Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ସଂକ୍ରମଣକୁ ରୋକିବାରେ ଟୀକାର ପ୍ରଭାବ କମ ରହିବ!: କୋଭିଶିଲ୍ଡର ବ୍ୟବଧାନ ଅବଧିକୁ ହ୍ରାସ କଲା ବ୍ରିଟେନ

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ସଂକ୍ରମଣ ରୋକିବା ପାଇଁ ଟୀକାକରଣ ଜାରି ରହିଛି। ହେଲେ ଭୂତାଣୁ ବି୧.୬୧୭.୨ ଭ୍ୟାରିଏଣ୍ଟକୁ ରୋକିବା ପାଇଁ ଏହି ଟୀକାର ପ୍ରଭାବ କମ ରହିପାରେ। ବ୍ରିଟେନ ଟୀକାକରଣ ପ୍ରକ୍ରିୟାରେ ସାମିଲ ଥିବା ଜଣେ ବୈଜ୍ଞାନିକ ଏଭଳି ମତ ରଖିଛନ୍ତି। ଏକ ସପ୍ତାହ ମଧ୍ୟରେ କରୋନାର ବି୧.୬୧୭.୨ ଭ୍ୟାରିଏଣ୍ଟ ଦ୍ଵାରା ଦୁଇଗୁଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଏନ୍ଥନୀ ହାର୍ଡନ କହିଛନ୍ତି ଯେ, ଏହି ଭ୍ୟାରିଏଣ୍ଟ ବିରୋଧରେ ଲଢେଇ ପାଇଁ ଟୀକା କମ ପ୍ରଭାବ ହୋଇପାରେ।

ଏହା ଭିତରେ କୋଭିଶିଲ୍ଡ ଟୀକାର ଦୁଇ ଡୋଜ ମଧ୍ୟରେ ଥିବା ବ୍ୟବଧାନ ଅବଧିକୁ ବ୍ରିଟେନ ସରକାର ହ୍ରାସ କରିଦେଇଛି। ବର୍ତ୍ତମାନ ଦୁଇ ଡୋଜ ମଧ୍ୟରେ ବ୍ଯବଧାନକୁ ୮ ସପ୍ତାହ ପର୍ଯ୍ୟନ୍ତ କରାଯାଇଛି। ଏହି ନିୟମ ୫୦ ବର୍ଷର ଉର୍ଦ୍ଧ୍ଵ ବର୍ଗର ଲୋକଙ୍କ ପାଇଁ ଲାଗୁ କରାଯାଇଛି। ପୂର୍ବରୁ ଏହାର ବ୍ୟବଧାନ ଅବଧି ୧୨ ସପ୍ତାହ ଥିଲା।

ପ୍ରଧାନମନ୍ତ୍ରୀ ବୋରୀସ ଜନସନ କହିଛନ୍ତି ଯେ, ଏହି ଭ୍ୟାରିଏଣ୍ଟ ଦେଶର ବିକାଶ ଉପରେ ବାଧା ସୃଷ୍ଟି କରିବ। ତେଣୁ ଏହାକୁ ରୋକିବା ପାଇଁ ଯାହା କିଛି କରିବାକୁ ପଡିବ, ଆମେ କରିବୁ।