Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମତ୍ସ୍ୟଚାଷ ପ୍ରତି ଯୁବଗୋଷ୍ଠୀଙ୍କୁ ଆକୃଷ୍ଠ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବିଶେଷଜ୍ଞଙ୍କ ସହିତ ଆଲୋଚନା

ଭୁବନେଶ୍ବର, ମତ୍ସ୍ୟଚାଷ ପ୍ରତି ଗ୍ରାମୀଣ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ମତ୍ସ୍ୟ ବିଜ୍ଞାନୀମାନେ ଉଦ୍ୟମ କରିବା ଉଚିତ ବୋଲି କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଡାଏରୀ ଏବଂ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ଆଜି ସେ ଭୁବନେଶ୍ୱର ଉପକଣ୍ଠସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ଏବଂ ଗବେଷଣା ପରିଷଦ ଅଧୀନରେ ଥିବା କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ପରିଦର୍ଶନ କରିଥିଲେ।

ଏହି ଅବସରରେ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା ପ୍ରସଙ୍ଗରେ କହିଛନ୍ତି ଯେ, ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘସ୍ଥାୟୀ ଏବଂ ଉତ୍ପାଦନଭିତ୍ତିକ ଗବେଷଣା ହେବା ଉଚିତ । ଏହି ପ୍ରସଙ୍ଗରେ ସେ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ରାଜ୍ୟ ଏବଂ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ସହିତ ମଧୁରଜଳ ମତ୍ସ୍ୟଚାଷ ସମ୍ପର୍କୀତ କୌଶଳକୁ ଚାଷୀମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରାଯିବା ଉଚିତ ବୋଲି କହିଛନ୍ତି ।

ବୈଜ୍ଞାନିକମାନଙ୍କ ସହିତ ଆଲୋଚନା ସମୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କୁ ମତ୍ସ୍ୟ ଉଦ୍ୟୋଗୀଭାବେ ଗଢି ତୋଳିବା ଆବଶ୍ୟକ । ୨୦୨୨ ମସିହା ସୁଦ୍ଧା ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ଏହା ପୂରଣ କରିପାରିବ ।

ଏହି ଅବସରରେ ମନ୍ତ୍ରୀ ଷଡଙ୍ଗୀ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟଚାଷ ପ୍ରତିଷ୍ଠାନର ଫାର୍ମ ବୁଲି ଦେଖିବା ସହିତ ଜୟନ୍ତୀରୋହି, ଭାକୁଡ, ମିରିକାଳି ଆଦି ବିଭିନ୍ନ ପ୍ରଜାତିର ଯାଆଁଳ ଉପରେ ଗବେଷଣା କରୁଥିବା ଗବେଷକ ଏବଂ କୃଷିବିଜ୍ଞାନ କେନ୍ଦ୍ର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ।