Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ଅନ୍ୟମାନଙ୍କ ଅପେକ୍ଷା ଉନ୍ନତ ରହିଥିଲା ଜିଓର ୫ଜି ସ୍ପିଡ୍: ଓକଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓର ୫ଜି ନେଟୱାର୍କ ମହାକୁମ୍ଭମେଳାରେ ଚମତ୍କାର ପ୍ରଦର୍ଶନ କରିଥିଲା। ଓକଲା ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମହାକୁମ୍ଭରେ ରିଲାଏନ୍ସ ଜିଓର ନେଟୱାର୍କ ସ୍ପିଡ୍ କେବଳ ଯେ ସବୁଠାରୁ ଦ୍ରୁତ ଥିଲା ତାହା ନୁହେଁ, ଏହା ୫ଜି ନେଟୱାର୍କ ଉପଲବ୍ଧତାରେ ପ୍ରତିଦ୍ୱନ୍ଦ୍ୱୀ ଭାରତୀ ଏୟାରଟେଲକୁ ମଧ୍ୟ ବହୁ ପଛରେ ପକାଇ ଦେଇଛି। ଓକଲା ତାର ରିପୋର୍ଟରେ ଉଲ୍ଲେଖ କରିଛି ଯେ ମହାକୁମ୍ଭରେ ୫ଜି ନେଟୱାର୍କର ଗତି ୪ଜି ତୁଳନାରେ ପ୍ରାୟ ୯ ଗୁଣ ଅଧିକ ଥିଲା। ସୂଚନାଯୋଗ୍ୟ ଯେ ପ୍ରୟାଗରାଜରେ ମହାକୁମ୍ଭମେଳା ଜାନୁୟାରୀ ଆରମ୍ଭରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

୫ଜି ନେଟୱାର୍କ କାର୍ଯ୍ୟଦକ୍ଷତାରେ ଜିଓ ହାରାହାରି ୨୦୧.୮୭ ଏମବିପିଏସ ଡାଉନଲୋଡ୍ ସ୍ପିଡ୍ ସହିତ ସବୁଠାରୁ ଆଗରେ ରହିଥିବା ବେଳେ ଏହା ପଛକୁ ଏୟାରଟେଲ ୧୬୫.୨୩ ଏମବିପିଏସ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା। ମହାକୁମ୍ଭ ସମୟରେ ରିଲାଏନ୍ସ ଜିଓର ୫ଜି ନେଟୱାର୍କର ହାରାହାରି ଡାଉନଲୋଡ୍ ସ୍ପିଡ୍ ଏୟାରଟେଲ ଅପେକ୍ଷା ପ୍ରାୟ ୩୬ ଏମବିପିଏସ ଅଧିକ ରହିଥିଲା। ଭାରତରେ କେବଳ ଜିଓ ଏବଂ ଏୟାରଟେଲ୍ ୫ଜି ସେବା ପ୍ରଦାନ କରନ୍ତି। ମହାକୁମ୍ଭ କ୍ଷେତ୍ରରେ ୫ଜି ନେଟୱାର୍କ ଉପଲବ୍ଧତା କ୍ଷେତ୍ରରେ ମଧ୍ୟ ଜିଓ ଆଗରେ ଥିଲା, ମେଳା ପରିସରରେ ଜିଓର ୫ଜି ନେଟୱାର୍କର ଉପଲବ୍ଧତା ୮୯.୯% ଥିଲା ଯାହା ଏୟାରଟେଲର ୪୨.୪% ଉପଲବ୍ଧତା ତୁଳନାରେ ଦୁଇଗୁଣରୁ ଅଧିକ ଥିଲା। ଏହାର ଅର୍ଥ ହେଉଛି ଜିଓ ୫ଜି ନେଟୱାର୍କ ଅଧିକ ସଂଖ୍ୟକ ଗ୍ରାହକଙ୍କ ପାଇଁ ଉପଲବ୍ଧ ଥିଲା, ଯାହା ଏହାର ବ୍ୟବହାରକାରୀଙ୍କୁ ଉତ୍ତମ କଭରେଜ୍ ଏବଂ ସଂଯୋଗ ପ୍ରଦାନ କରୁଥିଲା।

ମହାକୁମ୍ଭ ସମୟରେ ପ୍ରବଳ ଭିଡ଼ ସତ୍ତ୍ୱେ, ୫ଜି ନେଟୱାର୍କ ୪ଜି ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲା। ରିପୋର୍ଟ ଅନୁଯାୟୀ ଜାନୁୟାରୀ ପ୍ରାରମ୍ଭରେ ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୨୫୯.୬୭ ଏମବିପିଏସ ରହିଥିଲା, ଯାହା ପ୍ରବଳ ଭିଡ଼ ରହିଥିବା ଜାନୁୟାରୀ ୨୬ ତାରିଖରେ ୧୫୧.୦୯ ଏମବିପିଏସକୁ ହ୍ରାସ ପାଇଥିଲା, କିନ୍ତୁ ମେଳା ଶେଷ ସୁଦ୍ଧା ଏହା ପୁଣି ୨୦୬.୮୨ ଏମବିପିଏସକୁ ବୃଦ୍ଧି ପାଇଥିଲା। ଅତ୍ୟଧିକ ଭିଡ଼ ସମୟରେ ମଧ୍ୟ ଇଣ୍ଟରନେଟ ବ୍ରାଉଜିଂ ଏବଂ ଭିଡିଓ ପ୍ଲେବ୍ୟାକ୍‌ରେ କୌଣସି ବିଶେଷ ବିଳମ୍ବ ରହିନଥିଲା ବୋଲି ଓକଲା ଏହାର ରିପୋର୍ଟରେ ପ୍ରକାଶ କରିଛି।

Categories
ଆଜିର ଖବର ଜାତୀୟ ଖବର

ସୋମନାଥ ମନ୍ଦିରରେ ପ୍ରତ୍ୟେକ ଭାରତୀୟଙ୍କ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସୋମନାଥ ମନ୍ଦିରରେ ଠାକୁର ଦର୍ଶନ କରିଛନ୍ତି।

ଏକ୍ସ ରେ ଭିନ୍ନ ଭିନ୍ନ ପୋଷ୍ଟରେ ସେ ଲେଖିଛନ୍ତି :

“ପ୍ରୟାଗରାଜରେ ମହାକୁମ୍ଭ ଶେଷ ହେବା ପରେ ସୋମନାଥ ଯିବି ବୋଲି ମୁଁ ନିଷ୍ପତ୍ତି ନେଇଥିଲି, ଯାହାକି ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ।

ଆଜି ସୋମନାଥ ମନ୍ଦିରରେ ପ୍ରାର୍ଥନା କରି ମୁଁ ନିଜକୁ ଧନ୍ୟ ମଣୁଛି। ମୁଁ ପ୍ରତ୍ୟେକ ଭାରତୀୟଙ୍କ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛି। ଏହି ମନ୍ଦିର ଆମ ସଂସ୍କୃତିର ସାହସ ଏବଂ କାଳଜୟୀ ଐତିହ୍ୟକୁ ଦର୍ଶାଉଛି।”

“ପ୍ରୟାଗରାଜରେ ଏକତାର ମହାକୁମ୍ଭ କୋଟି କୋଟି ଦେଶବାସୀଙ୍କ ପ୍ରୟାସରେ ସମ୍ପନ୍ନ ହୋଇଛି। ମୁଁ ଏକ ସେବକ ଭାବେ ମନ ମଧ୍ୟରେ ସଂକଳ୍ପ ନେଇଥଲି ଯେ ମହାକୁମ୍ଭ ପରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ ଜ୍ୟୋତିର୍ଲିଙ୍ଗ ଶ୍ରୀ ସୋମନାଥଙ୍କ ପୂଜାର୍ଚ୍ଚନା କରିବି।

ଆଜି ସୋମନାଥ ଦାଦାଙ୍କ ଆଶୀର୍ବାଦରେ ସେହି ସଂକଳ୍ପ ପୂର୍ଣ୍ଣ ହୋଇଛି। ମୁଁ ସମସ୍ତ ଦେଶବାସୀଙ୍କ ପକ୍ଷରୁ ଏକତାର ମହାକୁମ୍ଭର ସଫଳ ସିଦ୍ଧିକୁ ଶ୍ରୀ ସୋମନାଥ ଭଗବାନଙ୍କ ଚରଣରେ ସମର୍ପିତ କରିଛି। ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରିଛି।”

Categories
ଆଜିର ଖବର ଜାତୀୟ ଖବର

ପ୍ରୟାଗରାଜର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ପରିଦର୍ଶନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ପ୍ରୟାଗରାଜ: ପ୍ରୟାଗରାଜକୁ ଦିନିକିଆ ଗସ୍ତ ସମୟରେ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବ୍ୟକ୍ତିଗତ ଭାବେ ରେଳ ଅଧିକାରୀ ଏବଂ କର୍ମଚାରୀଙ୍କୁ ଭେଟି ମହାକୁମ୍ଭ ୨୦୨୫ରେ ସେମାନଙ୍କର ଯୋଗଦାନକୁ ଉଚ୍ଚପ୍ରଶଂସା କରିଛନ୍ତି। ଜାନୁଆରୀ ୧୩ରୁ ଫେବୃଆରୀ ୨୬ ମଧ୍ୟରେ ଅନୁଷ୍ଠିତ ମହାକୁମ୍ଭ ସମୟରେ ଦେଶର ସମସ୍ତ ଭାଗରୁ କୋଟି କୋଟି ଭକ୍ତଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିଥିବା ରେଳ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କର ଅବଦାନକୁ ରେଳ ମନ୍ତ୍ରୀ ପ୍ରଶଂସା କରିଥିଲେ।

ଏହି ଗସ୍ତ ସମୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରୟାଗରାଜ ଜଙ୍କସନ ରେଳ ଷ୍ଟେସନ (ଏନସିଆର), ପ୍ରୟାଗ ଜଙ୍କସନ ରେଳ ଷ୍ଟେସନ (ଏନଆର), ପ୍ରୟାଗରାଜ ରାମବାଗ ରେଳ ଷ୍ଟେସନ (ଏନଇଆର) ଏବଂ ସୁବେଦାରଗଞ୍ଜ ରେଳ ଷ୍ଟେସନ ପରିଦର୍ଶନ କରିଥିଲେ। ମହାକୁମ୍ଭ ସମୟରେ ସେବା ପ୍ରଦାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସେ ଭେଟିଥିଲେ ଏବଂ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ରେଳ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ରେଳ ପ୍ରଶାସନ, ବେସାମରିକ ପ୍ରତିରକ୍ଷା, ସରକାରୀ ରେଳ ପୁଲିସ (ଜିଆରପି), ରେଳବାଇ ସୁରକ୍ଷା ବାହିନୀ (ଆରପିଏଫ), ଯାନ୍ତ୍ରିକ, ବୈଦ୍ୟୁତିକ ଏବଂ ଇଞ୍ଜିନିୟରିଂ ବିଭାଗର ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, ଭାରତୀୟ ରେଳବାଇ ପ୍ରଥମେ ଏହି କାର୍ଯ୍ୟକ୍ରମ ପାଇଁ ୧୩,୦୦୦ ଟ୍ରେନ୍ ଚଳାଇବାକୁ ଯୋଜନା କରିଥିଲା, କିନ୍ତୁ ଶେଷରେ, ଭକ୍ତମାନଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ୧୬,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳିତ ହୋଇଥିଲା। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ରେଳବାଇ ମହାକୁମ୍ଭ ସମୟରେ ପ୍ରାୟ ୪.୫ ରୁ ୬ କୋଟି ଭକ୍ତଙ୍କୁ ପ୍ରୟାଗରାଜକୁ ଏବଂ ସେଠାରୁ ସଫଳତାର ସହ ପରିବହନ କରିଛି।
କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଥିଲେ ଯେ ୨୧ରୁ ଅଧିକ ଫ୍ଲାଇଓଭର, ଅଣ୍ଡରପାସ ଏବଂ ସେତୁ ନିର୍ମାଣ ପାଇଁ ୫ହଜାର କୋଟି ଟଙ୍କା ନିବେଶ ସହିତ ମହାକୁମ୍ଭ ପାଇଁ ପ୍ରସ୍ତୁତି ଅଢ଼େଇ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।

ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ ବିଶ୍ୱ ସମ୍ମୁଖରେ ଭାରତର ଏକତା ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିଛି। ସେ ଆହୁରି ମଧ୍ୟ କହିଥିଲେ, ମହାକୁମ୍ଭ ହେଉଛି ଦେଶର ବିଶ୍ୱାସ ଏବଂ ଏକତାର ପ୍ରତୀକ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସମସ୍ତ ବିଭାଗର ମିଳିତ ପ୍ରୟାସକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ରେକର୍ଡ ସୃଷ୍ଟି କଲା ରେଳବାଇ: ୪୨ ଦିନରେ ପରିଚାଳନା କଲା ୧୫ ହଜାରରୁ ଅଧିକ ଟ୍ରେନ୍

ଭୁବନେଶ୍ୱର: ମାତ୍ର ୪୨ ଦିନରେ ୧୫ ହଜାରରୁ ଅଧିକ ଟ୍ରେନ୍ ପରିଚାଳନା କରି ଭାରତୀୟ ରେଳବାଇ ଚଳିତ ମହାକୁମ୍ଭ ୨୦୨୫ ସମୟରେ ଏକ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିଛି ଯାହା ପ୍ରାରମ୍ଭିକ ଲକ୍ଷ୍ୟ ୧୩,୫୦୦ ଟ୍ରେନ୍ ଅପେକ୍ଷା ବହୁତ ଅଧିକ। ଏହି ରେକର୍ଡ ଭାଙ୍ଗିବା କାର୍ଯ୍ୟରେ ସାରା ଦେଶରୁ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ ଯେଉଁଥିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ମଧ୍ୟ ରହିଛି।

ପୂର୍ବତଟ ରେଳପଥ ଓଡ଼ିଶାର ୨୫ ଟି ପ୍ରମୁଖ ସହରରୁ ୬୦ ଟି ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା କରି ତୀର୍ଥଯାତ୍ରୀଙ୍କ ଯାତ୍ରାକୁ ସହଜ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଟ୍ରେନ୍ ଗୁଡ଼ିକ ପବିତ୍ର ପ୍ରୟାଗରାଜ ସହରରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମରେ ସ୍ନାନ କରିବା ପାଇଁ ଯାତ୍ରା କରୁଥିବା ଭକ୍ତମାନଙ୍କୁ ସୁଗମ ସଂଯୋଗ ପ୍ରଦାନ କରିଛି ଯାହା ମହାକୁମ୍ଭ ସମୟରେ ଏକ ପ୍ରମୁଖ ରୀତି।

ନିୟମିତ ଟ୍ରେନ୍ ସେବା ସହିତ ରେଳ ପ୍ରଶାସନ ସୁନିଶ୍ଚିତ କରିଥିଲା ଯେ ଓଡ଼ିଶାର ପ୍ରତ୍ୟେକ କୋଣରୁ ତୀର୍ଥଯାତ୍ରୀମାନେ ନିକଟବର୍ତ୍ତୀ ଅଞ୍ଚଳ ଏବଂ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରୁ ଟ୍ରେନ୍ ଚଢ଼ିପାରିବେ। ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ବାଲୁଗାଁ, ଯାଜପୁର କେଉଁଝର ରୋଡ୍, ଯଖପୁରା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝରଗଡ଼, ଢେଙ୍କାନାଳ, ସମ୍ବଲପୁର, ରାୟଗଡ଼ା, ଟିଟିଲାଗଡ଼, ବଲାଙ୍ଗୀର ଏବଂ ଅନ୍ୟାନ୍ୟ ସହରଗୁଡ଼ିକୁ ସମର୍ପିତ ସ୍ୱତନ୍ତ୍ର ଟ୍ରେନ୍ ମାଧ୍ୟମରେ ପ୍ରୟାଗରାଜ ସହିତ ସଂଯୋଗ କରାଯାଇଥିଲା।

ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଅତିରିକ୍ତ ବ୍ୟବସ୍ଥା ମଧ୍ୟ କରିଥିଲା ଯେଉଁଥିରେ ପ୍ରୟାଗରାଜ ନିକଟରେ ଅତିରିକ୍ତ ରେକ୍ ରଖାଯାଇଥିଲା ଯାହାକୁ ଆବଶ୍ୟକତା ଅନୁସାରେ ବ୍ୟବହାର କରାଯାଇପାରିବ। କୁମ୍ଭ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ନାନ ତାରିଖ ମଧ୍ୟରୁ ମହା ଶିବରାତ୍ରି ସ୍ନାନ ପରେ ବିଶେଷ ବ୍ୟବସ୍ଥା କରାଯାଇଥିଲା ଯାହା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ସୁଗମ ଯାତ୍ରା ସୁନିଶ୍ଚିତ କରିଥିଲା।

ସ୍ୱତନ୍ତ୍ର ସେବା ସମେତ ୧୫,୦୦୦ ରୁ ଅଧିକ ଟ୍ରେନର ପରିଚାଳନା ଭାରତୀୟ ରେଳବାଇର ଅକ୍ଳାନ୍ତ ପ୍ରୟାସର ପ୍ରମାଣ ଯାହାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ତଦାରଖ କରୁଥିଲେ। ରେଳବାଇ ବୋର୍ଡର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିଵାହୀ ଅଧିକାରୀ ଶ୍ରୀ ସତୀଶ କୁମାର ମଧ୍ୟ ଏହି କାର୍ଯ୍ୟଗୁଡ଼ିକର କାର୍ଯ୍ୟାନ୍ୱୟନକୁ ସକ୍ରିୟ ଭାବରେ ତଦାରଖ କରୁଥିଲେ। ରେଳବାଇ ଦଳଗୁଡ଼ିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଯାତ୍ରୀମାନଙ୍କୁ ଆରାମ ଏବଂ ସୁରକ୍ଷା ପ୍ରଦାନ କରିବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରିଛନ୍ତି।

ରେଳବାଇ ସହଜ ଟିକେଟିଂ ବିକଳ୍ପ ପ୍ରଦାନ କରିବା ସହ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରି ଏବଂ ତୀର୍ଥଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ସମୟରେ ଆଶ୍ରୟ ପ୍ରଦାନ କରି ଯାତ୍ରୀଙ୍କ ଅଭିଜ୍ଞତା ବୃଦ୍ଧି କରିବା ଉପରେ ମଧ୍ୟ ଧ୍ୟାନ ଦେଇଥିଲା। ଏହି ପଦକ୍ଷେପଗୁଡ଼ିକ ଯାତ୍ରୀମାନଙ୍କ ପାଇଁ ସର୍ବାଧିକ ଯତ୍ନ ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ବିଶେଷକରି ମହାସ୍ନାନ ଓ ଶିବରାତ୍ରି ଭଳି ପ୍ରମୁଖ ତୀର୍ଥ ଦିବସ ଗୁଡ଼ିକରେ।

ଓଡିଶାରୁ ନିୟମିତ ଟ୍ରେନ ସେବା ସହିତ ୬୦ ଟି ସ୍ୱତନ୍ତ୍ର ଟ୍ରେନ୍‌ର ଏହି ଐତିହାସିକ ପରିଚାଳନା ୨୦୨୫ ମହାକୁମ୍ଭ ପାଇଁ ପ୍ରୟାଗରାଜ ଯାଉଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ପାଇଁ ନିରାପଦ, ଦକ୍ଷ ଏବଂ ସୁଗମ ଯାତ୍ରା ଯୋଗାଇବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ମହାକୁମ୍ଭ ପରିକ୍ରମା ପରି ଶ୍ରେଷ୍ଠ ଜନସମାଗମରେ ଭାରତୀୟ ରେଳବାଇ ତୀର୍ଥଯାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏହାର ସେବାଗୁଡ଼ିକୁ ତଦାରଖ ଏବଂ ଆକଳନ କରିବା ଜାରି ରଖିଥିଲା ଯାହାଦ୍ୱାରା ଏହା ନିଶ୍ଚିତ କରୁଛି ଯେ ପବିତ୍ର ସଂଗମକୁ ଯାତ୍ରା ସମସ୍ତ ଭକ୍ତଙ୍କ ପାଇଁ ସୁଗମ, ଆରାମଦାୟକ ଏବଂ ସ୍ମରଣୀୟ ରହିବ।

Categories
ଜାତୀୟ ଖବର ବିଶେଷ ଖବର

ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ଭାବେ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଭାରତ ନିଜର ଐତିହ୍ୟକୁ ନେଇ ଗର୍ବିତ ଏବଂ ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ସେ କହିଛନ୍ତି ଯେ ଏହା ହେଉଛି ପରିବର୍ତ୍ତନର ଏକ ଯୁଗର ପ୍ରାରମ୍ଭ, ଯାହା ଦେଶର ନୂତନ ଭବିଷ୍ୟତକୁ ଲେଖିବାକୁ ପ୍ରସ୍ତୁତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାକୁମ୍ଭରେ ବହୁ ସଂଖ୍ୟକ ଭକ୍ତଙ୍କ ଅଂଶଗ୍ରହଣ କେବଳ ଏକ ରେକର୍ଡ ନୁହେଁ, ବରଂ ଏହା ଆମ ସଂସ୍କୃତି ଓ ଐତିହ୍ୟକୁ ସୁଦୃଢ଼ ଓ ସମୃଦ୍ଧ କରିବା ନିମନ୍ତେ ଅନେକ ଶତାବ୍ଦୀ ପାଇଁ ଏକ ଦୃଢ଼ ମୂଳଦୁଆ ପକାଇଛି। ‘ଏକତାର ମହା କୁମ୍ଭ’ର ସଫଳ ସମାପନରେ ସନ୍ତୋଷ ବ୍ୟକ୍ତ କରି ଏବଂ ନାଗରିକମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ, ପ୍ରୟାସ ଓ ସଂକଳ୍ପ ପାଇଁ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ ଏକ ବ୍ଲଗରେ ନିଜର ବିଚାର ଲେଖିଛନ୍ତି ଏବଂ ଏହାକୁ  ‘ଏକ୍ସ’ ରେ ସେୟାର କରିଛନ୍ତି –

‘‘ମହାକୁମ୍ଭ ସମାପନ ହୋଇଛି। ଏକତାର ମହାଯଜ୍ଞ ଶେଷ ହୋଇଛି। ପ୍ରୟାଗରାଜରେ ସମ୍ପୂର୍ଣ୍ଣ ୪୫ ଦିନ ଧରି ଏକତାର ଏହି ଭବ୍ୟ ସମାରୋହରେ, ୧୪୦ କୋଟି ନାଗରିକଙ୍କର ଆସ୍ଥା ଗୋଟିଏ ସମୟରେ ଏହି ଗୋଟିଏ ମହୋତ୍ସବରେ ଏକତ୍ରିତ ହୋଇଛି, ଏହା ବାସ୍ତବରେ ଅତ୍ୟନ୍ତ ଅଭିଭୂତ କରିଥାଏ! ମହାକୁମ୍ଭ ସମାପ୍ତ ହେବା ପରେ ମନରେ ଆସିଥିବା ବିଚାରକୁ ମୁଁ ଲେଖିବାକୁ ଚେଷ୍ଟା କରିଛି।

‘‘ମହାକୁମ୍ଭରେ ବହୁ ସଂଖ୍ୟକ ଭକ୍ତଙ୍କ ଅଂଶଗ୍ରହଣ କେବଳ ଏକ ରେକର୍ଡ ନୁହେଁ, ବରଂ ଏହା ଆମ ସଂସ୍କୃତି ଓ ଐତିହ୍ୟକୁ ସୁଦୃଢ଼ ଓ ସମୃଦ୍ଧ କରିବା ପାଇଁ ଅନେକ ଶତାବ୍ଦୀ ନିମନ୍ତେ ଏକ ଦୃଢ଼ ମୂଳଦୁଆ ପକାଇଛି।’’

‘‘ପ୍ରୟାଗରାଜର ମହାକୁମ୍ଭ ଆଜି ସାରା ବିଶ୍ୱରେ ପରିଚାଳନା ପେସାଦାର ତଥା ଯୋଜନା ଏବଂ ନୀତି ବିଶେଷଜ୍ଞମାନଙ୍କ ପାଇଁ ଗବେଷଣାର ବିଷୟ ପାଲଟିଛି।’’

‘‘ନିଜର ଐତିହ୍ୟକୁ ନେଇ ଗର୍ବ କରୁଥିବା ଭାରତ ଆଜି ଏକ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି। ଏହା ହେଉଛି ପରିବର୍ତ୍ତନର ଯୁଗ, ଯାହା ଦେଶ ପାଇଁ ଏକ ନୂତନ ଭବିଷ୍ୟତ ଲେଖିବାକୁ ଯାଉଛି।’’

‘‘ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ଅଞ୍ଚଳର ଲୋକମାନେ ଏହି ମହାକୁମ୍ଭରେ ଏକଜୁଟ ହୋଇଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତର ଏହି ସ୍ମରଣୀୟ ଦୃଶ୍ୟ କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସପୂର୍ଣ୍ଣ ଅନୁଭୂତିର ପର୍ବ ପାଲଟିଥିଲା।

‘‘ଦେଶବାସୀଙ୍କ କଠିନ ପରିଶ୍ରମ, ସେମାନଙ୍କ ପ୍ରୟାସ, ଏକତାର ମହାକୁମ୍ଭକୁ ସଫଳ କରିବା ପାଇଁ ସେମାନଙ୍କ ସଂକଳ୍ପ ଦ୍ୱାରା ଅଭିଭୂତ ହୋଇ ମୁଁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ, ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବାକୁ ଯିବି। ଶ୍ରଦ୍ଧା ରୂପୀ ସଂକଳ୍ପ ପୁଷ୍ପକୁ ଉତ୍ସର୍ଗ କରିବା ସମୟରେ ମୁଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିବି। ଦେଶବାସୀଙ୍କ ମଧ୍ୟରେ ଏକତାର ଏହି ନିରବଚ୍ଛିନ୍ନ ଧାରା ଏହିପରି ପ୍ରବାହିତ ହେଉ ବୋଲି ମୁଁ କାମନା କରୁଛି।’’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ପରେ ମହାକୁମ୍ଭରେ ବୁଡ ପକାଇଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ପବିତ୍ର ତ୍ରିବେଣୀ ସଙ୍ଗମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବୁଡ଼ ପକାଇଛନ୍ତି । ସପ୍ତଲୋକକୁ ସ୍ମରଣ କରି ସେ ସାତ ଥର ବୁଡ଼ ପକେଇଛନ୍ତି । ଶରୀର ଭିତରେ ଥିବା ସାତ ଗୋଟି ଚକ୍ର ଏହି ସପ୍ତଲୋକର ପ୍ରତୀକ । ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିବା ସହ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ନିମନ୍ତେ ସେ ପ୍ରାର୍ଥନା କରିଛନ୍ତି ।

ଗାଁ ଗାଁ ରେ ପ୍ରଗତିର ଗଙ୍ଗା ବହିବା ସହ ରାଜ୍ୟରେ ଶାନ୍ତି ଓ ଉନ୍ନତି ପାଇଁ କାମନା କରିଛନ୍ତି । ଭାରତୀୟ ଆଧ୍ୟାତ୍ମିକ ବିଶ୍ୱାସରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ କେବଳ ପଵିତ୍ରତମ ନୁହେଁ ମୁକ୍ତିର ଏକ ପବିତ୍ର ତୀର୍ଥସ୍ଥାନ । ଏହି ପବିତ୍ର ସ୍ନାନ ସମୟରେ ସାଥିରେ ତାଙ୍କ ସହଧର୍ମିଣୀ ତଥା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଓ ସୁପୁତ୍ରୀ ଶ୍ରୀମତୀ ନିଭ୍ରିତି କୁମାରୀ ମେୱାର ମଧ୍ୟ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପ୍ରୟାଗରାଜର ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ପରିବାର ସହିତ ପ୍ରୟାଗରାଜର ତ୍ରିବେଣୀ ସଂଗମରେ ପବିତ୍ର ସ୍ନାନ କରିବା ସହିତ ସେଠାରେ ପୂଜା ଅର୍ଚ୍ଚନା କରିଛନ୍ତି। ସେ ଏହି ମହାନ ସ୍ନାନରରେ ସାମିଲ ହେବା ଆଜି ସପରିବାର ଉତ୍ତରପ୍ରଦେଶ ଗସ୍ତ କରିଥିଲେ। ଏହାପରେ ସେ ଅଯୋଦ୍ଧା ଗସ୍ତ କରି ସେଠାରେ ରାମ ମନ୍ଦିରରେ ପୂଜା ଅର୍ଚ୍ଚନା କରିବେ।

ପୂର୍ବରୁ ଏହି ସଙ୍ଗମ ସ୍ଥଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ବୁଡ ପକାଇଛନ୍ତି। ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରୟାଗରାଜ ଯାଇ ବୁଡ ପକାଇଛନ୍ତି। ସେହିପରି ଓଡିଶାରେ ପ୍ରାୟ ମନ୍ତ୍ରୀ ବୁଡ ପକାଇ ଫେରିଛନ୍ତି। ସେହି ତାଲିକାରେ ଯୋଡି ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

କୁମ୍ଭ ମେଳାରେ ବୁଡ ପକାଇବା ପାଇଁ ଆଜି ପ୍ରୟାଗରାଜ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଉଛନ୍ତି। ସେ ପ୍ରୟାଗରାଜର ସଙ୍ଗମ ସ୍ଥଳରେ ବୁଡ ପକାଇବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ସେ ପୁରା ପରିବାର ସହିତ ପ୍ରୟାଗରାଜ ଗସ୍ତ କରୁଛନ୍ତି। ଏହାପରେ ସେ ଅଯୋଦ୍ଧା ଯାଇ ସେଠାରେ ରାମମନ୍ଦିରରେ ପୂଜା ଅର୍ଚ୍ଚନା କରିବେ।

ପୂର୍ବରୁ ଏହି ସଙ୍ଗମ ସ୍ଥଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ବୁଡ ପକାଇଛନ୍ତି। ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରୟାଗରାଜ ଯାଇ ବୁଡ ପକାଇଛନ୍ତି। ସେହିପରି ଓଡିଶାରେ ପ୍ରାୟ ମନ୍ତ୍ରୀ ବୁଡ ପକାଇ ଫେରିଛନ୍ତି। ସେହି ତାଲିକାରେ ଯୋଡି ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ବୁଡ଼ ପକାଇବା ସହ ତ୍ରିବେଣି ସଙ୍ଗମରେ ସ୍ନାନ କଲେ କେନ୍ଦ୍ରମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭ ସନାତନ ସଭ୍ୟତା, ସଂସ୍କୃତି, ଦର୍ଶନ ଏବଂ ଆମ ଶାସ୍ୱତ ପରମ୍ପରାର ଜୀବନ୍ତତାର ପ୍ରତୀକ ବୋଲି ରବିବାର ପ୍ରୟାଗରାଜ ଠାରେ ତ୍ରିବେଣୀ ସଙ୍ଗମରେ ସପରିବାର ବୁଡ ପକେଇବା ସହ ସ୍ନାନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମା’ ଗଙ୍ଗା, ଯମୁନା ଏବଂ ସରସ୍ଵତୀଙ୍କ ତ୍ରିବେଣି ସଙ୍ଗମରେ ସପରିବାର ବୁଡ ପକେଇବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭର ଅଲୌକିକ ସଙ୍ଗମର ଅବସର ଉପନୀତ ହୋଇଛି ।  ଏହି ସଙ୍ଗମରେ ପୂଜ୍ୟ ସାଧୁ ସନ୍ଥ ଏବଂ ଭକ୍ତମାନେ ଏକାଠି ହୋଇଛନ୍ତି । ଏହା ହେଉଛି ଧର୍ମ ଏବଂ ବିଶ୍ୱାସର ସବୁଠାରୁ ମହାନ ପର୍ବ । ଏହି ଭଳି ଦିବ୍ୟ ଅବସରରେ ଏକତାର ମହାପର୍ବ ‘ମହାକୁମ୍ଭ’ରେ ସପରିବାର ଶ୍ରଦ୍ଧାର ସହିତ ସ୍ନାନ କରିବା ମୋ ପାଇଁ ଦିବ୍ୟ ଅନୁଭୁତି ଏବଂ ପରିବାର ପାଇଁ ସୌଭାଗ୍ୟର ବିଷୟ।

ମହାକୁମ୍ଭ କେବଳ ଏକ ପର୍ବ ନୁହେଁ ବରଂ ଏହା ଭାରତର ହଜାର ହଜାର ବର୍ଷ ପୁରୁଣା ଅଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଚେତନାର ଜୀବନ୍ତ ଜ୍ୟୋତି । ଏହି ଦିବ୍ୟ ଅବସରରେ ସମଗ୍ର ବିଶ୍ଵ ସନାତନ ସଂସ୍କୃତିର ଭବ୍ୟତା, ଶ୍ରଦ୍ଧା ଏବଂ ଭକ୍ତିରେ ମୁଁ ଅଲୌକିକ ଶକ୍ତିକୁ ଅନୁଭବ କରୁଛି । ଏହି ଅବସରରେ ମା’ ଗଙ୍ଗାଙ୍କ ପାଖରେ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ପାଇଁ ମହାକୁମ୍ଭ ମେଳା ସୁବ୍ୟବସ୍ଥିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।

ତ୍ରିବେଣି ସଙ୍ଗମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଉତ୍ତର ପ୍ରଦେଶର ଉଚ୍ଚ ଶିକ୍ଷା ମନ୍ତ୍ରୀ ଯୋଗେନ୍ଦର ଉପାଧ୍ୟାୟ, ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହ ଓ ଏମଏସଏମଇ ମନ୍ତ୍ରୀ ରାକେଶ ସଚନ ପ୍ରମୁଖ ମଧ୍ୟ ବୁଡ ପକାଇଥିଲେ ।

Categories
ଆଜିର ଖବର ଜାତୀୟ ଖବର

ପବିତ୍ର ବୁଡ଼ ପରେ ଶ୍ରଦ୍ଧାଳୁଙ୍କ ଘରକୁ ଫେରାଇବା ପାଇଁ ଦିନରାତି କାମ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳବୋର୍ଡ ସିଇଓ ତଥା ସିଆରବି ସତୀଶ କୁମାର ରେଳ ଭବନରେ ଥିବା ୱାର ରୁମରେ ଉତ୍ତର ପ୍ରଦେଶ ପ୍ରୟାଗରାଜର ବିଭିନ୍ନ ରେଳ ଷ୍ଟେସନଗୁଡ଼ିକର ଭିଡ଼ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମସ୍ତ ଦିଗରେ ତୀର୍ଥଯାତ୍ରୀଙ୍କ ପାଇଁ ଟ୍ରେନ୍ ଉପଲବ୍ଧ ହେବା ସୁନିଶ୍ଚିତ କରିବାକୁ ରେଳ ମନ୍ତ୍ରୀ ରେଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କହିଛନ୍ତି, ଯାତ୍ରୀଙ୍କ ଭିଡ଼କୁ ହ୍ରାସ କରିବା ପାଇଁ ପ୍ରୟାଗରାଜ ଡିଭିଜନକୁ ଆବଶ୍ୟକ ଅନୁଯାୟୀ ଅତିରିକ୍ତ ଟ୍ରେନ୍ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ହୋଲ୍ଡିଂ ଅଞ୍ଚଳରେ ଯାତ୍ରୀଙ୍କୁ ଆରାମଦାୟକ ସେବା ସୁନିଶ୍ଚିତ କରାଯାଇଛି।

ମହାକୁମ୍ଭ ରେଳବାଇ ସୂଚନା ବୁଲେଟିନ ଅନୁଯାୟୀ, ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଯାତ୍ରୀଙ୍କ ସୁବିଧା ପାଇଁ ୨୨୫ଟି ଟ୍ରେନ୍ ଚଳାଚଳ କରିଛି। ଯେଉଁଥିରେ ୧୨ ଲକ୍ଷ ୪୬ ହଜାରରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି। ମଙ୍ଗଳବାର, ୧୧ ଫେବୃଆରୀ ୨୦୨୫ରେ, ୩୪୩ଟି ଟ୍ରେନ୍ ଚଳାଚଳ କରିଛି। ସେସବୁ ଟ୍ରେନରେ ୧୪.୬୮ ଲକ୍ଷରୁ ଅଧିକ ଯାତ୍ରୀ ଥିଲେ। ଭାରତୀୟ ରେଳବାଇ ଦ୍ୱାରା ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ନିରନ୍ତର ପ୍ରଦାନ କରାଯାଉଛି। ଏଥିରେ ସ୍ୱତନ୍ତ୍ର ବୁଲେଟିନ, ମହାକୁମ୍ଭ ଅଞ୍ଚଳ ହୋଲ୍ଡିଂ ଜୋନ୍, ରେଳ ଷ୍ଟେସନ, ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମିଡିଆ ଆଉଟଲେଟ ଅନ୍ତର୍ଭୁକ୍ତ।

ଯାତ୍ରୀମାନଙ୍କର ସୁବିଧା ପାଇଁ ପ୍ରୟାଗରାଜ ଷ୍ଟେସନ ନିକଟରେ ୫ହଜାର ଲେଖାଏଁ କ୍ଷମତା ଥିବା ୪ଟି ହୋଲ୍ଡିଂ ଏରିଆ କାର୍ଯ୍ୟକ୍ଷମ ହୋଇଛି । ଏହାବ୍ୟତୀତ, ମାଘୀ ପୂର୍ଣ୍ଣିମା ଅବସରରେ ଖୁସରୋବାଗରେ ୧ ଲକ୍ଷ ଯାତ୍ରୀ କ୍ଷମତା ବିଶିଷ୍ଟ ଏକ ନୂତନ ହୋଲ୍ଡିଂ କ୍ଷେତ୍ର ଆଜି କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ ରହିବା, ଭୋଜନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଯାହାଦ୍ୱାରା ଅପେକ୍ଷା କରୁଥିବା ଯାତ୍ରୀମାନେ ଟ୍ରେନରେ ଚଢିବା ପର୍ଯ୍ୟନ୍ତ ଆରାମରେ ରହିପାରିବେ।

ସମସ୍ତ ଯାତ୍ରୀଙ୍କୁ କେବଳ ସରକାରୀ ଉତ୍ସରୁ ସୂଚନା ଗ୍ରହଣ କରିବାକୁ ଏବଂ କୌଣସି ଅସତ୍ୟ ରିପୋର୍ଟ ଏବଂ ବିଭ୍ରାନ୍ତିକର ସୂଚନା ପ୍ରତି ଧ୍ୟାନ ନଦେବାକୁ ପରାମର୍ଶ ଦିଆଯାଇଛି।

*******

P.S.

Categories
ଆଜିର ଖବର ଜାତୀୟ ଖବର

ଚାରି ପିଢିଙ୍କ ସହିତ ମହାକୁମ୍ଭରେ ପହଞ୍ଚି ସଙ୍ଗମରେ ବୁଡ଼ ପକାଇଲେ ଅମ୍ବାନୀ ପରିବାର

ପ୍ରୟାଗରାଜ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିଜ ପରିବାରର ଚାରି ପିଢିଙ୍କ ସହ କୁମ୍ଭ ନଗରୀରେ ପହଞ୍ଚି ମହାକୁମ୍ଭରେ ସ୍ନାନ କରିଛନ୍ତି। ମା କୋକିଲା ବେନ୍, ଦୁଇ ପୁଅ ଆକାଶ ଓ ଅନନ୍ତ, ଦୁଇ ବୋହୂ ଶ୍ଲୋକା ଓ ରାଧିକାଙ୍କ ସହିତ ମୁକେଶ ଅମ୍ବାନୀଙ୍କ ନାତି ନାତୁଣୀ ପୃଥ୍ବୀ ଓ ବେଦା, ଭଉଣୀ ଦୀପ୍ତି ସାଲଗାଓଁକର ଓ ନୀନା କୋଠାରୀ ମଧ୍ୟ ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭରେ ଏକାଠି ବୁଡ଼ ପକାଇଥିଲେ। ସଙ୍ଗମରେ ବୁଡ଼ ପକାଇବା ପରେ ଅମ୍ବାନୀ ପରିବାର ନିରଞ୍ଜନୀ ଆଖଡ଼ାର ପୀଠାଧୀଶ୍ୱର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଗିରି ଜୀ ମହାରାଜଙ୍କ ଉପସ୍ଥିତିରେ ମା ଗଙ୍ଗାଙ୍କ ପୂଜା ପୂଜାର୍ଚ୍ଚନା କରିଥିଲେ।

ତ୍ରିବେଣୀରେ ସ୍ନାନ କରିବା ପରେ ଅମ୍ବାନୀ ପରିବାର ମହାକୁମ୍ଭରେ ନିର୍ମିତ ପରମାର୍ଥ ନିକେତନ ଆଶ୍ରମରେ ପହଞ୍ଚି ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କୁ ଭେଟିବା ସହିତ ପରିବାର ପକ୍ଷରୁ ଆଶ୍ରମରେ ସଫେଇ କର୍ମୀ, ନୌକା ଚାଳକ ଏବଂ ତୀର୍ଥଯାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲ। ପରିବାର ସଦସ୍ୟଗଣ ମଧ୍ୟ ତୀର୍ଥଯାତ୍ରୀଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ଅମ୍ବାନୀ ପରିବାର ପକ୍ଷରୁ ନୌକା ଚାଳକମାନଙ୍କୁ ସେମାନଙ୍କ ନିଜର ତଥା ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏହାର ତୀର୍ଥଯାତ୍ରୀ ସେବା କାର୍ଯ୍ୟକ୍ରମ ଅଧୀନରେ ପରମାର୍ଥ ନିକେତନ ଆଶ୍ରମ, ଶାରଦା ପୀଠ ମଠ ଟ୍ରଷ୍ଟ ଦ୍ୱାରକା, ଶ୍ରୀ ଶଙ୍କରାଚାର୍ଯ୍ୟ ଉତ୍ସବ ସେବାଳୟ ଫାଉଣ୍ଡେସନ, ନିରଞ୍ଜନୀ ଆଖଡ଼ା ଏବଂ ପ୍ରଭୁ ପ୍ରେମୀ ସଂଘ ଚାରିଟେବୁଲ ଟ୍ରଷ୍ଟ ସମେତ ପ୍ରସିଦ୍ଧ ଆଧ୍ୟାତ୍ମିକ ସଂଗଠନଗୁଡିକ ସହିତ ମିଳିତ ଭାବରେ ମହାକୁମ୍ଭରେ ଅନ୍ନ ସେବା କରାଯାଉଛି। ‘ତୀର୍ଥଯାତ୍ରୀ ସେବା’ ମାଧ୍ୟମରେ ରିଲାଏନ୍ସ ଯାତ୍ରାକୁ ସୁରକ୍ଷିତ, ଆରାମଦାୟକ ଏବଂ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିବାକୁ ପ୍ରୟାସ କରୁଛି। ପୁଷ୍ଟିକର ଭୋଜନ, ଆବଶ୍ୟକ ସ୍ୱାସ୍ଥ୍ୟସେବା, ସୁରକ୍ଷିତ ପରିବହନ ଏବଂ ଯୋଗାଯୋଗ ସଂଯୋଗ ପରି ଅନେକ ସେବା ତୀର୍ଥଯାତ୍ରୀଙ୍କୁ ରିଲାଏନ୍ସ ପକ୍ଷରୁ ପ୍ରଦାନ କରାଯାଉଛି।

ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ୱାସ୍ଥ୍ୟସେବାରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ, ଓପିଡି ଏବଂ ଦନ୍ତଚିକିତ୍ସା ସେବା ଭଳି ସୁବିଧା ଦିନ ରାତି ଦିନ ରାତି ୨୪ ଘଣ୍ଟା ଉପଲବ୍ଧ କରାଯାଇଛି। ଏହା ବ୍ୟତୀତ ଯାତ୍ରାକୁ ସହଜ, ସୁଗମ ଏବଂ ନିରାପଦ କରିବା ପାଇଁ ଆହୁରି ଅନେକ ଉଦ୍ୟମ ମଧ୍ୟ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରୟାଗରାଜ ଗସ୍ତରେ ଯିବେ ରାଷ୍ଟ୍ରପତି

ଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜ (ଉତ୍ତରପ୍ରଦେଶ) ଗସ୍ତରେ ଯିବେ।

ଏକଦିବସୀୟ ପ୍ରୟାଗରାଜ ଗସ୍ତ ଅବସରରେ ରାଷ୍ଟ୍ରପତି ସଙ୍ଗମରେ ସ୍ନାନ ଏବଂ ପୂଜା କରିବେ। ଅକ୍ଷୟବଟ ଏବଂ ହନୁମାନ ମନ୍ଦିରରେ ପୂଜା ଓ ଦର୍ଶନ କରିବେ। ରାଷ୍ଟ୍ରପତି ଡିଜିଟାଲ କୁମ୍ଭ ଅନୁଭବ କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ମହାକୁମ୍ଭରେ ବୁଡ ପକାଇବାକୁ ପ୍ରୟାଗରାଜ ବାହାରିଲେ ଓଡିଶାର ତିନି ମନ୍ତ୍ରୀ ଓ ପରିବାର

ଭୁବନେଶ୍ବର: କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ବାହାରିଲେ ଓଡିଶାର ତିନି ମନ୍ତ୍ରୀ। ସେମାନେ ହେଲେ ବାଣିଜ୍ୟ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏମାନେ ନିଜ ପରିବାର ସହିତ ପ୍ରୟାଗରାଜ ଗସ୍ତରେ ବାହାରିଛନ୍ତି।

ଗତକାଲି ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଡ ପକାଇଥିଲେ। ସେ ସେଠାରେ ପୂଜାପାଠ ମଧ୍ୟ କରିଥିଲେ। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସପରିବାର ଯାଇ ପ୍ରୟାଗରାଜରେ ବୁଡ ପକାଇଥିଲେ। ଏଥିସହିତ ବିଭିନ୍ନ ରାଜ୍ୟର ମନ୍ତ୍ରୀ ବିଧାୟକ ତଥା ନେତାମାନେ ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ସଙ୍ଗମରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜରେ ମହାକୁମ୍ଭ ମେଳା ପରିଦର୍ଶନ କରିବେ। ଆଜି ସକାଳ ୧୧ଟାରେ ସେ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।

ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ଭାବେ ପରିଚୟ ହାସଲ କରିଥିବା ମହାକୁମ୍ଭ  ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ଏବଂ ଏହା ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏହି ପବିତ୍ର ଅବସରରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ସଙ୍ଗମ ସ୍ଥଳରେ ବୁଡ଼ ପକାଇ ପ୍ରାର୍ଥନା କରିଛନ୍ତି।

ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ଏବଂ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ତୀର୍ଥସ୍ଥଳରେ ଭିତ୍ତିଭୂମି ତଥା ମୌଳିକ ସୁବିଧା ବିକାଶ ପାଇଁ ନିରନ୍ତର ସକ୍ରିୟ ପଦକ୍ଷେପ ନେଇଛନ୍ତି। ପୂର୍ବରୁ, ୧୩ ଡିସେମ୍ବର, ୨୦୨୪ ରେ ପ୍ରୟାଗରାଜ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ୫,୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ୧୬୭ ଟି ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି ସମସ୍ତ ପ୍ରକଳ୍ପ ସାଧାରଣ ଜନତାଙ୍କ ପାଇଁ ଯାତାୟାତ, ସେବା ଏବଂ ସୁବିଧାରେ ଉନ୍ନତି ଆଣିଛି।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ: ଶ୍ରଦ୍ଧାର ସମାରୋହରେ ସମ୍ମିଳିତ ହୋଇଛନ୍ତି ୩୫ କୋଟି ଜନତା

ପ୍ରୟାଗରାଜ: ୨୦୨୫ ମହାକୁମ୍ଭ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଦୃଶ୍ୟରେ ପରିଣତ ହୋଇଛି। ୨୦୨୫ ଫେବ୍ରୁଆରି ୩ ତାରିଖ ସୁଦ୍ଧା ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ ବିଧିରେ ଅଂଶଗ୍ରହଣ କରିଛନ୍ତି। ବସନ୍ତ ପଞ୍ଚମୀର ପବିତ୍ର ଦିନରେ ୨.୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କରିଛନ୍ତି। ବିଭିନ୍ନ ରାଜ୍ୟ, ସମ୍ପ୍ରଦାୟ ଏବଂ ଜାତିର ଲୋକମାନେ ଜୀବନରେ ଥରେ ମାତ୍ର ଆସୁଥିବା ଏହି ସୁଯୋଗକୁ ପାଳନ କରିଛନ୍ତି ଓ ମହାକୁମ୍ଭର ବାତାବରଣକୁ ଶ୍ରଦ୍ଧା, ଉତ୍ସାହ ଓ ଏକତାର ଭାବନାରେ ପରିପୂର୍ଣ୍ଣ କରିଛନ୍ତି।

ବସନ୍ତ ପଞ୍ଚମୀ ଋତୁ ପରିବର୍ତ୍ତନର ପ୍ରତୀକ ଏବଂ ହିନ୍ଦୁ ପୁରାଣରେ ଜ୍ଞାନର ଦେବୀ ସରସ୍ୱତୀଙ୍କ ଆଗମନକୁ ପାଳନ କରେ। ବସନ୍ତ ପଞ୍ଚମୀର ମହତ୍ତ୍ୱକୁ ସମ୍ମାନ ଜଣାଇ କଳ୍ପବାସୀମାନେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ଏହି ପବିତ୍ର ପର୍ବର ମହତ୍ତ୍ୱକୁ ସୂଚାଇଥିଲେ।

ପବିତ୍ର ସଂଗମସ୍ଥଳର ଦୃଶ୍ୟ ବେଶ ଅସାଧାରଣ ଥିଲା। ସଙ୍ଗମ କୂଳ ସମ୍ପୂର୍ଣ୍ଣ ଭାବରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଭର୍ତ୍ତି ହୋଇଯାଇଥିଲା ଏବଂ ନଦୀର ପବିତ୍ର ବାଲି ଜନସମୁଦ୍ରରେ ବୁଡ଼ି ରହିଥିଲା। ଭାରତର ବିଭିନ୍ନ ରାଜ୍ୟ ଯଥା ଦିଲ୍ଲୀ, ହରିୟାଣା, ପଞ୍ଜାବ, ପଶ୍ଚିମବଙ୍ଗ, ଆସାମ, ବିହାର, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ଶ୍ରଦ୍ଧାଳୁମାନେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସହ ମିଶି ମହାକୁମ୍ଭରେ ବିଶ୍ୱ ଏକତାର ବାର୍ତ୍ତା ଦେଇଥିଲେ। କୋଟି କୋଟି ଲୋକଙ୍କ ସାମୁହିତ ମନ୍ତ୍ରୋଚାରଣରେ ଗଙ୍ଗା, ଯମୁନା ଓ ସରସ୍ବତୀର ମିଳନସ୍ଥଳ ଭକ୍ତିଭାବନାରେ ଗୁଞ୍ଜରିତ ହେଉଥିଲା।

ଚଳିତ ବର୍ଷର ମହାକୁମ୍ଭର ଅନେକ ଅନନ୍ୟ ଦିଗ ମଧ୍ୟରେ ରହିଛି ଇଟାଲୀ, ଅଷ୍ଟ୍ରିଆ, କ୍ରୋଏସିଆ ଏବଂ ଇସ୍ରାଏଲ ଭଳି ଦେଶରୁ ଆସିଥିବା ବିଦେଶୀ ଶ୍ରଦ୍ଧାଳୁଙ୍କ ଉଲ୍ଲେଖନୀୟ ଅଂଶଗ୍ରହଣ। ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇ ଅନେକ ଆଶ୍ଚର୍ଯ୍ୟ ଓ ଆନନ୍ଦ ପ୍ରକାଶ କରିଛନ୍ତି। ଜଣେ ଇଟାଲୀୟ ଭକ୍ତ କହିଛନ୍ତି, “ମୁଁ କିଛି ମିନିଟ୍ ପୂର୍ବରୁ ଏକ ପବିତ୍ର ସ୍ନାନ କରିଥିଲି, ଏବଂ ଏପରି ଅନୁଭବ ଜୀବନରେ କେବଳ ଥରେ ମାତ୍ର ମିଳିଥାଏ। ଲୋକମାନେ ୧୪୪ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଏବଂ ଏହାର ସାକ୍ଷୀ ହୋଇ ମୁଁ ପ୍ରକୃତରେ ଧନ୍ୟ ଅନୁଭବ କରୁଛି।”

