Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଗସ୍ତରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ: ପରିଦର୍ଶନ କଲେ ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଜମ୍ମୁ କଶ୍ମୀରର (କେନ୍ଦ୍ର ଶାସିତ ଅଞ୍ଚଳ) ମାନ୍ୟବର ଉପରାଜ୍ୟପାଳ ମନୋଜ ସିହ୍ନା ଭୁବନେଶ୍ୱରଠାରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଶୁକ୍ରବାର ଦିନ ସେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସି ବିଭିନ୍ନ ଲାବୋରେଟୋରି ବୁଲି ଦେଖିଥିଲେ। ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସହ କଥା ହୋଇ ଏଠାରେ ଦିଆଯାଉଥିବା ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ।

ଉପରାଜ୍ୟପାଳ ଶ୍ରୀ ସିହ୍ନା ବିଶ୍ୱ ଦକ୍ଷତା କେନ୍ଦ୍ରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା।

“ବର୍ତ୍ତମାନ ସମୟରେ ଦେଶ ବା ରାଜ୍ୟର ବିକାଶରେ ଦକ୍ଷ ଯୁବପିଢ଼ିଙ୍କର ଆବଶ୍ୟକତା ରହିଛି । ତେଣୁ ଏ ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏକ ବଡ଼ ଭୂମିକା ଗ୍ରହଣ କରୁଛି । ଏହି କେନ୍ଦ୍ରରେ ଓଡ଼ିଶାର ଯୁବପିଢ଼ି ଶିଳ୍ପ ଉପଯୋଗୀ ତାଲିମ ନେଇ ସେମାନଙ୍କ ଦକ୍ଷତାକୁ ଏକ ନୂଆ ଉଚ୍ଚତାକୁ ନେଇପାରୁଛନ୍ତି”, କହିଛନ୍ତି ଉପରାଜ୍ୟପାଳ ଶ୍ରୀଯୁକ୍ତ ମନୋଜ ସିହ୍ନା ।

ଓଡ଼ିଶାରେ ଏଭଳି ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର କରାଯାଇଥିବାରୁ ସେ ଓଡ଼ିଶା ସରକାର ଓ ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାକୁ ଧନ୍ୟବାଦ ଦେଇଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ରହିଥିବା ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚଳିତ ଶିକ୍ଷାବର୍ଷରୁ ଭର୍ଟିକାଲ ଟାନ୍ସପୋର୍ଟେସନ ବିଷୟରେ ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇଛି । ତେଣୁ ଉପରାଜ୍ୟପାଳ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ସହିତ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାଟ୍ରୋନିକ୍ସ, ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ସହିତ ସ୍କୁଲ ଅଫ୍‌୍ ସର୍ଭିସେସର ବିଭିନ୍ନ ବିଭାଗକୁ ଯାଇଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ତାଲିମ ପାଇଁ ରହିଥିବା ବିଭିନ୍ନ ଆଧୁନିକ ଉପକରଣକୁ ଦେଖି ଖୁସି ହୋଇଥିଲେ ।

ସରକାରୀ ଆଇଟିଆଇ ଓ ପଲିଟେକନିକ କଲେଜର ପ୍ରଶିକ୍ଷକମାନଙ୍କ ଦକ୍ଷତା ବିକାଶ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ସମୟରେ \”ଟ୍ରେନିଙ୍ଗ ଅଫ ଟ୍ରେନର୍ସ\’ କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ମଧ୍ୟ ଉପରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ଗସ୍ତରେ ଉପରାଜ୍ୟପାଳଙ୍କ ପ୍ରମୁଖ ସଚିବ ଡକ୍ଟର ମନଦୀପ କୁମାର ଭଣ୍ଡାରି, ଓଏସଡି ଲେଫ୍ଟେନାଣ୍ଟକର୍ଣ୍ଣଲ ପ୍ରଶାନ୍ତ ଜନକର, ଜମ୍ମୁ କଶ୍ମୀରର ଦକ୍ଷତା ବିକାଶ ବିଭାଗର ସଚିବ ସୌରଭ ଭଗତ, ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର କୁଳପତି ତଥା ପରିଚାଳନା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ପଙ୍କଜ ଚନ୍ଦ୍ରା ଆସିଥିଲେ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମୁଖ୍ୟ ପରାମର୍ଶଦାତା (ଆନୁଷ୍ଠାନିକ ଦକ୍ଷତା ବିକାଶ) ସୁବ୍ରତ ବାଗଚୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି, ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Categories
ବିଶେଷ ଖବର

ଜମ୍ମୁ କାଶ୍ମୀରରେ ଶୀଘ୍ର ହେବ ବିଧାନସଭା ନିର୍ବାଚନ?, ଏଲଜି ମନୋଜ ସିହ୍ନାଙ୍କ ବଡ ବିବୃତ୍ତି

ଶ୍ରୀନଗର: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ସମ୍ପର୍କରେ ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ମନୋଜ ସିହ୍ନା ଆଜି କହିଛନ୍ତି ଯେ ନିର୍ବାଚନ ତାଲିକାର ବିଲୋପ ଏବଂ ସଂଶୋଧନ କାର୍ଯ୍ୟ ଶେଷ ହୋଇଛି। ଏହା ସହ ସେ କହିଛନ୍ତି ଯେ, ବିଧାନସଭା ନିର୍ବାଚନରେ ​​ନିଷ୍ପତ୍ତି ନେବା ନିର୍ବାଚନ ଆୟୋଗର ଅଧିକାର ଅଟେ।

ଏଲଜି ମନୋଜ ସିହ୍ନାଙ୍କ ଏହି ବିବୃତ୍ତି ପରେ ଖୁବ ଶୀଘ୍ର ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି। କେନ୍ଦ୍ର ଶାସିତ ପ୍ରଦେଶରେ ସକ୍ରିୟ ଥିବା ରାଜନୈତିକ ଦଳ ଦୀର୍ଘ ଦିନ ଧରି ରାଜ୍ୟରେ ନିର୍ବାଚନ ଦାବି କରିଆସୁଥିଲେ।

ନିର୍ବାଚନକୁ ନେଇ ବିଜେପି ଭୟଭୀତ – ଓମାର ଅବଦୁଲ୍ଲା:

ଏଥିରେ ଜମ୍ମୁ କାଶ୍ମୀରର ଏନସି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିର୍ବାଚନ ସମ୍ପର୍କରେ ଜୋରଦାର ବୟାନ ଦେଉଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି। ଜୁଲାଇ ୨୬ ତାରିଖରେ ଓମାର ଅବଦୁଲ୍ଲା ତାଙ୍କର ଏକ ଟ୍ୱିଟରେ ଅଭିଯୋଗ କରିଛନ୍ତି ଯେ ‘ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନକୁ ଅନୁମତି ଦେବାକୁ ବିଜେପି ଭୟଭୀତ ନୁହେଁ’।

ମନୋଜ ସିହ୍ନା ଆଉ କ’ଣ କହିଥିଲେ?:

ଏହା ସହ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କୌଣସି ଆତଙ୍କବାଦୀ ଘଟଣା ଘଟିବ ନାହିଁ ବୋଲି ଲୋକମାନେ ଆଶା କରୁଛନ୍ତି, ଆମେ ଏହାକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛୁ। ଉପତ୍ୟକାର ପରିସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ, ଯୁଗ ଯୁଗ ବିଚ୍ଛିନ୍ନତାବାଦୀ ଏବଂ ଅନ୍ୟମାନେ ପାକିସ୍ତାନର ପ୍ରବର୍ତ୍ତନରେ ସାଧାରଣ ଜୀବନକୁ ବାଧା ଦେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୧ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଏପ୍ରିଲ ୧୭ ରୁ ପଞ୍ଜୀକରଣ

ନୂଆଦିଲ୍ଲୀ: ସରକାର ଅମରନାଥ ଯାତ୍ରା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏହି ଯାତ୍ରା ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ୬୨ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରା ପାଇଁ ପଞ୍ଜୀକରଣ ଏପ୍ରିଲ ୧୭ ତାରିଖରୁ ଆରମ୍ଭ ହେବ।

ପ୍ରକାଶ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦିନ ଜମ୍ମୁ କାଶ୍ମୀର ସମ୍ବନ୍ଧୀୟ ସୁରକ୍ଷା ସମୀକ୍ଷା କରିଥିଲେ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା, ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକର ଗୋଟିଏ ଦିନ ପରେ ଏହି ଯାତ୍ରା ଘୋଷଣା କରାଯାଇଛି।

ଉପ-ରାଜ୍ୟପାଳ କ’ଣ କହିଲେ?:

ପବିତ୍ର ତୀର୍ଥଯାତ୍ରା ଏବଂ ପଞ୍ଜୀକରଣ ତାରିଖ ଘୋଷଣା କରି ଉପ-ରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର ଦିନ କହିଛନ୍ତି ଯେ, ସୁଗମ ତଥା ସମସ୍ୟାମୁକ୍ତ ତୀର୍ଥଯାତ୍ରା ନିଶ୍ଚିତ କରିବାକୁ ପ୍ରଶାସନ ପ୍ରତିବଦ୍ଧ।

ସେ କହିଛନ୍ତି ଯେ, ସମସ୍ତ ଶ୍ରଦ୍ଧାଳୁ ଏବଂ ସେବା ପ୍ରଦାନକାରୀଙ୍କୁ ପ୍ରଶାସନ ଉତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବ। ତୀର୍ଥଯାତ୍ରା ଆରମ୍ଭ ପୂର୍ବରୁ ଟେଲିକମ୍ ସେବା କାର୍ଯ୍ୟକ୍ଷମ ହେବ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଚଳିତମାସ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀରରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଜାମ୍ମୁ -କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହିତ ତୃତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତାର ମାସ୍କଟ, ଥିମ୍ ସଙ୍ଗ୍ ଓ ଜର୍ସିକୁ ଜାମ୍ମୁ ରାଜଭବନଠାରେ ଉନ୍ମୋଚନ କରିଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଥିଲେ ଯେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ଖେଲୋ ଇଣ୍ଡିଆ ଅଭିଯାନର ଏକ ଅଂଶବିଶେଷ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚାର ପ୍ରସୂତ ଏକ କାର୍ଯ୍ୟକ୍ରମ ଯାହା ଦେଶରେ ଖେଳକୁଦ ପ୍ରତି ଯୁବସମାଜକୁ ଆକର୍ଷିତ କରି ଭାରତକୁ ବିଶ୍ୱର ଏକ କ୍ରୀଡା ଶକ୍ତିରେ ପରିଣତ କରିବାକୁ ଉଦ୍ଦିଷ୍ଟ।

ଶ୍ରୀ ଠାକୁର ଆହୁରି କହିଥିଲେ, ଗତ ଆଠବର୍ଷ ଧରି କ୍ରୀଡା ପ୍ରତି ଲୋକଙ୍କର ମନୋଭାବ ବଦଳୁଛି ଏବଂ ପ୍ରତ୍ୟେକ ପରିବାର ନିଜର ପୁଅଝିଅଙ୍କୁ ଖେଳକୁଦ ପ୍ରତି ପ୍ରୋତ୍ସାହିତ କରୁଛନ୍ତି। ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ ଅଭିଯାନ ଯୋଗୁଁ ଏହା ସମ୍ଭବ ହୋଇଛି। ଏହି ଦୁଇ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତରେ କ୍ରୀଡା ଭିତ୍ତିଭୂମିର କେବଳ ବିକାଶ ଘଟିନାହିଁ, ଯୁବ ସମାଜ ଖେଳକୁଦ ପ୍ରତି ପୂର୍ବାପେକ୍ଷା ଅଧିକ ଆକର୍ଷିତ ହୋଇଛନ୍ତି। ଭାରତର ଖେଳାଳିମାନେ ବଡ ବଡ ପ୍ରତିଯୋଗିତା, ବିଶେଷକରି ଆର୍ନ୍ତଜାତିକସ୍ତରର କ୍ରୀଡା କାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ଅଗ୍ରଣୀ କ୍ରୀଡାବିତ୍ମାନଙ୍କ ସହ ମିଶିବା ବା ଭାବବିନିମୟ କରିବା ସୁଯୋଗ ପାଇ ନିଜର ଆତ୍ମବିଶ୍ୱାସ ବଢାଉଛନ୍ତି। ଏହାଫଳରେ ସେମାନେ ଆନ୍ତର୍ଜାତିକ ସ୍ତରର ଖେଳକୁଦ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଭାରତକୁ ଗର୍ବିତ କରୁଛନ୍ତି। ଆଗରୁ ଆମ କ୍ରୀଡାବିତଙ୍କୁ ଏଭଳି ସୁଯୋଗ ସୁବିଧା ମିଳୁ ନ ଥିଲା।

ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଗୁଲମାର୍ଗରେ ଚଳିତମାସ ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜିତ ହେବ। ଦେଶ ୨୯ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧୫୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେବେ। ଏହା ଦ୍ୱାରା ଜାମ୍ମୁ-କାଶ୍ମୀର ଯୁବକ ଯୁବତୀମାନେ କ୍ରୀଡା ପ୍ରତି ଆକର୍ଷିତ ହେବା ସହିତ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଘଟିବ। ଖେଳାଳୀ ଓ କ୍ରୀଡା ଅଧିକାରୀମାନେ ଜାମ୍ମୁ-କାଶ୍ମୀରର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ପାଇବା ସହିତ ବିଗତ କେତେବର୍ଷ ମଧ୍ୟରେ ଏଠାରେ ଘଟିଥିବା ପରିବର୍ତ୍ତନକୁ ଦେଖିପାରିବେ। ସେମାନେ ଜାମ୍ମୁ-କାଶ୍ମୀରର ପର୍ଯ୍ୟଟନ, ଶାନ୍ତି ଏବଂ ସ୍ଥିରତାର ବ୍ରାଣ୍ଡ ଆମ୍ବାସଡାର ହୋଇପାରିବେ ବୋଲି ଶ୍ରୀ ଠାକୁର କହିଛନ୍ତି।

ଖେଲୋ ଇଣ୍ଡିଆ କ୍ରୀଡା ପ୍ରତିଯୋଗିତାର ମାସ୍କଟ, ଥିମ୍ ସଙ୍ଗ୍ ଓ ଜର୍ସି ଉନ୍ମୋଚନ ଅବସରରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଠାକୁର କହିଛନ୍ତି ଯେ ଏହି ପ୍ରତିଯୋଗିତା ସମଗ୍ର ଦେଶକୁ ଏକ ଭଲ ସଙ୍କେତ ପଠାଉଛି। ଏହି ପ୍ରତିଯୋଗିତାର ଆନନ୍ଦ ଓ ଅଭିଜ୍ଞତା ଉଠାଇବାକୁ ସମଗ୍ର ଜାମ୍ମୁ-କାଶ୍ମୀର ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରିଛି। ଏହି ପ୍ରତିଯୋଗିତାରେ ଉପଲବ୍ଧ ସୁବିଧା ସୁଯୋଗର ଫାଇଦା ଉଠାଇ ଭାରତର ଯୁବ କ୍ରୀଡାବିତ୍ମାନେ ଅଲିମ୍ପିକ୍ସ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗନେବାକୁ ନିଜକୁ ପ୍ରସ୍ତୁତ କରିପାରିବେ।

ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ଉପରାଜ୍ୟପାଳ ଶ୍ରୀ ସିହ୍ନା କହିଥିଲେ ଯେ ପିଏମ୍ଡିପି ଅଧୀନରେ ଜାମ୍ମୁ-କାଶ୍ମୀରର କୋଣ ଅନୁକୋଣରେ କ୍ରୀଡା ଭିତ୍ତିଭୂମିର ଉନ୍ନତି କରାଯାଇଛି। ଏହାଫଳରେ ଯୁବ ସମାଜ କ୍ରୀଡା ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି। ଏହି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ କ୍ରୀଡା ଭିତ୍ତିଭୂମି ଓ ଖେଳକୁଦର ସୁବିଧା କରାଯାଇଛି। ଏଥିରେ ୫୦ଲକ୍ଷ ଯୁବକଯୁବତୀଙ୍କୁ ନିୟୋଜିତ କରିବାର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପୂରଣ ହୋଇଛି। ନୂଆ କ୍ରୀଡାନୀତି ମାଧ୍ୟମରେ ଜାମ୍ମୁ-କାଶ୍ମୀର କ୍ରୀଡାବିତ୍ମାନଙ୍କୁ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

ଗୁଲମାର୍ଗରେ ଚଳିତମାସ ୧୦ରୁ ୧୪ତାରିଖ ଯାଏ ଆୟୋଜିତ ହେବାକୁ ଥିବା ଏହି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା ପ୍ରତିଯୋଗିତାକୁ କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ସାହାଯ୍ୟ ସହଯୋଗ ଯୋଗାଉଛି। ଜାମ୍ମୁ-କାଶ୍ମୀର କ୍ରୀଡା ପରିଷଦ ଓ ଜାମ୍ମୁ କାଶ୍ମୀର ଉଇଣ୍ଟର ଗେମ୍ସ ଆସୋସିଏସନ ଏହି ପ୍ରତିଯୋଗିତାକୁ ମିଳିତଭାବେ ଆୟୋଜନ କରୁଛି।

ସମଗ୍ର ଦେଶରୁ ୧୫୦୦ରୁ ଅଧିକ କ୍ରୀଡାବିତ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ନ’ଟି ଖେଳ ଏଥିରେ ସ୍ଥାନ ପାଇଛି। ଜାମ୍ମୁ-କାଶ୍ମୀରରେ ମଧ୍ୟ ଖେଲୋ ଇଣ୍ଡିଆ ଶୀତକାଳନୀ କ୍ରୀଡା ପ୍ରତିଯୋଗିତା ୨୦୨୦ରେ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏବେ ଏହି ଦ୍ୱିତୀୟ ସଂସ୍କରଣକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ସବୁମନ୍ତେ ଉଦ୍ୟମ କରାଯାଉଛି। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର ଉପ-ରାଜ୍ୟପାଳଙ୍କ ବଡ ବୟାନ: ଦୁଇ ବର୍ଷରେ ସମ୍ପୂର୍ଣ୍ଣ ରୂପେ ସଫା ହେବ ଆତଙ୍କବାଦ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦକୁ ନେଇ ଉପ-ରାଜ୍ୟପାଳ ମନୋଜ ସିହ୍ନା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଦୁଇ ବର୍ଷ ପରେ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ବିଲୋପ ହେବ ବୋଲି ଉପ-ରାଜ୍ୟପାଳ ମନୋଜ ସିହ୍ନା ଦାବି କରିଛନ୍ତି। ମନୋଜ ସିହ୍ନାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ନିକଟ ଅତୀତରେ ଉପତ୍ୟକାରେ ଆତଙ୍କବାଦୀ ଘଟଣାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ଜମ୍ମୁରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପ-ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲୋକମାନେ ନିଶ୍ଚିତ ଭାବରେ ଚିନ୍ତିତ ଅଛନ୍ତି। ଆମେ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ, ଦୁଇ ବର୍ଷ ପରେ ଆପଣ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଦେଖିବେ ନାହିଁ, ଭାରତ ସରକାର ଏହି ଦିଗରେ କାର୍ଯ୍ୟ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ନେଲେ ବରିଷ୍ଠ ନେତା ମନୋଜ ସିହ୍ନା

ନୂଆଦିଲ୍ଲୀ, ଆଜି ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ମନୋଜ ସିହ୍ନା। ଜମ୍ମୁକାଶ୍ମୀର ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ଶପଥପାଠ କରାଇଥିଲେ। ଆଜି ଶପଥ ନେବା ପାଇଁ ମନୋଜ ସକାଳେ ଜାମ୍ମୁ କାଶ୍ମୀରେ ପହଁଚିଥିଲେ। ସେଠାରୁ ତାଙ୍କୁ ରାଜଭବନକୁ ପାଛୋଟି ନିଆଯାଇଥିଲା। ପୂର୍ବରୁ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଥିବା ଗିରିଶ ମୁର୍ମୁ ଗତ ଗୁରୁବାର ଦିନ ଇସ୍ତପା ଦେଇଥିଲେ। ବର୍ତ୍ତମାନ ଗିରିଶ ମୁର୍ମୁ ଭାରତର ମହାଲେଖକାର ଭାବେ ନିଯୁକ୍ତି ପାଇଛନ୍ତି।