Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ପୁଜା ବଜାରରେ ମୁକ୍ତିଲାଭ କଲା ସୁମା ରିୟଲ୍ ମିଡିଆର ଦ୍ୱିତୀୟ ଅବଦାନ “ମନ ମୋ ନେଇ ଗଲୁରେ”

ଭୁବନେଶ୍ୱର: ଦଶହରାରେ ଓଡ଼ିଆ ସିନେ ପ୍ରେମୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୁକ୍ତିଲାଭ କରିଛି ସୁମା ରିୟଲ୍‌ ମିଡିଆର ଦ୍ୱିତୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର “ମନ ମୋ ନେଇ ଗଲୁରେ”। ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଗୁରୁବାର ମୁକ୍ତିଲାଭ କରିଛି। କଟକ ବୃନ୍ଦାବନ ହଲ୍‌ରେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହିତ ସମସ୍ତ କଳାକାରଙ୍କ ଉପସ୍ଥିତରେ ଫିଲ୍ମର ପ୍ରିମିୟର ଶୋ କରାଯାଇଥିଲା।

ଚଳଚ୍ଚିତ୍ରରେ ଅନେକ ସାମାଜିକ ବାର୍ତ୍ତା ରହିଛି। ତା’ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି ତାହା ଚିତ୍ରଣ କରାଯାଇଛି। ଜଣେ ଗରୀବ ଘରର ପିଲା ସହରର ଇଞ୍ଜିନିୟରିଂ କଲେଜରେ ପାଠପଢ଼ା ଭିତରେ କିଭଳି ପ୍ରେମରେ ପଡି ବାଟବଣା ହୋଇଯାଉଛି ଏବଂ ସେହି ପ୍ରେମ ହିଁ ତା’ ଜୀବନକୁ ନୂଆ ବାଟରେ କଢ଼େଇ ନେଉଛି।

ଏଭଳି ଏକ ନୂତନ କାହାଣୀକୁ ନେଇ ରିଲିଜ୍ ହୋଇଛି ଏହି ଚଳଚ୍ଚିତ୍ର। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଭୂମିକା ରହିଛନ୍ତି। ଉଭୟଙ୍କ ରୋମାଂଟିକ୍  ଯୋଡି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି।

ଅନ୍ୟ ଭୂମିକାରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ବିରାଜ ଦାସ, ଗୁଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପିନାକୀ ନାୟକ ଏବଂ ଧରିତ୍ରୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ସଂଳାପ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୟ ନାୟକ। ସିନେମାର ପ୍ରଯୋଜନା କରିଛନ୍ତି ସୁନୀଲ୍ ଦାସ। ଫିଲ୍ମର କାହାଣୀ ଦିଲ୍ଲୀପ କୁମାର ଦାସ ଲେଖିଥିବା ବେଳେ ସମ୍ପାଦନ କରିଛନ୍ତି ରଞ୍ଜନ କୁମାର ଖଟେଇ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍‌-ଟୁବୁନ୍।

ସେହିପରି ଗୀତଗୁଡ଼ିକୁ ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଏବଂ ସଞ୍ଜୟ ନାୟକ ରଚନା କରିଥିବାବେଳେ କଣ୍ଠ ଦାନ କରିଛନ୍ତି ହ୍ୟୁମାନ୍ ସାଗର, ଗୌରବ, କୁଳଦୀପ, ଅସିମା ପଣ୍ଡା, ଅନ୍ତରା, ଜ୍ୟୋର୍ତିମୟୀ ଓ ପ୍ରଜ୍ଞା। ଚିତ୍ର ଉତୋଳନ କରିଛନ୍ତି ଏସ୍‌. ରଞ୍ଜନ୍ (ଚେନ୍ନାଇ)।

କରୋନା ଯୋଗୁଁ ସିନେମା ହଲ୍‌ଗୁଡ଼ିକ ବନ୍ଦ ଥିବା କାରଣରୁ ଫିଲ୍ମ ଦେଖିବା ସମ୍ଭବ ହେଉ ନଥିଲା। ତେଣୁ ପୁଜା ବଜାରରେ ସିନେମା ରିଲିଜ୍ ହେବା ସମୟରେ ହଲ୍ ସମ୍ମୁଖରେ ଦର୍ଶକଙ୍କ ଭିଡ ବେଶ ଦେଖିବାକୁ ମିଳିଥିଲା। ତେଣୁ ଦଶହରାରେ ଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ହାସଲ କରିବ ବୋଲି ଆଶା କରାଯାଏ। ଆଗକୁ ମଧ୍ୟ ସୁମା ରିୟଲ୍ ମିଡିଆ ଆହୁରି ଅନେକ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ରଖାଯାଇଥିବା ପ୍ରଯୋଜକ ସୁନୀଲ୍ ଦାସ କହିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

୧୪ରେ ମୁକ୍ତି ଲାଭ କରୁଛି “ମନ ମୋ ନେଇ ଗଲୁରେ”: ଅଡିଓ ରିଲିଜ୍‌ରେ ଏକାଠି ହେଲେ କଳାକାର

ଭୁବନେଶ୍ୱର: ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’। ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନରେ ପ୍ରସ୍ତୁତ ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍‌ରେ ଆସନ୍ତା ୧୪ରେ ମୁକ୍ତିଲାଭ କରୁଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଇବିସିଏସ୍ କ୍ୟାମ୍ପସ୍‌ ସମ୍ମିଳନୀ କକ୍ଷରେ ଏହାର ଅଡିଓ ରିଲିଜ୍ ହୋଇଯାଇଛି।

ଏହି ଅବସରରେ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳଚ୍ଚିତ୍ରର ସଫଳତା କାମନା ପୂର୍ବକ ଅଡିଓ ରିଲିଜ୍ କରିଥିଲେ। ଏଥି ସହିତ ସୁମା ରିଅଲ୍ ମିଡିଆର ମ୍ୟୁଜିକ୍ ଚ୍ୟାନେଲ୍ ‘ଏସ୍‌ଆର୍‌ଏମ୍‌’ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମ ପରେ ସିନେ ନିର୍ମାଣ ଟିମ୍ ଚଳଚ୍ଚିତ୍ର ସମ୍ପର୍କରେ ଅନୁଭୂତି ବଖାଣି ଥିଲେ। ଏହି ଅବସରରେ ସୁମା ରିଅଲ୍ ମିଡିଆର ସିଇଓ ତଥା ସିନେମାର ପ୍ରଯୋଜକ ସୁନୀଲ ଦାସ କହିଥିଲେ ଯେ ପ୍ରଫେସର ନାୟକଙ୍କ ପ୍ରେରଣା ଓ ତତ୍ୱାବଧାନରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି। ଏହା ସଂସ୍ଥାର ଦ୍ୱିତୀୟ ଚଳଚ୍ଚିତ୍ର। ପ୍ରଥମ ଚଳଚ୍ଚିତ୍ର ଥିଲା ‘ଫେରିଆ’। ଯାହକି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୬ଟି ପୁରସ୍କାର ପାଇବା ସହ ସଫଳତା ସାଉଁଟି ଥିଲା।

ଚଳଚ୍ଚିତ୍ରର କାହାଣୀକାର ଦିଲ୍ଲୀପ କୁମାର ଦାସ କହିଛନ୍ତି, ଏଥିରେ ଅନେକ ସାମାଜିକ ବାର୍ତ୍ତା ରହିଛି। ତା’ ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭିତରେ ନିଜ ଭବିଷ୍ୟତ ସହ ଖେଳନ୍ତି, ତାହା ଚିତ୍ରଣ କରାଯାଇଛି। ଯାହାକୁ ଦେଖି ସେନ୍‌ସର୍ ବୋର୍ଡ ସଦସ୍ୟ ବହୁ ପ୍ରଶଂସା କରିଛନ୍ତି।

ସିନେମାର ନିର୍ଦ୍ଦେଶକ ତଥା ଓଲିଉଡ ଗିମିକ୍ ମାଷ୍ଟର୍ ଡ. ସଞ୍ଜୟ ନାୟକ କହିଛନ୍ତି, ଚଳଚ୍ଚିତ୍ରର ପ୍ରତ୍ୟେକ ଦିଗକୁ ଗୁରୁତ୍ୱ ଦିଆଯାଇଛି। କଳାକାର ଚୟନ, ସଙ୍ଗୀତ, କାହାଣୀ, ପୋଷାକ, ଲୋକେସନ୍ ଓ ନିର୍ଦ୍ଦେଶନା ସବୁ ଦିଗପ୍ରତି ଧ୍ୟାନ ଦିଆଯାଇଛି। କରୋନା କାରଣରୁ ଦୀର୍ଘସମୟ ପ୍ରେକ୍ଷାଳୟ ବନ୍ଦ ରହିଥିଲା। ଏବେ ସ୍ଥିତି କିଛିଟା ସାଧାରଣ ହେବାକୁ ଯାଉଛି। ତେଣୁ ଦଶହରାରେଏହି ଚଳଚ୍ଚିତ୍ର ବ୍ୟବସାୟିକ ସଫଳତା ପାଇବ ବୋଲି ଆଶା କରାଯାଏ।

ସବୁ ରେକର୍ଡ ଭାଙ୍ଗି ଏକ ନୂଆ କୀର୍ତିମାନ ସ୍ଥାପନ ହେବ ବୋଲି ପୁରା ଟିମ୍ ଆଶାବାଦୀ ଅଛନ୍ତି। ସିନେମାର ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ କହିଛନ୍ତି, ମୋ କ୍ୟାରିଅରର ପ୍ରଥମ ସିନେମା ଦଶହରା ପୂଜାରେ ରିଲିଜ୍ ହେଉଛି। ଏଥିପାଇଁ ମୁଁ ଯେତିକି ଉତ୍ସାହିତ ତା’ଠୁ ବେଶି ଖୁସି ଦୀର୍ଘଦିନ ପରେ ପୁଣି ପ୍ରେକ୍ଷାଳୟ ପୂରି ଉଠିବାକୁ ଯାଉଛି। ସିନେମାର ଶୀର୍ଷକ ସଙ୍ଗୀତକୁ ମିଶାଇ ମୋଟ୍ ୪ଟି ଗୀତ ରହିଛି। ଚେଷ୍ଟା କରିଛି ପ୍ରତିଟି ଗୀତ ଭିନ୍ନ କରିବାକୁ। କାରଣ ଡ. ସଞ୍ଜୟ ନାୟକଙ୍କ ସିନେମା ମାନେ ଗୀତ ନିଶ୍ଚୟ ହିଟ୍ ଏବଂ ନିଆରା ହେବା ଆବଶ୍ୟକ। ତେଣୁ ସେହି ବିଶ୍ୱାସ ଓ ଭରସା ରଖି ଭଲପାଇବା ଦେବେ ବୋଲି ଆଶା। ଏହାର
ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡ଼ା ଓ ନିଜେ ଡ. ସଞ୍ଜୟ ନାୟକ।

ଗାଇଛନ୍ତି ହ୍ୟୁମାନ୍ ସାଗର, ଗୌରବ, କୁଲଦୀପ, ଅସୀମା ପଣ୍ଡା, ଅନ୍ତରା, ଜ୍ୟୋତିର୍ମୟୀ ଓ ପ୍ରଜ୍ଞା। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍‌-ଟୁବୁନ୍। ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିରାଜ ଦାସ, ଗୁଡ୍ଡୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପ୍ରଦ୍ୟୁମ୍ନ ଲେଙ୍କା, ପିନାକୀ ନାୟକ, ଧରିତ୍ରୀ ଓ ଅନ୍ୟମାନେ ରହିଛନ୍ତି। ଡ. ସଞ୍ଜୟ ନାୟକ ସିନେମାର ସଂଳାପ ସାଙ୍ଗକୁ ଚିତ୍ରନାଟ୍ୟ ମଧ୍ୟ ପ୍ରସ୍ତୁତ କରିଛନ୍ତି। କ୍ୟାମେରା ପରିଚାଳନା ଚେନ୍ନାଇର ଏସ୍‌. ରଞ୍ଜନ କରିଥିବା ବେଳେ ସମ୍ପାଦନା କରିଛନ୍ତି ରଞ୍ଜନ କୁମାର ଖଟେଇ।

ଏହି ଅଡିଓ ରିଲିଜ୍ ଉତ୍ସବରେ ଅନ୍ୟତମ ଅତିଥି ଭାବେ ସୁମା ରିଅଲ୍ ମିଡିଆର ସେଲ୍ସ ଆଣ୍ଡ୍ ମାର୍କେଟିଂ ଡାଇରେକ୍ଟର ହିମାଂଶୁ ହୋତା ଏବଂ ‘ନ୍ୟୁଜ୍‌-୭’ କାର୍ଯ୍ୟ ନିର୍ବାହୀ ସମ୍ପାଦକ ଦେବ ନାରାୟଣ ସେଠୀ ଓ ଅନ୍ୟମାନେ ଯୋଗଦେଇ ଚଳଚ୍ଚିତ୍ରର ସଫଳତା କାମନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ସ୍କ୍ରିପ୍ଟ ପୂଜା କରାଗଲା ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଓଡିଆ ଚଳଚ୍ଚିତ୍ର ‘ମନ ମୋ ନେଇ ଗଲୁରେ’

