Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ରେଲୱେ ଷ୍ଟେସନ୍ ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ: ମେମୁ ଟ୍ରେନର ଶୁଭାରମ୍ଭ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏବଂ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତୀକ୍ଷିତ ଜନସାଧାରଣ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ “ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ” ସହିତ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଭିତ୍ତିପ୍ରସ୍ତର ଦେବା ସହିତ ପୁରୀ-ଜଳେଶ୍ୱର-ପୁରୀ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି।

ଏହି ସମାବେଶରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରହ୍ଲାଦ ଯୋଶୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଦେଶର ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରି ନୂତନ ଷ୍ଟେସନ ସ୍ଥାପନ କରି ଷ୍ଟେସନଗୁଡିକର ପୁନଃବିକାଶ କରାଇବା ସହିତ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଆଧୁନିକ ସୁବିଧା ଯୋଗାଇବା କ୍ଷେତ୍ରରେ ସୁଧାର ଆଣି ରେଳବାଇକୁ ପରିବର୍ତ୍ତନ କରିଚାଲିଛନ୍ତି ବୋଲି କହିଥିଲେ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଓଡ଼ିଶାର ରେଳ ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି। ଓଡିଶା ୨୦୧୪ ପୂର୍ବରୁ ୭୦୦ ରୁ ୮୦୦ କୋଟି ଟଙ୍କା ବଜେଟ ଅନୁମୋଦନ ପାଉଥିବାବେଳେ ବର୍ତ୍ତମାନ ୧୦ ହଜାର କୋଟିରୁ ଅଧିକ ଅନୁମୋଦନ ପାଉଅଛି। ସେହିପରି ୨୦୧୪ ପୂର୍ବରୁ ରେଳବାଇ ମାତ୍ର ୨୦ ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ନୂଆ ରେଳ ଲାଇନ ନିର୍ମାଣ କରୁଥିଲାବେଳେ ବର୍ତ୍ତମାନ ବର୍ଷକୁ ପ୍ରାୟ ୩୦୦ କିମି ରେଳ ଲାଇନ ନିର୍ମାଣ କରୁଛି। ଏହା ବ୍ୟତୀତ ଓଡିଶାର ୩୬ ରେଳ ଷ୍ଟେସନକୁ ବର୍ତ୍ତମାନ ଆଧୁନିକ ସୁବିଧା ସହିତ ନବୀକରଣ କରାଯାଉଛି ଯେଉଁଠାରେ ରାଜ୍ୟର ପ୍ରତ୍ୟେକ କୋଣକୁ ପ୍ରାଥମିକତା ଦିଆଯାଇଛି। ଏହା ସହିତ ଜଗନ୍ନାଥ ସର୍କିଟ ଟ୍ରେନ ଅଳ୍ପ ଦିନ ମଧ୍ୟରେ ଚଳାଚଳ କରିବବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶରେ ଆଧୁନିକ ଭିତ୍ତିଭୂମି ଏବଂ ସୁବିଧା ସହିତ ଅନେକ ଯାତ୍ରୀ ପାରିସେବା ରହିବ। ପ୍ରକଳ୍ପର ନିର୍ମାଣ ଅବଧି କାର୍ଯ୍ୟ ଆରମ୍ଭରୁ ୨୪ ମାସ ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନରେ ଯୋଗଦାନ କରିଥିଲେ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଷ୍ଟେସନ ଠାରେ ଆୟୋଜିତ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସମ୍ବଲପୁର ଏବଂ ଶାଲିମାର ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଇଥିଲେ। ଅନୁଗୁଳ-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବ ଓ ଯାତ୍ରା ସୁବିଧା ଯୋଗାଇଦେବ।

ପରେ, ଅନୁଗୁଳ ଲୋକୋ ସେଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୪ କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବ ଉଦ୍ଘାଟନ କରିଥିଲେ। ଅନୁଗୁଳ-ବଳରାମ ନୂତନ ରେଳ ଲାଇନ ମାଲ ପରିବହନ ପାଇଁ ସୁବିଧା ଯୋଗାଇବ। ଏହା ବିଶେଷ ଭାବେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ବିଭିନ୍ନ ଶିଳ୍ପ ଏବଂ ପାୱାର ହାଉସକୁ କୋଇଲା ଯୋଗାଇବ ଏବଂ ଦେଶ ପାଇଁ ଅତିରିକ୍ତ ରାଜସ୍ୱ ଯୋଗାଇପାରିବ।

ଓଡିଶା ବିଧାନସଭାର ଉପ ବାଚସ୍ପତି ରଜନୀ କାନ୍ତ ସିଂ, ସାଂସଦ ମହେଶ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ, ସୁଶାନ୍ତ କୁମାର ବେହେରା ପ୍ରମୁଖ ଅନୁଗୁଳ ଠାରେ ଆୟୋଜିତ କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେଇଥିଲେ।

ଏହାପୂର୍ବରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଉଭୟ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ରେଳବାଇ କାର୍ଯ୍ୟ ଦକ୍ଷତା ସମ୍ବନ୍ଧରେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଭୁବନେଶ୍ୱର ରେଲୱେ ଷ୍ଟେସନ୍ ର ପୁନଃ ବିକାଶ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ବର: ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟ ନିରୀକ୍ଷଣ କରିବା ସହିତ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ନିରୀକ୍ଷଣ ସମୟରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକର ଆବଶ୍ୟକତା ଏବଂ ମହତ୍ତ୍ୱ ଉପରେ ଶ୍ରୀ ସୁନକର ଗୁରୁତ୍ୱାରୋପ କରିଥିଲେ।

ବିକାଶମୂଳକ କାର୍ଯ୍ୟକୁ ଧ୍ୟାନରେ ରଖି ଶ୍ରୀ ସୁନକର ସୂଚନା ଦେଇଛନ୍ତି ଯେ ଏହି ଷ୍ଟେସନ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ସମଗ୍ର ଭାରତରେ ରେଳ ଯାତ୍ରୀଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ସୁବିଧା ସହିତ ଉନ୍ନତମାନର ଯାତ୍ରୀ ପରିସେବା ଏବଂ ବିଭିନ୍ନ ସୁବିଧା ପ୍ରଦାନ କରିବା ପରିକଳ୍ପନାର ଏକ ଅଂଶ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପ କାର୍ଯ୍ୟକାରୀତା ସମ୍ବନ୍ଧରେ ନଜର ରଖିଥିବାରୁ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ମାନ୍ୟତା ପାଉଅଛି। ଏହି ଷ୍ଟେସନ ନିର୍ମାଣର ଶୀଘ୍ର କାର୍ଯ୍ୟ ସମ୍ପାଦନ ଓ କାର୍ଯ୍ୟକାରିତା ପାଇଁ ଶ୍ରୀ ବୈଷ୍ଣବ ମଧ୍ୟ ଜୋର ଦେଇଛନ୍ତି ବୋଲି ଶ୍ରୀ ସୁନକର କହିଛନ୍ତି।

ଶ୍ରୀ ସୁନକର ମଧ୍ୟ ଭିତ୍ତିଭୂମି ବିକାଶ ସହ ଜଡିତ ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ର, କନକୋର୍ସ, ପ୍ଲାଟଫର୍ମ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯାଞ୍ଚ କରିଥିଲେ ଯାହା ଯାତ୍ରୀମାନଙ୍କ ଆରାମ ପାଇଁ ବହୁତ ଆବଶ୍ୟକ। ଏହା ବ୍ୟତୀତ ପ୍ରକଳ୍ପର ଦୈନନ୍ଦିନ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ସାଇଟ ଅଫିସ, ଷ୍ଟେସନ ପରିଷ୍କାର ପରିଚ୍ଛନ୍ନତା, ଯାତ୍ରୀଙ୍କ ସୁବିଧା ମଧ୍ୟ ଯାଞ୍ଚ କରାଯାଇଥିଲା।

ଏହି ଯାଞ୍ଚ ସମୟରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହିତ ମୁଖ୍ୟାଳୟ ଓ ରେଳ ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।