Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ରୋଗୀମାନଙ୍କୁ ସ୍ଥାନାନ୍ତର ସମୟରେ ଉପୁଜୁଥିବା ସମସ୍ୟାକୁ ନେଇ ଆଲୋଚନା

ଭୁବନେଶ୍ୱର: ଗୁରୁତର ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଉପଲବ୍ଧ ଥିବା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବା ସମ୍ପର୍କରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଛନ୍ତି। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗୁରୁବାର ଆୟୋଜିତ କର୍ମଶାଳାରେ ଏହି ମତ ଦେଇଛନ୍ତି ବିଶେଷଜ୍ଞମାନେ।

ଡାକ୍ତରମାନେ ସ୍ଥାନାନ୍ତର ସମୟରେ ହସ୍ପିଟାଲ୍ ଦ୍ୱାରା ଭେଂଟିଲେଟର ବ୍ୟବହାର ସମ୍ପର୍କରେ ବୁଝାଇବା ସହ ଆଇସିୟୁ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକରୁଥିବା ମେଡିକାଲ୍  କର୍ମଚାରୀମାନଙ୍କର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇ ନୂତନ ବୈଷୟିକ ଉପକରଣର ବ୍ୟବହାର, ରୋଗୀମାନଙ୍କର ଚିକିତ୍ସା ଏବଂ ସୁରକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

ନନ୍‌-ଇନ୍‌ଭେସିଭ୍ ଭେଂଟିଲେସନ୍ (ଏନ୍‌ଆଇଭି) ଏବଂ ଟ୍ରାନ୍ସପୋର୍ଟ ଭେଂଟିଲେସନ୍ ସମ୍ପର୍କିତ ଏହି କଂଟିନ୍ୟୁଇଙ୍ଗ ମେଡିକାଲ୍‌ ଏଜୁକେସନ୍ (ସିଏମ୍‌ଇ) ସମ୍ ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟରିଂ ଡିପାର୍ଟମେଂଟ ଓ ରେସ୍‌ମେଡ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ପ୍ରମୁଖ ସହର ଗୁଡ଼ିକରେ ବଢ଼ୁଥିବା ବାୟୁ ପ୍ରଦୂଷଣ, ଲକ୍ ଡାଉନ୍ ଆଡକୁ ମୁହାଁଉଥିବା ଦିଲ୍ଲୀ ସହର ଏବଂ ଏହା ଦ୍ୱାରା ଉପୁଜୁଥିବା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଆମାଜନ୍ ଜଙ୍ଗଲକୁ ବିଶ୍ୱର ଫୁସ୍‌ଫୁସ  ବୋଲି କୁହାଯାଉଥିବା ବେଳେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ତାହା ଧ୍ୱଂସ ହେବାକୁ ଲାଗିଛି। ତେଣୁ ଆମକୁ ଏହି ସମସ୍ୟା ସହିତ ଲଢ଼ିବାକୁ ଓ ରୋଗର ମାତ୍ରାକୁ କମାଇବାକୁ ନୂଆ ଜଙ୍ଗଲ ତିଆରି କରିବାକୁ ପଡିବ ବୋଲି ସେ କହିଥିଲେ।

ସମ୍ ହସ୍ପିଟାଲ୍‌ର ନ୍ୟୁରୋ କ୍ରିଟିକାଲ୍ କେୟାର ବିଭାଗର ଇନ୍‌ଚାର୍ଜ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା କହିଥିଲେ ଯେ ଗୁରୁତର ଥିବା ରୋଗୀମାନଙ୍କର ସ୍ଥାନାନ୍ତର କରିବା ଚିକିତ୍ସାର ଏକ ପ୍ରମୁଖ ଅଂଗ ଏବଂ ଏଭଳି କର୍ମଶାଳାର ଆବଶ୍ୟକତା ରହିଛି। ଏଭଳି ଟ୍ରେନିଂ କାର୍ଯ୍ୟକ୍ରମରୁ ନର୍ସିଂ ଷ୍ଟାଫ୍‌ମାନେ ଜ୍ଞାନ ଆହରଣ କରିବା ସହ କାର୍ଯ୍ୟଶୈଳୀ ମଧ୍ୟ ଶିଖନ୍ତୁ ବୋଲି ଡାକ୍ତର ବେହେରା କହିଥିଲେ। ହସ୍ପିଟାଲ୍‌ର ଅନ୍ୟ ତିନିଜଣ କ୍ରିଟିକାଲ୍ କେୟାର ଏକ୍ସପର୍ଟ ଡାକ୍ତର ଶକ୍ତି ବେଦାନ୍ତ ମିଶ୍ର, ଡାକ୍ତର ସନ୍ତୋଷ ସିଂହ ଓ ଡାକ୍ତର ସାଗରିକା ପଣ୍ଡା ହସ୍ପିଟାଲ୍ ମଧ୍ୟରେ ଏବଂ ଏକ ହସ୍ପିଟାଲ୍‌ରୁ ଅନ୍ୟ ହସ୍ପିଟାଲ୍‌କୁ ଗୁରୁତର ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର
କରିବା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ସ୍ଥାନାନ୍ତର ସମୟରେ ରୋଗୀ ଗୁରୁତର ହେବାର ସଂଖ୍ୟାକୁ କିଭଳି କମ୍‌ କରାଯାଇପାରିବ ସେ ସମ୍ପର୍କରେ ଡାକ୍ତର ମିଶ୍ର ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟର ମନୋରମା ପରିଡା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଣବତା ବିଭାଗର ମୁଖ୍ୟ ଡାକ୍ତର ଅରୋଲିପି, ସମ୍ ଅଲ୍ଟିମେଟ୍ ମେଡିକେୟାରର ବାୟୋମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଡିଜିଏମ୍ ଅକ୍ଷୟ କୁମାର ସ୍ୱାଇଁ, ରେସ୍‌ମେଡ୍ ଇଣ୍ଡିଆର ଡାକ୍ତର ପୁଲ୍‌କିତ ସ୍ୱରୂପ, ସମ୍ ହସ୍ପିଟାଲ୍‌ର ଅଫିସର୍ ଅନ୍‌ ସ୍ପେଶିଆଲ୍ ଡ୍ୟୁଟି ପ୍ରହଲ୍ଲାଦ ମହାନ୍ତି ଏବଂ ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହେଲେ ବର୍ଷକର ଶିଶୁ, ଭେଂଟିଲେଟରରେ ଥିଲେ ଆଠ ଦିନ

ଭୁବନେଶ୍ୱର: କରୋନା ମହାମାରୀର କରାଳ ଛାୟା ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ରହିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୁରୁତର ହୋଇପଡ଼ିଥିବା ବର୍ଷକର ଶିଶୁ। କରୋନା ସଂକ୍ରମିତ ଶିଶୁଟି ଦୀର୍ଘ ୮ ଦିନ ଧରି ଭେଂଟିଲେଟରରେ ରହିବା ପରେ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି।

ବାଲେଶ୍ୱର ନୀଳଗିରି ଅଂଚଳର ଏକ ବର୍ଷର ଶିଶୁ ଅମନ୍ ପଟ୍ଟନାୟକ ଗତ ୨୧ ତାରିଖରେ କରୋନା ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ପ୍ରବଳ ଜ୍ୱର ସମେତ ବାତ ରୋଗ ମଧ୍ୟ ଦେଖାଦେଇଥିଲା। ସେଥି ପାଇଁ ଶିଶୁର ଚିକିତ୍ସା କରିବା ଡାକ୍ତର ଓ ନର୍ସମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।ଶିଶୁପୁତ୍ରଟିକୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

ତେବେ ତା’ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେପ୍ଟେମ୍ବର ୨୨ ତାରିଖ ଦିନ ଭେଂଟିଲେଟରରେ ରଖାଯାଇଥିଲା। ଦୀର୍ଘ ୮ ଦିନ ଧରି ଶିଶୁଟି ଭେଂଟିଲେଟରରେ ରହିଥିବା ବେଳେ ସମ୍ କୋଭିଡ ଟିମ୍ ଅକ୍ଳାନ୍ତ ପରିଶ୍ରମ କରି ସେବା ଯତ୍ନ ଓ ଉତମ ଚିକିତ୍ସା ଦ୍ୱାରା ଶିଶୁଟିକୁ ସୁସ୍ଥ କରିବାରେ ସକ୍ଷମ ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ୨୯ ତାରିଖ ଦିନ ଶିଶୁଟିକୁ ଭଂଟିଲେଟରରୁ ବାହାର କରାଯାଇ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା। ଶିଶୁଟି ଆଇସିୟୁରେ ରହିଥିବା ବେଳେ ତା’ର ବାପା-ମା ହସ୍ପିଟାଲ୍ ବାହାରେ ରହି ତା’ର କେବଳ ଆରୋଗ୍ୟ କାମନା କରିଚାଲିଥିଲେ।

ତେବେ ଏହି ବର୍ଷକର ଶିଶୁଟିର ସବୁ ଦାୟିତ୍ୱ ନେଇଥିଲେ ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ କର୍ମଚାରୀମାନେ। ସେମାନଙ୍କର ଆପ୍ରାଣ ଉଦ୍ୟମ, ନିଷ୍ଠା ଓ ଚିକିତ୍ସା ଫଳରେ ଶିଶୁଟି ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛି। ପୁଅ ସୁସ୍ଥ ହେବା ପରେ ସମ୍ କୋଭିଡ୍ ଟିମ୍‌କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବାପା ଜୟନ୍ତ ପଟ୍ଟନାୟକ। ସେ କହିଛନ୍ତି ସମ୍ କୋଭିଡ୍ ହସ୍ପିଟାଲ୍‌ର ଉତ୍ତମ ଚିକିତ୍ସା ବିଷୟରେ ଆଗରୁ କେବଳ ଶୁଣିଥିଲି। କିନ୍ତୁ ମୋ ପୁଅ ସୁସ୍ଥ ହେବା ପରେ ଏହା ଅନୁଭବ କଲି। ମୋ ପୁଅ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ହିଁ ନୂଆ ଜୀବନ ପାଇଛି ବୋଲି ଜୟନ୍ତ କହିଛନ୍ତି। କେବଳ ଅମନ୍ ନୁହଁନ୍ତି ତାଙ୍କ ଭଳି ଅନେକ କୋଭିଡ୍ ସଂକ୍ରମିତ ଶିଶୁ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଲେ ୨୦ ବର୍ଷିୀୟ ଯୁବକ, ଦୀର୍ଘ ଦିନ ଧରି ଥିଲେ ଭେଂଟିଲେଟରରେ

ଭୁବନେଶ୍ୱର: କରୋନା ମହାମାରୀ ଘାତକ ସତ ତେବେ ଏହାକୁ ପରାସ୍ତ କରିବା ଅସମ୍ଭବ ନୁହେଁ। ଏହି କଥାକୁ ପ୍ରମାଣିତ କରିଛନ୍ତି ଜଣେ ୨୦ ବର୍ଷର ଯୁବକ। ସମ୍ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ପ୍ରତୀକ୍ଷ କାଦାମ୍ବାଲୁ। ଦୀର୍ଘ ଏକ ମାସ ଧରି ଏହି ଅଦୃଶ୍ୟ ଶତୃ ସହିତ ଯୁଦ୍ଧ କରିବା ପରେ ଶେଷରେ କୋଭିଡକୁ ପରାଜୟ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରତୀକ୍ଷ।

ରାୟଗଡ଼ାସ୍ଥ ମୁନିଗୁଡା ଅଂଚଳର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ପ୍ରତୀକ୍ଷ କରୋନା ସଂକ୍ରମିତ ହୋଇ ଗତ ଏପ୍ରିଲ୍ ୩୦ ତାରିଖ ଦିନ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ବିଗିଡିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା। ଏହା ସହ ତାଙ୍କର ଶରୀରରେ ଟ୍ରାକିଓଷ୍ଟୁମି ମଧ୍ୟ କରାଯାଇଥିଲା।

ତେବେ ସମ୍‌ର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ତାଙ୍କୁ ସୁସ୍ଥ କରିବା ପାଇଁ। ସେମାନଙ୍କର ପରିଶ୍ରମ ସାର୍ଥକ ବି ହୋଇଥିଲା। ଧିରେ ଧିରେ ସୁସ୍ଥ ହୋଇଥିଲେ ପ୍ରତୀକ୍ଷ। ଭେଂଟିଲେଟରରୁ ବାହାରିବା ସହ କିଛି ଦିନ ମଧ୍ୟରେ ଆଇସିୟୁରୁ ମଧ୍ୟ ତାଙ୍କୁ ବାହାରକୁ ନିଆଯାଇ ୱାର୍ଡରେ ଚିକିତ୍ସା କରାଯାଇଥିଲା। ଧିରେ ଧିରେ ସୁସ୍ଥ ହେବା ସହ କୋଭିଡମୁକ୍ତ ହୋଇଥିଲେ ପ୍ରତୀକ୍ଷ।

ଏହି ସମୟରେ ତାଙ୍କ ପରିବାର ସହ ନିୟମିତ ଯୋଗାଯୋଗରେ ଥିଲେ ସମ୍ କୋଭିଡ୍ ହସ୍ପିଟାଲର ହେଲ୍ପଡେସ୍କ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଖବର ଦେବା ସହ ଭିଡିଓ କଲ କରି ପ୍ରତୀକ୍ଷ କିଭଳି ଅଛନ୍ତି ସେ ଦୃଶ୍ୟ ମଧ୍ୟ ପରିବାରକୁ ଦେଖାଉଥିଲେ। ଦୀର୍ଘ ଏକ ମାସର ଉତମ ଚିକିତ୍ସା ଫଳରେ ସେ ଏବେ ସୁସ୍ଥ ହୋଇ ନିଜ ଘର ମୁନିଗୁଡା ଫେରିଯାଇଛନ୍ତି।

ସମ୍ କୋଭିଡ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ପଦ୍ଧତିକୁ ନେଇ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ତାଙ୍କ ପରିବାରବର୍ଗ। ସେମାନଙ୍କର ସେବା, ଚିକିତ୍ସା ଓ ସହଯୋଗ ଫଳରେ ପ୍ରତୀକ୍ଷ ନୂଆ ଜୀବନ ଫେରିପାଇଥିବା କହିଛନ୍ତି ତାଙ୍କ ସମ୍ପର୍କୀୟ ଭାଇ ସୁଧୀର ସାହୁ। ପ୍ରତୀକ୍ଷ ମଧ୍ୟ ଘରକୁ ଫେରିବା ପରେ ବେଶ ଖୁସି ଅଛନ୍ତି।