ଭୁବନେଶ୍ୱର: ସୁମା ରିଅଲ ମିଡିଆର ଦ୍ୱିତୀୟ ଓଡିଆ ଚଳଚ୍ଚିତ୍ର ‘ମନ ମୋ ନେଇ ଗଲୁରେ’ର ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ ହୋଇଯାଇଛି। ନ୍ୟୁଜ୍‌- ୭ କାର୍ଯ୍ୟାଳୟରେ ବିଘ୍ନ ହର୍ତ୍ତା ଶ୍ରୀ ବିନାୟକଙ୍କର ଚରଣାରବିନ୍ଦରେ ଭକ୍ତି ଅର୍ଘ୍ୟ ପ୍ରଦାନ ପୂର୍ବକ ଏହାର କାହାଣୀର ପୂଜାର୍ଚ୍ଚନା କରାଯାଇଥିଲା। ସୁମା ରିଅଲ ମିଡିଆର ସିଇଓ ସୁନୀଲ ଦାସଙ୍କ ଉପସ୍ଥିତିରେ ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ ହୋଇଥିଲା।

ଚଳଚ୍ଚିତ୍ରର କାହାଣୀ ଦିଲ୍ଲୀପ କୁମାର ଦାସ ରଚନା କରିଥିବା ବେଳେ, ସୁନୀଲ କୁମାର ଦାସ ପ୍ରଯୋଜନା କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସଞ୍ଜୟ ନାୟକ ଦେଉଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ବୈଦନାଥ ଦାସ।

ଏହି ଚଳଚ୍ଚିତ୍ରର କାହାଣୀ ଯୁବପୀଢିଙ୍କୁ ନେଇ ହୋଇଛି। କଲେଜ୍‌ରେ ପାଠ ପଢିବା ବେଳେ ହେଉଥିବା ବିଭିନ୍ନ ଘଟଣାବଳୀକୁ ନେଇ ଏହି ସିନେମାର କାହାଣୀ ରଚନା କରାଯାଇଛି। କଲେଜର ପଢା ମାହୋଲ ସହ ଅନ୍ୟ ଚାଳିଚଳନ ଭିତରେ ପିଲାମାନେ କିପରି ବାଟବଣା ହୋଇଯାଆନ୍ତି ମାତ୍ର ଅନ୍ୟ କିଛି ପିଲା ନିଜର ଲକ୍ଷ୍ୟ ପଥ ଭ୍ରଷ୍ଟ ହଉଅନ୍ତି ନାହିଁ ତାହାହିଁ ଏହି ସିନେମାର ମୁଖ୍ୟ ବିଷୟବସ୍ତୁ।

ଲଭ୍‌, ରୋମାନ୍ସ ଏବଂ ଇମୋସନ୍‌ ସହ ସସ୍‌ପେନ୍ସ ସବୁ କିଛି ଏହି ସିନେମାରେ ଦେଖିବା ପାଇଁ ମିଳିବ। ଦର୍ଶକମାନଙ୍କୁ ଏହାର କାହାଣୀ , ଚିତ୍ରନାଟ୍ୟ, ସଂଳାପ ଏବଂ ସଙ୍ଗୀତ ନିଶ୍ଚୟ ଆକୃଷ୍ଟ କରିବ।

ଓଲିଉଡ୍‌ରୁ ଚୁଲ୍‌ବୁଲି ନାୟିକା ଭୂମିକା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଜଣେ ନୂଆ ଅଭିନେତାଙ୍କୁ ନାୟକ ଭାବେ ସୁଯୋଗ ଦିଆଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଅନ୍ୟ ଚରିତ୍ରମାନଙ୍କରେ ଲୋକପ୍ରିୟ ହାସ୍ୟାଭିନେତା ଗୁଡ୍ଡୁ , ଜ୍ଞାନଙ୍କୁ ଦେଖିବା ପାଇଁ ମିଳିବ। ଏହାସହ ପ୍ରେମାଞ୍ଜନ ପରିଡା, ଅଶ୍ରୁମୋଚନ, ବିଜୁ ବଡଜେନା,ଜୀବନ ପଣ୍ଡା ସିନେମାରେ ଅଭିନୟ କରିବେ।

ଏହାର ସ୍କ୍ରିପ୍ଟପୂଜା ସମୟରେ ନ୍ୟୁଜ-୭ କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରମେୟ ଇଂରାଜୀ ପୋର୍ଟାଲ ମୁଖ୍ୟ ସୁବ୍ରତ ଦାସ, ପ୍ରମେୟ -ନ୍ୟୁଜ ୭ ପୋର୍ଟାଲ ମୁଖ୍ୟ ଅମରେଶ ଦାସ, ନ୍ୟୁଜ-୭ ଆଉଟପୁଟ ମୁଖ୍ୟ ମିହିର ଆଚାର୍ଯ୍ୟ, ମାନବସମ୍ବଳ ପ୍ରବନ୍ଧକ ପିନାକି ନାୟକ, ସେଲ୍ସ ହେଡ ସିଦ୍ଧାର୍ଥ ରାୟ, ଅମରେନ୍ଦ୍ର ମହାପାତ୍ର, ବିଜୟ ମହାନ୍ତିଙ୍କ ସହ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।