Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶନିବାର ଦିନ ଭୁବନେଶ୍ବର ପ୍ରତିଷ୍ଠା ଦିବସ, ଜାଣନ୍ତୁ ନିର୍ବାଚନ ସମୟରେ କିପରି ହେବ ପାଳନ

ଭୁବନେଶ୍ୱର: ୭୬ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଆସନ୍ତାକାଲି ୧୩ ଅପ୍ରେଲ ୨୦୨୪ (ଶନିବାର) ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ପାଳନ କରାଯିବ।

ଏହି ଅବସରରେ ସକାଳ ୭ ଟା ୩୦ ମିନିଟ୍ ରେ ମୁଖ୍ୟଅତିଥି ଶ୍ରୀ ପ୍ରଦୀପ କୁମାର ଜେନା, ମୁଖ୍ୟ ଶାସନ ସଚିବ ଏବଂ ସମ୍ମାନନୀୟ ଅତିଥି ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ପୋଲିସ ମହାନିର୍ଦ୍ଦେଶକ, ଶ୍ରୀ ସଂଜୀବ ପଣ୍ଡା, ପୋଲିସ କମିଶନର, ଶ୍ରୀ ରାଜେଶ ପ୍ରଭାକର ପାଟିଲ, କମିଶନର, ଭୁବନେଶ୍ୱର ମହାନଗର ନିଗମ, ଶ୍ରୀ ବଲୱନ୍ତ ସିଂ, ଉପାଧ୍ୟକ୍ଷ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ, ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଶ୍ରୀ ଚଞ୍ଚଳ ରାଣା, ଜିଲ୍ଲାପାଳ ଖୋର୍ଦ୍ଧା, ଶ୍ରୀ ପ୍ରତୀକ ସିଂ, ଡିସିପି ଭୁବନେଶ୍ୱର, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସମ୍ପାଦକ ଶ୍ରୀ ସନତ ମିଶ୍ର ପ୍ରମୁଖ ଯୋଗଦେଇ ବିଧାନସୌଧ ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହିତ ମୁଖ୍ୟଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନର କାର୍ଯ୍ୟକ୍ରମ ରହିଛି।

ଏହାପରେ ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ସେହିପରି ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ସାଂସ୍କୃତିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥିରୂପେ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗଦାନ କରିବେ। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ।

Categories
ବିଶେଷ ଖବର ରାଜ୍ୟ ଖବର

ଅପରାଜିତାଙ୍କ ରାଗ ବଢିଲା, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆଜି ପୁଣି କହିଲେ ଏମିତି କଥା

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ନ ଡାକିବାରୁ ସେ ପୁରା ରାଗି ପଞ୍ଚମ ହୋଇଛନ୍ତି। ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡାକିବା କଥା, ହେଲେ ତାହା କରାଯାଇ ନାହିଁ। ଏ ନେଇ ସେ ଗତକାଲି ଟୁଇଟ କରି ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି ଅଭିଯୋଗ କରିଥିଲେ।

ସେ କହିଥିଲେ ଯେ, ଭୁବନେଶ୍ବର ପ୍ରତିଷ୍ଠା ଦିବସ ଗୋଟିଏ ବଡ ଦିନ। ଏପରି ଦିନରେ ମୋତେ ଅତିଥୀ କରି ନ ଡାକିବା ଦୁଃଖର ବିଷୟ। ମୋର କେଉଁଠି ଭୁଲ ରହିଲା ବୋଲି ସେ ପ୍ରଶ୍ନ କରିଥିଲେ। ମୋତେ ଡକାଯାଉ ବୋଲି ଅନୁରୋଧ କରିଥିଲେ। ଏହି ଟୁଇଟକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ ମଧ୍ୟ କରିଥିଲେ।

ଟୁଇଟ ପରେ ସେ ଭାବିଥିଲେ ଯେ, ତାଙ୍କୁ ସଂଧ୍ୟା କାର୍ଯ୍ୟକ୍ରମରେ ହୁଏତ ଡାକିବେ। ହେଲେ ତାହା ମଧ୍ୟ ହେଲା ନାହିଁ। ଫଳରେ ସେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଏକ ଚିଠି ଲେଖିଲେ। ସେଥିରେ ମଧ୍ୟ ସେ ତାଙ୍କର ଅଭିଯୋଗ କରି ଏହା ଉପରେ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ।

ସେହି ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଆମ ଭିତରେ ରାଜନୈତିକତା ପ୍ରାର୍ଥକ୍ୟ ଥାଇପାରେ, ହେଲେ ନିର୍ବାଚିତ ପ୍ରତିନିଧିଙ୍କୁ ଏପରି କରିବା ଠିକ୍ ନୁହେଁ। ଏଥିସହିତ ସେ ଜୋର କରି କହିଛନ୍ତେ ଯେ, ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଯୋଗଦେବା ମୋର ଅଧିକାର।ଏହା ଉପରେ ତଦନ୍ତ କରାଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି ଚିଠିଟି ସେ ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅବଗତିରେ ଆଣିଛନ୍ତି। ହେଲେ ମଧ୍ୟ ସଂଧ୍ୟା କାର୍ଯ୍ୟକ୍ରମରେ ତାଙ୍କୁ ଡକାଗଲା ନାହିଁ। ଏହାପରେ ଆଜି ସକାଳେ ପୁଣି ଅପରାଜିତା ଟୁଇଟ କରି ସେହି ଚିଠି ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ ସିଧା କହିଛନ୍ତି ଯେ, ଆପଣଙ୍କୁ ତଦନ୍ତ କରିବା ପାଇଁ ଅନୁରୋଧ କରିଛି। ଆଉ ଏକ ସପ୍ତାହ ପରେ ପୁଣି ଥରେ ମନେ ପକାଇଦେବି।

ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ତାଙ୍କ ଚିଠି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ଅପରାଜିତ ଅନୁଭବ କରିସାରିଲେଣି। ସେଥିପାଇଁ ସେ ସାତ ଦିନ ପରେ ପୁଣି ଥରେ ମନେ ପକାଇବି ବୋଲି ଉଲ୍ଲେଖ କରିଛନ୍ତି।  ଅପରାଜିତାଙ୍କ ଟୁଇଟଗୁଡିକରୁ ଅନୁମାନ କରି ହେଉଛି ଯେ, ସେ ଏହି ପ୍ରସଂଗକୁ କୌଣସି ହାଲତରେ ଛାଡିବେ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସୌଧ ଶିଳାନ୍ୟାସ ଫଳକ ସମ୍ମୁଖରେ ପାଳିତ ହେଲା ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆଜି ସକାଳେ ଓଡ଼ିଶା ବିଧାନସୌଧ ଶିଳାନ୍ୟାସ ଫଳକ ସମ୍ମୁଖରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ବାଚସ୍ପତି ଡ. ପାତ୍ର କହିଲେ ଯେ ୧୯୩୬ ମସିହାରେ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ତା’ପରେ ତତ୍କାଳୀନ ରାଜନେତାମାନେ ଓଡ଼ିଶାର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କଲେ। ଡ. ହରେକୃଷ୍ଣ ମହତାବ ଏବଂ ଅନ୍ୟ ବରପୁତ୍ରମାନଙ୍କ ଉଦ୍ୟମରେ ୧୯୪୮ ମସିହା ଆଜିର ଦିନରେ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ହୋଇଥିଲା।

ଭାରତବର୍ଷ ସ୍ୱାଧୀନତା ଲାଭକଲା ପରେ ଦୁଇଟି ରାଜ୍ୟର ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ଗୋଟିଏ ଆମ ଭୁବନେଶ୍ୱର ଏବଂ ଅନ୍ୟଟି ଚଣ୍ଡିଗଡ଼ । ପ୍ରତିଷ୍ଠା ସମୟରେ ଭୁବନେଶ୍ୱରର ଜନସଂଖ୍ୟା ମାତ୍ର ୧୪ ହଜାର ଥିଲା। ବର୍ତ୍ତମାନ ଭୁବନେଶ୍ୱରରେ ସ୍ଥାୟୀ ଜନସଂଖ୍ୟା ୧୪ ଲକ୍ଷରେ ପହଞ୍ଚିଛି।

ଭୁବନେଶ୍ୱରରେ ସମସ୍ତ ମୌଳିକ ସୁବିଧା ହାତପାଆନ୍ତାରେ ଉପଲବ୍ଧ। ତେଣୁ ଆଗାମୀ ବର୍ଷମାନଙ୍କରେ ଏହାର ଜନସଂଖ୍ୟା ୨ରୁ ୩ କୋଟିରେ ପହଞ୍ଚି ଏହାର କଳେବର କୋଲକାତାଠାରୁ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଣୁ ଆମେ ସମସ୍ତେ ମିଳିମିଶି ଭୁବନେଶ୍ୱରକୁ ଭାରତର ସର୍ବଶ୍ରେଷ୍ଠ ସହରରେ ପରିଣତ କରିବାକୁ ଶପଥ ନେବା ବୋଲି ବାଚସ୍ପତି ଡ. ପାତ୍ର ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବରିଷ୍ଠ ବିଧାୟକ ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ ଏବଂ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ ଯୋଗ ଦେଇଥିଲେ।

ସେହିପରି ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଭୁବନେଶ୍ୱର-କଟକ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିଲେ।

ଅତିଥିମାନେ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଭୁବନେଶ୍ୱରକୁ ଅଧିକ ସରସସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଭୁବନେଶ୍ୱର ଆଜି ସାରା ବିଶ୍ୱରେ ଏକ ସମନ୍ୱିତ ସହର ଭାବରେ ପରିଚୟ ପାଇଛି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଆସନ୍ତା ୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକି। ଭୁବନେଶ୍ୱରର ଉନ୍ନତି ପାଇଁ ପରିକଳ୍ପିତ ଯୋଜନାଗୁଡ଼ିକୁ ଶୀଘ୍ର ଓ ସୁଚାରୁ ରୂପେ ଶେଷ କରି ଏହାକୁ ବିଶ୍ୱର ଏକ ପ୍ରତିଷ୍ଠିତ ସହରରେ ପରିଣତ କରିବା ପାଇଁ ସମସ୍ତଙ୍କର ଏକାନ୍ତ କାମ୍ୟ ହେବା ଉଚିତ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ଏହି ଉତ୍ସବରେ ପ୍ୟାରେଡ୍‌ କମାଣ୍ଡର ଶ୍ରୀମତୀ ସୁଷମା ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ ଓ ଅନୁଷ୍ଠାନର ୬୮ଟି ପ୍ଲାଟୁନ ରାଜ୍ୟସ୍ତରୀୟ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସ୍କେଟିଂ ଏକାଡେମୀ, କଳିଙ୍ଗ ଷ୍ଟାଡିୟମ୍‌ ଏବଂ ମହର୍ଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଓଡ଼ିଶା ବିଧାନସଭାର ମାସିକ ପତି୍ରକା ‘ବିଧାନସଭା ସମାଚାର’ର ଶୁଭ ଉନ୍ମୋଚନ କରାଯାଇଥିଲା। ଯାଜପୁରରୁ ଭୁବନେଶ୍ୱର ପଦଯାତ୍ରା କରିଥିବା ଶ୍ରୀ ମୋହନ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଉପସଭାପତି ପ୍ରଦୁ୍ୟମ୍ନ ମହାନ୍ତି ଧନ୍ୟବାଦ ଦେଇଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ, କମିଟିର ସାଧାରଣ ସଂପାଦକ ସନତ ମିଶ୍ର ଏବଂ ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ପ୍ରକାଶ ଥାଉ କି ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ୧୩ ତାରିଖ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ସାଧାରଣ ସଭା ସମେତ ୧୩ରୁ ୧୫ ତାରିଖ ୩ ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ଓ ମହୋତ୍ସବ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି।