Categories
ଆଞ୍ଚଳିକ

ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଭୁବନେଶ୍ୱର କୋର୍ଟ ପରିଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱର ଓକିଲ ସଂଘ ଦ୍ୱାରା ଆୟୋଜିତ ଏକ ସଭାରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡାଃ ଏସ୍‌. ମୂରଲୀଧର, ହାଇକୋର୍ଟର ରେଜିଷ୍ଟାର ଜେନେରାଲ ଓ ଭୁବନେଶ୍ୱର ଜିଲ୍ଲାଜଜ୍ ରାମଶଙ୍କର ହୋତାଙ୍କ ସମେତ ସମସ୍ତ ଜୁଡ଼ିସିଆଲ ଅଫିସରବୃନ୍ଦ ଯୋଗ ଦେଇଥିଲେ।

ଓକିଲ ସଂଘର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରାୟଣ ସାହୁ ଏବଂ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ।

ସଂଘର ସଭାପତି ନିର୍ମଳ କିଶୋର ରଥ ମୁଖ୍ୟ ବିଚାରପତି ମହୋଦୟଙ୍କୁ ସଂଘ ତରଫରୁ ଏକ ଦାବି କରିଥିଲେ କି ଭୁବନେଶ୍ୱରରେ ଓଡ଼ିଶାର ସବୁଠାରୁ ଅଧିକ କେଶ୍ ବଢି ଯାଉଥିବାରୁ ଆଉ ଗୋଟିଏ ଫ୍ୟାମିଲ୍ କୋର୍ଟ, ଦୁଇଟି ସିଭିଲ୍ ଜଜ୍‌, ସିନିୟର ଜଜ୍ କୋର୍ଟ ଓ ଗୋଟିଏ ସିଭିଲ୍ ଜଜ୍ ଜୁନିଅର ଡିଭିଜନ କୋର୍ଟ ସହିତ ଆଉ ୧୦ଟି ପ୍ରଥମଶ୍ରେଣୀ ମାଜିଷ୍ଟେଟ୍ କୋର୍ଟ ଖୋଲିବା ପାଇଁ ଦାବି କରାଯାଇଥିଲା। ମୁଖ୍ୟ ବିଚାରପତି ମହୋଦୟ ଭୁବନେଶ୍ବରରେ ପଡ଼ି ରହିଥିବା ଆଶାତୀତ କେଶ୍ ଗୁଡ଼ିକର ତୁରନ୍ତ ଫଇସଲା ପାଇଁ ଏହିସବୁ ନୂତନ କୋର୍ଟ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ସମ୍ପାଦକ ଶ୍ରୀ ରାଜକିଶୋର ଦାସ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ନେଇ ନିର୍ମାଣଧିନ ଜୁଡ଼ିସିଆଲ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଏହି ସଭାରେ ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟ ଶିବାନନ୍ଦ ରାୟ, ନିର୍ମଳ ପଟ୍ଟନାୟକ, ଅରୁପ ଚାନ୍ଦ, ସୁଦାମ ଦାସ ଓ ବାର୍ କାଉନ୍‌ସିଲ୍‌ର ପୂର୍ବତନ ସଦସ୍ୟ ବିଭୂ ପ୍ରସାଦ ତ୍ରିପାଠୀଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ୱ ଆଇନ୍‌ଜୀବୀ ଉପସ୍ଥିତ ଥିଲେ।

ସଭା କାର୍ଯ୍ୟ ପରିଚାଳନା କରିଥିଲେ ସଂଘର ଉପସଭାପତି ଦେବୀଦତ୍ତ ବାରିକ ଏବଂ ସର୍ବଶେଷରେ ସଂଘର ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।