Categories
ଆଜିର ଖବର ରାଜ୍ୟ ଖବର ସିନେମା

ବଡ ପରଦାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ‘ବୋଉର ହାତ ବାକ୍ସ’: ବୁଦ୍ଧିଜିଵୀଙ୍କ ଦୃଢୋକ୍ତି

ଭୂବନେଶ୍ବର: ଭୂବନେଶ୍ବର ଠାରେ ଏକ ପଞ୍ଚତାରକା ହୋଟେଲ୍ ରେ ନୂଆ ଚଳଚ୍ଚିତ୍ର “ବୋଉର ହାତ ବାକ୍ସ ” ର ଅଫିସିଆଲ୍‌ ଟ୍ରେଲର ରିଲିଜ୍ ହୋଇ ବୁଦ୍ଧିଜିବୀଙ୍କ ଦ୍ବାରା ଆଦୃତି ଲାଭ କରିଥିଲା।

ଏହି ଅବସରରେ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଯୋଳକ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଅନ୍ୟତମ ଅତିଥି ଭାବେ ନିର୍ଦ୍ଦେଶକ ନାରାୟଣ ପତି, ବରିଷ୍ଠ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ବିନି ପଟ୍ଟନାୟକ, ସୂର୍ଯ୍ୟ ରଥ ଅଭିନେତ୍ରୀ ସୁଶ୍ରୀ ସବିତା ପ୍ରମୁଖ ଉପସ୍ଥିତ ଥିଲେ।

ମୁକ୍ତିଲାଭ ପୂର୍ବରୁ ଏବେ ବେଶ ଚର୍ଚ୍ଚାରେ ଓଡିଆ ଚଳଚ୍ଚିତ୍ର ‘ବୋଉର ହାତ ବାକ୍ସ’। ଗାଁରେ ଥିବା ପରିବାର ଓ ସହରରେ ରହୁଥିବା ପୁଅକୁ ନେଇ କାହାଣୀ ଗତିଶୀଳ ହୋଇଥିବା ଅନୁମାନ କରାଯାଉଥିବା ବେଳେ ‘ବୋଉର ହାତ ବାକ୍ସ’କୁ ଅତି ନିଖୁଣ ଭାବେ ନିର୍ଦ୍ଦେଶକ ନାରାୟଣ ପତି ସଜାଇଛନ୍ତି। ଓଡିଆ ପରିବାରର ଶବ୍ଦ ଚାତୁରୀ ଏହି ସିନେମାରେ ଦେଖିବାକୁ ମିଳିଛି। ପରିବାର ଭିତରେ ଥିବା ସ୍ନେହ ଓ ସମ୍ପର୍କକୁ ବଡପରଦାରେ ଦେଖାଇଛନ୍ତି ନିର୍ଦ୍ଦେଶକ ଶ୍ରୀଯୁକ୍ତ ପତି। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି।

ସିନେମାରେ ବୋଉ ଭୂମିକାରେ ଅଭିନୟ କରିଛନ୍ତି ଲୋପାମୁଦ୍ରା ମିଶ୍ର। ସେ ପ୍ରଥମ ଥର ପାଇଁ ବଡ ପରଦାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ପୂର୍ବରୁ ଯଦିଓ ସେ ବଡପରଦାରେ ଦେଖା ଦେଇଛନ୍ତି କିନ୍ତୁ ପ୍ରଥମ କରି ତାଙ୍କୁ ସିନେମାରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ। ଗାଁରେ ରହୁଥିବା ମା’ର, ମାଇଲ ମାଇଲ ଦୂର ସହରରେ ରହୁଥିବା ପୁଅ ପ୍ରତି ଥିବା ବାତ୍ସଲ୍ୟ ମମତା ଓ ଅନାବିଳ ପ୍ରେମକୁ ଅଭିନୟ ମାଧ୍ୟମରେ ଦର୍ଶାଯାଇଛି। ଯାହାକୁ ଅତି ସୁନ୍ଦର ଭାବେ ତୋଳି ଧରିଛନ୍ତି ଲୋପାମୁଦ୍ରା। ପରିବାର ପ୍ରତି ଦାୟିତ୍ୱ, ବୟସ୍କ ସ୍ୱାମୀଙ୍କ ପ୍ରତି କର୍ତ୍ତବ୍ୟ ଓ ଘର ଠାରୁ ଦୂରରେ ରହୁଥିବା ପୁଅ ପ୍ରତି ସମ୍ବେଦନଶୀଳତା କିଭଳି ରହିବା ଦରକାର ତାହା ସିନେମାରେ ଅଭିନୟ କରି ଦେଖାଇଛନ୍ତି ଲୋପାମୁଦ୍ରା। ଏକଦମ ଗମ୍ଭୀର ଅଭିନୟ ଜରିଆରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ ଲୋପାମୁଦ୍ରାଙ୍କ ଅଭିନୟ। ବରିଷ୍ଠ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ନାରାୟଣ ପତିଙ୍କ ନିର୍ଦ୍ଦେଶନାରେ ବୋଉ ଚରିତ୍ରର ନିଖୁଣ ଅଭିନୟ କରାଯାଇଛି।

ଏକ ମଧ୍ୟବିତ୍ତ ପରିବାରରେ ବୋଉ ଚରିତ୍ର ଯେଭଳି ହୋଇଥାଏ ସିନେମାରେ ଏକଦମ ସେଭଳି ଦେଖାଇବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି ନିର୍ଦ୍ଦେଶକ। ସ୍ନେହ ଦେବାରେ ଉଣା ନାହିଁ କି କିଛି ପାଇବାର ଆଶା ନାହିଁ। ପରିବାର ପାଇଁ ସନ୍ତୁଳି ହେଉଥିବା ଚରିତ୍ରଟି ହେଉଛି ବୋଉ। ଓଡିଆ ଘରମାନଙ୍କରେ ପିଲାମାନଙ୍କ ପାଇଁ ସବୁ ବୋଉ ମାନେ ହାତ ବାକ୍ସ ଗୋଟିଏ ଲେଖାଏଁ ରଖିଥାନ୍ତି। କିନ୍ତୁ ସେଥିରେ କଣ ଥାଏ ତାହା କାହାକୁ ବି ଜଣା ନଥାଏ। କେବେ ପିଲାଙ୍କୁ ଦେଖାଇ ଦେଇନଥିବା ସେ ହାତ ବାକ୍ସ ଭିତରେ ସତରେ କଣ ରହିଥାଏ ତାହା ଏହି ସିନେମାରେ ପୁଅ ଦେଖିପାରୁଛି କି ନାହିଁ ସିନେମା ମୁକ୍ତିଲାଭ ପରେ ଜଣାପଡିବ।

ଦେହରେ ବେଶୀ ଦାମିକିଆ ଶାଢ଼ୀ ନାହିଁ କି ମୂଲ୍ୟବାନ ଅଳଙ୍କାର ବି ନାହିଁ। ବୟସ୍କଙ୍କ ଭଳି କପାଳ ଉପରକୁ ଥିବା କେଶ ଗୁଡିକ ହାଲୁକା ଧଳା ହୋଇଯାଇଛନ୍ତି। ଲାଲ ଟୋପା ସିନ୍ଦୂର ସହ ସୀନ୍ଥିରେ ସିନ୍ଦୂର ଝଟକୁଛି। ଗୁମସୁମ ମୁହଁ, ଗମ୍ଭୀର ଚେହେରା, ଅଳ୍ପହସ ସହ ଯେଉଁ ପୋଷ୍ଟରଟି ସାମ୍ନାକୁ ଆସିଛି ତାହା ହିଁ ବୁଝାଇ ଦେଇଛି ବୋଉ ଶବ୍ଦର ଅର୍ଥ କଣ? ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଗତ କିଛି ବର୍ଷ ଧରି ଓଡିଆ ସିନେମାରେ ପାରିବାରିକ କାହାଣୀକୁ ବିଶେଷ ଗୁରୁତ୍ୱ ଦିଆଯାଉନଥିବା ବେଳେ ନିର୍ଦ୍ଦେଶକ ନାରାୟଣ ପତି ଓ ନିର୍ମାତା ସଂଜୟ ଦାସ ପାରମ୍ପାରିକ ସିନେମା ଠୁ ଦୂରକୁ ଯାଇ ନୂଆ କିଛି କରିବାକୁ ପ୍ରୟାସ କରିଛନ୍ତି।

ଡ. ଆରତୀ ପାଟ୍ଟଯୋଶୀଙ୍କ ବଳିଷ୍ଠ କାହାଣୀ ସହ ନାରାୟଣ ପତିଙ୍କ ଚିତ୍ରନାଟ୍ଟ୍ୟ ଓ ନିର୍ଦ୍ଦେଶନା ସିନେମାକୁ ଜୀବନ୍ତ କରିଛି। ଚାଇରୋସନା ଫିଲ୍ମ ପ୍ରଯୋଜିତ ଓ ସଂଜୟ ଦାସ ନିବେଦିତ ‘ବୋଉର ହାତବାକ୍ସ’ରେ ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ଗୀତ ରଚନା କରିଥିବା ବେଳେ ସଂଗୀତରେ ସଜାଇଛନ୍ତି କ୍ଷୀତିପ୍ରକାଶ ମହାପାତ୍ର।

ବିରଜା ପ୍ରସନ୍ନ କର ଚିତ୍ର ଉତ୍ତୋଳନ କରିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ସିନେମାର ମିଡିଆ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ରର ପୋଷ୍ଟର ଓ ମ୍ୟୁଜିକ ରିଲିଜ ପୂର୍ବରୁ ହୋଇଥିବା ବେଳେ ଖୁବଶୀଘ୍ର ସିନେମାଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ନିଃଶୁଳ୍କ ହୃଦ ରୋଗ ଚିକିତ୍ସା ଶିବିର ଆୟୋଜିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଭୂବନେଶ୍ବର ଆପୋଲୋ ହସ୍ପିଟାଲ ସହାୟତାରେ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ, ଡାକ୍ତର ପ୍ରତ୍ୟୁଶ ପୁଲକ ନାୟକ ଏବଂ ସହଯୋଗୀ ମାନଙ୍କ ଦ୍ବାରା ସ୍ଥନୀୟ ଏଜୁ କେୟାର ବିଦ୍ୟାଳୟ, ବାଣପୁର ପରିସରରେ ନିଶୁଳ୍କ ହୃଦ ରୋଗ ଚିକିତ୍ସା ଶିବିରର ଆୟୋଜନ କରାଯାଇ ୧୭୦ ଜଣଙ୍କର ହୃଦରୋଗ ନିରୂପଣ କରିବା ସହିତ ଇ ସି ଜି, ବ୍ଳଡ ପ୍ରେସର, ବ୍ଳଡ ସୁଗାର ଇତ୍ୟାଦି ପରୀକ୍ଷା କରାଯାଇଥିଲା। ଡାକ୍ତର ପଟ୍ଟନାୟକଙ୍କର ହୃଦରୋଗ ସମ୍ବନ୍ଧୀୟ ଉଚ୍ଚକୋଟୀର ପରାମର୍ଶ ଦ୍ବାରା ବହୁ ବ୍ୟକ୍ତି ଆନନ୍ଦ ପ୍ରକାଶ କରିଥିଲେ।

କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୂନୀଲ କୁମାର ପାତ୍ର, ଆସନ୍ତା ବର୍ଷ ପାଇଁ ମନୋନୀତ ସଭାପତି ନନ୍ଦକିଶୋର ମିଶ୍ର ତଥା କ୍ଳବର ପ୍ରାକ୍ତନ ସଭାପତି ଡାକ୍ତର ଯୋଗୀନ୍ଦ୍ର ସେନାପତି, ଓମପ୍ରକାଶ ଆଗ୍ରୱାଲ, ବିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ଅଶୋକ କୁମାର ପାତ୍ର, ଜଗଦୀଶ ପ୍ରସାଦ ଲାଖୋଟିଆଙ୍କ ସମେତ ସଭ୍ୟ ବିପ୍ଳବ କୁମାର ମୂଦୁଲି, ରବୀନ୍ଦ୍ରନାଥ ପ୍ରଧାନ, ହିମାଂଶୁ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି, ସଚ୍ଚିଦାନନ୍ଦ ସେଠୀ, ଅଶୋକ କୁମାର ନାୟକ ଏବଂ ଏଜୁ କେୟାର ବିଦ୍ୟାଳୟର ଅଧ୍ୟକ୍ଷ ତଥା ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୂଖ ଶିବିର ପରିଚାଳନା କରିଥିଲେ।

କ୍ଳବର ଏହି ପରି ସମାଜ ସେବା କାର୍ଯ୍ୟକ୍ରମକୁ ସ୍ଥାନୀୟ ଡାକ୍ତର ସୂରେନ୍ଦ୍ରନାଥ ପାତ୍ର, ବାଣପୁର ଏନ ଏ ସି ଚେୟାରମ୍ୟାନ ମିଟୁ ନାୟକ ତଥା ଅଂଚଳବାସୀ ଭୂୟସୀ ପ୍ରଶଂସା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ଶିକ୍ଷୟିତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା: କାର୍ଯ୍ୟନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲେଇବ ଶିକ୍ଷକ ସଂଘ

ଭୂବନେଶ୍ବର: ଗତ କାଲି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚୁପାଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ମସା ମରା ଲିକ୍ୟୁଇଡି ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ସ୍ଥଳେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପ୍ରଥମେ ତାଙ୍କୁ ବାଲୁଗାଁ ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତିକରାଯାଇଥିବା ସ୍ଥଳେ ପରେ ତାଙ୍କୁ ଭୂବନେଶ୍ବର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ସେ ଚିକିତ୍ସାଧିନ ଅଛନ୍ତି।ଚିକିତ୍ସା ସମୟରେ ସେ ଆତ୍ମହତ୍ୟା କରିବାକୁ କାହିଁକି ଚାହୁଁଥିଲେ ପଚାରି ବାରୁ ସେ କହିଥିଲେ ଯେ, ପ୍ରଧାନ ଶିକ୍ଷକ ତାଙ୍କୁ ମାନସିକ ଯନ୍ତ୍ରଣା ସବୁବେଳେ ଦେଇଆସୁଛନ୍ତି। ଏହା ଅସହ୍ୟ ହୋଇଯାଇଥିବାରୁ ସେ ଆଉ ସହି ପାରିଲେ ନାହିଁ। ତେଣୁ ମାନସିକ ଭାରସାମ୍ୟ ହରାଇ ସେ ଏପରି ନିଷ୍ପତି ନେବାକୁ ବାଧ୍ୟ ହେଲେ।

ଉକ୍ତ ଶିକ୍ଷୟିତ୍ରୀ ଜଣଙ୍କ ୨୦୧୬ ମସିହାରେ ନିଯୁକ୍ତ ଜଣେ ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ ଅଟନ୍ତି।ଯାହାଙ୍କର ନାମ ସନ୍ତୋଷୀ ବେହେରା ଅଟେ। ସେ ଯାହା ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ ସବୁବେଳେ ଜାଣିସୁଣୀ ମାନସିକ ନିର୍ଯାତନା ଦେଇଆସୁଥିଲେ। ରବିବାରରେ ବି ବିଦ୍ୟାଳୟକୁ ଜର ଜବରଦସ୍ତ ଡାକୁଥିଲେ।ଆଉ ନ ଆସିଲେ ଚାକିରି ଖାଇଯିବେ, ଦରମା ବନ୍ଦ କରିଦେବେ ବୋଲି ଧମକ ମଧ୍ୟ ଦେଇଆସୁଥିଲେ। ଗତ ରାକ୍ଷୀ ପୂର୍ଣ୍ଣିମା ଦିନ ସରକାରୀ ଛୁଟି ଥିଲେ ମଧ୍ୟ ସମସ୍ତଙ୍କୁ ବିଦ୍ୟାଳୟ ଆସିବାକୁ ବାଧ୍ୟ କରିଥିଲେ। ରାକ୍ଷୀ ପୂର୍ଣ୍ଣିମା ଥିବାରୁ ସେଦିନ ସେହି ଶିକ୍ଷୟିତ୍ରୀ ଜଣଙ୍କ ଅନୁପସ୍ଥିତ ଥିଲେ। ତେଣୁ ପ୍ରଧାନ ଶିକ୍ଷକ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ବାରମ୍ବାର ଉତ୍ତର ଦେବାକୁ ବାଧ୍ୟ କରୁଥିଲେ। ଚଳିତ ବର୍ଷ ଜାନୁୟାରୀ ରୁ ଅଗଷ୍ଟ ମାସ ଯାଏଁ ଗୋଟିଏ ବି ଦିନ ଛୁଟି ନିମନ୍ତେ ସିଏଲ ଦେଇନଥିଲେ। ସରକାର ଛୁଟି ବ୍ୟବସ୍ଥା କରିଥିଲେ ମଧ୍ୟ ଉକ୍ତ ପ୍ରଧାନ ଶିକ୍ଷକ ସବୁବେଳେ ସମସ୍ତଙ୍କୁ ଛୁଟି ଦେବାରେ କୁଣ୍ଠାବୋଧ କରୁଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କର କୌଣସି ନିର୍ଦ୍ଦେଶନାମା ନଥାଇ ମଧ୍ୟ ଶୁକ୍ରବାର ଦିନ ସକାଳ ସ୍କୁଲ୍ କରି ସମସ୍ତଙ୍କୁ ହଇରାଣ ହରକତ୍ କରାଉଥିଲେ।

ଏହି ଖବର ଆସିବା ପରେ ଆଜି ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ (ଇନିସିଆଲ୍ ଆପଏଣ୍ଟି) ଶିକ୍ଷକ ସଂଘ ମୁହଁ ଖୋଲିଛି। ରାଜ୍ୟ ସଂଘର ମହା ସଚିବ ବିଶ୍ବଜିତ୍ ବିଶ୍ବାଳ କହିଛନ୍ତି,ଏହି ଘଟଣା ଅନ୍ୟନ୍ତ ନିନ୍ଦନୀୟ। ଗୋଟିଏ ଶିକ୍ଷୟିତ୍ରୀଙ୍କୁ ନାନାଦି ପ୍ରକାର ମାନସିକ ଯନ୍ତ୍ରଣା ଦେବା ଭଳି ଅଭିଯୋଗ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷକ ନାମରେ ଆଣୁଛନ୍ତି। ମାନସିକ ଯନ୍ତ୍ରଣା କାହାକୁ ଦେବା ଅଦୌ ଗ୍ରହଣୀୟ ନୁହେଁ।ବିଦ୍ୟାଳୟରେ ଏସବୁର ସ୍ଥାନ ନାହିଁ।

ବିଦ୍ୟାଳୟ ଏକ ମନ୍ଦିର ଆଉ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ତାହାର ଦେଵାଦେବୀ। ତେଣୁ ପ୍ରଧାନ ଶିକ୍ଷକ ଏହିପରି କରି ଭୁଲ୍ କରିଛନ୍ତି।ରାଜ୍ୟ ସଂଘର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ଜେନା ମଧ୍ୟ ଏ ଘୋଟଣାକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି ଓଡିଶାର ଯେ କୌଣସି ସ୍ଥାନରେ ବି ଯଦି ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ଅନ୍ୟାୟ ହୁଏ ତାହେଲେ ରାଜ୍ୟ ସଂଘ ଚୁପ୍ ବସିବ ନାହିଁ। ଏ ବିଷୟରେ ଅବଗତ କରିବା ନିମନ୍ତେ ଆମେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ସାକ୍ଷାତ କରିବୁ ଏବଂ ତୁରନ୍ତ ସେହି ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଵା ପାଇଁ ଦାବି ପତ୍ର ଦେବୁ।

ଆଉ ଯଦି କାର୍ଯ୍ୟନୁଷ୍ଠାନ ନହୁଏ ତାହେଲେ ସେ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ଦେଵାପାଇଁ ରାଜ ରାସ୍ଥାକୁ ଓହ୍ଲାଇବୁ ବୋଲି ରାଜ୍ୟ ସଂଘର ସମସ୍ତ କର୍ମକର୍ତ୍ତା ତଥା ସଂପାଦକ ଅନ୍ତର୍ଯ୍ୟାମୀ ବେହେରା, କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ପ୍ରତାପ ସାମଲ, ମାନସ ପୁହାଣ, ପ୍ରିୟବ୍ରତ ବେହେରା, ମାନସ ମିଶ୍ର, ଚିନ୍ମୟ ମିଶ୍ର, ବସନ୍ତ କୌଶଲ୍ୟ, ଦାମୋଦର ମହାନନ୍ଦ, ବିନୋଦ ମିଶ୍ର, ମନୋହର ଦାସ, ରଣଜିତ୍ ନାୟକ, ରଶ୍ମି କୁମାର ଦାସ୍, ସୁବାସ୍ ଜେନା ଆଦି କହିଛନ୍ତି।

Categories
ଆଞ୍ଚଳିକ

ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଂଘ ବୈଠକ

ଭୂବନେଶ୍ବର: ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ସଂଘର ରାଜ୍ୟସ୍ତରୀୟ ବୈଠକ ଆଜି ଭୂବନେଶ୍ବରର ଆଚ଼ାର୍ଯ୍ୟ ବିହାର ଛକ ସ୍ଥିତ ମା’ ଭୂବନେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ସୂର୍ଯ୍ୟକାନ୍ତ ବେହେରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।

ଉକ୍ତ ସଭାରେ ସମ୍ପାଦକ ଜୀବନ କୁମାର ବେହେରା, ଯୁଗ୍ମ ସଂପାଦକ ଆୟୁଷ୍ମାନ ଚ଼ୌଧୁରୀ, କୋଷାଧ୍ୟକ୍ଷ ରୌପ୍ୟରଞ୍ଜନ ସାମନ୍ତରାୟ, ସହ-କୋଷାଧ୍ୟକ୍ଷ ରାକେଶ ସାହୁ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିମନ୍ତେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଥିଲା ଏବଂ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ମାନେ ଭଲ ଭାବରେ ଶିକ୍ଷା ଗ୍ରହଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରନ୍ତେ ବୋଲି ମତ ପ୍ରକାଶ କରିଥିଲେ।

ସଂଘକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବାକୁ ସମସ୍ତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସଭାରେ ସମସ୍ତ ଜିଲ୍ଲା ର ନେତୃମଣ୍ଡଳୀ ଓ ୧୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ।