Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସଡ଼କ ଦୁର୍ଘଟଣାରେ ୫୧ ବର୍ଷୀୟ ବ୍ୟକ୍ତି ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଜଣେ ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡା (୫୧) ଗତକାଲି ଅପରାହ୍ନରେ ବାଣପୁର କଲେଜ ଛକ ନିକଟରୁ ଜମି ଚାଷ ନିମନ୍ତେ ସାର କିଣିବାକୁ ଯାଇଥିଲେ। ହେଲେ ରାସ୍ତାରେ ଗୋଟିଏ ମୋଟରସାଇକେଲ ପ୍ରଶାନ୍ତଙ୍କୁ ଶକ୍ତ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଫଳରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇ ଥିଲେ। ପରିବାର ଲୋକ ଖବର ପାଇ ଆମ୍ବୁଲାନ୍ସ ଦ୍ୱାରା ପ୍ରଶାନ୍ତଙ୍କୁ ବାଣପୁର ଡାକ୍ତରଖାନାକୁ ନେଲାବେଳକୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏ ନେଇ ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ବାଣପୁର ଥାନାରେ ଗତକାଲି ସଂନ୍ଧ୍ୟାରେ ଏକ ଲିଖିତ ଅଭିଯୋଗ କରାଯିବାପରେ ବାଣପୁର ପୋଲିସ ଏ ସଂକ୍ରାନ୍ତରେ ୩୧୨/୨୧ ରେ ଏକ ମାମଲା ରୁଜୁକରି ଶବ ଜବତ କରି ତଦନ୍ତ ଜାରିରଖିଛି।