Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଲକଡାଉନ ପାଇଁ ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଲେ ସ୍ଵତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ରାଜ୍ୟରେ ମେ’ ୫ ତାରିଖ ଠାରୁ ଲକଡାଉନ କଟକଣା ଆରମ୍ଭ ହେଉଛି। ସେଥିପାଇଁ ଲୋକଙ୍କ ମଧ୍ୟରେ ଅନେକ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ଏହି ସମୟରେ ଘରର ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାରେ ଲୋକଙ୍କୁ ଅସୁବିଧା ହେବ ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ଲୋକେ ଭୟଭୀତ ହୋଇ ଆଜିଠାରୁ ବିଭିନ୍ନ ଦୋକାନ ବଜାରରେ ସାମଗ୍ରୀ କିଣିବା ପାଇଁ ଭିଡ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ଆଜି ସାମ୍ବାଦିକ ସମ୍ମିଳନୀରେ ଲୋକେ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି।

ଏହି ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ କୌଣସି ଅସୁବିଧା ହେବନାହିଁ ବୋଲି ଏସଆରସି କହିଛନ୍ତି। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ ଟା ରୁ ଦିନ ୧୨ ଟା ଯାଏଁ ଦୋକାନ ଖୋଲା ରହିବ। ଗ୍ରୋସେରୀ, ମାଛ, କ୍ଷୀର ଓ ଜରୁରୀ ସାମଗ୍ରୀ ଦୋକାନ ଏହି ସମୟରେ ଖୋଲା ରହିବ।

କିନ୍ତୁ ପୂର୍ବପରି ଶନିବାର ଏବଂ ରବିବାର ଦିନ ସଟଡାଉନ ଯୋଗୁଁ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ମହଜୁଦ ଅଛି। ତେଣୁ ଭୟଭୀତ ନ ହୋଇ ଅଯଥା ଭିଡ କରିବା ପାଇଁ ଲୋକଙ୍କୁ ଏସଆରସି ବାରଣ କରିଛନ୍ତି।