Categories
ଆଞ୍ଚଳିକ

ରଣପୁର ଅବକାରୀ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ ସହ ୨ ଗିରଫ

ରଣପୁର: ନୟାଗଡ ଜ଼ିଲ୍ଲା ରଣପୁର ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦ କାରବାର ବ୍ୟାପକ ଭାବେ ବୃଦ୍ଧି ପାଉଛି। ମଦ ମାଫିଆଙ୍କ ଠାରୁ ବିଭାଗୀୟ କିଛି କର୍ମଚାରୀ ମାସିକ ଚାନ୍ଦା ନେଇ ଦେଶି ମଦକୁ ଏ ଅଞ୍ଚଳରେ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ମଧ୍ୟ ହେଉଛି। କିନ୍ତୁ ସେପଟେ ଛୋଟ କାଟିଆ ଗରିବ ମଦ ବେପାରୀଙ୍କୁ ଧରି ଅବକାରୀ ବିଭାଗ ବାହା ବାହା ନେଉଥିବା ଲୋକ କହୁଛନ୍ତି।

ତେବେ ଆଜି ମଧ୍ୟାହ୍ନରେ ରଣପୁର ବ୍ଲକର ରାଜସୁନାଖଳା ଅଞ୍ଚଳରେ ଅଚାନକ ଚଢ଼ାଉ କରି ୫୦ ଲିଟର ହାତ ରନ୍ଧା ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସୁନାଖଳାର ନାରାୟଣ ଡାକୁଆଙ୍କ ଠାରୁ ୧୦ ଲିଟର ଓ ମନୋରଞ୍ଜନ ସାହୁଙ୍କ ଜଳଖିଆ ଦୋକାନରୁ ୪୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁହିଁଙ୍କୁ ଗିରଫ କରାଯାଇଛି।

ଏମାନେ ପୂର୍ବରୁ ଦେଶୀ ମଦ କାରବାର କରୁଥିବାର ଅବକାରୀ ବିଭାଗ ପାଖରେ ଖବର ଥିଲା। ବିଭାଗ ତାଙ୍କର ଗତିବିଧି ଉପରେ ନଜର ରଖିଥିଲା। ତେବେ ଏହି ଚଢ଼ାଉରେ ଓ.ଆଇ.ସି ସୁଶାନ୍ତ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ତାଣ୍ଡି, ନୟାଗଡ଼ ମୋବାଇଲ ଟିମ, ସୁବାଷ ସେଠି, ଲକ୍ଷ୍ମୀଧର ବେହେରା ପ୍ରମୁଖ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦେଶୀ ଚୋରା ମଦ କାରବାର ଅଭିଯୋଗ: ଦୁଇ ବେପାରୀଙ୍କୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଞ୍ଚଳରୁ ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି ବାଣପୁର ପୋଲିସ। ସୂଚନା ମୁତାବକ ବାଣପୁର ଥାନା ଅଧିନସ୍ଥ କୁରୁଞ୍ଜିପୁର ଗ୍ରାମରେ ଦେଶୀ ଚୋରା ମଦ କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା। ଖବର ପାଇବା ପରେ ବାଣପୁର ଥାନା ଏସଆଇ ରାଜକିଶୋର ବେହେରା ଏବଂ ପ୍ରସନ୍ନ କୁମାର ଜେନା ନିଜ ଟିମ ସହ ସାଦା ପୋଷାକରେ ଉକ୍ତ ଗ୍ରାମରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଅଭିଯୁକ୍ତ ଦ୍ବୟ ହେଲେ ରତିକାନ୍ତ ପଲେଇ ଏବଂ ମୋଚିରାମ ମୁଦୁଲି। ପୋଲିସ ସେମାନଙ୍କ ନିକଟରୁ ୪୯.୫ ଲିଟର ଦେଶୀ ମଦ ଜବତ କରିବା ସହ ଉଭୟଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୭୨ ଏବଂ ୨୭୩ ରେ ଦୁଇ ଗୋଟି ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଆଇଆଇସି ରଶ୍ମିରଂଜନ ସାହୁ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ

ସବୁ କମୁଛି, କମୁନି ମଦ କାରବାର, ରାସ୍ତାକୁ ଓହ୍ଲାଇଲେ ଗାଁ ମହିଳା, ଶୋଇଛି ତିର୍ତ୍ତୋଲ ଅବକାରୀ ବିଭାଗ

