Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନ ସମୟରେ ଭୋକିଲାଙ୍କ ମୁହଁରେ ଖାଦ୍ୟ ଦେଉଛି ‘ଆହାର’: ଦିନକୁ ୪ ହଜାର ଲୋକେ ପାଉଛନ୍ତି ସୁବିଧା

ଭୁବନେଶ୍ବର: ସାରା ରାଜ୍ୟରେ କରୋନା ଯୋଗୁଁ ଲକଡାଉନ କଟକଣା ଜାରି ରହିଛି। ଆଜିଠାରୁ ରାଜ୍ୟରେ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ କଟକଣା ଏବେ ବି ବଳବତ୍ତର ରହିଛି। ରାଜ୍ୟରେ ସ୍ଥିତି ସାମାନ୍ୟ ହେବାକୁ ଆହୁରି ଅନେକ ଦିନ ଲାଗିବ। କରୋନା ସଂକ୍ରମଣ ହ୍ରାସ ନହେବା ଯାଏଁ କଟକଣା ବଳବତ୍ତର ରହିବ।

ତେବେ ଏଭଳି ପରିସ୍ଥିତିରେ ଗରିବ, ଅସହାୟମାନେ ଭୋକିଲା ରହିବା ସମ୍ଭାବନା ଥିବାରୁ ଭୁବନେଶ୍ଵର ମହାନଗର ଅଞ୍ଚଳର ୧୨ ଟି ‘ଆହାର’ କେନ୍ଦ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏହି ଆହାର କେନ୍ଦ୍ରଗୁଡିକରେ ଭୋକିଲାମାନଙ୍କୁ ଖାଦ୍ୟ ଯୋଗାଯାଉଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ନିୟମ ପାଳନ ସହ ଦୈନିକ ୪ହଜାର ଭୋଜନ ଯୋଗାଇ ଦିଆଯାଉଛି। ଆହର କେନ୍ଦ୍ରଗୁଡିକରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ ଟା ପରେ ପାର୍ସଲ କରାଯାଇ ଖାଦ୍ୟ ବଣ୍ଟନ କରାଯାଉଛି। ଲକଡଉନ ସମୟରେ ଗମନାଗମନର କଟକଣା ଥିବାରୁ ପ୍ରତ୍ୟେକ ଆହାର କେନ୍ଦ୍ରରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଜନ ଦିଆଯାଉଛି।

ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏମ୍ସ ଠାରେ ଦୁଇଟି ଆହାର କେନ୍ଦ୍ରରେ ୩୫୦ ଲେଖାଏଁ ଭୋଜନ ଦିଆଯାଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ୪୫୦, ସମ୍ ନିକଟସ୍ଥ ଆହାର କେନ୍ଦ୍ରରେ ୪୦୦, କଳିଙ୍ଗ ହସ୍ପିଟାଲ ଆହାର କେନ୍ଦ୍ର ଓ ବିଏମସି ପରିସରରେ ଥିବା ଆହାର କେନ୍ଦ୍ରରେ ୩୫୦ ଲେଖାଏଁ, ରସୁଲଗଡରେ ୪୦୦, ମାଷ୍ଟର କ୍ୟାଣ୍ଟିନ ସ୍ଥିତ ସିଟି ବସ ଷ୍ଟାଣ୍ଡରେ ୩୦୦, ନୂଆପଲ୍ଲୀ ଦୂର୍ଗା ମଣ୍ଡପରେ ୩୫୦, ବରମୁଣ୍ଡା ବସ ଷ୍ଟାଣ୍ଡରେ ୨୫୦, ଅଶୋକନାଗରରେ ୩୦୦ ଏବଂ ଖାରବେଳ ନଗର ବସ ଷ୍ଟାଣ୍ଡରେ ୨୦୦ ଭୋଜନ ବିଏମସି ପକ୍ଷରୁ ଦିଆଯାଉଛି।

ତେବେ ନିୟମିତ ସମୀକ୍ଷା ପରେ କେନ୍ଦ୍ରଗୁଡ଼ିକରେ ଭୋଜନ ସଂଖ୍ୟା ପରିବର୍ତ୍ତନ କରାଯାଇଥାଏ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।