Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଧାନ ସଂଗ୍ରହ ମଣ୍ଡିଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ଆରମ୍ଭ ହେଲା ଯୋଜନା

ଭୁବନେଶ୍ୱର: ରାଜ୍ୟରେ ମଣ୍ଡିଗୁଡ଼ିକରେ ଧାନସଂଗ୍ରହ ପରିମାଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ମଣ୍ଡିର ଧାନସଂଗ୍ରହ କାର୍ଯ୍ୟକୁ ସୁଚାରୁ ରୂପେ କରିବା ନିମନ୍ତେ ଭିତ୍ତିଭୂମିର ଉନ୍ନତି କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିସବୁ ଭିତ୍ତିଭୂମିର ଯୋଜନା ପ୍ରସ୍ତୁତି ଓ ନିର୍ମାଣ ଓ ଆବଶ୍ୟକ ବ୍ୟୟ ଭାର ବହନ କରିବା ଦିଗରେ ବିଭାଗ ପକ୍ଷରୁ ଏକ ସଂକଳ୍ପନାମା ଜାରି କରାଯାଇଛି।

ରାଜ୍ୟରେ ପ୍ରତିବର୍ଷ ଚାଷୀମାନଙ୍କଠାରୁ ଧାନସଂଗ୍ରହର ପରିମାଣ ବୃଦ୍ଧି ପାଉଛି ଏବଂ ଅଧିକରୁ ଅଧିକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଂଜୀକରଣ କରୁଛନ୍ତି । ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ସେମାନଙ୍କର ଧାନ ବିକି୍ର କରିପାରିବେ, ସେଥିନେଇ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମିର ନିର୍ମାଣକୁ ଅଗ୍ରାଧିକାର ଦେଇଛନ୍ତି ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମବାୟ ସମିତି ନିବନ୍ଧକଙ୍କୁ କୁହାଯାଇଛି।

ଯେଉଁସବୁ ମଣ୍ଡିଗୁଡ଼ିକରେ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି, ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ନିମନ୍ତେ ଆବଶ୍ୟକତାର ପୁନଃଆକଳନ ଓ ଖର୍ଚ୍ଚ ଅଟକଳ ତୁରନ୍ତ ପ୍ରସ୍ତୁତ କରି ବିଭାଗକୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଦିନିଆ ବର୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀମାନଙ୍କ ଧାନ ସୁରକ୍ଷିତ ରଖିବା ଦିଗରେ ପ୍ରତ୍ୟେକ ଧାନସଂଗ୍ରହ କେନ୍ଦ୍ରର ପିଣ୍ଡିଗୁଡ଼ିକ ଉଚ୍ଚ କରିବା, ଉପର ଛାତ ଏବଂ ଗୋଦାମ ଗୃହ ଆଦିର ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ଯେଉଁ ମଣ୍ଡିରେ ଏହିସବୁ ସୁବିଧା ନାହିଁ, ସେଠାରେ ଉପଯୁକ୍ତ ସରକାରୀ ଜମିର ହସ୍ତାନ୍ତରଣ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ନିକଟରେ ଆବେଦନ କରିବା ପାଇଁ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରମାନଙ୍କୁ ବିଭାଗ ପକ୍ଷରୁ ଅଧିକୃତ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ତେବେ ସଂପୃକ୍ତ ନିୟନ୍ତ୍ରିତ ବଜାର କମିଟି ସେମାନଙ୍କ ଦ୍ୱାରା ଧାନସଂଗ୍ରହ ସମୟରେ ଆଦାୟ କରାଯାଇଥିବା ଉନ୍ନୟନ ଫିସ୍‌ ଏବଂ ପ୍ୟାକ୍ସ ଓ ଲ୍ୟାମ୍ପସ୍‌କୁ ଧାନସଂଗ୍ରହ ବାବଦକୁ ମିଳୁଥିବା କମିଶନ ଅର୍ଥକୁ ମଣ୍ଡିର ପିଣ୍ଡିକୁ ଉଚ୍ଚ କରିବା, ଉପର ଛାତ, ଗୋଦାମ ଗୃହ ନିର୍ମାଣ ସହିତ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଖର୍ଚ୍ଚ କରାଯାଇପାରିବ।

ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମଣ୍ଡି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଯୋଜନା ଓ ବ୍ୟୟ ଅଟକଳକୁ ଅନୁମୋଦନ କରିବେ। ପ୍ରକଳ୍ପର ବୈଷୟିକ ଅନୁମୋଦନ ସଂପୃକ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା/ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅଧିକୃତ ବୈଷୟିକ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯିବ। ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ତଦାରଖରେ ସଂପୃକ୍ତ ପଞ୍ଚାୟତ ସମିତି ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯିବ।

Categories
ବିଶେଷ ଖବର

ମଣ୍ଡିଠାରେ ଏଗାର ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ମଣ୍ଡି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୭-୧୨-୨୧) ହିମାଚଳ ପ୍ରଦେଶର ମଣ୍ଡିଠାରେ ଦ୍ୱିତୀୟ ହିମାଚଳ ପ୍ରଦେଶ ବୈଶ୍ୱିକ ନିବେଶକ ଉତ୍ସବରେ ଅଧ୍ୟକ୍ଷତା କରିଛନ୍ତି। ପ୍ରାୟ ୨୮ହଜାର କୋଟି ଟଙ୍କା ପ୍ରକଳ୍ପ ଦ୍ୱାରା ଏହି ରାଜ୍ୟରେ ପୁଞ୍ଜିନିବେଶକୁ ବେଶ୍ ପ୍ରୋତ୍ସାହିତ ମିଳିବ। ସେ ମଧ୍ୟ ୧୧,୦୦୦ କୋଟି ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। କେତେକ ଜଳବିଦ୍ୟୁତ ପ୍ରକଳ୍ପ ରେଣୁକାଜୀ ନଦୀବନ୍ଧ ପ୍ରକଳ୍ପ, ଲୁହରୀ ପ୍ରଥମ ପର୍ଯ୍ୟାୟ ଜଳବିଦ୍ୟୁତ ଏବଂ ଧୌଲାସିଦ୍ଧ ଜଳ ବିଦ୍ୟୁତ ପ୍ରକଳ୍ପ। ସେ ମଧ୍ୟ ସ୍ୱର କୁନ୍ଦୁ ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ହିମାଚଳପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ୍ ଆର୍ଲେକର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ପାହାଡ ତାଙ୍କ ଜୀବନରେ ଏକ ମୁଖ୍ୟ ଭୂମିକା ନେଇଥିବା ଭାବାବେଗପୂର୍ଣ୍ଣ ସ୍ମୃତିଚାରଣ କରିଥିଲେ। ସେ ମଧ୍ୟ  ହିମାଚଳବାସୀଙ୍କୁ ସେମାନଙ୍କ ଚାରିବର୍ଷର ଡବଲ ଇଞ୍ଜିନ ସରକାର ପାଇଁ ଅଭିନନ୍ଦନ ଜଣାଇଥିଲେ। ଏହି ଚାରିବର୍ଷ ମଧ୍ୟରେ ରାଜ୍ୟ ବୈଶ୍ୱିକ ମହାମାରୀ ଆହ୍ୱାନର ମୁକାବିଲା କରିବା ସହ ବିକାଶର ମଧ୍ୟ ନୂତନ ଶିଖର ଛୁଇଁଛି। “ଜୟରାମ ଜୀ ଓ ତାଙ୍କ କର୍ତ୍ତବ୍ୟନିଷ୍ଠ ଦଳ ହିମାଚଳ ପ୍ରଦେଶ ଜନସାଧାରଣଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କୌଣସି ଅବହେଳା କରିନାହାଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଜନସାଧାରଣଙ୍କ ସ୍ୱଚ୍ଛନ୍ଦରେ ରହିବା ହେଉଛି ଗୋଟିଏ ପ୍ରାଥମିକତା ଓ ସେଥିପାଇଁ ବିଦ୍ୟୁତ ଶକ୍ତିର ଏକ ବିରାଟ ଭୂମିକା ରହିଛି। ଆଜିର ଜଳବିଦ୍ୟୁତ ପ୍ରକଳ୍ପ ପରିବେଶ ଅନୁକୂଳ ବିକାଶର ଅଙ୍ଗୀକାରବଦ୍ଧତାର ପ୍ରତିଫଳନ। “ଯେତେବେଳେ ଗିର୍ ନଦୀର ରେଣୁକାଜୀ ପ୍ରକଳ୍ପ କାର୍ଯ୍ୟକାରୀ ହେବ, ସେତେବେଳେ ବିଶାଳ ଅଞ୍ଚଳ ଏହାଦ୍ୱାରା ପ୍ରତ୍ୟକ୍ଷ ସୁବିଧା ପାଇବ। ପ୍ରକଳ୍ପରୁ ଯେତେ ଆୟ ହେବ, ତା’ର ଅଧିକାଂଶ ଭାଗ ଏଠାକାର ବିକାଶ ବାବଦକୁ ଖର୍ଚ୍ଚ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ନବ ଭାରତରର ପରିବର୍ତ୍ତିତ କାର୍ଯ୍ୟଧାରା ବିଷୟ ଦୋହରାଇ ଥିଲେ। ଯେଉଁ ଗତିରେ ଭାରତ ତା’ର  ପରିବେଶଜନିତ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି, ତାହା ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୬ରେ ଭାରତ ଲକ୍ଷ୍ୟ ରଖିଥିଲା ଯେ ୨୦୩୦ ସୁଦ୍ଧା ଦେଶର ବିଦ୍ୟୁତ ଶକ୍ତି ଚାହିଦାର ଶତକଡା ୪୦ଭାଗ, ଅଣ ଜୀବାଶ୍ମ ଶକ୍ତି ଉତ୍ସରୁ ଉତ୍ପାଦିତ ହେବ। ଚଳିତବର୍ଷ ନଭେମ୍ବର ମାସରେ ହିଁ ଭାରତ ଏହି ଲକ୍ଷ୍ୟ ହାସଲ କରିସାରିଛି। ସମଗ୍ର ବିଶ୍ୱ ଆଜି ଭାରତକୁ ପ୍ରଶଂସା କରୁଛି ଏହାର ପରିବେଶର ସୁରକ୍ଷା କରି ପ୍ରଗତିକୁ ତ୍ୱରାନ୍ୱିତ କିପରି କରୁଛି ବୋଲି। ସୌରଶକ୍ତିରୁ ଜଳବିଦ୍ୟୁତ, ପବନ ଶକ୍ତିରୁ ସବୁଜ ଉଦଜାନ ଶକ୍ତି, ସମଗ୍ର ଦେଶ ନିରବଚ୍ଛିନ୍ନ ଭାବେ ଅକ୍ଷୟ ଶକ୍ତି ସମ୍ପଦର ସମ୍ପୂର୍ଣ୍ଣ ବିନିଯୋଗ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଏକକ ବ୍ୟବହାର ଯୋଗ୍ୟ ପ୍ଳାଷ୍ଟିକ ଉପରେ ଆଲୋଚନା କରିଥିଲେ। ପ୍ଳାଷ୍ଟିକ ବ୍ୟବହାର ପାଇଁ ପାହାଡ ଗୁଡିକରେ ହେଉଥିବା କ୍ଷତି ନେଇ ସରକାର ସତର୍କ ଅଛନ୍ତି । ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ  ବିରୁ୍‌ଦ୍ଧରେ ଅଭିଯାନ ଜାରି ରହିଥିଲାବେଳେ, ସରକାର ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ବ୍ୟବହାରରେ ପରିବର୍ତ୍ତନକୁ ନେଇ ଶ୍ରୀ ମୋଦି କହିଥିଲେ ଯେ “ପର୍ଯ୍ୟଟକମାନଙ୍କ ମଧ୍ୟ ହିମାଚଳକୁ ପରିଷ୍କାର ରଖିବା ନେଇ ଏକ ବଡ ଭୂମିକା ରହିଛି। ପ୍ଲାଷ୍ଟିକ ଚାରିଆଡେ ଖେଳିଯାଇଛି, ପ୍ଲାଷ୍ଟିକ ନଦୀରେ ମିଶୁଛି। ହିମାଚଳରେ ହେଉଥିବା କ୍ଷତି ଯେପରି ରୋକାଯାଇପାରିବ ତାହାକୁ ଆମ ସମସ୍ତଙ୍କୁ ଦେଖିବାକୁ ପଡିବ।”

ହିମାଚଳ ପ୍ରଦେଶର ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।  “ଆଜି ଯଦି ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ , ତେବେ ଏହା ପଛରେ ହିମାଚଳ ପ୍ରଦେଶର ପ୍ରଚ୍ଛନ୍ନ ଶକ୍ତି ରହିଛି। ହିମାଚଳ ପ୍ରଦେଶ କେବଳ ଅନ୍ୟ ରାଜ୍ୟଗୁଡିକୁ ସାହାଯ୍ୟ କରିନାହିଁ, ବରଂ କରୋନା ବୈଶ୍ୱିକ ମହାମାରୀ କାଳରେ ଏହା ଅନ୍ୟାନ୍ୟ ଦେଶଗୁଡିକୁ ମଧ୍ୟ ସାହାଯ୍ୟ କରିଛି।

ରାଜ୍ୟ ବିଶାଳ ଦକ୍ଷତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ହିମାଚଳ ଅନ୍ୟ ରାଜ୍ୟ ତୁଳନାରେ ଟିକାକରଣରେ ସର୍ବାଗ୍ରେ ରହି ତା’ର ସମସ୍ତ ସମର୍ଥ ଜନସଂଖ୍ୟାର ଟିକାକରଣ କରିପାରିଛି। ଏଠି ଯେଉଁମାନେ ସରକାରରେ ଅଛନ୍ତି ସେମାନେ ରାଜନୀତିକ ସ୍ୱାର୍ଥପରତାରେ ବୁଡି ନ ଯାଇ ହିମାଚଳରେ ପ୍ରତ୍ୟେକ ନାଗରିକ କିପରି ଟିକା ନେବେ ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି।”

ପ୍ରଧାନମନ୍ତ୍ରୀ ନିକଟରେ ଝିଅମାନଙ୍କ ବିବାହ ବୟସର ପରିବର୍ତ୍ତନ ନିଷ୍ପତ୍ତି ସମ୍ପର୍କରେ ତାଙ୍କର ଉକ୍ତି ଦୋହରାଇଥିଲେ। “ ଆମେ ନିଷ୍ପତ୍ତି ନେଲୁ ଯେ ଝିଅମାନଙ୍କ ବିବାହ ଯୋଗ୍ୟ ବୟସ ପୁଅମାନଙ୍କ ଭଳି ହେବା ଦରକାର। ସେଥିପାଇଁ ଆମେ ଝିଅମାନଙ୍କ ବିବାହ ବୟସ ୨୧କୁ ବୃଦ୍ଧି କଲୁ, ଯାହା ଦ୍ୱାରା ସେମାନେ ପାଠପଢି ସେମାନଙ୍କ ବୃତ୍ତି ଚୟନ ପାଇଁ ଯଥେଷ୍ଟ ସମୟ ପାଇବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ନିକଟରେ ନୂତନ ଟିକାକରଣ ଶ୍ରେଣୀ ଉପରେ କହିଥିଲେ। ସେ କହିଥିଲେ ଯେ ସରକାର ସମସ୍ତ ସମ୍ବେଦନଶୀଳତା ଓ ସାବଧାନତାର ସହ ସମସ୍ତ ଆବଶ୍ୟକତାକୁ ନେଇ କାର୍ଯ୍ୟ କରୁଛନ୍ତି। ଏଣିକି ଜାନୁୟାରୀ ତିନିତାରିଖଠାରୁ ସରକାର ୧୫ରୁ ୧୮ବର୍ଷ ପିଲାମାନଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସ୍ୱାସ୍ଥ୍ୟକ୍ଷେତ୍ରରେ ନିୟୋଜିତ ବ୍ୟକ୍ତି, ସମ୍ମୁଖ ଯୋଦ୍ଧା, ଗତ ଦୁଇବର୍ଷ ଧରି କରୋନା ବିରୁଦ୍ଧ ସଂଗ୍ରାମରେ ଦେଶର ଶକ୍ତିଭାବେ ଉଭା ହୋଇଛନ୍ତି। ଜାନୁୟାରୀ ୧୦ ତାରିଖଠାରୁ ସେମାନଙ୍କୁ ପ୍ରତିଷେଧକ ମାତ୍ରା ଦିଆ ହେବା ଆରମ୍ଭ ହେବ। ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରତିଷେଧକ ମାତ୍ରା ଦିଆଯାଇପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସବ୍‌କା ସାଥ୍‌, ସବକା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ମନ୍ତ୍ରକୁ ପାଥେୟ କରି କାର୍ଯ୍ୟ କରିବାକୁ ଅଙ୍ଗୀକାରବଦ୍ଧ। “ପ୍ରତ୍ୟେକ ଦେଶର ବିଭିନ୍ନ ଆଦର୍ଶବାଦ ଅଛି, ମାତ୍ର ଆଜି ଆମ ଦେଶର ଲୋକେ ସ୍ପଷ୍ଟଭାବେ ଦୁଇଟି ଆଦର୍ଶବାଦ ଦେଖୁଛନ୍ତି । ଗୋଟିଏ ଆଦର୍ଶ ବିଳମ୍ବର ହେଉଥିବାବେଳେ ଅନ୍ୟଟି ବିକାଶର। ଯେଉଁମାନଙ୍କ ବିଳମ୍ବ ଆଦର୍ଶ ଅଛି, ସେମାନେ ପାହାଡର ବିକାଶ ନେଇ କେବେ ବି ଚିନ୍ତିନ ନୁହଁନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ବିଳମ୍ବ ଆଦର୍ଶ ଯୋଗୁଁ ହିମାଚଳ ଲୋକଙ୍କୁ ଅନେକ ଦିନ ଅଟଳ ଟନେଲ ପାଇଁ ଅପେକ୍ଷା କରିବାକୁ ପଡିଲା। ରେଣୁକାଜୀ ପ୍ରକଳ୍ପ ମଧ୍ୟ ତିନି ଦଶନ୍ଧି ବିଳମ୍ବିତ  ହେଲା। ସରକାରଙ୍କ ଅଙ୍ଗୀକାରବଦ୍ଧତା କେବଳ ବିକାଶ। ଅଟଳ ଟନେଲ  କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ଚଣ୍ଡିଗଡରୁ ମନାଲୀ ଓ ସିମଲାକୁ ସଡକ ମଧ୍ୟ  ପ୍ରଶସ୍ତ କରା ହେଲା ବୋଲି ସେ କହିଥିଲେ।

ହିମାଚଳରେ ବହୁ ପ୍ରତିରକ୍ଷା କର୍ମଚାରୀ ଅଛନ୍ତି। ପ୍ରତିରକ୍ଷା କର୍ମଚାରୀ ଓ ପୁରୁଣା ସଦସ୍ୟଙ୍କ ନିମନ୍ତେ ଅନେକ ପଦକ୍ଷେପ ନିଆ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ହିମାଚଳ ପ୍ରଦେଶର ପ୍ରତ୍ୟେକ ଘରେ ଦେଶରକ୍ଷା କରିଥିବା ବୀର ପୁଅଝିଅମାନେ ଅଛନ୍ତି। ଗତ ସାତବର୍ଷରେ ଦେଶର ସୁରକ୍ଷା ବୃଦ୍ଧି ପାଇଁ ଆମ ସରକାରା କରିଥିବା କାର୍ଯ୍ୟ, ସୈନିକ ଓ ଭୂତପୂର୍ବ ସୈନିକମାନଙ୍କ ପାଇଁ ନିଆଯାଉଥିବା ନିଷ୍ପତ୍ତି ଯୋଗୁଁ  ହିମାଚଳବାସୀ  ବିଶେଷ ଉପକୃତ ହୋଇଛନ୍ତି ବୋଲି ସେ କହିଥିଲେ।