Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କମ୍‌ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣ ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ୨୦୨୪-୨୫ ବର୍ଷ ପାଇଁ ‘ବ୍ୟକ୍ତିରୁ ବ୍ୟବସାୟୀଙ୍କୁ (ପିଟୁଏମ) କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନା’କୁ ନିମ୍ନ ମତେ ମଞ୍ଜୁର କରାଯାଇଛି:

(୧) ୧ ଏପ୍ରିଲ ୨୦୨୪ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ ଆନୁମାନିକ ୧୫ ଶହ କୋଟି ଟଙ୍କାର ବ୍ୟୟବରାଦ ସହିତ କାର୍ଯ୍ୟକାରୀ କରାଯିବ।

(୨) କେବଳ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୨ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ (ପିଟୁଏମ) ନେଣଦେଣକୁ ଏହି ଯୋଜନା ଅଧୀନରେ ସାମିଲ କରାଯିବ।

ବର୍ଗ କ୍ଷୁଦ୍ର ବ୍ୟବସାୟୀ ବଡ଼ ବ୍ୟବସାୟୀ
୨ହଜାର ଟଙ୍କା ପର୍ଯ୍ୟନ୍ତ ଶୂନ ଏମଡିଆର/ ଆର୍ଥିକ ପ୍ରୋତ୍ସାହନ (୦.୧୫% ହାରରେ) ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ
୨ ହଜାର ଟଙ୍କାରୁ ଅଧିକ ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ

(୩) କେବଳ କ୍ଷୁଦ୍ର ବ୍ୟବସାୟୀ ବର୍ଗ ପାଇଁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ପ୍ରତ୍ୟେକ ନେଣଦେଣ ପିଛା ୦.୧୫%ର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।

(୪) ଯୋଜନାର ସମସ୍ତ ତ୍ରୈମାସ ପାଇଁ, ଅଧିଗ୍ରହଣକାରୀ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତ ଦାବି ପରିମାଣର ୮୦ ପ୍ରତିଶତ ବିନା କୌଣସି ସର୍ତ୍ତରେ ବଣ୍ଟନ କରାଯିବ।

(୫) ପ୍ରତ୍ୟେକ ତ୍ରୈମାସ ପାଇଁ ଗ୍ରହଣ କରାଯାଇଥିବା ଦାବି ପରିମାଣର ଅବଶିଷ୍ଟ ୨୦ ପ୍ରତିଶତ ପରିଶୋଧ ନିମ୍ନଲିଖିତ ସର୍ତ୍ତାବଳୀ ପୂରଣ କରିବା ଉପରେ ନିର୍ଭରଶୀଳ ହେବ:

  • ଅନୁମୋଦିତ ଦାବିର ୧୦ ପ୍ରତିଶତ କେବଳ ସେତେବେଳେ ପ୍ରଦାନ କରାଯିବ ଯେତେବେଳେ ଅଧିଗ୍ରହଣକାରୀ ବ୍ୟାଙ୍କର ବୈଷୟିକ ହ୍ରାସ ୭୫ ପ୍ରତିଶତରୁ କମ୍ ହେବ।
  • ଏବଂ, ଅନୁମୋଦିତ ଦାବିର ଅବଶିଷ୍ଟ ୧୦ ପ୍ରତିଶତ କେବଳ ସେତେବେଳେ ପ୍ରଦାନ କରାଯିବ ଯେତେବେଳେ ଅଧିଗ୍ରହଣକାରୀ ବ୍ୟାଙ୍କର ସିଷ୍ଟମ ଅପଟାଇମ ୯୯.୫ ପ୍ରତିଶତରୁ ଅଧିକ ହେବ।

ଲାଭ:

  1. ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର ମାଧ୍ୟମରେ ସୁବିଧାଜନକ, ସୁରକ୍ଷିତ, ଦ୍ରୁତ ନଗଦ ପ୍ରବାହ ଏବଂ ଉନ୍ନତ ଋଣ ବ୍ୟବସ୍ଥା।
  2. ବିନା କୌଣସି ଅତିରିକ୍ତ ଶୁଳ୍କର ସହଜ ପରିଶୋଧ ସୁବିଧା ଦ୍ୱାରା ସାଧାରଣ ନାଗରିକଙ୍କୁ ଲାଭ ହେବ।
  • କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ୟୁପିଆଇ ସେବାର ଲାଭ ଉଠାଇବାରେ ସକ୍ଷମ କରିବା। ଯେହେତୁ କ୍ଷୁଦ୍ର ବ୍ୟବସାୟୀମାନେ ମୂଲ୍ୟ ପ୍ରତି ସମ୍ବେଦନଶୀଳ, ତେଣୁ ଏହି ପଦକ୍ଷେପ ସେମାନଙ୍କୁ ୟୁପିଆଇ ଦେୟ ଗ୍ରହଣ କରିବାକୁ ଉତ୍ସାହିତ କରିବ।
  1. ଏହା ଡିଜିଟାଲ ରୂପରେ ଅର୍ଥ ନେଣଦେଣକୁ ଔପଚାରିକ କରିବା ଏବଂ ନେଣଦେଣ ହିସାବ ରଖିବା ଜରିଆରେ କମ୍‌ ନଗଦ ଅର୍ଥବ୍ୟବସ୍ଥା ପାଇଁ ସରକାରଙ୍କ ସଂକଳ୍ପକୁ ସମର୍ଥନ କରିଥାଏ।
  2. ଦକ୍ଷତା ଲାଭ-୨୦ ପ୍ରତିଶତ ପ୍ରୋତ୍ସାହନ ବ୍ୟାଙ୍କଗୁଡ଼ିକ ଉଚ୍ଚ ସିଷ୍ଟମ ଅପଟାଇମ ଏବଂ କମ୍ ବୈଷୟିକ ଅବନତି ବଜାୟ ରଖିବା ଉପରେ ନିର୍ଭରଶୀଳ। ଏହା ଦ୍ୱାରା ନାଗରିକମାନଙ୍କ ପାଇଁ ଦିନରାତି ଦେୟ ସେବାର ଉପଲବ୍ଧତା ସୁନିଶ୍ଚିତ ହେବ।
  3. ୟୁପିଆଇ ନେଣଦେଣର ଅଭିବୃଦ୍ଧି ଏବଂ ରାଜକୋଷ ଉପରେ ସର୍ବନିମ୍ନ ଆର୍ଥିକ ବୋଝ ମଧ୍ୟରେ ଉଭୟର ନ୍ୟାୟସଙ୍ଗତ ସନ୍ତୁଳନ।

ଉଦ୍ଦେଶ୍ୟ:

  • ସ୍ୱଦେଶୀ ଭୀମ-ୟୁପିଆଇ ପ୍ଲାଟଫର୍ମକୁ ପ୍ରୋତ୍ସାହନ। ଆର୍ଥିକ ବର୍ଷ ୨୦୨୪-୨୫ରେ ମୋଟ କାରବାର ପରିମାଣ ୨୦ ହଜାର କୋଟି ଲକ୍ଷ୍ୟ ହାସଲ କରିବା।
  • ଏକ ସୁଦୃଢ଼ ଏବଂ ସୁରକ୍ଷିତ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମି ନିର୍ମାଣରେ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀଙ୍କୁ ସହାୟତା କରିବା।
  • ଫିଚର ଫୋନ୍‌ ଆଧାରିତ (ୟୁପିଆଇ ୧୨୩ ପେ) ଏବଂ ଅଫଲାଇନ (ୟୁପିଆଇ ଲାଇଟ୍‌/ୟୁପିଆଇ ଲାଇଟ୍‌ ଏକ୍ସ) ପେମେଣ୍ଟ ସମାଧାନ ଭଳି ଅଭିନବ ଉତ୍ପାଦକୁ ପ୍ରୋତ୍ସାହନ ଦେଇ ତୃତୀୟରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ସହର, ବିଶେଷ କରି ଗ୍ରାମୀଣ ଓ ଉପାନ୍ତ କ୍ଷେତ୍ରରେ ୟୁପିଆଇର ପ୍ରବେଶ।
  • ଉଚ୍ଚ ସିଷ୍ଟମ୍‌ ଅପଟାଇମ ବଜାୟ ରଖିବା ଏବଂ ବୈଷୟବିକ ହ୍ରାସକୁ କମ୍‌ କରିବା।
Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପିଟୁଏମ କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍‌ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଛନ୍ତି।

୧- ରୂପେ ଡେବିଟ୍‌ କାର୍ଡ ଏବଂ କମ୍‌ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ପିଟୁଏମ)କୁ ପ୍ରୋତ୍ସାହନ ଦେବା ନିମନ୍ତେ ମଞ୍ଜୁର ପ୍ରୋତ୍ସାହନ ଯୋଜନାର ଆର୍ଥିକ ବ୍ୟୟବରାଦ ୨,୬୦୦ କୋଟି ଟଙ୍କା ରହିଛି । ଏହି ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରୂପେ ଡେବିଟ୍‌ କାର୍ଡ ଏବଂ କମ ମୂଲ୍ୟର ଭୀମ ୟୁପିଆଇ ନେଣଦେଣ (ପିଟୁଏମ)ର ଉପଯୋଗ କରି ପଏଣ୍ଟ ଅଫ୍‌ ସେଲ (ପିଓଏସ) ଏବଂ ଇ-କମର୍ସ ନେଣଦେଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଅଧିଗୃହିତ କରୁଥିବା ବ୍ୟାଙ୍କମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।

୨- ଅର୍ଥ ମନ୍ତ୍ରୀ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍‌ ସମୟରେ ଦେଇଥିବା ନିଜ ଭାଷଣରେ, ଚଳିତ ବଜେଟରେ ଘୋଷିତ ଡିଜିଟାଲ ପରିଶୋଧ ନିମନ୍ତେ ଆର୍ଥିକ ସହାୟତା ଜାରି ରଖିବା ନିମନ୍ତେ ସରକାରଙ୍କ ଉଦ୍ଦେଶ୍ୟର ଘୋଷଣା କରିଥିଲେ। ଏଥିରେ ଶସ୍ତା ଓ ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ଅର୍ଥପଇଠ ପ୍ଲାଟଫର୍ମର ବ୍ୟବହାର ବଢ଼ାଇବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଉପରୋକ୍ତ ବଜେଟ୍‌ ଘୋଷଣାର ଅନୁପାଳନ ପାଇଁ ଏହି ଯୋଜନାକୁ ପ୍ରସ୍ତୁତ କରାଯାଇଛି।

୩- ୨୦୨୧-୨୨ ଆର୍ଥିକ ବର୍ଷରେ, ସରକାର ଡିଜିଟାଲ ନେଣଦେଣକୁ ଆହୁରି ବଢ଼ାଇବା ନିମନ୍ତେ ଆର୍ଥିକ ବର୍ଷ ୨୦୨୧-୨୨ ବଜେଟ୍‌ ଘୋଷଣାକୁ ଅନୁପାଳନ କରି ଏକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁର କରିଥିଲେ। ଯାହାଫଳରେ, ମୋଟ୍‌ ଡିଜିଟାଲ ଅର୍ଥପଇଠ କାରବାରରେ ୫୯ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖିବାକୁ ମିଳିଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୫,୫୫୪ କୋଟି ଟଙ୍କାରୁ ବୃଦ୍ଧି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୮,୮୪୦ କୋଟି ଟଙ୍କା ହୋଇଯାଇଛି। ଭୀମ-ୟୁପିଆଇ କାରବାର ୧୦୬ ପ୍ରତିଶତ ବାର୍ଷିକ ବୃଦ୍ଧି ଦେଖିବାକୁ ମିଳିଛି, ଯାହାକି ୨୦୨୦-୨୧ରେ ୨,୨୩୩ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୧-୨୨ରେ ୪,୫୯୭ କୋଟି ଟଙ୍କାରେ ପହଞ୍ଚିଛି।

୪- ଡିଜିଟାଲ ପଇଠ ପ୍ରଣାଳୀର ବିଭିନ୍ନ ଅଂଶୀଦାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଅର୍ଥ ପଇଠ ସଂକ୍ରାନ୍ତ ଇକୋସିଷ୍ଟମର ବିକାଶ ଉପରେ ଶୂନ୍ୟ ଏମଡିଆର ଶାସନର ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବ ବିଷୟରେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ, ନେସନାଲ ପେମେଣ୍ଟସ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନପିସିଆଇ) ଭୀମ-ୟୁପିଆଇ ଏବଂ ରୂପେ ଡେବିଟ୍‌ କାର୍ଡ ନେଣଦେଣକୁ ପ୍ରୋତ୍ସାହିତ କରିବା ଦିଗରେ ଇକୋସିଷ୍ଟମ ସହ ଜଡ଼ିତ ଅଂଶୀଦାରମାନଙ୍କ ନିମନ୍ତେ ମିତବ୍ୟୟୀ ମୂଲ୍ୟ ପ୍ରସ୍ତାବ ପ୍ରସ୍ତୁତ କରିବା, ବ୍ୟବସାୟୀଙ୍କ ଦ୍ବାରା ଏହାର ଗ୍ରହଣୀୟତା ବଢ଼ାଇବା ଏବଂ ନଗଦ ପଇଠ ସ୍ଥାନରେ ଡିଜିଟାଲ ପରିଶୋଧ କରିବା ନିମନ୍ତେ ଅନୁରୋଧ କରିଥିଲା।

୫- ଭାରତ ସରକାର ସାରା ଦେଶରେ ଡିଜିଟାଲ ଅର୍ଥ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରୁଛି। ବିଗତ ବର୍ଷଗୁଡ଼ିକରେ, ଡିଜିଟାଲ ଅର୍ଥପଇଠ କାରବାରରେ ବ୍ୟାପକ ବୃଦ୍ଧି ଦେଖିବାକୁ ମିଳିଛି। କୋଭିଡ-୧୯ ସଙ୍କଟ କାଳରେ, ଡିଜିଟାଲ ଅର୍ଥପଇଠ କ୍ଷୁଦ୍ର ବ୍ୟବସାୟୀମାନଙ୍କ ସମେତ ବ୍ୟବସାୟିକ କାର୍ଯ୍ୟକୁ ସୁଗମ କରିଥିଲା। ଏହା ସାମାଜିକ ଦୂରତା ବଜାୟ ରଖିବାରେ ସହାୟତା କରିଥିଲା। ୟୁପିଆଇ ଡିସେମ୍ବର ୨୦୨୨ରେ ୧୨.୮୨ ଲକ୍ଷ କୋଟି ଟଙ୍କା ମୂଲ୍ୟ ସହିତ ୭୮୨.୯ କୋଟି ଡିଜିଟାଲ ଅର୍ଥପଇଠ କାରବାର ରେକର୍ଡ କରିଥିଲା।

ଏହି ପ୍ରୋତ୍ସାହନ ଯୋଜନା ଏକ ମଜବୁତ ଡିଜିଟାଲ ପରିଶୋଧ ଇକୋସିଷ୍ଟମ ନିର୍ମାଣ ଏବଂ ରୂପେ ଡେବିଟ୍‌ କାର୍ଡ ଏବଂ ଭୀମ-ୟୁପିଆଇ ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନ ଦେବାର ସୁବିଧା ପ୍ରଦାନ କରିବ। ‘ସବକା, ସବକା ବିକାଶ’ ଉଦ୍ଦେଶ୍ୟ ଅନୁରୂପ, ଏହି ଯୋଜନା ୟୁପିଆଇ ଲାଇଟ୍‌ ଏବଂ ୟୁପିଆଇ ୧୨୩ ପେ’ କୁ ଶସ୍ତା ଏବଂ ବ୍ୟବହାରକାରୀ ଅନୁକୂଳ ଡିଜିଟାଲ ପରିଶୋଧ ସମାଧାନ ଆକାରରେ ମଧ୍ୟ ପ୍ରୋତ୍ସାହନ ଦେବ। ଦେଶରେ ସମସ୍ତ କ୍ଷେତ୍ର ଏବଂ ଲୋକମାନଙ୍କ ଅନ୍ୟ ବର୍ଗ ମଧ୍ୟରେ ଡିଜିଟାଲ ଅର୍ଥପଇଠକୁ ଆହୁରି ଅଧିକ ପ୍ରାଥମିକତା ପ୍ରଦାନ କରିବାରେ ସକ୍ଷମ କରିବ।

Categories
ବିଶେଷ ଖବର ବ୍ୟବସାୟ

ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କାର ଭୀମ-ୟୁପିଆଇ କାରବାରକୁ ପ୍ରୋତ୍ସାହନ ଲାଗି ବିଶେଷ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କା (2000 ଟଙ୍କା ପର୍ଯ୍ୟନ୍ତ) ଭୀମ-ୟୁପିଆଇ କାରବାର (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ-ପି2ଏମ)କୁ ଦେଶରେ ପ୍ରୋତ୍ସାହିତ କରିବା ଲାଗି ଏକ ଯୋଜନାକୁ ଅନୁମୋଦନ କରିଛନ୍ତି।

ଏହି ଯୋଜନା ଅଧୀନରେ, ରୂପେ ଡେବିଟ କାର୍ଡ ଜରିଆରେ କରାଯାଉଥିବା କାରବାର ଏବଂ କମ ମୂଲ୍ୟର ଭୀମ-ୟୁପିଆଇ ପେମେଣ୍ଟ ମାଧ୍ୟମକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେବେ। ସେମାନଙ୍କୁ କାରବାର ପରିମାଣର କିଛି ପ୍ରତିଶତ ଆର୍ଥିକ ପ୍ରୋତ୍ସାହନ ଆକାରରେ ଦିଆଯିବ। ଏପ୍ରିଲ 01, 2021 ଠାରୁ ଲାଗୁ ଗୋଟିଏ ବର୍ଷର ଅବଧି ପାଇଁ ଏହି ଯୋଜନାରେ ମୋଟ 1,300 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏହି ଯୋଜନାକୁ ଆପଣାଉଥିବା ବ୍ୟାଙ୍କଗୁଡ଼ିକରେ ଦୃଢ଼ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସୁଦୃଢ଼ କରିବାର ସୁବିଧା ଯୋଗାଇ ଦିଆଯିବ। ଏହା ସମାଜର ସମସ୍ତ କ୍ଷେତ୍ର ତଥା ବିଭିନ୍ନ ବର୍ଗର ଜନସାଧାରଣଙ୍କ ମଧ୍ୟରେ ରୂପେ ଡେବିଟ କାର୍ଡ ଏବଂ ଭୀମ-ୟୁପିଆଇ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବ। ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସୁଦୃଢ଼ ହେବ।

ଫଳରେ ସମାଜର ଗରିବ ଏବଂ ଔପଚାରିକ ବ୍ୟାଙ୍କ ସେବା ଓ ଆର୍ଥିକ ବ୍ୟବସ୍ଥା ଠାରୁ ଅପହଞ୍ଚ ସ୍ଥିତିରେ ଥିବା ଲୋକମାନେ ଡିଜିଟାଲ ମାଧ୍ୟମରେ ଅର୍ଥ ପଇଠ କରିବାର ସୁବିଧା ପାଇପାରିବେ।

ଭାରତରେ ଆଜି ବିଶ୍ବର ଅନ୍ୟତମ ଦକ୍ଷ ଡିଜିଟାଲ ପେମେଣ୍ଟ ବଜାର ରହିଛି। ଭାରତ ସରକାର ଏବଂ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମରେ ରହିଥିବା ବିଭିନ୍ନ ସଂସ୍ଥାଗୁଡ଼ିକର ନବୋନ୍ମେଷ କାରଣରୁ ଏହା ସମ୍ଭବପର ହୋଇପାରିଛି। ଏହି ଯୋଜନା ଫିନଟେକ କ୍ଷେତ୍ରରେ ଗବେଷଣା ଓ ବିକାଶକୁ ତ୍ବରାନ୍ବିତ କରିବ। ଦେଶର ବିଭିନ୍ନ ପ୍ରାନ୍ତରେ ଡିଜିଟାଲ ପେମେଣ୍ଟକୁ ବିସ୍ତାରିତ କରିବାରେ ସରକାରଙ୍କୁ ବିଶେଷ ଭାବେ ସହାୟକ ହୋଇପାରିବ।