ରମେଶ ମହାନ୍ତି
ଜଗତସିଂହପୁର : ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରାୟ ପ୍ରତିଦିନ ଲକଡାଉନ୍ ,ସଟଡାଉନ୍ ପରି ବିଭିନ୍ନ କଟକଣା ଲାଗୁ କରାଯାଉଛି। ଜୀବନ ଜୀବିକା ପାଇଁ ସବୁଠି ସଂଘର୍ଷ। ହେଲେ କଟକଣାକୁ ଫୁ କରି ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଚୋରା ମଦ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଛି ଏକରକମ ପ୍ରତିଯୋଗିତା, ବହୁଛି ମଦର ବନ୍ୟା।

ଏଥିଯୋଗୁଁ ଗାଁ ଗହଳିରେ ବଢୁଛି ମଦୁଆଙ୍କ ଉପଦ୍ରବ । ଚୋରା ମଦ ବେପାରୀଙ୍କ ଠାରୁ ମାସିକ ମୋଟା ଅଙ୍କର ବଟି ନେଇ ଘୋଡା ମୁହଁରେ ଦାନା ବାନ୍ଧିଲା ପରି ତିର୍ତ୍ତୋଲ ଅବକାରୀ ବିଭାଗ ନିଷ୍କ୍ରିୟ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଗାଁରେ ଚୋରାମଦ ଦୋକାନ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତର ଝଙ୍କଡ଼ ଶାରଳା ମନ୍ଦିର ନିକଟ କୁଟିଲୋ ଗ୍ରାମଦୟାଲପୁର ଗାଁରେ।

ଅଭିଯୋଗ ଅନୁଯାୟୀ ଗାଁରେ ପ୍ରମୋଦ ଦାସ ନାମରେ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ଦେଶୀ ଓ ବିଦେଶୀ ମଦ ଚୋରାରେ ବିକ୍ରି କରି ଆସୁଥିବାରୁ ଗାଁରେ ମଦୁଆଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ଅଭିଯୋଗ ହୋଇଥିଲା। ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଞ୍ଚାୟତର ସମିତି ସଭ୍ୟ ଅଜୟ କୁମାର ରାଉଳ ପଚାରିବାରୁ ସେ ଉତ୍ତ୍ୟକ୍ତ ହୋଇ ସମିତି ସଭ୍ୟ ଓ ତାଙ୍କ ପରିବାରକୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି।

ମଦୁଆଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଶେଷରେ ମଦ ଦୋକାନ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ଗାଁର ମହିଳାମାନେ। ମଦଦୋକାନ ନିକଟରେ କନକପୁର ଡାକ୍ତରଖାନା, ଶାରଳା ପବ୍ଲିକ୍ ସ୍କୁଲ୍, ପୋଷ୍ଟ ଅଫିସ୍, ପଞ୍ଚାୟତ କାର୍ଯ୍ୟାଳୟ, ଏ.ଏନ୍.ଏମ୍ ସେଣ୍ଟର, ଆର୍.ଆଇ ଅଫିସ୍ ରହିଥିବାରୁ ଲୋକେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ଅଭିଯୋଗ ହେଉଛି।

ଏମିତିକି ଚୋରା ମଦ ବିକ୍ରିକୁ ବିରୋଧ କରୁଥିବା କିଛି ଲୋକଙ୍କ ନାମରେ ପାଲଟା ମଦଦୋକାନୀ ଜଣଙ୍କ ଥାନାରେ ଅଭିଯୋଗ କରିଛି। ସୂଚନାନୁଯାୟୀ କିଛିଦିନ ପୂର୍ବେ ଲକଡାଉନ୍ ସମୟରେ ଉକ୍ତ ଚୋରା ମଦ ବେପାରୀଙ୍କ ଘରେ ତିର୍ତ୍ତୋଲ ଅବକାରୀ ବିଭାଗ ଅଚାନକ ଚଢାଉ କରି ୪୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ମଦ ଜବତ କରିବା ପରେ ମଦଦୋକାନୀକୁ ନଧରି କେସ୍ ନଦେଇ ତାଠାରୁ ପାଞ୍ଚହଜାର ଟଙ୍କା ନେଇ ଛାଡି ଦେଇଥିବା କୁହାଯାଉଛି।

ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯଦି କେସ୍ ନକରି ମଦଦୋକାନୀ ଠାରୁ ପାଞ୍ଚହଜାର ନେଇ ଦୋକାନୀକୁ ଛାଡିଦେଲେ ତେବେ ବିଭାଗ ଜବତ କରିନେଇଥିବା ଏତେ ପରିମାଣର ମଦ କୁଆଡେ ଗଲା ବୋଲି ତିର୍ତ୍ତୋଲ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।