Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଉରକେଲାରେ ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଉରକେଲା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଗଭୀର ଚିନ୍ତାପ୍ରକଟ କରିବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହ ରୋକିବା ପାଇଁ ଏହି ସବୁ ଅଞ୍ଚଳକୁ ଅବିଳମ୍ବେ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାଉରକେଲାରେ ଡାଇରିଆ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଅଧିକ ଲୋକମାନେ ଚିକିତ୍ସାଧୀନ ଥିବା କୁହାଯାଉଛି । ପାଣି ସଂକ୍ରମିତ ହୋଇଥିବା କାରଣରୁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ଫଳସ୍ୱରୂପ ଅଧିକରୁ ଅଧିକ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟା ପରିଲକ୍ଷିତ ହେଉଛି । ରାଉରକେଲା ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଉରକେଲାକୁ କେନ୍ଦ୍ରୀୟ ସହାୟତା ପଠାଇ ସଂକ୍ରମଣକୁ ରୋକିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

ଅନୁରୂପ ଭାବରେ ଏହି ଘଟଣାରେ ପତ୍ର ଲେଖିବା ପୂର୍ବରୁ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଥିଲେ ଯେ ରାଉରକେଲା ସହର ସହିତ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଡାଇରିଆ ଲାଗି ରହିଥିବା କାରଣରୁ ଲୋକମାନେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଚିକିତ୍ସିତ ହେଉଥିବା ଲୋକମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ।

ରାଉରକେଲା ଭଳି ମହାନଗର ଅଞ୍ଚଳରେ ଡାଇରିଆ ସଂକ୍ରମଣରେ ଶତାଧିକ ଲୋକ ଆକ୍ରାନ୍ତ ହେବା ଓ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଥିବା ଚିନ୍ତାଜନକ । ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ସଂକ୍ରମିତ ଅଞ୍ଚଳରେ ଘର ଘର ବୁଲି ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରାଯାଉ । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ସହ ଉକ୍ତ ଅଞ୍ଚଳରେ ନାଗରିକଙ୍କୁ ଅତ୍ୟାବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ପୁରୀ:  ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନା ଲାଗୁ ହେବା ଦ୍ୱାରା ଓଡ଼ିଆ ଲୋକମାନେ ଲାଭ ପାଇବେ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ରହିବ ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବା ଅବସରରେ ଶ୍ରୀ ମାଣ୍ଡଭୀୟ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁଲଭ ଓ ସର୍ବବ୍ୟାପୀ କରିବା ପାଇଁ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ଓ ମହାପ୍ରସାଦ ସେବନ କରିବା ଆମ ପାଇଁ ଗର୍ବର ବିଷୟ ।

ସେହି ପବିତ୍ର ଧାମରେ ରହି ମେଡ଼ିକାଲ ଶିକ୍ଷା ଲାଭ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ରହିଛି ସ୍ୱାସ୍ଥ୍ୟସେବା ସୁଲଭ ଏବଂ ସର୍ବବ୍ୟାପୀ ହେବା ଦରକାର । ଏଥିପାଇଁ ଏକ ଡ଼ାକ୍ତର ରୂପରେ ଛାତ୍ରଛାତ୍ରୀଙ୍କୁ ଦୂର, ସୁଦୂର, ଗାଁ ଯେଉଁଠି ବି ଦାୟିତ୍ୱ ମିଳୁଛି, ସେମାନେ ଗରିବଙ୍କ ସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିବା ସହ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରଖନ୍ତୁ ।

ମୋଦି ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ରାଜ୍ୟରେ ଅନେକ ମେଡ଼ିକାଲ କଲେଜ ଆରମ୍ଭ କରିଛନ୍ତି ଏବଂ ଆଗାମୀ ଦିନରେ ଅନେକ ମେଡ଼ିକାଲ କଲେଜ କାର‌୍ୟ୍ୟକ୍ଷମ ହେବାକୁ ଯାଉଛି । ଓଡ଼ିଶା ସମେତ ଦେଶର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ନେଇ ଉତ୍ତମ ଡ଼ାକ୍ତର ହୁଅନ୍ତୁ ଏବଂ ସରକାରୀ ବ୍ୟବସ୍ଥାକୁ ଉପଯୋଗ କରି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ରଖନ୍ତୁ ।

ସୁନ୍ଦରଗଡ଼ରେ ଏନଟିପିସି ତରଫରୁ ହସ୍ପିଟାଲ ହୋଇଛି । ତାଳଚେରରେ କୋଲ ଇଣ୍ଡିଆ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରି ମେଡ଼ିକାଲ କଲେଜ ନିର୍ମାଣ କରିଛି । ମୋଦି ସରକାରଙ୍କ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧା, ମେଡ଼ିକାଲ କଲେଜ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି । ଏହାର ଲାଭ ଓଡ଼ିଶାକୁ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ।