Categories
ଆଞ୍ଚଳିକ

ଖବର ପ୍ରସାରଣ ପରେ ସଜାଗ ହେଲା ପ୍ରଶାସନ: ଆରମ୍ଭ ହେଲା ବାଣପୁର କେନାଲ ରୋଡ ମରାମତି କାର୍ଯ୍ୟ

ବାଣପୁର: ଖବର ପ୍ରସାରଣ ପରେ ପ୍ରଶାସନ ଆକ୍ସନ ମୋଡରେ ଆସିଛି। ବାଣପୁର ଅନ୍ତରକିଆରି କେନାଲ ରୋଡ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରକାଶ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ କେନାଲ ରୋଡର ସ୍ଥିତିକୁ ନେଇ ସମୀକ୍ଷା ନିୟୁଜରେ ଗତ ୧୭ ତାରିଖ ଦିନ ଖବର ପ୍ରସାରଣ ହୋଇଥିଲା। ସାମାନ୍ୟ ବର୍ଷା ହେଲେ ଉକ୍ତ ରୋଡ ଦେଇ ପାଣି କେନାଲକୁ ପ୍ରବାହିତ ହେଉଥିବା ଯୋଗୁଁ ରୋଡରୁ ପିଚୁ ଉଠିଯିବା ସହ ବଡ଼ ବଡ଼ ଗତ୍ର ହୋଇଯାଇଥିଲା।

ଯାହାଫଳରେ ଉକ୍ତ ରୋଡରେ ଗତ ଏକ ବର୍ଷ ମଧ୍ୟରେ ଦଶରୁ ଉର୍ଦ୍ଧ୍ଵ ବଡ଼ ଦୁର୍ଘଟଣା ଏବଂ ପ୍ରତ୍ୟେକ ଦିନ ଏକାଧିକ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଥିବା ଅଭିଯୋଗ ହେଉଥିଲେ  ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିଲେ।

ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟାଙ୍ଗୀ ଏସଡ଼ିଓ ସୁଧାକର ନାୟକଙ୍କୁ ଏ ବାବଦରେ ପଚାରିଯାଇଥିଲା। ସେ ଖୁବଶୀଘ୍ର ଉକ୍ତ ରୋଡ ପରିଦର୍ଶନ କରି ତଦନୁଯାୟୀ ପଦକ୍ଷେପ ନେବେ ବୋଲି କହିଥିଲେ। ତେବେ ନୂଆ ରୋଡ ନିର୍ମାଣ ସମୟ ସାପେକ୍ଷ ହୋଇଥିବା ବେଳେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବାଣପୁରବାସୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ତେବେ ଏହାକୁ ଗୁରୁତର ସହ ନେଇ ଆଜି ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବିଭାଗୀୟ ଅଧିକାରୀ ତ୍ରିଲୋଚନ ପାତ୍ରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଏହି ରାସ୍ତା ଦେଇ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ କରିବା ଜରୁରୀ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ନଚେତ୍ ରୋଡଟି ପୁନର୍ବାର ସେହି ପୁରୁଣା ସ୍ଥିତିକୁ ଆସିଯିବ ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି।