Categories
PanchayatElection ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ କ୍ଷମା ପ୍ରାର୍ଥନା କଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ବର୍ତ୍ତମାନ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଗତକାଲି ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁ କୌଣସି କାର୍ଯ୍ୟରେ ଗୋବିନ୍ଦପୁର ଗ୍ରାମକୁ ଯାଇଥିବା ବେଳେ ତାଙ୍କୁ ଯେଉଁ ପ୍ରକାର ଦଳୀୟ କର୍ମୀ ବିରୋଧ କଲେ ତାହାକୁ ନେଇ ଜନସାଧାରଣମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

କିନ୍ତୁ ଏଥିରେ ମର୍ମାହତ ହୋଇ ଗତକାଲି ରାତିରେ ରଘୁନାଥ ସାହୁ ଏକ ପ୍ରେସ ମିଟ ଯୋଗେ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଭୋଟର ମାନଙ୍କୁ ହାତ ଯୋଡି କ୍ଷମାପ୍ରାର୍ଥନା କରିଥିବାର ଦେଖିବାକୁ ମିଳିଛି। ଶ୍ରୀ ସାହୁ କହିଛନ୍ତି ଯେ ସେ ୨୦୧୯ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସପକ୍ଷରେ ଭୋଟରମାନଙ୍କୁ ଭୋଟ ଭିକ୍ଷା କରିଥିଲେ। ଏବଂ ତାହାକୁ ସମ୍ମାନ ଜଣାଇ ଭୋଟରମାନେ ଶ୍ରୀ ଜଗଦ୍ଦେବଙ୍କୁ ବିଜୟୀ ମଧ୍ୟ କରାଇଥିଲେ।

ତେବେ ବର୍ତ୍ତମାନ ଦୀର୍ଘ ୩ ବର୍ଷ ହେଲା ଚିଲିକା ନିର୍ବାଚନମଣ୍ଡଳୀ ଅଶାନ୍ତ ରହୁଥିବା ବେଳେ ଏଠି ବିକାଶର ଚି଼ହ୍ନ ବର୍ଣ୍ଣ ଦେଖିବାକୁ ମିଳିନି। ବିଶେଷକରି ଭୋଟର ମାନେ ଅବହେଳିତ ହୋଇଛନ୍ତି। ତେଣୁ ଏଥିନିମନ୍ତେ ଭୋଟର ମାନଙ୍କୁ ଯୋଡ଼ହସ୍ତରେ କ୍ଷମାପ୍ରାର୍ଥନା କରିବା ସହ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଉପରୋକ୍ତ ଘଟଣାଗୁଡିକୁ ବିଚାର ଏବଂ ହୃଦୟଙ୍ଗମ କରି ନିଜର ମତ ସାବ୍ୟସ୍ତ କରିବା ପାଇଁ ରଘୁନାଥ ସାହୁ ଅନୁରୋଧ କରିଛନ୍ତି।

ଅପରପକ୍ଷରେ ବିଜେଡିର ମଧ୍ୟ କର୍ମୀମାନେ ଦଳବିରୋଧୀ କାର୍ଯ୍ୟଲାଗି ରଘୁନାଥ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଉ ବୋଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି।