇଁ ସେ ଯେତେବେଳେ ଶୀତ କାକରରେ ବଡି ଭୋରରୁ ଯାଇ ପହଞ୍ଚନ୍ତି ସେତେବେଳେ ସମସ୍ତେ ହୁଅନ୍ତି ଆଶ୍ଚର୍ଯ୍ୟ। ଲୋକେ ଶେଜରେ ଶୋଇଥିବା ବେଳେ ଭି କେ ପାଣ୍ଡିୟାନ ଏବଂ ତାଙ୍କ ଅଧିକାରୀ ଶୀତରେ ଥରିଥରି ପ୍ରକଳ୍ପ କାର୍ଯ୍ୟ ତଦାରଖ କରନ୍ତି। ଯାହା କେବେ କେଉଁଠି କେଉଁ ଆଇଏଏସ ଅଧିକାରୀ କରିଥିବାର ନଜରୀ ନାହିଁ।

୨୦୦୦ ବ୍ୟାଚ୍ ଓଡିଶା କ୍ୟାଡର ଆଇଏଏସ ଅଧିକାରୀ, ପାଣ୍ଡିଆନ୍ ମୟୂରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରିବା ପରେ ମେ, ୨୦୧୧ ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିଲେ। ସେହିଦିନଠାରୁ ଆରମ୍ଭ ହେଲା ତାଙ୍କର ଅଭ୍ୟୁଦୟ। ଯୁବ ବୟସରେ ସେ କିପରି ନବୀନଙ୍କ କାର୍ଯ୍ୟକୁ ସଫଳ ରୂପାୟନ କରିବେ ସେ ନେଇ ଆରମ୍ଭ କଲେ ଉଦ୍ୟମ।

ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ନବୀନ ଧିରେ ଧିରେ ପାଣ୍ଡିୟାନଙ୍କ ଉପରେ ଭରସା କରିବାକୁ ଲାଗିଲେ। ଫଳରେ ଏକଦା ମୁଖ୍ୟମନ୍ତ୍ରୀଙ୍କ ଅତି ଖାସ ଥିବା ପ୍ୟାରୀମୋହନ ମହାପାତ୍ରଙ୍କ କ୍ଷମତା ହ୍ରାସ ହେବାରେ ଲାଗିଲା। ଏପରିକି ଏହି ମେ ୨୯ ତାରିଖରେ ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍କୁନ ହିଁ ପାଣ୍ଡିୟାନ ଭାଙ୍ଗି ଚୁରମାର କରିଦେଇଥିଲେ।

ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଭି କେ ପାଣ୍ଡିୟାନ ଓଡିଶା ରାଜନୈତିକ ତଥା ପ୍ରଶାସନିକ ଇତିହାସରେ ଏକ ବଡ ଚର୍ଚ୍ଚିତ ବ୍ୟକ୍ତି ଭାବେ ପରିଗଣତି ହୋଇ ଆସିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଛାତ୍ରୀଙ୍କ ଗହଣରେ ବସି ମଧ୍ୟାହ୍ନ ଭୋଜନ ଖାଇଲେ, ବାସ୍କେଟ ବଲ ଖେଳିଲେ ପାଣ୍ଡିୟାନ

କେଉଁଝର: ଆଜି କେଉଁଝର ଜିଲ୍ଲା ଗସ୍ତରେ ଯାଇଥିଲେ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ସଚିବ ଏବଂ 5ଟି ସଚିବ ଭି କେ ପାଣ୍ଡିୟାନ। ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ। ସେଠାରେ ଚାଲିଥିବା ଜଳ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ସମୀକ୍ଷା କରିଥିଲେ। ଏହା ଥିଲା ତାଙ୍କର ସରକାରୀ ଗସ୍ତ।

ତେବେ ସେ ଫେରି ଆସୁଥିବା ବେଳେ ବାଟରେ ପଡିଥିଲା ଏକ ବାଳିକା ଉଚ୍ଚ ବିଦ୍ୟାଳୟ। 5ଟି ଅଧିନରେ ଏହି ସ୍କୁଲର ନବୀକରଣ କରାଯାଇଛି। ତାହାକୁ ମଧ୍ୟ ତଦାରଖ କରିଥିଲେ। ସେତେବେଳେ ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ସେ ପିଲାଙ୍କ ଗହଣରେ ବସି ଭୋଜନ ମଧ୍ୟ କଲେ। ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କୁ ଠିକ ମାନର ଖାଦ୍ୟ ପରିବେଷଣ କରାଯାଉଛି କି ନାହିଁ।

ଏହାପରେ ସେ ଛାତ୍ରୀଙ୍କ ଗହଣରେ ବାସ୍କେଟ ବଲ ମଧ୍ୟ ଖେଳିଥିଲେ। ଏସବୁ ଦେଖି ଛାତ୍ରୀମାନେ ବେଶ୍ ଖୁସି ପ୍ରକଟ ମଧ୍ୟ କରିଛନ୍ତି। ଜଣେ ବଡ ଅଫିସର ହୋଇ ମଧ୍ୟ ସେ ଛାତ୍ରୀଙ୍କ ଗହଣରେ ସାଧାରଣ ଲୋକଙ୍କ ପରି ମିଶିବା ସେମାନଙ୍କୁ ବେଶ ଆନନ୍ଦ ଦେଇଥିଲା।

ତେବେ ପାଣ୍ଡିୟାନଙ୍କ ଗସ୍ତକୁ ନେଇ ଶିକ୍ଷକଶିକ୍ଷୟତ୍ରୀଙ୍କ ମହଲରେ କୋକୟା ଭୟ ଖେଳି ଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି କଟକ ଚଣ୍ଡି ମନ୍ଦିର ପରିଦର୍ଶନ କଲେ 5ଟି ସଚିବ ଭି କେ ପାଣ୍ଡିୟାନ

ଭୁବନେଶ୍ବର: ଆଜି ସକାଳୁ 5ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ କଟକ ଚଣ୍ଡି ମନ୍ଦିର ପରିଦର୍ଶନ କରିଛନ୍ତି। ସେ ସେଠାରେ ମନ୍ଦିର କର୍ତ୍ତୁପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ସେଠାରେ କିପରି ବିକାଶ ମୂଳକ କାର୍ଯ୍ୟ କରାଯାଇପାରିବ ତାହାର ଅନୁଧ୍ୟାନ କରାଯାଇଛି।

ସେବାୟତଙ୍କ ସହିତ ଆଲୋଚନା ବେଳେ ପାଣ୍ଡିୟାନ ଚଣ୍ଡି ମନ୍ଦିରର ସମସ୍ତ ଉନ୍ନତି ଦ୍ରୁତ ଗତିରେ କରାଯିବ ବୋଲି କହିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କଲେ ଭି କେ ପାଣ୍ଡିୟାନ, ଉନ୍ନତିକରଣ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିୟାନ ନୟଗଡ ଗସ୍ତ କରିଥିଲେ। ସେଠାରେ ସେ କଣ୍ଟିଲୋ ନୀଳମାଧବ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ସହିତ ମନ୍ଦିର ପରିକ୍ରମା କରିଥିଲେ। ଏଥିସହିତ ମନ୍ଦିର ଉନ୍ନତିକରଣ ପାଇଁ ହୋଇଥିବା ପ୍ରକଳ୍ପ ନକ୍ସା ଅନୁଧ୍ୟାନ କରିଥିଲେ।

ଏହି ଗସ୍ତ ସମୟରେ ନୟାଗଡ଼ ଜିଲ୍ଲାପାଳ ପୁମା ଟୁଡୁ ଏବଂ ଖଣ୍ଡପଡା ବିଡ଼ିଓ, ତହସିଲଦାର ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ନୀଳମାଧବ ମନ୍ଦିରରେ ସେ ପହଁଛିବା ପରେ ତାଙ୍କୁ ସେବକମାନେ ପାଛୋଟି ନେଇଥିଲେ। ବେକରେ ପାଟ ପିନ୍ଧାଇ ମନ୍ଦିର ପରିକ୍ରମା କରାଇଥିଲେ। ଏହି ପ୍ରସିଦ୍ଧ ମନ୍ଦିରର ଉନ୍ନତିକରଣ ଖୁବ ଶିଘ୍ର ଘୋଷଣା ହେବ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଯୁବ ବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଧଳା ଟିସାର୍ଟକୁ କଳା ପ୍ୟାଣ୍ଟ, ପାଣ୍ଡିୟାନ ମଧ୍ୟ ବାଦ ପଡି ନାହାଁନ୍ତି

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳିଙ୍ଗ ଷ୍ଟାଡିୟମରେ ଖେଳାଳୀମାନେ ଦେଖି ତାଜୁବ ହୋଇଛନ୍ତି। ସେମାନେ ପୂର୍ବରୁ ବହୁଥର ମୁଖ୍ୟମନ୍ତ୍ରୀଙ୍କୁ ଦେଖିଛନ୍ତି। ହାତ ମିଳାଇଛନ୍ତି। ହେଲେ ସେତେବେଳେ ସେମାନେ ଏମିତି ଆଶ୍ଚର୍ଯ୍ୟ ପ୍ରକଟ କରି ନ ଥିଲେ। ଆଜି ନବୀନ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ କରିବା ପରେ ସମସ୍ତେ ତାଙ୍କୁ ଦେଖି ତାଜୁବ ହୋଇଛନ୍ତି।

ଏହାର କାରଣ ହେଲା ଯେ, ଆଜି ନବୀନ ପଟ୍ଟନାୟକ ଏକ ଭିନ୍ନ ବେଶରେ କଳିଙ୍ଗ ଷ୍ଟାଣ୍ଡିୟମରେ ପ୍ରବେଶ କରିଥିଲେ। ସେ ପୁରା ଯୁବ ବେଶରେ ଷ୍ଟାଣ୍ଡିୟମରେ ଘୁରି ବୁଲିଥିଲେ। ପୁରା ଖେଳାଳୀ ମୁଡରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏକ ଧଳା ସ୍ପୋର୍ଟସ ଟିସାର୍ଟ ସହିତ କଳା ପ୍ୟାଣ୍ଟ ଆଉ ଗୋଡରେ ଚପଲ। ଏପରି ବେଶରେ କେହି କେବେ ଦେଖି ନ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଣ୍ଡିୟମ ଗସ୍ତରେ ଯାଇଥିଲେ। ଅବସର ଥିଲା ସେଠାକାର କ୍ରୀଡା ଭିତ୍ତିଭୂମି ଦେଖିବା ସହ ହକି ଖେଳାଳିଙ୍କ ସହିତ ଆଲୋଚନା କରିବା। ସେଠାରେ ପୂର୍ବରୁ ହକି ଇଣ୍ଡିଆର ଉଭୟ ପୁରୁଷ ଓ ମହିଳା ଖେଳାଳୀ ତାଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ପୁରା ହକି ଖେଳାଳୀଙ୍କ ପରି କଥାବାର୍ତ୍ତା କରିବା ସହିତ ଫଟୋ ଉଠାଇଥିଲେ।

କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭି କେ ପାଣ୍ଡିୟାନ ମଧ୍ୟ ପୁରା ଖେଳାଳୀ ମୁଡରେ ଥିଲେ। ସେ ମଧ୍ୟ ହକି ଇଣ୍ଡିଆର କଳା ଟିସାର୍ଟ ସହିତ କଳା ପ୍ୟାଣ୍ଟ ଏବଂ କଳା ସ୍ପୋର୍ଟସ ଜୋତା ପିନ୍ଧି ମଇଦାନକୁ ଓହ୍ଲାଇ ଥିଲେ। ଉଭୟ ନବୀନ ଏବଂ ପାଣ୍ଡିୟାନଙ୍କୁ ସମସ୍ତେ ଦେଖି ତାଜୁବ ହୋଇ ପଡିଥିଲେ। ଷ୍ଟାଣ୍ଡିୟମରେ କେହି ଲୋକ ନ ଥିଲେ, ନଚେତ ତାଳି ମାରି ଉଭୟଙ୍କୁ ସମସ୍ତେ ବେଶ୍ ସ୍ବାଗତ କରିଥାଆନ୍ତେ।

ଆଜି ନୁହେଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ବେଶକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଛି। ଏକାଦା ସେ କଳା ଟିସାର୍ଟ ସହ କଳା ପ୍ୟାଣ୍ଟ ପିନ୍ଧି ଜଗିଂ କରୁଥିବାର ପରିଲକ୍ଷିତ ହୋଇଥିଲା। ସେହିପରି ଥରେ ସେ ପୂଜା ପୋଷାକ ପିନ୍ଧି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରୁ ଥିବାରୁ ମଧ୍ୟ ଦେଖାଯାଇଛି। ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅଛି। ତା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ବେଶ ବେଶ୍ ଚର୍ଚ୍ଚାର ଖୋରାକ ଯୋଗାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

5ଟି ସଚିବଙ୍କ କଟକ ତାଳଦଣ୍ଡା କେନାଲ ଏବଂ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ୍ ସ୍ଥାନ ପରିଦର୍ଶନ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳେ 5ଟି ସଚିବ ଭି କେ ପାଣ୍ଡିଆନ୍ କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି।

1.55 କିଲୋମିଟରର ତାଳଦଣ୍ଡା କେନାଲ ନବୀକରଣ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ଯାଉଛି। କେନାଲ କାମକୁ ଜାତୀୟ ରାଜପଥ ପାର୍ଶ୍ୱକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ସଡ଼କ ସହିତ ନବୀକରଣର ମୋଟ ଲମ୍ବ 3.55 କିଲୋମିଟର ହେବ।

ପାଣ୍ଡିଆନ୍ ୟୁଟିଲିଟିଗୁଡିକର ସ୍ଥାନାନ୍ତର ଏବଂ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖାନନଗରରେ 17.91 ଏକର ଜମିରେ କଟକ ନେତାଜୀ ବସ୍ ଟର୍ମିନାଲ୍ (CNBT) ନିର୍ମାଣ କରାଯାଉଛି। ଏହି ଟର୍ମିନାଲ୍ କଟକ ବସ୍ ର ଟ୍ରାଫିକ୍ ଜାମକୁ ସହଜ କରିବାରେ ସାହାଯ୍ୟ କରିବ ଏବଂ ଟର୍ମିନାଲ୍ ରେ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ସୁବିଧା ଯୋଗାଇବା ବ୍ୟବସ୍ଥା କରାଯିବ।

ପ୍ରକଳ୍ପର ଅଗ୍ରଗତି ବିଷୟରେ ପାଣ୍ଡିଆନ୍ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ| ପ୍ରୋଜେକ୍ଟ ସାଇଟରୁ ଲାଇବ୍ରେରୀ ସ୍ଥାନାନ୍ତର ବିଷୟରେ ଲୋକଙ୍କ ସହ ଆଲୋଚନା କରିବାକୁ ଏବଂ 10 ଦିନ ମଧ୍ୟରେ ଏକ ଉପଯୁକ୍ତ ନୂତନ ସାଇଟରେ ସ୍ଥାନାନ୍ତର ସମ୍ପର୍କରେ ଏକ ପ୍ରସ୍ତାବ ଦାଖଲ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 2022 ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଯୋଜନା ରହିଛି।

ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ନବୀକରଣ ସହିତ, ଏହି ଦୁଇଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ 5T  ଅଧୀନରେ ନିଆଯାଇଥିଲା।

ପୁର୍ତ୍ତ ବିଭାଗ ଲଚିବ କୃଷ୍ଣ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କୃଷ୍ଣା, ଆରଡିସି ଏ ଏ କେ ସାମଲ ଏବଂ କଟକ ଜିଲ୍ଲାପାଳ, ସିଏମସି କମିଶନର ଅନନ୍ୟା ଦାସ ଏବଂ ବରିଷ୍ଠ ପ୍ରକଳ୍ପ ଅଧିକାରୀ ଉପସ୍ଥିତ ଥିଲେ।