Categories
ବିଶେଷ ଖବର ରାଜ୍ୟ ଖବର

ଆଜି ବିଧାନସଭା ଭିତରେ ପଶିଗଲେ ଜଣେ ପୂଜାରୀ, ସୁରକ୍ଷା କର୍ମି ହେଲେ ବାଉଳା

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭ ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ ବିଧାନସଭା ଗୃହ ଭିତରକୁ ଜଣେ ବ୍ରାହ୍ମଣ ପଶିଗଲେ। ସୁରକ୍ଷା କର୍ମି ଟିକିଏ ହଡବଡେଇ ଗଲେ। କାରଣ ହଠାତ୍ ସେମାନେ ଏହି ବ୍ରାହ୍ମଣଙ୍କୁ ଚିହ୍ନିପାରିଲେ ନାହିଁ। କିଛି ମୁର୍ହୁତ ପରେ ଜାଣିଲେ ଯେ ସେ ହେଉଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ଆଜି କଂଗ୍ରେସ ବିଧାୟକ ଏକ ଅଭିନବ ଢଙ୍ଗରେ ବିଧାନସଭାରେ ପ୍ରତିବାଦ କରିବାକୁ ଆସିଥିଲେ। ସେ ବ୍ରାହ୍ମଣ ବା ପୂଜାରୀ ବେଶଧାରଣ କରି ବିଧାନସଭାରେ ପ୍ରବେଶ କରିଥିଲେ। ତାଙ୍କର ସହିକ କଥା ହେଲା ଯେ, ଏହି ପବିତ୍ର ଗୃହ ଅପବିତ୍ର ହୋଇଯାଇଛି। ତେଣୁ ତାହାକୁ ପୂଜାପାଠ କରି ପବିତ୍ର କରାଯିବ। ସେଥିପାଇଁ ସେ ପୂଜା କରିବା ପାଇଁ ଆସିଛନ୍ତି।

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟକୁ ଉଠି ଆସି ମମିତା ମେହେରଙ୍କ ନ୍ୟାୟ ଦାବୀ କରିଥିଲେ। ପୂଜକ ବେଶରେ ଥିବା ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭା ଗୃହରେ ପୂଜାର୍ଚ୍ଚନା କରିବା ସହ ତୁଳସୀ, ଗୋମୂତ୍ର, ଗଙ୍ଗାଜଳ ଛିଞ୍ଚିଥିଲେ।

ସେହିପରି ବିଧାୟକ ମହମ୍ମଦ ମୋକ୍କିମ ନମାଜ ପଢିଥିବା ବେଳେ ବିଧାୟକ ଏସ ରାଜନ ଏକ୍କା ବାଇବେଲ ଗ୍ରନ୍ଥ ପାଠ କରିଥିଲେ ଏବଂ ବିଧାୟକ ସନ୍ତୋଷ ସିଂହ ସାଲୁଜା ଶିଖ ଧର୍ମ ଗ୍ରନ୍ଥ ପାଠ କରିଥିଲେ। ଅନ୍ୟ ବିଧାୟକ ମାନେ ଘଣ୍ଟ ବଜେଇ ଓ ପ୍ଲା କାର୍ଡ ପ୍ରଦର୍ଶନ କରି ଅଭିନବ ଉପାୟରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଗୃହରେ ପ୍ରତିବାଦ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷରେ ମମିତା ମେହେର ହତ୍ୟା ଘଟଣାରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ କହିଲେ

ଭୁବନେଶ୍ବର: ଦୀର୍ଘ ନିରବତା ପରେ ଶେଷରେ ମମିତା ହତ୍ୟା ଘଟଣାରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବିଧାନସଭାରେ ମମିତା ହତ୍ୟା ଘଟଣାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ ଏହି ଘଟଣାଟି ଏକ ବଡ ସମ୍ବେଦେନଶୀଳ ଘଟଣା। ଓଡିଶା କନ୍ୟା ମମିତା ହତ୍ୟା ଘଟଣାରେ ଯେଉଁମାନେ ଜଡିତ ସେମାନେ ନିଶ୍ଚିତ ଦଣ୍ଡ ପାଇବେ। ହେଲେ ଏପରି ଏକ ସମ୍ବେଦେନଶୀଳ ଘଟଣାରେ ଅଯଥା ରାଜନୀତି କରାଯାଉଛି ବୋଲି ନବୀନ ବିବୃତି ରଖିଛନ୍ତି।

ଏକ ଦୀର୍ଘ ଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ହତ୍ୟା ଘଟଣାରେ ଜଣେ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ ହୋଇଛନ୍ତି। ତଦନ୍ତ କରିବା ପାଇଁ ଉଚ୍ଚ ନ୍ୟାୟାଳୟକୁ ଜଣେ ବିଚାରପତିଙ୍କୁ ନିଯୁକ୍ତ କରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ସେହି ଅନୁସାରେ ଏହି ଘଟଣା ଜଣେ ନିରପେକ୍ଷ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ତଦନ୍ତ ହେବ। ଆମର ନ୍ୟାୟିକ ତଦନ୍ତ ପ୍ରତି ବିଶ୍ବାସ ରହିଛି। ବିରୋଧୀମାନେ ମଧ୍ୟ ମଧ୍ୟ ସେଥିରେ ବିଶ୍ବାସ କରି ତଦନ୍ତକୁ ଅପେକ୍ଷା କରିବା ଉଚିତ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ଦଳ ଜଣେ ନିର୍ବାଚିତ ପ୍ରତିନିଧୀଙ୍କୁ ତାଙ୍କର ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ସୁଯୋଗ ଦେଉ ନାହାଁନ୍ତି। ନବୀନ ଦିବ୍ୟଶଙ୍କର ନାମ ନ ନେଇ କହିଲେ ଯେ, ସେହି ବିଧାୟକଙ୍କୁ ବିଧାନସଭାରେ ତାଙ୍କ କାମ କରିବା ପାଇଁ ପ୍ରତିରୋଧ କରୁଛନ୍ତି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଠିକ ନୁହେଁ ବୋଲି ନବୀନ ତାଙ୍କ ବିବୃତିରେ କହିଛନ୍ତି।

ସେ କହିଛନ୍ତି ଯେ, ପୂର୍ବରୁ ଅନେକ ଘଟଣା ସିବିଆଇ ତଥା ଅନ୍ୟ ସଂସ୍ଥା ତଦନ୍ତ କରିଛନ୍ତି। ସେହିପରି ରାଜ୍ୟ ପୋଲିସ ମଧ୍ୟ ବହୁ ଘଟଣା ତଦନ୍ତ କରିଛି। ହେଲେ କେଉଁଠାରେ ହେଲେ ମଧ୍ୟ ରାଜ୍ୟ ପୋଲିସ ତାହାର ବିଫଳତା ପ୍ରକାଶ କରି ନାହିଁ। ତେଣୁ ବିରୋଧୀଙ୍କୁ ମୁଁ ପ୍ରତିଶୃତି ଦେଉଛି ଯେ, ମୋ ସରକାର ସଠିକ ତଦନ୍ତ କରି ମେହେର ପରିବାରକୁ ନ୍ୟାୟ ପ୍ରଦାନ କରିବ।

ଶେଷରେ ନବୀନ କହିଛନ୍ତି ଯେ ବିରୋଧୀ ଦଳକୁ ମୁଁ ଅନୁରୋଧ କରୁଛି ଯେ, ଏପରି ଏକ ସମ୍ବେଦନଶୀଳ ଘଟଣାରେ ରାଜନୀତି ନ କରି ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତୁ। ଯଦି ବିରୋଧୀଙ୍କ ପାଖରେ ଏହି ଘଟଣା ସହିତ କୌଣସି ପ୍ରମାଣ ଅଛି ତେବେ କୋର୍ଟରେ ଦାଖଲ କରନ୍ତୁ। ହେଲେ ଗୃହ କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି ନବୀନ ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି। ( ଏଥିରେ ଥିବା ଫଟୋଟି ଏକ ପୁରୁଣା ଫଟୋ)