Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲରେ ଚାଲିଛି ନକଲି ଚୋରା ମଦ କାରବାର: ମଦ ମୃତ୍ୟୁ ଆଶଙ୍କା

ରମେଶ ମହାନ୍ତି

ଜଗତସିଂହପୁର: ଚଳିତ ଲକଡାଉନରେ ଜଗତସିଂହପୁର ଜିଲ୍ଲାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇ ଉଠିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୃତ ଗତିରେ ବୃଦ୍ଧି ପାଉଥିବା ଭୟାବହ କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଚୋରା ମଦ ବେପାରୀଙ୍କ ଖାତିର ନାହିଁ।

ସୂଚନାନୁଯାୟୀ ଗତବର୍ଷ ଲକଡାଉନ ସମୟରେ ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀମାନେ ମଦର ଧାର୍ଯ୍ୟ ମୁଲ୍ୟ ଠାରୁ ତିନି ଚାରି ଗୁଣା ଚଢା ଦାମରେ ବିକ୍ରିକରି ମାଲେମାଲ୍ ହୋଇଥିବା ବେଳେ ଚଳିତ ଲକଡାଉନରେ ପୁଣି ଆରମ୍ଭ ହୋଇଗଲାଣି ଚୋରା ମଦର ବହୁଳ କାରବାର। ଲକଡାଉନ ଚାଲିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ଗାଁ ଗହଳି ଛକ ବଜାରରେ ଛତୁ ଫୁଟିଲା ପରି ଚୋରା ମଦ ବେପାର ଚାଲିଥିବା ଦେଖିବାକୁ ମିଳୁଛି। ଏମିତିକି ତିର୍ତ୍ତୋଲ ଅଞ୍ଚଳରେ ଏବେ ନକଲି ମଦର ଯୋରଦାର କାରବାର ଚାଲିଥିବା ଚର୍ଚ୍ଚା ହେଉଛି।

ତିର୍ତ୍ତୋଲ ବଜାର ଠାରେ ଅବକାରୀ ବିଭାଗର କାର୍ଯ୍ୟାଳୟ ଥିଲେ ମଧ୍ୟ ନିକଟସ୍ଥ ତିର୍ତ୍ତୋଲ ଲକବଜାରରେ ନିଧଡକ ଭାବେ ଚାଲିଛି ଚୋରା ମଦ କାରବାର। ଏପରିକି କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ବଜାରରେ ନକଲି ମଦ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଉକ୍ତ ବଜାର ନିକଟରେ ଥିବା ଜନବସତି ବାଟରେ ଚୋରା ମଦ ଗୋଦାମ ଥିବା କୁହାଯାଉଥିବା ବେଳେ ବିଭିନ୍ନ ବ୍ରାଣ୍ଡର ଚୋରାମଦ ସର୍ବସମ୍ମୁଖରେ ନିଧଡକ ଭାବେ ବିକ୍ରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଲକଡାଉନ୍ ଯୋଗୁଁ ଛକ ବଜାର ବ୍ୟବସାୟୀ ମାନେ ଏକରକମ ହାତ ବାନ୍ଧି ଘରେ ବସିଥିବା ବେଳେ ଅପରପକ୍ଷରେ ଚୋରା ମଦ ବେପାରୀ ମାନଙ୍କର ପୁଷମାସ ଚାଲିଛି ବୋଲି କୁହାଯାଉଛି। ମଦ ବୋତଲ ଉପରେ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଯାଇ ନକଲି ମଦ ବିକ୍ରି ହେଉଥିବା ତିର୍ତ୍ତୋଲ ଅଞ୍ଚଳରେ ଏବେ ଯୋରଦାର ଚର୍ଚ୍ଚା ହେଉଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲକଡାଉନ୍ ସମୟରେ ତିର୍ତ୍ତୋଲ ଅଞ୍ଚଳରେ ନକଲି ଚୋରାମଦ କାରବାର ଚର୍ଚ୍ଚା ହେଉଥିବା କଥାଟା ଯଦି ସତ ହୋଇଥାଏ ତେବେ ଆଗାମୀ ଦିନରେ ମଦମୃତ୍ୟୁ ଆଶଙ୍କା ସହିତ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।