Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ସହର ବିକାଶର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୧ ହଜାର ବସ୍ତିବାସିନ୍ଦାଙ୍କୁ ମିଳିଲା ଭୂମି ଅଧିକାର

ଭୁବନେଶ୍ବର: ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5T ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, Drink from Tap, Pavered Road, Sewerage System ଓ ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5T ଉପକ୍ରମରେ ହେଉଥିବା ଏହି ସବୁ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ।

ସୂଚନାଯୋଗ୍ୟ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ୪ଟି ସହର ଯଥା କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାର ୨୧,୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ଦିଆଗଲା। ଏଥି ସହିତ ରାଜ୍ୟର ୨୬ଟି ସହରରେ ୬୨୬ଟି ବିଜୁ ଆଦର୍ଶ କଲୋନୀ ଲୋକାର୍ପିତ ହେଲା । ଏହା ଦ୍ୱାରା ୨ ଲକ୍ଷ ପରିବାର ଉପକୃତ ହେଲେ। ଏଥି ସହିତ ୨୬ଟି ସହର ବସ୍ତିମୁକ୍ତ ହେଲା। ସହରର ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ସବୁ ମୌଳିକ ସୁବିଧା ସୁଯୋଗ ପାଇଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟର Drink from Tap କାର୍ଯ୍ୟକ୍ରମ ଓ ସହରାଞ୍ଚଳ ବିକାଶ କ୍ଷେତ୍ରରେ ସାରା ଦେଶ ପାଇଁ ଏକ model । ବ୍ରହ୍ମପୁର ସହରର ସବୁ ପରିବାର ଆଜିଠୁ ୨୪ X ୭ Drink from Tap ସୁବିଧା ପାଇଲେ। ଏହା ସହିତ ରାଜ୍ୟର ୮ଟି ସହରରେ Drink from Tap ସୁବିଧା ମିଳିଲା ବୋଲି ସେ କହିଥିଲେ । ରାଜ୍ୟରେ global standard ର public health system ର ବିକାଶରେ ଏହା ଏକ ବଡ ପଦକ୍ଷେପ ବୋଲି କହି ଭଲ ପିଇବା ପାଣି ୫୦ ପ୍ରତିଶତ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରିଥାଏ ବୋଲି ସେ କହିଥିଲେ।

ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀଙ୍କ ଭାଷାରେ ଏହା ସ୍ୱାଧୀନତାଠାରୁ ମଧ୍ୟ ଅଧିକ ଜରୁରୀ। ଆଜି କଟକ ଓ ଭୁବନେଶ୍ୱର ପାଇଁ Odisha Integrated Sanitation Improvement Project ଉତ୍ସର୍ଗ କରି ମୁଁ ବହୁତ ଖୁସି। ଏଥି ପାଇଁ ଜାଇକା ସହାୟତାରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ଦ୍ୱାରା ଭୁବନେଶ୍ୱର ଓ କଟକ ସହରରେ ହୋଇଥିବା Underground Sewerage System, ନୂଆ Sewage Treatment Plant ଓ Improved Drainage Facility ଗୁଡିକ ଆମ ସହରର ପରିଚୟକୁ ଆହୁରି ଉଜ୍ଜଳ କରିବ ବୋଲି ସେ କହିଥିଲେ।

ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ ଝାରସୁଗୁଡା, ବ୍ରଜରାଜନଗର ଓ ବେଲପାହାଡ ସହର ସହିତ ଅନେକ ସହରରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଗଲା। ଏହା ମାଧ୍ୟମରେ ୨.୬୫ ଲକ୍ଷ ବାସିନ୍ଦା ଉପକୃତ ହେବେ। ଏଥି ସହିତ ଉନ୍ନତି ଓ ମୁକ୍ତା ଯୋଜନାରେ ବିଭିନ୍ନ ସହରରେ ୩୬୯୯ଟି ନୂଆ Pavered Road ଏବଂ ୬୯୬୧ଟି Civic Amenities Project ଉତ୍ସର୍ଗ କରାଗଲା। ମୁକ୍ତା ଯୋଜନାର କାର୍ଯ୍ୟକାରିତା ଉପରେ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ମୁକ୍ତା ଯୋଜନାରେ ସବୁକାମ ମା’ ମାନଙ୍କ ଦ୍ୱାରା କରାଯାଉଛି ଏବଂ ଭଲ ଭାବରେ ମଧ୍ୟ ଏହିସବୁ କାମ ମା’ ମାନେ ତୁଲାଉଛନ୍ତି।

ଏହି ଆବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୪ଟି ସହରରେ ୧୧୬୪ କୋଟି ଟଙ୍କା ମୂଲ୍ୟର ୨୭ଟି ଜଳଯୋଗାଣ ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ।

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗଦେଇ କହିଥିଲେ ଯେ ଆଜି ସୁଦ୍ଧା ୨ ଲକ୍ଷ ୩୫ ହଜାର ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ୧୬୩୬ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ଆଜି ୪ଟି ମହାନଗର ନିଗମର ୨୧,୪୨୭ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଗଲା। ଏଥି ସହିତ ପାନୀୟ ଜଳ ପ୍ରକଳ୍ପ, Drink from Tap ପ୍ରକଳ୍ପ, ଉନ୍ନତି ଯୋଜନାରେ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଏହି ସବୁ ପ୍ରକଳ୍ପ ଗୁଡିକ 5T ଉପକ୍ରମରେ ସମ୍ପନ୍ନ ହୋଇଛି।

କାର୍ଯ୍ୟକ୍ରମରେ ଭୂମି ଅଧିକାର ପ୍ରମାଣ ପତ୍ର ପାଇଥିବା ହିତାଧିକାରୀ, କଟକର ସତ୍ୟଭାମା ନାୟକ, ସମ୍ବଲପୁରର ନିଖିଳା ପରିଡା, ରାଉରକେଲାର ରୋଜାଲିନ ରାଉତ ଏବଂ ବ୍ରହ୍ମପୁରର ବନିତା ଘଡେଇ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଦୀର୍ଘ ବର୍ଷ ଧରି ଆମେ ବସ୍ତି ଭିତରେ ବହୁ ଅସୁବିଧା ମଧ୍ୟରେ ଘର କରି ରହୁଥିଲୁ। ମନରେ ଭୟ ମଧ୍ୟ ଥିଲା। କାଳେ କେତେବେଳେ ଘରୁ କିଏ ବାହାର କରିଦେବ।

ଆଜି ମୁଖ୍ୟମନ୍ତ୍ରୀ ଭୂମି ପ୍ରମାଣପତ୍ର ପ୍ରଦାନ କରି ଆମ ମନରୁ ଭୟ ଦୂର କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆମକୁ ସୁବିଧାରେ ରଖିବାପାଇଁ କଥା ଦେଇଥିଲେ । ସେ ତାଙ୍କ କଥା ରଖିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଆମେ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛୁ।

ସେହିପରି ବ୍ରହ୍ମପୁରର Drink from Tap ହିତାଧିକାରୀ ଜୟନ୍ତୀ ଗୌଡ କହିଥିଲେ ଯେ ବ୍ରହ୍ମପୁରରେ ପିଇବା ପାଣିର ବହୁ ସମସ୍ୟା ରହିଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ୨୪ ଘଣ୍ଟିଆ ପିଇବା ପାଣି ପାଇବୁ। ସେମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେଇଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି ମାଥି ଭାଥନନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୌର ପ୍ରଶାସନ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର, ୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରର ବସ୍ତିବାସିନ୍ଦା ମାନଙ୍କ ପାଇଁ ଆଜି ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି। ସ୍ଥାନୀୟ କିଟ୍ କନ୍ଭେନସନ ହଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି ବସ୍ତି ଉନ୍ନୟନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

୫ଟି ମହାନଗର ନିଗମରେ ବସ୍ତିବାସିନ୍ଦା ମାନଙ୍କୁ ଭୂମି ଅଧିକାର ଦେବା ପାଇଁ ଡ୍ରୋନ ସର୍ଭେକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଇ ଦେବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଞ୍ଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରିଥିଲେ ଏବଂ ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ଆଜି ଠାରୁ ସଂପୂର୍ଣ୍ଣ ବସ୍ତିମୁକ୍ତ ସହର ହେବାର ନୂଆ ପରିଚୟ ପାଇଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ବହୁତ ଖୁସିର ବିଷୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜମି ଅଧିକାର ସହିତ ବସ୍ତି ଅଞ୍ଚଳକୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନୀ ଗଠନ କରାଯାଉଛି। ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ଏବଂ ସାରା ରାଜ୍ୟ ବସ୍ତିମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଜାଗା ମିଶନ କାର୍ଯ୍ୟକ୍ରମ ସାରା ବିଶ୍ବରେ ସୁନାମ ପାଇଛି। ଭାରତ ସରକାର ମଧ୍ୟ ଏହି ନୂଆ ଚିନ୍ତାଧାରା ପାଇଁ ପୁରସ୍କାର ଦେଇଛନ୍ତି। ଏ ମିଶନର ଫୋକସ ହେଉଛି People first. ଜାଗା ମିଶନରେ ଆଜି ପର୍ଯ୍ୟନ୍ତ ରାଜ୍ୟର ୧୦୫ଟି ସହରର ବସ୍ତି ଅଞ୍ଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ଅଢେଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ନିଜର ଜାଗାଟିଏ ଓ ଘରଟିଏ ଥିଲେ, ଆମର ସ୍ବାଭିମାନ ବଢିଥାଏ। ଆମର ଏ ଅଭିଯାନ ସହରର ଗରିବ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ, ଏହା ତାଙ୍କର ଦୃଢ ବିଶ୍ବାସ ବୋଲି ସେ କହିଥିଲେ।

୨୦୧୭ରୁ ଆରମ୍ଭ ହୋଇଥିବା ଜାଗା ମିଶନକୁ ଏକ ଆଧ୍ୟାତ୍ମିକ ଯାତ୍ରା (Spiritual journey) ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଯାତ୍ରା ବର୍ତ୍ତମାନ ସୁଦ୍ଧା ଆମ ପାଇଁ ଯଥେଷ୍ଟ ସଫଳତା ଓ ସନ୍ତୋଷ ଆଣିପାରିଛି।

ବସ୍ତିର ବିକାଶରେ ବସ୍ତି ଉନ୍ନୟନ ସଂଘ ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସଂଘ ଗୁଡିକୁ ଆମେ ବିକାଶ ବ୍ୟବସ୍ଥାରେ ଭାଗିଦାର ହେବାର ସୁଯୋଗ ଦେଇଛୁ। ବସ୍ତି ଉନ୍ନୟନ ସଂଘ ଗୁଡିକ ହିଁ ବିଜୁ ଆଦର୍ଶ କଲୋନୀର ପରିଚାଳନା କରିବେ। ବସ୍ତି ସମୁହର ଭିତ୍ତିଭୂମି ବିକାଶ ପାଇଁ ପୌରସଂସ୍ଥା ବଜେଟରେ ୨୫ ପ୍ରତିଶତ ଖର୍ଚ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସହର ଗୁଡିକ ଯେପରି ବସ୍ତିମୁକ୍ତ ହୋଇ ରହିବ, ବସ୍ତି ସୃଷ୍ଟି ହେବାର କାରଣର ଅନୁସଂଧାନ କରି ତାର ନିରାକରଣ ପାଇଁ ରାଜ୍ୟ ସରକାର ପାଇଲଟ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଓ ଅଭିବୃଦ୍ଧିର ସୁଫଳ ଉପରେ ଦେଶର ଗରିବ ଲୋକଙ୍କର ସମାନ ଅଧିକାର ଅଛି । ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଉଦ୍ୟମ ଜାରି ରଖିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ବସ୍ତି ବିକାଶ କାର୍ଯ୍ୟକ୍ରମ ସହରର ଗରିବ ଲୋକଙ୍କୁ ସମାନ ଅଧିକାର ଓ ନ୍ୟାୟ ପ୍ରଦାନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟର ୧୭ ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ଦୀର୍ଘସ୍ଥାୟୀ ଖୁସି ଆଣିବା ପାଇଁ ଆମର ଏହି ଆଧ୍ୟାତ୍ମିକ ଯାତ୍ରା ତାର ଭୂମିକା ଗ୍ରହଣ କରିଚାଲିବ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗ ଦେଇ ରାଜ୍ୟର ସହର ଗୁଡିକର, ବିଶେଷ କରି, ବସ୍ତି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ସାରା ଦେଶରେ ଏଭଳି ପଦକ୍ଷେପ ଅନନ୍ୟ ବୋଲି ସେ କରିଥିଲେ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମର ବିଭିନ୍ନ ସହରାଞ୍ଚଳରେ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର ଓ ପୌର ପରିଷଦ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।