Categories
ବିଶେଷ ଖବର

ଦେଶବ୍ୟାପୀ ଆରମ୍ଭ ହେବ ‘ମେରୀ ମାଟି ମେରା ଦେଶ’ ଅଭିଯାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ନିଜର ମନ କୀ ବାତ୍ ରେଡିଓ କାର୍ଯ୍ୟକ୍ରମରେ ‘ମେରି ମାଟୀ ମେରା ଦେଶ’ ଅଭିଯାନ ଘୋଷଣା କରିଥିଲେ। ବର୍ତ୍ତମାନ ଦେଶବ୍ୟାପୀ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି।

ଦେଶପାଇଁ ପ୍ରାଣବଳୀ ଦେଇଥିବା ବୀର ସ୍ୱାଧୀନତା ସଂଗ୍ରାମୀ ଓ ସାହସୀ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅଭିଯାନ ଅନ୍ତର୍ଗତ ବୀରମାନଙ୍କର ସ୍ମୃତିଚାରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସବୁ ଗ୍ରାମପଞ୍ଚାୟତରେ ସ୍ମୃତି ଉଦ୍ଦେଶ୍ୟରେ ଅମୃତ ସରୋବର ନିକଟରେ ଶିଳାଫଳକ ସ୍ଥାପନ କରାଯିବ । କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଦୂରସଞ୍ଚାର ବିଭାଗର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର, ସଂସ୍କୃତି ସଚିବ ଗୋବିନ୍ଦ ମୋହନ ଏବଂ ଯୁବ ବ୍ୟାପାର ସଚିବ ମୀତା ରାଜୀବ ଲୋଚନ, ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ ପ୍ରମୁଖ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଅପୂର୍ବ ଚନ୍ଦ୍ର କହିଛନ୍ତି ଯେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମ ଭାବେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶିଳାଫଳକ ସଂଯୋଗ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚନ୍ଦ୍ର କହିଛନ୍ତି, ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା କାର୍ଯ୍ୟକ୍ରମକୁ ଏହି ଅଭିଯାନର ଏକ ପ୍ରମୁଖ ଉପାଦାନ ଭାବେ କାର୍ଯ୍ୟକାରୀ କରାଯିବ । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଅଭିଯାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଥିବା ଶ୍ରୀ ଚନ୍ଦ୍ର କହିଥିଲେ।

ସଂସ୍କୃତି ମନ୍ତ୍ରଣାଳୟ ସଚିବ ଗୋବିନ୍ଦ ମୋହନ କହିଥିଲେ, ପ୍ରତି ଗ୍ରାମ, ପଞ୍ଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଞ୍ଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଶିଳାଫଳକ ସଂଯୋଗ କରାଯିବ, ପଞ୍ଚ ପ୍ରାଣ ଶପଥ ନିଆଯିବ, ବସୁଧା ବନ୍ଦନ, ବୀରଙ୍କୁ ବନ୍ଦନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦେଶ ପାଇଁ ବଳିଦାନ ଦେଇଥିବା ସେହି ଅଞ୍ଚଳର ବୀରଙ୍କ ନାମ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଶିଳାଫଳକରେ ସ୍ଥାନ ଦିଆଯିବ।
ଶ୍ରୀ ଗୋବିନ୍ଦ ମୋହନ କହିଥିଲେ, ଆଜାଦୀ କା ଅମୃତ ମହୋତ୍ସବ 12 ମାର୍ଚ୍ଚ 2021ରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ଦେଶବ୍ୟାପୀ 2 ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆଜାଦୀ କା ଅମୃତ ମହୋତ୍ସବର ସମାପନ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଆସନ୍ତା 9ରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ମେରି ମାଟି ମେରା ଦେଶ ଅଭିଯାନ ଗ୍ରାମ, ବ୍ଲକ, ସ୍ଥାନୀୟ ସହରାଞ୍ଚଳ, ରାଜ୍ୟ ଓ ଜାତୀୟ ସ୍ତରରେ ଆୟୋଜନ କରାଯିବ ।

ଦେଶର ସବୁ ଅଞ୍ଚଳରେ ଅମୃତ କଳସ ଯାତ୍ରା ଆୟୋଜନ କରାଯିବ । 7 ହଜାର 500 କଳସ ଦେଶର କୋଣଅନୁକୋଣରୁ ଅଣାଯାଇ ଦିଲ୍ଲୀର ଅମୃତ ବାଟିକାରେ ସ୍ଥାପନ କରାଯିବ ଯାହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସଂକଳ୍ପର ପ୍ରତୀକ ହେବ ।

ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସଂସ୍କୃତି ସଚିବ କହିଥିଲେ, ଅଭିଯାନକୁ ଜନଭାଗିଦାରୀରେ ପରିଣତ କରିବା ଲାଗି ଏକ https://merimaatimeradesh.gov.inର ଶୁଭାରମ୍ଭ କରାଯାଇଛି । ସାଧାରଣ ଲୋକ ମାଟି ଦୀପ ଧରି ପଞ୍ଚ ପ୍ରାଣର ସଂକଳ୍ପ ଗ୍ରହଣ କରିବା ସହିତ ଏହି ୱେବସାଇଟ୍ରେ ସେଲ୍ଫି ଅପଲୋଡ୍ କରିବେ । ସେହିପରି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ 13ରୁ 15 ଅଗଷ୍ଟ 2023 ପର୍ଯ୍ୟନ୍ତ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦେଶବାସୀ ଯେକୌଣସି ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ତ୍ରିରଙ୍ଗା ସହିତ ସେଲଫି ନେଇ harghartiranga.com ୱେବସାଇଟ୍ରେ ଅପଲୋଡ୍ କରିପାରିବେ ।

ଯୁବବ୍ୟାପାର ଓ କ୍ରୀଡ଼ା ସଚିବ ଶ୍ରୀମତୀ ମୀତା ରାଜୀବଲୋଚନ କହିଥିଲେ ଯେ, ଏହି ରାଷ୍ଟ୍ରବ୍ୟାପୀ ଅଭିଯାନ ସମ୍ପର୍କରେ https:// yuva.gov.in/meri_maati_mera_desh. ପୋର୍ଟାଲରୁ ଆବଶ୍ୟକ ସୂଚନା ମିଳିପାରିବ ଏବଂ ଏହା ଜରିଆରେ ଯୁବପିଢ଼ି ମେରୀ ମାଟି ମେରା ଦେଶ ଅଭିଯାନ ସହ ଯୋଡ଼ି ହେବା ଲାଗି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏବଂ ବୃକ୍ଷରୋପଣ କରିବାର ସେଲଫି ଅପଲୋଡ୍ କରିପାରିବେ ।

ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ କହିଥିଲେ ଯେ ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାରଭାରତୀର ଡିଜିଟାଲ ପ୍ଲାଟଫର୍ମରେ ମେରୀ ମାଟି ମେରା ଦେଶ ଅଭିଯାନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ।

ସୂଚନାଯୋଗ୍ୟ ଯେ, ଆସନ୍ତା 9ରୁ 30 ଅଗଷ୍ଟ 2023 ପର୍ଯ୍ୟନ୍ତ ମେରି ମାଟି ମେରା ଦେଶ ଅଭିଯାନ ଗ୍ରାମ, ବ୍ଲକ, ସ୍ଥାନୀୟ ସହରାଞ୍ଚଳ, ରାଜ୍ୟ ଓ ଜାତୀୟ ସ୍ତରରେ ଆୟୋଜନ କରାଯିବ । ଅଭିଯାନର ଉଦଯାପନୀ କାର୍ଯ୍ୟକ୍ରମ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 30 ଅଗଷ୍ଟ 2023ରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆୟୋଜନ କରାଯିବ ।

Categories
ବିଶେଷ ଖବର

ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ନୂଆଦିଲ୍ଲୀ ଠାରେ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଆୟୋଜିତ ଦିନିକିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଲୋକଙ୍କ ନିକଟରେ ପହଞ୍ଚିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭ ହୋଇଥିଲା ଯାହାକି ଦେଶର ଭାଗ୍ୟ ବଦଳାଇ ଦେଇଥିଲା। ଏହି ପର୍ଯ୍ୟାୟ ଦେଶକୁ ନିରନ୍ତର ବିକାଶ ଏବଂ ଅବିରାମ ପ୍ରଗତି ପଥରେ ଆଗେଇ ନେଇଥିଲା। ମେଣ୍ଟ ସରକାରକୁ ବିକାଶ ପାଇଁ ଏକ ବାଧକ ବୋଲି ଅଭିହିତ କରି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଭାରତରେ ଏକ ସ୍ଥିର ସରକାର ପ୍ରତିଷ୍ଠା ହୋଇଥିଲା। ସଂସଦରେ ଗୋଟିଏ ଦଳକୁ ସଂଖ୍ୟାଗରିଷ୍ଠତା ମିଳିଥିଲା। ସେ ଆହୁରି କହିଥିଲେ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ମନ କୀ ବାତ ଜରିଆରେ ଜନସାଧାରଣଙ୍କ ସହିତ ବ୍ୟକ୍ତିଗତ ଭାବେ ମତବିନିମୟ କରିବା ଲାଗି ଏକ ପ୍ରୟୋଗ କରିଥିଲେ। ଏହି ପ୍ରୟୋଗର ଆଉ ଏକ ପରିଣାମ ମିଳିଥିଲା, ତାହା ହେଉଛି ଯୋଗାଯୋଗର ପୁରାତନ ମାଧ୍ୟମ ରେଡିଓ ପୁଣିଥରେ ଲୋକଲୋଚନକୁ ଆସିପାରିଥିଲା।

ସମ୍ପୂର୍ଣ୍ଣ ଭାବେ ଅଣରାଜନୈତିକ ହୋଇଥିବାରୁ ଏହି ମାସିକ ରେଡିଓ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ୧୦୦ ଅଧ୍ୟାୟ ପୂରଣ କରିବା ବାସ୍ତବରେ ପ୍ରଶଂସନୀୟ। ସେ ମନ କୀ ବାତକୁ ଆମ ସଭ୍ୟତାଗତ ଆଦର୍ଶର ଏକ ପ୍ରତିଫଳନ ଭାବେ ଅଭିହିତ କରିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମ ପରେ ଆୟୋଜିତ ଅଧ୍ୟାୟଗୁଡ଼ିକ ବିଷରେ ଆଲୋଚନା କରି ଉପରାଷ୍ଟ୍ରପତି କହିଥିଲେ ଯେ, ବର୍ତ୍ତମାନ ନାରୀ ଶକ୍ତିଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ସମୟ ଏବଂ ମହିଳାମାନେ ସଫଳତାର ନୂଆ ଶିଖର ଛୁଇଁପାରୁଛନ୍ତି। ଆମର ରାଷ୍ଟ୍ରପତି ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ଆଦିବାସୀ ମହିଳା। ସାଂସ୍କୃତିକ ଭାବେ ସମୃଦ୍ଧ ଦେଶ ନିଜର ଯୋଗଦାନକୁ ଭୁଲି ଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ୍‌ କାର୍ଯ୍ୟକ୍ରମ ଜରିଆରେ ପୁଣିଥରେ ସେହି ଭାବନାକୁ ଜାଗ୍ରତ କରିବା ପ୍ରଶଂସାଯୋଗ୍ୟ ବୋଲି ଉପରାଷ୍ଟ୍ରପତି କହିଥିଲେ।

ଶ୍ରୀ ଧନଖଡ଼ କହିଥିଲେ ଯେ ୨୦୪୭ରେ ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ସେହି ସମୟରେ ଭାରତ@୧୦୦ର ସ୍ଥିତି କ’ଣ ହେବ ସେଥିପାଇଁ ମନ କୀ ବାତ୍‌ @୧୦୦ ଜରିଆରେ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରାଯାଇଛି। ଦେଶରୁ ନକାରାତ୍ମକ ଭାବନା ଦୂର କରିବା ଓ ସକାରାତ୍ମକତା ଜାଗ୍ରତ କରିବାରେ ଏହି କାର୍ଯ୍ୟକ୍ରମର ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏପରି ସମୟ ଥିଲା ଭାରତ ଆଶା ହରାଇଥିଲା ଏବଂ ବିଶ୍ୱବ୍ୟାପୀ ଆମର ଛବି ମଳିନ ପଡ଼ିଯାଇଥିଲା, କିନ୍ତୁ ଏବେ ଭାରତ କିଭଳି ଶୀର୍ଷ ଛୁଇଁପାରିଛି ତାହା ଆମେ ସମସ୍ତେ ଦେଖିପାରୁଛୁ।

ଅତି କମ ସମୟ ମଧ୍ୟରେ ମନ କୀ ବାତ୍‌ କାର୍ଯ୍ୟକ୍ରମ ସ୍ଥାନୀୟ କାରୀଗର, ପ୍ରତିଭା ଓ କୌଶଳକୁ ପ୍ରସିଦ୍ଧି ଦେଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭାଜିତ ଦେଶ ନିଜ ପ୍ରତିଭାକୁ ଉପଯୋଗ କରିବାକୁ ସକ୍ଷମ ହେନଥିବା ସମୟରେ ଏହି କାର୍ଯ୍ୟକ୍ରମ ଦେଶର ବିବିଧତା ମଧ୍ୟରେ ଏକତା ଭାବନାକୁ ଜାଗ୍ରତ କରିପାରିଛି। ଏହା ଜନଆନ୍ଦୋଳନର ଏକ ଅଗ୍ରଦୂତ ଯାହାର ଉଦାହରଣ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ୱାନ ସମୟରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଆମ ଜନସାଧାରଣଙ୍କ ମଧ୍ୟରେ ଆଶାଆକାଂକ୍ଷା ଜାଗ୍ରତ କରିବା ସହିତ ସେମାନଙ୍କୁ ଆଗକୁ ବଢ଼ିବା ଲାଗି ଅନୁପ୍ରାଣିତ କରିଥିବା ଉପରାଷ୍ଟ୍ରପତି କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ମନ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ନେଇ ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମ ଭାରତର ସାଧାରଣ ଜନତାଙ୍କ ସଫଳତାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଏଥିପାଇଁ ଚୟନ କରାଯାଇଥିବା ମାଧ୍ୟମ ପ୍ରକୃତରେ ଏକ ଗଣମାଧ୍ୟମ।

ମନ କୀ ବାତର ବିଭିନ୍ନ ଅଧ୍ୟାୟରେ ଉଲ୍ଲେଖ କରାଯାଇଥିବା ୧୦୬ ଜଣ ଅତିଥିମାନଙ୍କର ଉପସ୍ଥିତି ପାଇଁ କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ସେ ଆହୁରି କହିଥିଲେ ଯେ ମନ କୀ ବାତର ୯୯ଟି ଅଧ୍ୟାୟରେ ୭୦୦ରୁ ଅଧିକ ଲୋକ ଏବଂ ସଂଗଠନର ସଫଳତା ବିଷୟରେ ଉଲ୍ଲେଖ କରାଯାଇଛି। ସରକାର ଖେଲୋ ଇଣ୍ଡିଆ ଅଭିଯାନ ଜରିଆରେ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଥିବା ବେଳେ ମନ କୀ ବାତ୍‌ ସେମାନଙ୍କର ସଫଳତାକୁ ଦେଶର ଘରେ ଘରେ ପହଞ୍ଚାଇ ପାରିଛି।

ମନ କୀ ବାତ୍‌ ଜନସାଧାରଣଙ୍କ ବ୍ୟବହାରକୁ ପ୍ରଭାବିତ କରିବା ଲାଗି ଏକ ବ୍ୟବସ୍ଥା ଭାବେ କାମ କରିଛି ବୋଲି ଆଇଆଇଏମ ରୋହତକର ସର୍ବେକ୍ଷଣରୁ ଜଣାପଡ଼ିଛି। ଏହାର ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ନିଜ ଛୋଟ ଝିଅର ଅଙ୍ଗଦାନ କରିଥିବା ଏକ ଦମ୍ପତିଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ ଯାହାକି ଦେଶର ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରିଥିଲା।

ଶ୍ରୀ ଠାକୁର କହିଥିଲେ ଯେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିବା ସମୟରେ ଆମେ ଦେଶର ଛୋଟ ଛୋଟ ସ୍ଥାନରେ ପ୍ରସ୍ତୁତ ଉପହାର ବିଦେଶୀ ଅତିଥିମାନଙ୍କୁ ଦେଇଥାନ୍ତି, ଏହା ଭାରତର କୋଣଅନୁକୋଣରେ ପ୍ରସ୍ତୁତ ଉତ୍ପାଦକୁ ବିଶ୍ୱସ୍ତରରେ ପରିଚିତି ଓ ପ୍ରସିଦ୍ଧି ଦେଇଥାଏ। ବିଶ୍ୱବ୍ୟାପୀ କରାଯାଇଥିବା ଏକାଧିକ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ମାନ୍ୟତା ମିଳିଛି, ଏହା କେବଳ ମନ କୀ ବାତ୍‌ ଭଳି କାର୍ଯ୍ୟକ୍ରମ କାରଣରୁ ହୋଇପାରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ନିକଟରେ ଆପ୍‌ଲ୍‌ ସିଇଓ ଟିମ୍‌ କୁକ୍‌ ଭାରତ ଗସ୍ତରେ ଆସିଥିବା ସମ୍ପର୍କରେ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆଜି ସାରା ବିଶ୍ୱ ଭାରତକୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହୁଁଛି ଏବଂ ଏହାର ଅର୍ଥବ୍ୟବସ୍ଥା ବୈଶ୍ୱିକ ନିରାଶା ସମୟରେ ଆଶାର ଏକ ଆଲୋକବର୍ତ୍ତିକା ସାଜିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ କାର୍ଯକ୍ରମ ପାଇଁ ଦେଶବାସୀଙ୍କ ଠାରୁ ମତାମତ ଲୋଡ଼ିଥାନ୍ତି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ମନ କୀ ବାତର ମାତ୍ର ୧୫ଟି ଅଧ୍ୟାୟ ପାଇଁ  ୬୧ ହଜାର ମତାମତ ମିଳିଥିଲା। ୨୦୧୭ରେ ଏହି କାର୍ଯ୍ୟକ୍ରମ ଅଧିକ ସମ୍ପ୍ରସାରିତ ହୋଇଥିଲା ଏବଂ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ପ୍ରସାରଣ କରାଯାଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମରେ ୧୦୬ ଜଣ ସଫଳ ବ୍ୟକ୍ତିବିଶେଷ ଯୋଗ ଦେବା ପ୍ରଧାନମନ୍ତ୍ରୀଙ୍କ ସାମୁଦାୟିକ ସହଭାଗିତା ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ଯାହାକି ସାମାଜିକ ପରିବର୍ତ୍ତନର ଏକ ବାହକ। ଲୋକମାନଙ୍କୁ ଅନୁପ୍ରାଣିତ କରିବା ଓ ସଶକ୍ତ କରିବା ଲାଗି ମନ କୀ ବାତର ସାମାଜିକ ପ୍ରଭାବକୁ ସେ ପ୍ରଶଂସା କରିଥିଲେ। ଆକାଶବାଣୀର ଇତିହାସରେ ମନ କୀ ବାତ୍‌ ସବୁଠାରୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ହୋଇପାରିଛି ବୋଲି ସେ କହିଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପତ୍ନୀ ଡକ୍ଟର ସୁଦେଶ ଧନଖଡ଼, ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ମନ କୀ ବାତ୍‌ର ଯାତ୍ରା ବିଷୟରେ ଉଲ୍ଲେଖ କରୁଥିବା ‘ମନ କୀ ବାତ୍‌ ଆଟ୍‌ ୧୦୦ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏହାଛଡ଼ା ପ୍ରସାରଣ ଭାରତୀର ପୂର୍ବତନ ସିଇଓ ଏସ.ଏସ ଭେମ୍ପତିଙ୍କ ରଚିତ ପୁସ୍ତକ ‘କଲେକ୍ଟିଭ୍‌ ସ୍ପିରିଟ୍‌, କଂକ୍ରିଟ୍‌ ଆକ୍ସନ’କୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଜନସାଧାରଣଙ୍କ ସହିତ ସାମାଜିକ, ଆର୍ଥିକ, ପରିବେଶ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଓ ଫିଟନେସ ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ ବିଷୟରେ ବର୍ଣ୍ଣନା କରାଯାଇଛି।

ଏହି ଦିନିକିଆ କାର୍ଯ୍ୟକ୍ରମରେ ନାରୀ ଶକ୍ତି, ବିରାସତ କା ଉଠାନ, ଜନ ସମ୍ବାଦ ସେ ଆତ୍ମନିର୍ଭରତା ଓ ଆହ୍ୱାନ ସେ ଜନ ଆନ୍ଦୋଳନ ଆଦି ବିଷୟବସ୍ତୁ ଉପରେ ଚାରିଟି ଅଧିବେଶନ ଆୟୋଜନ କରାଯାଉଛି।

ସୂଚନା ଯୋଗ ଯେ ୩୦ ଏପ୍ରିଲ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ପ୍ରସାରଣ କରାଯିବ।