ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ପୂର୍ବାହ୍ନରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ଚିଲିକା ତହସିଲ ଅନ୍ତର୍ଗତ ବିଭିନ୍ନ ମତ୍ସ୍ୟ ସମବାୟ ସମିତିର ପ୍ରତିନିଧି ପାରମ୍ପରିକ ମତ୍ସ୍ୟଜୀବୀ ମାନଙ୍କର ପ୍ରତିନିଧି, ଅଣପାରମ୍ପରିକ ମତ୍ସ୍ୟଜୀବୀ ତଥା ଚିଲିକା ହ୍ରଦ ଉପରେ ନିର୍ଭର କରି ଚଳୁଥିବା ପ୍ରତିନିଧି ମାନଙ୍କର ତହସିଲ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଉଛି।ଉକ୍ତ ବୈଠକରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ମତ୍ସ୍ୟଜୀବୀ ମାନଙ୍କ ବିଭିନ୍ନ ପ୍ରସ୍ତାବ ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା। ଯାହାକି ମତ୍ସ୍ୟଜୀବୀ
ମାନଙ୍କର ଚିଲିକା ଭାତହାଣ୍ଡି ହୋଇଥିବା ବେଳେ ଗୁଜୁରାଣ ମେଣ୍ଟାଇବା ପାଇଁ ବିନା ଦ୍ଵିଧାରେ ଅକାତକାତ ଜଳରାଶିରେ ନିଜର ପେଶା ଜାରି ରଖିଥାନ୍ତି।
ମତ୍ସ୍ୟଜୀବୀ ମାନେ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା ହୋଇଥିଲେ ମଧ୍ୟ ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ତହସିଲ ଚିଲିକା ଜଳ ରାଶିରେ ମାଛ ଧରିବା କାର୍ଯ୍ୟ କରି ଆସୁଥିଲେ। ମାତ୍ର ଅନେକ ସମୟରେ ସେଠାକାର ଅଣମତ୍ସ୍ୟଜୀବୀମାନେ ନାନାଦି ଅସୁବିଧା କରିବା ସହ ମତ୍ସ୍ୟଧରା ଉପକରଣ ଚୋରି କରି ଥିବାରୁ ମତ୍ସ୍ୟଜୀବୀମାନେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି।ଯାହା ଫଳରେ ଉପଯୁକ୍ତ ପରିସୀମା ଧାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ରଖା ଯାଇଥିଲା।
ଏଥି ସହିତ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ବେଆଇନ ଦଖଲ, ବେଆଇନ ଚିଙ୍ଗୁଡ଼ି ଘେରି, ବେଆଇନ ପୋଖରୀ ଖନାନ ଆଦି ମନଇଛା କରାଯାଉଥିବାରୁ ଏହାକୁ ତୁରନ୍ତ ଉଚ୍ଛେଦ ନିମନ୍ତେ ପ୍ରସ୍ତାବ ଗୃହୀତ କରାଯାଇଥିଲା। ବିଭିନ୍ନ ପ୍ରାକୃତିକ ବିପର୍ଯୟରେ ମତ୍ସ୍ୟଜୀବୀମାନେ ଅନେକ କ୍ଷତିଗ୍ରସ୍ତ ହେଉଥିବା ବେଳେ ସେମାନଙ୍କୁ ସରକାରୀ ନିୟମ ମୁତାବକ ସମସ୍ତ ସୁବିଧା ସୁଯୋଗ ଦେବା ସହ ବୀମା ପରିସର ଭୁକ୍ତ କରିବା ନିହାତି ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା।
ମତ୍ସ୍ୟଜୀବୀମାନଙ୍କର ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ନଳଘାସ ଏବଂ ଅଳିଆ ଆବର୍ଜନା ଯୋଗୁଁ ଚିଲିକା କ୍ରମଶଃ ପୋତି ହେଇଯାଉଥିବା ବେଳେ ଆବଶ୍ୟକ ମୁତାବକ ମତ୍ସ୍ୟ ଉତ୍ପାଦନ ହୋଇପାରୁନାହିଁ। ଯାହାଫଳରେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ
ମତ୍ସ୍ୟଜୀବୀମାନେ ନିଜର କୌଳିକ ବୃତ୍ତି ହରାଇ ଦାଦନ ଖଟୁଥିବା ଦେଖିବାକୁ ମିଳୁଛି।
ଏପରିକି ଉକ୍ତ ଆଲୋଚନା ଚକ୍ରରେ ଚିଲିକାର ପ୍ରାୟ ୧୨୪୦୦ ପଞ୍ଜିକୃତ ମାଛଧରା ଡ଼ଙ୍ଗା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ୍ଵ ପାରମ୍ପରିକ ମତ୍ସ୍ୟଜୀବୀ ରହିଥିବା ସୂଚନା ମିଳିଥିବା ବେଳେ ଚିଲିକା ମଧ୍ୟରେ ନିର୍ଦ୍ଧିଷ୍ଟ ପରିସୀମା ଭିତରେ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି। ମାତ୍ର କିଛି ଅଣ ପାରମ୍ପରିକ ମତ୍ସ୍ୟଜୀବୀମାନେ ରାଜ୍ୟ ତଥା ବାହାର ରାଜ୍ୟରୁ ମାଛ ଆଣି ବ୍ୟବସାୟ କରିବାରୁ ଅନେକ ସମୟରେ ତିକ୍ତତା ପ୍ରକାଶ ପାଇବା ସହ ସଙ୍ଘର୍ଷ ହେଉଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଜଣାପଡିଛି। ଯାହାଫଳରେ ପାରମ୍ପରିକ ମତ୍ସ୍ୟଜୀବୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ଅଭାବ ଅନାଟନରେ ଜୀବନ ନିର୍ବାହ କରୁଥିବାରୁ ନିଜର କୌଳିକ ବୃତ୍ତିକୁ ବଜାୟ ରଖିବା ପାଇଁ ଏକକ ଅଧିକାର ପ୍ରଦାନ ମତ ପ୍ରକାଶ ପାଇଥିଲା।