Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ। ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ବରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସଂପନ୍ନ ସହରର ଐତିହାସିକ ମର୍ଯ୍ୟଦାର ସୁରକ୍ଷା ଦିଗରେ ଭୁବନେଶ୍ବର ମହାନଗର ନିଗମର ଗୁରୁଦାୟିତ୍ବ ରହିଛି।

କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହାର ଦାୟିତ୍ବ ନିୟମିତ ଭାବେ ବଢିଚାଲିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି। ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ବି.ଏମ୍‌.ସି ରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଲା।

ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଆଡିସନାଲ କମିଶନର ପଦବୀ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଆଡିସନାଲ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି ।

ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ, ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ, ସମୁଦାୟ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି। ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରଖାଯାଇଛି।

ନିଗମର ଅର୍ଥ ବିଭାଗରେ ୧୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଯୋଜନା ବିଭାଗରେ ୪ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭ଟି ନୂତନ ପଦବୀ, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫ଟି ନୂତନ ପଦବୀ, ଡ୍ରେନେଜ ବିଭାଗରେ ୨୦ଟି ପଦବୀ, ମେକାନିକାଲ ବିଭାଗରେ ୨ଟି ପଦବୀ ସୃଷ୍ଟି କରାଯାଇଛି।

ଏଥିସହିତ ଆଇନ ବିଭାଗରେ ଗୋଟିଏ, ଲୋକସଂପର୍କ ବିଭାଗରେ ୨ଟି, ସୌନ୍ଦର୍ଯ୍ୟକରଣ ଓ ଲ୍ୟାଣ୍ଡ ସ୍କେପିଂ ବିଭାଗରେ ୭ଟି, ପ୍ରାଣୀକଲ୍ୟାଣ ବିଭାଗରେ ୪ଟି, ସାମାଜିକ କଲ୍ୟାଣ ବିଭାଗରେ ୧୩ଟି, ବିପର୍ଯ୍ୟୟ ଓ ଜରୁରୀ ସେବା ବିଭାଗରେ ଗୋଟିଏ, ଏନ୍‌ଫୋର୍‌ସମେଣ୍ଟ ବିଭାଗରେ ୧୯ଟି, ଅମଲା ବିଭାଗରେ ୯୩ଟି ଏବଂ ୱାର୍ଡ ଅଫିସ ବିଭାଗରେ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି।

ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ପୂର୍ବରୁ ୨ଟି ସିଭିଲ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ଏହାକୁ ୬କୁ ବୃଦ୍ଧି କରାଯାଇଛି। ସେହିପରି ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ୭ ରୁ ୧୩କୁ ବୃଦ୍ଧି କରାଯାଇଛି ଏବଂ ସିଭିଲ ଜୁନିଅର ଇଂଜିନିୟରିଂ ପଦବୀ ସଂଖ୍ୟାକୁ ୧୭ରୁ ୨୪କୁ ବୃଦ୍ଧି କରାଯାଇଛି।

ପରିମଳ (ଇଂଜିନିୟରିଂ) ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ଏଥିରେ ମଧ୍ୟ ୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ), ଗୋଟିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ) ଓ ୩ଟି ଜୁନିଅର ଇଂଜିନିୟର (ପରିମଳ) ଅନ୍ତର୍ଭୁକ୍ତ।

ସେହିପରି ଡ୍ରେନେଜ ବିଭାଗରେ ୨୦ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ, ୭ଟି ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୧୨ଟି ଜୁନିଅର ଇଂଜିନିୟର ପଦବୀ ରହିଛି।

ୱାର୍ଡ ପରିଚାଳନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ୧୮୭ଟି ପଦବୀ ନୂତନ ପଦବୀ ସୃଷ୍ଟି କରାଯାଇଛି। ପୂର୍ବରୁ ଏଥିରେ ୮୧ଟି ପଦବୀ ଥିଲା। ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୨୬୮ ହେଲା। ପୂର୍ବରୁ ୱାର୍ଡ ଅଫିସର ପଦବୀ ନ ଥିବା ବେଳେ, ଏଥିରେ ୬୭ଟି ନୂଆ ୱାର୍ଡ ଅଫିସର ପଦବୀ ସୃଷ୍ଟି କରାଯାଇଛି।

ସେହିପରି ୱାର୍ଡ ରେଭେନ୍ୟୁ ଅଫିସର (ଟ୍ୟାକ୍‌ସ କଲେକ୍ଟର) ପଦବୀ ସଂଖ୍ୟା ୫୦ ଥିବାବେଳେ ଏହା ୬୭କୁ ବୃଦ୍ଧି ପାଇଛି। ସାନିଟାରୀ ଇନ୍‌ସପେକ୍ଟର ପଦବୀ ସଂଖ୍ୟା ୬ଟି ଥିବାବେଳେ, ଏଥିରେ ୬୧ଟି ନୂଆ ପଦବୀ ଯୋଗ କରାଯାଇଛି। ସେହିପରି କମ୍ୟୁନିଟି ଅର୍ଗାନାଇଜର ପଦବୀ ସଂଖ୍ୟା ୨୫ରୁ ୬୭କୁ ବୃଦ୍ଧି କରାଯାଇଛି।

Categories
ବିଶେଷ ଖବର

ଆଇଏଏସ୍ ସ୍ତରରେ ଅଦଳବଦଳ: ଜାଣନ୍ତୁ ଭୁବନେଶ୍ବର ମହାନଗର ନିଗମର କମିଶନର ହେଲେ କିଏ?

ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ଭୁବନେଶ୍ବର ମହାନଗର ନିଗମର କମିଶନର ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଯୁକ୍ତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ଜେ.ସୋନାଲଙ୍କୁ ଦାୟିତ୍ବ ମିଳିଥିବା ବେଳେ କଟକ ମହାନଗର ନିଗମ କମିଶନର ଭାବେ ଆଇଏଏସ ନିଖିଲ ପବନ କଲ୍ୟାଣ ନିଯୁକ୍ତ ହୋଇଛନ୍ତି। ଅନନ୍ୟା ଦାସଙ୍କୁ ସମ୍ବଳପୁର ଜିଲ୍ଲାପାଳ ଦାୟିତ୍ବ ମିଳିଛି।

ସେହିଭଳି କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ବାଲେଶ୍ୱରର ନୂତନ ଜିଲ୍ଲାପାଳ ହେଲେ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ। ତେବେ ଦେବଗଡ଼ର ଜିଲ୍ଲାପଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ନିଯୁକ୍ତି ମିଳିଥିବା ବେଳେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଂଜାମ ଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ଗାଭାଲି ପରାଗ ହର୍ଷଦ, ସ୍ୱଧା ଦେବସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ, ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭଦ୍ରକ ଜିଲ୍ଲାପାଳ, ପି.ଅନ୍ବେଷା ରେଡ୍ଡୀଙ୍କୁ କଳାହାଣ୍ଡି ଜିଲ୍ଲାପାଳ ଓ ନୂଆପଡ଼ା ଜିଲ୍ଲାପାଳ ଭାବେ ହେମକାନ୍ତ ସାଏଙ୍କୁ ନିଯୁକ୍ତି ମିଳିଛି। ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର।

ତେବେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ବ ମିଳିଥିବା ବେଳେ ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଜିଏ ବିଭାଗ ଅନୁସଚିବ। ସୁଧାଂଶୁ ସାମଲ ହେଲେ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ। ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ଜଳ ସଂପଦ ଯୁଗ୍ମ ସଚିବ ହୋଇଛନ୍ତି। ମଧୁସ୍ମିତା ସାହୁଙ୍କୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଦାୟିତ୍ବ ମିଳିଥିବା ବେଳେ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ, ତ୍ରିଲୋଚନ ମାଝୀଙ୍କୁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଓ  ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ନିର୍ଦ୍ଦେଶକ ଦାୟିତ୍ବ ମିଳିଛି। କୀର୍ତ୍ତି ଭାସନ ହେଲେ ଗଞ୍ଜାମ ପିଡି ଡିଆରଡିଏ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା: ଫୋନ କଲେ ଘରକୁ ଆସିବ ନମୁନା ସଂଗ୍ରହ ଗାଡି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଆଜି ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଲକ୍ଷଣ ଦେଖାଯାଉଥିବା କୌଣସି ବରିଷ୍ଠ ନାଗରିକ ଯଦି କରୋନା ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଅସମର୍ଥ ଅଛନ୍ତି। ସେମାନଙ୍କ ପାଇଁ ବିଏମସି ଏକ ଭଲ ବ୍ୟବସ୍ଥା କରିଛି। ଘରୁ ଆସିପାରୁନଥିବା ବରିଷ୍ଠ ନାଗରିକ ମାନେ ଏବେ ଫୋନ କଲେ ନମୁନା ସଂଗ୍ରହ ଗାଡି ତାଙ୍କ ଘରେ ପହଞ୍ଚିବ। ସେଠାରେ ଏହି ଗାଡି ତାଙ୍କର ନମୁନା ସଂଗ୍ରହ କରିବ।

ତେବେ ଏଥିପାଇଁ କୋଭିଡ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବରିଷ୍ଠ ନାଗରିକମାନେ ୧୯୨୯ ନମ୍ବରକୁ ଫୋନ କରିବାକୁ ପଡିବ। ଏହି ବ୍ୟବସ୍ଥା ଆସନ୍ତା ସୋମବାରଠାରୁ କାର୍ଯ୍ୟକ୍ଷମ ହେବ ବୋଲି ବିଏମସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି।

ସେହିଭଳି ଟୀକା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟୀକା ପାଇଁ ଯେଉଁ ବରିଷ୍ଠ ନାଗରିକମାନେ ସମସ୍ୟାରେ ପଡୁଥିବେ, ସେମାନଙ୍କ ପାଇଁ ମଧ୍ୟ ବିଏମସି ପ୍ରଶଂସନୀୟ ପଦକ୍ଷେପ ନେଇଛି। ଏକା ରହୁଥିବା ବରିଷ୍ଠ ନାଗରିକମାନେ ଫୋନ କରି ନିଜର ତଥ୍ୟ ଦେଲେ, ଘରେ ଗାଡି ପହଞ୍ଚିବ। ୧୯୨୯କୁ ଫୋନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଗାଡି ପହଞ୍ଚିବ। ତାଙ୍କୁ ଟୀକାକରଣ କେନ୍ଦ୍ରକୁ ନେଇ ଟୀକା ଦେବା ପରେ ପୁନଶ୍ଚ ଘରେ ଛାଡିବାର ବ୍ୟବସ୍ଥା ମଧ୍ୟ କରାଯିବ। ଏନେଇ  ବିଏମସି କମିଶନର ସଞ୍ଜୟ କୁମାର ସିଂହ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲେ ଭୁବନେଶ୍ବର ମହାନଗର ନିଗମର କମିଶନର: ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ନୂଆ ଦାୟିତ୍ଵ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର କମିଶନରଙ୍କ ବଦଳି ହୋଇଛି। ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ନୂତନ କମିଶନର ନିଯୁକ୍ତି ପାଇଛନ୍ତି। ସଞ୍ଜୟ କୁମାର ସିଂହ ଏବେ ନୂଆ ବିଏମସି କମିଶନର। ପ୍ରେମଚନ୍ଦ୍ରଙ୍କ ପରେ ନୂଆ ବିଏମସି କମିଶନର ଭାବେ ସେ  ଦାୟିତ୍ଵ ନେବେ। ୧୯୯୭ ବ୍ୟାଚର ଆଇଏଏସ ସଞ୍ଜୟ କୁମାରଙ୍କୁ ନୂଆ ଦାୟିତ୍ଵ ମିଳିବ। ସଞ୍ଜୟ କୁମାର ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିଭାଗର ଦାୟିତ୍ଵରେ ଅଛନ୍ତି। କମିଶନର ସହ ତାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ଏହାସହ ସଞ୍ଜୟଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ଵ ମଧ୍ୟ ଦିଆଯାଇଛି। ପ୍ରେମଚନ୍ଦ୍ର କମିଶନରଙ୍କୁ ଜିଏ ବିଭାଗର ଓଏସଡି ଦାୟିତ୍ଵ ମିଳିଛି।

ସେହିଭଳି ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ଵ ମିଳିଥିବା ବେଳେ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ଵ ଏବଂ ଡାଃ. କ୍ରିଷନ କୁମାରଙ୍କୁ ଇଡକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି।