Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବ୍ରହ୍ମପୁର ଲୋକସଭା ଟିକେଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର: ଆଜି ବିଜେଡି ତାହାର ବାକିଥିବା ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ବ୍ରହ୍ମପୁର ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ଗତଥର ସେ ବିଜେପି ଟିକେଟରେ ଚନ୍ଦ୍ରଶେଖର ସାହୁଙ୍କ ବିପକ୍ଷରେ ଲଢେଇ କରିଥିଲେ। ବର୍ତ୍ତମାନ ଭୃଗୁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଟକ୍କର ଦେବେ।

ଆଜି ମଧ୍ୟାହ୍ନରେ ଭୃଗୁ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। ଏହାପରେ ସଂଧ୍ୟାରେ ତାଙ୍କର ଟିକେଟ ଘୋଷଣା କରାଯାଇଥିଲା। ଏହାପରେ ଭୃଗୁ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହିତ ସାକ୍ଷାତ କରିଛନ୍ତି। ସେଠାରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରେ ମିଶିଲେ ବିଜେପିର ଟାଣୁଆ ନେତା ଭୃଗୁ ବକ୍ସିପାତ୍ର, ବ୍ରହ୍ମପୁରରୁ ହୋଇପାରନ୍ତି ପ୍ରାର୍ଥୀ

ଭୁବନେଶ୍ବର: ଆଜି ଶଙ୍ଖ ଭବନରେ ବିଜେପିର ବରିଷ୍ଠ ନେତା ତଥା ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେଡିରେ ସାମିଲ ହୋଇଛନ୍ତି। ଆଜି ସକାଳେ ସେ ବିଜେପିରୁ ଇସ୍ତଫା ଦେବାର କିଛି ସମୟ ପରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏଥିରେ ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ସାଂସଦ ସସ୍ମିତ ପାତ୍ର ଏବଂ ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ।

ଭୃଗୁ ଗତଥର ବ୍ରହ୍ମପୁର ଲୋକସଭା ଆସନରେ ଲଢେଇ କରି ଚନ୍ଦ୍ରଶେଖର ସାହୁଙ୍କଠାରୁ ହାରି ଯାଇଥିଲେ। ହେଲେ ସେ ସେତେବେଳେ ଭଲ ଟକ୍କର ଦେଇଥିଲେ। ବର୍ତ୍ତମାନ ବିଜେଡିରେ ମିଶିବା ପରେ ତାଙ୍କୁ ଟିକେଟ ମିଳିବ ବୋଲି ଜଣାପଡିଛି। ଯଦି ବିଜେଡି ଟିକେଟ ଦିଏ ତେବେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଟକ୍କର ଦେବେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁର ରାଜନୀତି ସରଗରମ, ଗୋଟେ ପଟେ ବିଜେପି ଛାଡିଲେ ଭୃଗୁ, ଅନ୍ୟପଟେ ଚନ୍ଦ୍ରଶେଖରଙ୍କ କ୍ଷମତା ବଢାଇଲା ବିଜେଡି

ଭୁବନେଶ୍ବର: ଆଜି ବ୍ରହ୍ମପୁର ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଗୋଟିଏ ପଟେ ବିଜେପିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ବିଜେପି ଛାଡିଛନ୍ତି। ଅନ୍ୟପଟେ ବିଜେଡି ବ୍ରହ୍ମପୁର ସାଂସଦଙ୍କୁ ଦଳର ଉପସଭାପତି କରିବା ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ କରିଛି। ଏହି ଗଣିତକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସାଧାରଣରେ ଆଲୋଚନା ହେଉଛି ଯେ, ଭୃଗୁ ବିଜେପି ଛାଡି ବିଜେଡିରେ ସାମିଲ ହେବେ। ଏ ନେଇ କୁଆଡେ ବିଜେଡି ଉଚ୍ଚ ନେନତୃତ୍ବଙ୍କ ସହିତ କଥାବାର୍ତ୍ତା ସରିଛି। ବିଜେଡିରେ ମିଶିବା ପରେ ସେ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହେବେ। କାରଣ ବର୍ତ୍ତମାନ ସୁଦ୍ଧା ବିଜେଡି ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଭୃଗୁ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇ ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ।

ଭୃଗୁଙ୍କୁ ଟିକେଟ ଦେବା ପରେ କାଳେ ଚନ୍ଦ୍ରଶେଖର ସାହୁ ଖପ୍ପା ହେବେ ସେଥିପାଇଁ ବିଜେଡି ତାଙ୍କୁ ଦଳର ଉପସଭାପତି ସହିତ ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ଘୋଷଣା କରିଛି। ହଠାତ ଦଳ ଏପରି ଦାୟିତ୍ବ ଦେବା ଅର୍ଥ ହେଉଛି ଯେ, ଚନ୍ଦ୍ରଶେଖରଙ୍କ ଆଉ ଟିକେଟ ନାହିଁ। ତାଙ୍କୁ ବିଜେଡି ଏଥର ବ୍ରହ୍ମପୁର ଆସନରେ ଲଢିବା ପାଇଁ ସୁଯୋଗ ଦେବ ନାହିଁ ଚିନ୍ତା କରି ତାଙ୍କର ଦଳୀୟ କ୍ଷମତାକୁ ବୃଦ୍ଧି କରିଛନ୍ତି।

ଗତ ନିର୍ବାଚନରେ ଚନ୍ଦ୍ରଶେଖର ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ 4 ଲକ୍ଷ 43 ହଜାର ଭୋଟ ପାଇଥିବା ବେଳେ ଭୃଗୁ ବିଜେପିରୁ ପ୍ରାର୍ଥୀ ହୋଇ 3 ଲକ୍ଷ 48 ହଜାର ଭୋଟ ହାତେଇଥିଲେ। କଂଗ୍ରେସରୁ ଭି ଚନ୍ଦେରଶେଖର ନାଇଡୁ ମାତ୍ର ଏକ ଲକ୍ଷ 42 ହଜାର ଭୋଟ ପାଇଥିଲେ।ଏଥିରୁ ସ୍ପଷ୍ଟ ଯେ, ଭୃଗୁ ଗତଥର ଚନ୍ଦ୍ରଶେଖର ସାହୁଙ୍କୁ ଭଲ ଟକ୍କର ଦେଇଥିଲେ।

ତେବେ ଏଥର ଗଣିତ ପୁରା ଏପଟସେପଟ ହୋଇଯାଇଛି। କାରଣ ହେଲା ଗତଥର ଗଂଜାମର ପୁରା ସଂଗଠନ ସମ୍ଭାଳି ଥିଲେ ପ୍ରଦୀପ ପାଣିଗ୍ରାହୀ। ହେଲେ ଏଥର ସେ ବିଜେପିରେ ସାମିଲ ହୋଇ ବ୍ରହ୍ମପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେଥିପାଇଁ ତାଙ୍କୁ ଟକ୍କର ଦେବା ପାଇଁ ଦଳ ଚନ୍ଦ୍ରଶେଖରଙ୍କ ଉପରେ ଭରସି ପାରୁ ନାହିଁ। ସେହି ଗଣିତରେ ଭୃଗୁ ବିଜେଡିରେ ମିଶିବା ପରେ ତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲଢିବେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି କୁ ବଡ ଝଟକା!: ଦଳ ଛାଡିଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ଵର: ଆଜି ଓଡିଶା ବିଜେପି କୁ ବଡ ଝଟକା ଲାଗିଛି। ୨୦୧୯ ଲୋକସଭା ନିର୍ବାଚନର ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଦଳ ଛାଡିଛନ୍ତି। ଆଜି ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।

ରାଜ୍ୟ ସଭାପତିଙ୍କୁ ସେ ଲେଖିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହିତ ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି। ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ପାର୍ଟିର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି। ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତା ସହିତ ତୁଲାଇଛି। ତେବେ ବିଭିନ୍ନ ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିପାରେ ପାର୍ଟି ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ। କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧ କଲି। ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି। ଲୋକଙ୍କ ସେବା ଓ ଓଡିଶାର ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି ବୋଲି ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।