Categories
ଆଞ୍ଚଳିକ

ବାଣପୁର: ଭେଟେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲିଙ୍କ ୱାର୍କର ସ୍କିମ ପ୍ରୋଜେକ୍ଟ କେ ଏନ ପି+, ଓଡ଼ିଶା ପକ୍ଷରୁ ଆୟୋଜିତ ଉକ୍ତ ଶିବିରରେ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଭୁବନେଶ୍ୱର ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଖୋର୍ଦ୍ଧା ସହଯୋଗ କରିଥିଲେ।

ଉକ୍ତ ଶିବିରକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଉଦଘାଟନ କରିବା ସହ ରକ୍ତଦାନ ମଧ୍ୟ କରିଥିଲେ। ଉକ୍ତ ଶିବିରରୁ ସମୁଦାୟ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ସାବିତ୍ରୀ ଭୋଳ, ସମିତି ସଭ୍ୟ ରଶ୍ମିତା ପ୍ରଧାନ ଏବଂ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ ପରିଚାଳନା କରିଥିଲେ।

ସୂଚନା ଥାଉକି ସମ୍ପ୍ରତି ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଥିବା ବେଳେ ସ୍ବେଛାକୃତ ରକ୍ତଦାନ ପାଇଁ ସରକାର ଆୱାହନ କରିଛନ୍ତି। ଭେଟେଶ୍ୱର ପଞ୍ଚାୟତର ଉକ୍ତ ମହତ ପ୍ରଚେଷ୍ଟା ଅଞ୍ଚଳରେ ପ୍ରଶଂସା ସାଉଁଟିଛି।

Categories
ଆଞ୍ଚଳିକ

ବାଣପୁର : ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ପଂଚାୟତର ବୃନ୍ଦାବନପୁର (ଭାପୁର )ଗ୍ରାମର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଆଜି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା କମିଟିକୁ ଏକ ୭ଦିନିଆ ପ୍ରଶିକ୍ଷଣ ଶିବିର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ବାଣପୁର ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଅତିରକ୍ତ ବ୍ଲକ ଉନ୍ନୟନ ଅଧିକାରୀ ସୀମାଦ୍ରି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା ଏବଂ କୌଣସି ବିପର୍ଯ୍ୟୟ ସମୟରେ ଅନୁସନ୍ଧାନ ଓ ଉଦ୍ଧାର ନିମନ୍ତେ ଏଠାରେ ଆଜିଠାରୁ ୭ଦିନିଆ କୌଶଳ ପ୍ରଦାନ ଦିଆଯିବ।ଉକ୍ତ କୌଶଳ ଶିକ୍ଷା କେନ୍ଦ୍ରରେ ପଞ୍ଚାୟତର ପ୍ରାୟ ୨୫ଜଣଆ କମିଟି ଙ୍କ ସହ ୫୦ ଜଣ ଯୁବ ସ୍ୱେଚ୍ଛାସେବୀ ଶିକ୍ଷା ଗ୍ରହଣ କରିବେ। ଉକ୍ତ କମିଟିର ସଭାନେତ୍ରୀ ତଥା ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳ,ଉପସଭାପତି ପଂଚାୟତ ନିର୍ବାହୀ ଅଧିକାରୀ, ସମ୍ପାଦକ ଅଶୋକ ବାରିକଙ୍କ ସହ ଅନ୍ୟ ୨୫ଜଣ ସଦସ୍ୟ ୫ଦିନ ଧରି ଅନୁସନ୍ଧାନ ଓ ଉଦ୍ଧାର ପାଇଁ ନୋଡାଲ ଏନ ଜି ଓ ନେହେରୁ ସେବାସଙ୍ଘର ପ୍ରଶିକ୍ଷକ ଗୋବିନ୍ଦ ବେହେରା ଏବଂ ପ୍ରଦୀପ କୁମାର ଦାସଙ୍କ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ।

ଅନ୍ୟ ୨୫ ଜଣ ଯୁବକ ଯୁବତୀ ୨ଦିନ ଧରି ପ୍ରାଥମିକ ଚିକିତ୍ସା କୌଶଳ ଭୁବନେଶ୍ୱରରୁ ଆସିଥିବା ସିଭିଲ ଡିଫେନ୍ସ ର ପ୍ରଶିକ୍ଷକଙ୍କ ଦ୍ଵାରା ଶିକ୍ଷା ନେବାକୁ ସ୍ଥିର କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଭେଟେଶ୍ୱର ପଞ୍ଚାୟତର ସମାଜସେବୀ ଜିତେନ୍ଦ୍ର ଭୋଳଙ୍କ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭେଟେଶ୍ୱର ପଞ୍ଚାୟତରେ ଚିଲିକା ବିଧାୟକଙ୍କ ହେଲଥ କାର୍ଡ ବଣ୍ଟନକୁ ବିଜେପିର ଜୋରଦାର ବିରୋଧ

ସୀତାରାମ ଅଗ୍ରୱାଲ

ବାଣପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଯୁଦ୍ଧକାଳୀନ ଭିତ୍ତିରେ ସାରା ରାଜ୍ୟରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରତି ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଅତିଥିମାନଙ୍କ ଗହଣରେ ଉକ୍ତ କାର୍ଡ ବଣ୍ଟନ କରାଯାଉଛି। ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତରେ ହେଲଥ କାର୍ଡ ବଣ୍ଟନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଶତାଧିକ ବିଜେପି କର୍ମୀ ଏକାଠି ହେବା ସହ ନାରାବାଜି କରିଥିଲେ।

ସୂଚନା ମୁତାବକ ରବିବାର ଦିନ ଭେଟେଶ୍ୱର ପଞ୍ଚାୟତରେ ହେଲଥ କାର୍ଡ ବଣ୍ଟନ ନିମନ୍ତେ ସରପଞ୍ଚଙ୍କ ସମେତ ଚିଲିକା ବିଧାୟକଙ୍କ ନାମକୁ ସ୍ଥିର କରିଥିଲା ବ୍ଲକ ପ୍ରଶାସନ। କିନ୍ତୁ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହଙ୍କୁ ନିମନ୍ତ୍ରଣ କରାଯାଇନଥିବାର ଅଭିଯୋଗ ହୋଇଥିଲା। ଅପରପକ୍ଷେ ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅନ୍ୟ ପଞ୍ଚାୟତର ଦଳୀୟ କର୍ମୀଙ୍କୁ ନେଇ ଭେଟେଶ୍ୱର ପଞ୍ଚାୟତରେ ଅଶାନ୍ତ ବାତାବରଣ ସୃଷ୍ଟି କରଉଥିବାର ବିଜେପି ଅଭିଯୋଗ ଆଣିଥିଲା।

ଏହି ପରିପ୍ରେକ୍ଷୀରେ ଶତାଧିକ ବିଜେପି କର୍ମୀ ଉତକ୍ଷିପ୍ତ ହୋଇ ବିଧାୟକଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ପୁରାଇ ନଦେବାକୁ ଜିଦ ଧରିଥିଲେ। କିଛି ସମୟ ଧରି ବିଜେପି ଆଉ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ବିରୋଧକୁ ଦେଖି ଚିଲିକା ବିଧାୟକ ଉକ୍ତ କାର୍ଯ୍ୟକ୍ରମକୁ ଆସିନଥିବାର ଦେଖିବାକୁ ମିଳିଥିଲା।

ପରିଶେଷରେ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଏବଂ ସରପଞ୍ଚ ଜିତେନ୍ଦ୍ର ଭୋଳଙ୍କ ଦ୍ୱାରା ହିତାଧିକାରୀଙ୍କୁ ଉକ୍ତ ହେଲଥ କାର୍ଡ ବଣ୍ଟନ କରାଯାଇଥିଲା। ତେବେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର: ଭାଗ ନେଲେ ୧୫୦ ରୁ ଉର୍ଦ୍ଧ୍ଵ ହିତାଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ ଏବଂ ଭେଟେଶ୍ୱର ଗ୍ରାମପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ଭୋଳ ମିଳିତ ଭାବେ ଉଦଘାଟନ କରିଥିଲେ।

ଉକ୍ତ ଶିବିରରେ ନୀଳାଦ୍ରିପ୍ରସାଦ, ଭେଟେଶ୍ୱର ଏବଂ ଭବାନୀପୁର ଗ୍ରାମ ପଞ୍ଚାୟତର ପାଖାପାଖି ୧୫୦ ରୁ ଉର୍ଦ୍ଧ୍ଵ ଭିନ୍ନକ୍ଷମ ହିତାଧିକାରୀ ମାନେ ଭାଗ ନେଇଥିଲେ। ବଧିର , ଦୃଷ୍ଟିହୀନ, ମାନସିକ ଅବସାଦ ଏବଂ ଅର୍ଥୋପେଡିକାଲ୍ ଭିନ୍ନକ୍ଷମ ବିଭାଗର ଏକ ପାଞ୍ଚ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ସହିତ ସମୁଦାୟ ସାତ ଜଣ ଅଧିକାରୀ ଭୁବନେଶ୍ୱର କିମ୍ସ ହସ୍ପିଟାଲରୁ ଉକ୍ତ ଶିବିରକୁ ଚିକିତ୍ସା ନିମନ୍ତେ ଆସିଥିଲେ।

ସମସ୍ତ ଭିନକ୍ଷମ ହିତାଧିକାରୀମାନେ ଅନଲାଇନରେ ନାମ ପଞ୍ଜିକରଣ କରିଥିବାବେଳେ ଅନଲାଇନରେ ମଧ୍ୟ ପ୍ରମାଣପତ୍ର ପାଇବେ ବୋଲି ସରପଞ୍ଚ ଶ୍ରୀ ଭୋଳ ସୂଚନା ଦେଇଛନ୍ତି।  ଉକ୍ତ ଶିବିରରେ ବାଣପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଭଞ୍ଜକିଶୋର ପାଣି, ଏସଏସଏସଓ ନରେଶ ସ୍ୱାଇଁ, ବିଏସଏସଓ ପ୍ରଦୀପ କୁମାର ସାହୁ, ପିଏ ଅମୁଲ୍ୟ କୁମାର ସୁବୁଦ୍ଧି, ପିଇଓ ଅଶୋକ କୁମାର ପ୍ରଧାନ, ଜିଆରଏସ ପିଣ୍ଟୁ ଦଳାଇ, ବିଆରପି ବିଶ୍ୱଜିତା ଜେନା, ସିଡ଼ିପିଓ ସରୋଜବାଳା ଆଚାର୍ଯ୍ୟ ଓ ଅଙ୍ଗନବାଡି କର୍ମୀ ଆଦି ଉପସ୍ଥିତ ଥିଲେ।

ତେବେ ଉକ୍ତ ଶିବିରକୁ ସଫଳତାର ସହ ପରିଚାଳନା ନିମନ୍ତେ ସରପଞ୍ଚ ଜିତେନ୍ଦ୍ର ଭୋଳ ଏକାଧିକ ପୂର୍ବପ୍ରସ୍ତୁତି କରିଥିବାର ଜଣାପଡିଛି।