ମହାକୁମ୍ଭର ସବୁଠାରୁ ବଡ଼ ଆକର୍ଷଣ ହେଉଛି ନାଗା ସାଧୁଙ୍କ ଉପସ୍ଥିତି, ଯେଉଁମାନେ ଅମୃତସ୍ନାନ ସମୟରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରରେ ଥିଲେ । ଆହୁରି ମଧ୍ୟ ବସନ୍ତ ପଞ୍ଚମୀ ଅମୃତ ସ୍ନାନକୁ ଯିବାପୂର୍ବରୁ ନାଗାସାଧୁମାନଙ୍କ ଶୋଭାଯାତ୍ରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କେତେକ ନାଗାସାଧୁ ଘୋଡ଼ାରେ ଆସୁଥିବାବେଳେ ଆଉ କେତେକ ଖାଲିପାଦରେ ଚାଲି ଚାଲି ଆସୁଥିଲେ। ସେମାନେ ଶରୀରରେ ବିଭୂତି ବୋଳିହୋଇ ଓ ନିଜର ଅନ୍ୟ ଆଭୂଷଣ ଓ ତ୍ରିଶୂଳ ଧରି ଅତ୍ୟନ୍ତ ଶୃଙ୍ଖଳାର ସହ ଆସୁଥିଲେ। ସେମାନଙ୍କ ଉଗ୍ର ସ୍ବଭାବ ସତ୍ତ୍ବେ ସେମାନେ ନିଜର ଅଖାଡ଼ା ମୁଖ୍ୟଙ୍କ ନିର୍ଦ୍ଦେଶକୁ ପାଳନ କରି ଶୃଙ୍ଖଳାର ସହ ଆସୁଥିଲେ।

ଏହା ଭାରତର ସନାତନ ସଂସ୍କୃତିର ସମାନତା ଏବଂ ସୌହାର୍ଦ୍ଦ୍ୟର ମୂଲ୍ୟବୋଧର ପ୍ରକୃତ ପ୍ରତୀକ, ଯାହା ଶତାବ୍ଦୀ ଶତାବ୍ଦୀ ଧରି ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ସଙ୍ଗମସ୍ଥଳର ପବିତ୍ର ସ୍ଥାନ ସମସ୍ତଙ୍କୁ ସ୍ୱାଗତ କରିଥିଲା- ସେମାନଙ୍କ ଭାଷା, ଅଞ୍ଚଳ କିମ୍ବା ପୃଷ୍ଠଭୂମି ନିର୍ବିଶେଷରେ। ସମସ୍ତ ସାମାଜିକ ଓ ଅର୍ଥନୈତିକ ପ୍ରତିବନ୍ଧକକୁ ଭାଙ୍ଗି ଭକ୍ତମାନେ ଏକାଠି ଭୋଜନ କରିବା ପାଇଁ ସ୍ଥାପିତ ଅନେକ ଖାଦ୍ୟ ରୋଷେଇ ଘର (ଅନ୍ନକ୍ଷେତ୍ର)ରେ ମଧ୍ୟ ଏହି ଏକତା ଭାବନା ପ୍ରତିଫଳିତ ହୋଇଥିଲା।

ମହାକୁମ୍ଭ କେବଳ ଏକ ପର୍ବ ନୁହେଁ; ଏହା ଭାରତର ଆଧ୍ୟାତ୍ମିକ ପରମ୍ପରା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଡିଥିବା ଏକ ଅଖଣ୍ଡ ସୂତ୍ର। ସଙ୍ଗମ କୂଳରେ ଶୈବ, ଶାକ୍ତ, ବୈଷ୍ଣବ, ଉଦାସୀ, ନାଥ, କବୀର ପନ୍ଥୀ, ରାଇଦାସ ଆଦି ବିଭିନ୍ନ ଚିନ୍ତାଧାରାର ସନ୍ନ୍ୟାସୀମାନେ ଏକାଠି ହୋଇ ଭକ୍ତିର ସହ ନିଜର ଅନନ୍ୟ ରୀତିନୀତି ସମ୍ପନ୍ନ କରିଥିଲେ। ମହାକୁମ୍ଭର ବାର୍ତ୍ତା ସନ୍ନ୍ୟାସୀମାନଙ୍କ ଦ୍ୱାରା ଦିଆଯାଇଥିବା ସ୍ପଷ୍ଟ ଥିଲା: ଆଧ୍ୟାତ୍ମିକତା ଜାତି, ଧର୍ମ ଏବଂ ଭୂଗୋଳର ସମସ୍ତ ସୀମା ଅତିକ୍ରମ କରିଥାଏ।

ମହାକୁମ୍ଭ ୨୦୨୫ କେବଳ ଏକ ଧାର୍ମିକ ସମାବେଶରେ ସୀମିତ ହୋଇ ରହିନାହିଁ, ଏହା ମଣିଷର ଏକତା, ପ୍ରକୃତି ଏବଂ ଦିବ୍ୟତାର ଏକ ଜୀବନ୍ତ ଉତ୍ସବରେ ପରିଣତ ହୋଇଛି. ଯାହାକୁ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଅନୁଭବ କରୁଛନ୍ତି। ଏପର୍ଯ୍ୟନ୍ତ ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇ ସାରିଥିବା ବେଳେ ଆଗାମୀ ଦିନରେ ଆହୁରି ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେବେ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ପକ୍ଷରୁ ମହାକୁମ୍ଭରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ସେବା ପ୍ରଦାନ

ପ୍ରୟାଗରାଜ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ମହାକୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସେବା କାର୍ଯ୍ୟ ହାତକୁ ନିଆଯାଇଛି। ପୁଷ୍ଟିକର ଭୋଜନ, ଆବଶ୍ୟକ ସ୍ୱାସ୍ଥ୍ୟସେବା, ସୁରକ୍ଷିତ ପରିବହନ ଏବଂ ଯୋଗାଯୋଗ ସଂଯୋଗ ପରି ଅନେକ ସେବା ତୀର୍ଥଯାତ୍ରୀଙ୍କୁ ରିଲାଏନ୍ସ ପକ୍ଷରୁ ପ୍ରଦାନ କରାଯାଉଛି। ‘ତୀର୍ଥଯାତ୍ରୀ ସେବା’ ମାଧ୍ୟମରେ ରିଲାଏନ୍ସ ଯାତ୍ରାକୁ ସୁରକ୍ଷିତ, ଆରାମଦାୟକ ଏବଂ ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିବାକୁ ପ୍ରୟାସ କରୁଛି।

ତୀର୍ଥଯାତ୍ରୀଙ୍କୁ ୮ଟି ପ୍ରମୁଖ ଉପାୟରେ ସେବା ଯୋଗାଇ ଦିଆଯାଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରୁ ସବୁଠାରୁ ବଡ ହେଉଛି ଅନ୍ନସେବା, ଯାହା ଅଧୀନରେ ପ୍ରତିଦିନ ହଜାର ହଜାର ତୀର୍ଥଯାତ୍ରୀଙ୍କୁ ମାଗଣା ଭୋଜନ ପରିବେଷଣ କରାଯାଉଛି। ରିଲାଏନ୍ସ ସ୍ବେଚ୍ଛାସେବୀମାନେ ବିଭିନ୍ନ ଆଖଡାଗୁଡିକରେ ମାଗଣା ଭୋଜନ ଏବଂ ଜଳ ପରିବେଷଣ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସ୍ୱାସ୍ଥ୍ୟସେବାରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ, ଓପିଡି ଏବଂ ଦନ୍ତଚିକିତ୍ସା ସେବା ଭଳି ସୁବିଧା ଦିନ ରାତି ଦିନ ରାତି ୨୪ ଘଣ୍ଟା ଉପଲବ୍ଧ କରାଯାଇଛି। ମହିଳାମାନଙ୍କୁ ମାଗଣା ସାନିଟାରୀ ନାପକିନ୍ ବଣ୍ଟନ କରାଯାଉଛି। ଏହା ବ୍ୟତୀତ ଯାତ୍ରାକୁ ସହଜ, ସୁଗମ ଏବଂ ନିରାପଦ କରିବା ପାଇଁ ଆହୁରି ଅନେକ ଉଦ୍ୟମ ମଧ୍ୟ କରାଯାଉଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ କହିଛନ୍ତି, “କୁହାଯାଏ ଯେ ଯେତେବେଳେ ଆମେ ତୀର୍ଥଯାତ୍ରୀମାନଙ୍କ ସେବା କରୁ, ସେତେବେଳେ ଆମେ ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୋଇଥାଉ। ସହସ୍ରାବ୍ଦୀରେ ଗୋଟିଏ ଥର ହେଉଥିବା ଏହି ଆୟୋଜନରେ ତୀର୍ଥଯାତ୍ରୀମାନଙ୍କୁ ଆମର ସେବା ଯୋଗାଇଦେବା ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉଦ୍ଦିଷ୍ଟ। ଆମେ ଆମର ‘ଯତ୍ନ ନେବା’ ଦର୍ଶନରେ ବିଶ୍ୱାସ କରୁ। ବିଶ୍ୱର ସର୍ବବୃହତ ଧାର୍ମିକ ଓ ସାଂସ୍କୃତିକ ସମାବେଶ ମହାକୁମ୍ଭରେ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ନିରାପତ୍ତାକୁ ଉନ୍ନତ କରିବା ସହିତ ସେମାନଙ୍କର ଯାତ୍ରାକୁ ସୁରକ୍ଷିତ ଏବଂ ସହଜ କରିବା ତଥା ସେମାନଙ୍କ ସେବା କରିବା ପାଇଁ ଆମେ ସୁଯୋଗ ପାଇଛୁ।”

ରିଲାଏନ୍ସ ଜିଓ ମଧ୍ୟ ପ୍ରୟାଗରାଜରେ ଟେଲି ଯୋଗାଯୋଗ ସଂଯୋଗକୁ ସୁଦୃଢ କରିଛି ଏବଂ ନୂତନ ୪ଜି ଓ ୫ଜି ବିଟିଏସ ସ୍ଥାପନ କରିଛି। ଭିତ୍ତିଭୂମିର ଉନ୍ନତିକରଣ ସହିତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ଟାୱାର ଏବଂ ଛୋଟ ସେଲ ନିୟୋଜିତ କରାଯାଇଛି। ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ କରିବାକୁ ପ୍ରମୁଖ କ୍ଷେତ୍ରଗୁଡିକରେ ନୂତନ ଅପ୍ଟିକାଲ୍ ଫାଇବର ମଧ୍ୟ ବିଛାଯାଇଛି।

ଅଧିକରୁ ଅଧିକ ତୀର୍ଥଯାତ୍ରୀଙ୍କ ନିକଟରେ ପହଞ୍ଚିବା ପାଇଁ ରିଲାଏନ୍ସ ଶାରଦା ପୀଠ ମଠ ଟ୍ରଷ୍ଟ ଦ୍ୱାରକା, ଶ୍ରୀ ଶଙ୍କରାଚାର୍ଯ୍ୟ ଉତ୍ସବ ସେବାଳୟ ଫାଉଣ୍ଡେସନ, ନିରଞ୍ଜନୀ ଆଖଡ଼ା, ପ୍ରଭୁ ପ୍ରେମୀ ସଂଙ୍ଘ ଚାରିଟେବୁଲ ଟ୍ରଷ୍ଟ ଏବଂ ପରମାର୍ଥ ନିକେତନ ଆଶ୍ରମ ସମେତ ପ୍ରସିଦ୍ଧ ଆଧ୍ୟାତ୍ମିକ ସଂଗଠନଗୁଡିକ ସହିତ ମିଳିତ ଭାବରେ ସେବା କାର୍ଯ୍ୟ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ମହାକୁମ୍ଭରେ ବୁଡ ପକାଇଲେ ଗୃହମନ୍ତ୍ରୀ ଅମିତ ଶାହ, ସାଧୁସନ୍ଥଙ୍କ ନେଲେ ଆର୍ଶିବାଦ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ପବିତ୍ର ତ୍ରିବେଣୀ ସଙ୍ଗମରେ ସାମାଜିକ ସଦ୍ଭାବନା ଓ ସଦିଚ୍ଛାର ପ୍ରତୀକ ‘ମହାକୁମ୍ଭ’ରେ ଶ୍ରଦ୍ଧାଳୁ ସନ୍ଥଙ୍କ ଉପସ୍ଥିତିରେ ସ୍ନାନ କରିବା ପରେ ଶ୍ରୀ ଅମିତ ଶାହ ତାଙ୍କ ଅନୁଭୂତି ଏକ୍ସରେ ପୋଷ୍ଟ କରିଛନ୍ତି। ସମସ୍ତଙ୍କ ମଙ୍ଗଳ ପାଇଁ ସେ ମା’ ଗଙ୍ଗା, ମା’ ଯମୁନା ଓ ମା’ ସରସ୍ୱତୀଙ୍କୁ ପ୍ରାର୍ଥନା କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ମହାକୁମ୍ଭ ଦେଶବାସୀଙ୍କ ମଧ୍ୟରେ ସନାତନ ପରମ୍ପରା ପ୍ରତି ଏକତା ଏବଂ ଗର୍ବର ଭାବନା ବଢ଼ାଉଛି। ସେ ସଙ୍ଗମ କୂଳରେ ପରିବାର ସହ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ସମୃଦ୍ଧି ଓ ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ।

ଶ୍ରୀ ଅମିତ ଶାହ କହିଥିଲେ ଯେ ମହାକୁମ୍ଭ ସନାତନ ସଂସ୍କୃତିର ନିରବଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ । କୁମ୍ଭ ଆମର ସନାତନ ଜୀବନ ଦର୍ଶନର ସମନ୍ୱୟ ଓ ପ୍ରତିଫଳନ । ସମଗ୍ର ବିଶ୍ୱକୁ ସମାନତା ଓ ସଦ୍ଭାବନାର ବାର୍ତ୍ତା ଦେଉଥିବା ସନାତନ ଧର୍ମର ମହାକୁମ୍ଭ କେବଳ ଏକ ତୀର୍ଥସ୍ଥଳୀ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଓ ଜ୍ଞାନ ପରମ୍ପରାର ସଂଗମ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ମହାକୁମ୍ଭ ନଗରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ, ଧର୍ମ ଏବଂ ଜାତୀୟତାବାଦର ମହାସଂଗମ

ନୂଆଦିଲ୍ଲୀ: ଦେବଭୂମି ପ୍ରୟାଗରାଜରେ ଆନନ୍ଦ ଉଲ୍ଲାସର ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ବିଶ୍ୱାସ ଓ ଭକ୍ତିର ଏହି ଅନନ୍ୟ ମେଳାରେ ସଙ୍ଗମରେ ବୁଡ ପକାଇବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମହାକୁମ୍ଭ ଯାତ୍ରା ପଡିଆ ଓ ଆଖଡାରେ ଜାତୀୟତାବୋଧ ଛାଇଯାଇଥିଲା। ସାଧୁ ସନ୍ଥଙ୍କ ଆଖଡା, ଶ୍ରଦ୍ଧାଳୁଙ୍କ କ୍ୟାମ୍ପ, ବିଭିନ୍ନ ସରକାରୀ ଅସ୍ଥାୟୀ ଶିବିରରେ ଜାତୀୟ ପତାକା ଉତୋଳନ ଉତ୍ସବ ପାଳିତ ହୋଇଥିଲା।

ସାଧାରଣତନ୍ତ୍ର ଦିବସରେ ମହାକୁମ୍ଭରେ ବରିଷ୍ଠମାନଙ୍କ ଯୋଗଦାନ ଏହାକୁ ଅଧିକ ଉଚ୍ଚକିତ କରିଥିଲା। ସ୍ୱତନ୍ତ୍ର କ୍ୟାମ୍ପ ଓ ବୃଦ୍ଧାଶ୍ରମରେ ବି ଅନୁରୂପ ଆୟୋଜନ କରାଯାଇଥିଲା। ସଙ୍ଗମରେ ବୁଡ ପକାଇ ଏହି ଅସ୍ଥାୟୀ ଶିବିରରେ ବରିଷ୍ଠ ନାଗରିକମାନେ ଆରାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ମହାକୁମ୍ଭର ପଡିଥିବା ସାମାଜିକ ସଶକ୍ତିକରଣ କ୍ୟାମ୍ପରେ ଏକ ଅନନ୍ୟ କଥା ଦୃଷ୍ଟି ଗୋଚର ହୋଇଥିଲା। ମୀର୍ଜାପୁର ବୃଦ୍ଧାଶ୍ରମରୁ ଆସିଥିବା ୭୦ ବର୍ଷୀୟ ଜନୈକ ମୁନ୍ନି ଦେବୀ ପତାକା ଉତୋଳନ କରିଥିଲେ । ମହାକୁମ୍ଭ କେବଳ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ନୁହେଁ ବରଂ ଏହା ସମାଜର ବିଭିନ୍ନବର୍ଗର ଲୋକଙ୍କ ଏକ ଅନନ୍ୟ ଉତ୍ସବ ବୋଲି ପ୍ରତୀତ ହୋଇଥିଲା। ମୁନ୍ନି ଦେବୀଙ୍କ ପରି ଜଣେ ବୟୋବୃଦ୍ଧ ମହିଳାଙ୍କ ଉପସ୍ଥିତି ଏହା ପ୍ରତିପାଦିତ କରିଥିଲା।

ବୃଦ୍ଧାଶ୍ରମରେ ରହୁଥିବା ଲୋକଙ୍କ ପାଇଁ ଉତରପ୍ରଦେଶ ସରକାରଙ୍କ ଦ୍ୱାରା ମହାକୁମ୍ଭରେ ଶହେ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଶିବିର ବି ଆୟୋଜନ କରାଯାଇଛି । ସଙ୍ଗମରେ ବୁଡ ପକାଇବା କିମ୍ବା ଯାତ୍ରା ବେଳେ କୌଣସି ସମସ୍ୟାରେ ପଡୁଥିବା ବୟୋବୃଦ୍ଧଙ୍କ ବିଶ୍ରାମ ପାଇଁ ଏହା ନିର୍ମାଣ କରାଯାଇଥିବା କୁହାଯାଇଛି। ତେବେ ଆଜିଯାଏ ସାରା ରାଜ୍ୟରୁ ପ୍ରାୟ ୪୫୦ ବୟୋବୃଦ୍ଧ ସଙ୍ଗମରେ ବୁଡ ପକାଇଥିବା ସୂଚନା ମିଳିଛି।

ଏହି ଅବସରରେ ବିଭିନ୍ନ ଆଖଡା, ସରକାରୀ ଓ ସାମାଜିକ ସଙ୍ଗଠନ କ୍ୟାମ୍ପରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା। ଏହାଛଡା ଏହି ଅବସରରେ ବି ଯୋଗ ଶିବିର ଆୟୋଜନ କରାଯାଇଥିଲା। ମହାକୁମ୍ଭରେ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଏହି ଯୋଗ ଶିବିର ଯଥେଷ୍ଟ ଉପାଦାନ ଯୋଗାଇଥିଲା।

ମହାକୁମ୍ଭରେ ସାଧାରଣତନ୍ତ୍ର ଦିବସ ପାଳନ କେବଳ ଜାତୀୟତାବୋଧ  ଉଦ୍ରେକ କରିନାହିଁ ବରଂ ସାମାଜର ସବୁବର୍ଗର ଲୋକଙ୍କୁ ଏକାଠି କରିବାରେ ଏହା ପ୍ରମୁଖ ସହାୟକ ହୋଇ ପାରିଛି । ଏହି କାର୍ଯ୍ୟକ୍ରମ କେବଳ ସାମ୍ୟତାର ବାର୍ତା ପ୍ରଚାର କରିନାହିଁ ବରଂ ବରିଷ୍ଠଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଏକ ଅନନ୍ୟ ଉତ୍ସବରେ ପରିଣତ ହୋଇପାରିଛି।

Categories
ଜାତୀୟ ଖବର ବିଶେଷ ଖବର

ଭାରତୀୟ ଆଧ୍ୟାତ୍ମିକ ଚେତନା, ସାଂସ୍କୃତିକ, ପରମ୍ପରାର ଅପୂର୍ବ ସମ୍ମେଳନ: ପ୍ରୟାଗରାଜ ମହାକୁମ୍ଭ  

ପ୍ରୟାଗରାଜ: ଭାରତର ମହାନ ଓ ସମୃଦ୍ଧ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହେଉଛି ପ୍ରୟାଗରାଜ ମହାକୁମ୍ଭ। ଚଳିତ ବର୍ଷ ଜାନୁଆରୀ ୨୩ ସୁଦ୍ଧା ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏହି ପୁଣ୍ୟଭୂମି ପ୍ରୟାଗରାଜକୁ ଆସି ତ୍ରିବେଣୀ ସଂଗମରେ ସ୍ନାନ କରିବାର ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି। ମକର ସଂକ୍ରାନ୍ତିରେ (୧୪ ଜାନୁଆରୀ ୨୦୨୫), କେବଳ ଗୋଟିଏ ଦିନରେ ସାଢ଼େ ୩ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଂଗମରେ ବୁଡ଼ ପକାଇ ରାଜସ୍ନାନ କରିଛନ୍ତି। ଆଶା କରାଯାଉଛି ଚଳିତ ବର୍ଷ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବେ। ଏଇ ଜାନୁଆରୀ ୧୬ ତାରିଖରେ ୧୦ଟି ଦେଶରୁ ଆସିଥିବା ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ ମଧ୍ୟ ପବିତ୍ର ତ୍ରିବେଣୀ ସଂଗମରେ ବୁଡ଼ ପକାଇଛନ୍ତି। ଏହି ପ୍ରତିନିଧି ଦଳରେ ଥିଲେ ଫିଜି, ଫିନଲାଣ୍ଡ, ଗୁଏନା, ମାଲେସିଆ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକ, ଶ୍ରୀଲଙ୍କା, ତ୍ରିନିଦାଦ ଓ ଟବାଗୋ ଏବଂ ୟୁଏଇର ନାଗରିକ। ମହାକୁମ୍ଭର ଆଧ୍ୟାତ୍ମିକ ମହତ୍ୱ ଓ ଐତିହ୍ୟ ଦେଖି ସେମାନେ ହୋଇଥିଲେ ବିମୋହିତ। ଏହି ବିଦେଶୀ ଅତିଥିଙ୍କ ରହିବାର ସରକାରଙ୍କ ପକ୍ଷରୁ ଅରାଇଲ୍ ର ଟେଣ୍ଟ ସିଟିରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିଲା।

ଦେଶର କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଏପରିକି ବିଦେଶରୁ ଆସିଥିବା ଅତିଥିଙ୍କ ରହଣିକୁ ସ୍ମରଣୀୟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଟିକିନିଖି ଭାବେ ସବୁ ସୁବ୍ୟବସ୍ଥିତ କରାଯାଇଛି। ଅତ୍ୟାଧୁନିକ ଟେକ୍ନୋଲଜି, ଭିତ୍ତିଭୂମିର ବିକାଶ ଓ ନିରନ୍ତର ଯୋଜନାକୁ ଦେଖିଲେ କୌଣସି ସମାବେଶ ଆୟୋଜନ ଓ ସାଂସ୍କୃତିକ ବିନିମୟରେ ଏକ ବେଞ୍ଚମାର୍କ ସ୍ଥାପନ କରିଛି ମହାକୁମ୍ଭର ଏହି ସଂସ୍କରଣ। ରାଜସ୍ନାନଠୁ ଆରମ୍ଭ କରି ଆକର୍ଷଣୀୟ ଆଖଡ଼ା ଶୋଭାଯାତ୍ରା, ଡିଜିଟାଲ ସୃଜନଠାରୁ ଆରମ୍ଭ କରି ନିରନ୍ତର ପ୍ରଗତିର ବଡ଼ ବଡ଼ ପ୍ରକଳ୍ପ ପର୍ଯ୍ୟନ୍ତ ଏଇ ମହାକୁମ୍ଭ ୨୦୨୫  ହେଉଛି ଅତୀତ ଓ ଭବିଷ୍ୟତର ଅପୂର୍ବ ସଂଗମ।

ମହାକୁମ୍ଭର ପ୍ରମୁଖ ଆକର୍ଷଣ

ଆସ୍ଥା, ସଂସ୍କୃତି ଓ ଅନୁସୃଜନର ଏକ ସମୃଦ୍ଧ ପଟ୍ଟଚିତ୍ର ହେଉଛି ପ୍ରୟାଗରାଜର ମହାକୁମ୍ଭ ମେଳା ୨୦୨୫। ଏହାର ମଧ୍ୟ ଭାଗରେ ଶୋଭା ପାଉଛି ତେଜସ୍ ପେଣ୍ଡାଲ। ୮୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ବିରାଟ ତେଜସ୍ ପେଣ୍ଡାଲ ହେଉଛି ହାଲ୍ ର ତେଜସ୍ ଯୁଦ୍ଧ ବିମାନର ଏକ ମଡେଲ। ପ୍ରୟାଗରାଜ ମହାକୁମ୍ଭ ମେଳାର ଆଉ ଏକ ପ୍ରମୁଖ ପରିଚୟ ହେଉଛି ଆଖଡ଼ା । ଉଭୟ ଆଧ୍ୟାତ୍ମିକ ଓ ସାମରିକ କୌଶଳ ପରମ୍ପରାର ତତ୍ତ୍ୱାବଧାରକ ହେଉଛନ୍ତି ଏହି ଆଖଡ଼ା।

ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କାରିଗରଙ୍କୁ ନିଜ ହାତର ଯାଦୁ ଦେଖାଇବାର ଅପୂର୍ବ ସୁଯୋଗ ଆଣି ଦେଇଛି “ଏକ ଜିଲ୍ଲା ଏକ ଉତ୍ପାଦ” ପ୍ରଦର୍ଶନୀ। ସେହିପରି ଭାରତୀୟ ହସ୍ତଶିଳ୍ପ, ଖାଦ୍ୟ ପାନୀୟ ଓ ସଂସ୍କୃତିର ଏକ ଜୀବନ୍ତ ସଂଗ୍ରହାଳୟ ହେଉଛି କଳାଗ୍ରାମ।

ଦର୍ଶକଙ୍କ ମନ ମୋହୁଛି ପ୍ରୟାଗ ମାହ୍ୟତ୍ମମ୍ ଓ ସମୁଦ୍ର ମନ୍ଥନ ଉପରେ ଆଧାରିତ ଡ୍ରୋନ ସୋ। ଏହା ସହିତ ପ୍ରତିଦିନ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ସଂଗୀତ ପରିବେଷଣ କରୁଛନ୍ତି ଶଙ୍କର ମହାଦେବନ, ମୋହିତ ଚୌହାନ, କୈଳାସ ଖେରଙ୍କ ପରି ବହୁ ନାମୀ ଦାମୀ କଳାକାର। ସେମାନଙ୍କର ଭକ୍ତିଭାବ ପୂର୍ଣ୍ଣ ସଂଗୀତ ମହାକୁମ୍ଭରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି। ଏପରି କାର୍ଯ୍ୟକ୍ରମ ୨୦୨୫ ଫେବ୍ରୁଆରି ୨୪ ଯାଏ ଚାଲିବ।

ପ୍ରମୁଖ ସ୍ନାନର ତିଥି ଓ ସେଗୁଡ଼ିକର ମହତ୍ତ୍ୱ

ମହାକୁମ୍ଭର ପ୍ରାଣ ହେଉଛି ଏହାର ପବିତ୍ର ସ୍ନାନ ରୀତିନୀତି ( ରାଜସ୍ନାନ)

ମହାକୁମ୍ଭ ୨୦୨୫ର ପ୍ରମୁଖ ରାଜସ୍ନାନଗୁଡ଼ିକ ହେଲା

୨୦୨୫ ଜାନୁଆରି ୨୯ ତାରିଖ: ମୌନି ଅମାବାସ୍ୟାରେ ହେବ ଦ୍ୱିତୀୟ ରାଜସ୍ନାନ

ବିଶ୍ୱାସ କରାଯାଏ, ମୌନି ଅମାବାସ୍ୟାର ଏହି ମାହେନ୍ଦ୍ର ବେଳାରେ ଗଙ୍ଗା ପରି ପବିତ୍ର ନଦୀରେ ବୁଡ଼ ପକାଇବା ଦ୍ୱାରା ସୌଭାଗ୍ୟପ୍ରାପ୍ତି ହୋଇଥାଏ। ପୌରାଣିକ କଥା ଅନୁସାରେ, ଏହି ଦିନ ମହାମୁନି ରିଷଭ ଦେବ ମୌନବ୍ରତ ଭାଙ୍ଗି ସଂଗମର ଏହି ପବିତ୍ର ଜଳରେ ସ୍ନାନ କରିଥିଲେ। ଏହି କାରଣରୁ କୁମ୍ଭମେଳାର ମୌନି ଅମାବାସ୍ୟା ତିଥିରେ ସବୁଠୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଥିପାଇଁ ମୌନି ଅମାବାସ୍ୟା ହେଉଛି ଆଧ୍ୟାତ୍ମିକ, ଭକ୍ତି ଓ ଆତ୍ମା ଶୁଦ୍ଧିକରଣର ଏକ ଅପୂର୍ବ ଦିନ।

୩ ଫେବ୍ରୁଆରି ୨୦୨୫ ବସନ୍ତ ପଞ୍ଚମୀରେ ତୃତୀୟ ରାଜସ୍ନାନ

ହିନ୍ଦୁ ପୌରାଣିକ ଆଖ୍ୟାନ ଅନୁସାରେ ବସନ୍ତ ପଞ୍ଚମୀରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଆବାହନ କରାଯାଇଥାଏ। ଋତୁ ପରିବର୍ତ୍ତନର ପ୍ରତୀକ ମଧ୍ୟ ହେଉଛି ଏହି ବସନ୍ତ ପଞ୍ଚମୀ।

୧୨ ଫେବ୍ରୁଆରି ୨୦୨୫ ମାଘ ପୂର୍ଣ୍ଣିମା ସ୍ନାନ

ମାଘ ପୂର୍ଣ୍ଣିମାରେ ଗୁରୁ ବୃହସ୍ପତିଙ୍କ ଉପାସନା କରାଯାଇଥାଏ। ଏହା ସହିତ ବିଶ୍ୱାସ କରାଯାଏ ଯେ, ଗନ୍ଧର୍ବ ଏହି ଦିନ ସ୍ୱର୍ଗରୁ ପବିତ୍ର ସଂଗମକୁ ଅବତରଣ କରିଥିଲେ

୧୨ ଫେବ୍ରୁଆରୀ ୨୦୨୫ ମହା ଶିବରାତ୍ରି

ମହାଶିବରାତ୍ରିରେ ସ୍ନାନ ହେଉଛି କଳ୍ପବାସୀଙ୍କ ଅନ୍ତିମ ପବିତ୍ର ସ୍ନାନ। ଶିବରାତ୍ରୀ ହେଉଛି ଭଗବାନ ଶିବଙ୍କ ପର୍ବ।

ମହାକୁମ୍ଭ ୨୦୨୫ ପାଇଁ ଭିତ୍ତିଭୂମି ଓ ଆୟୋଜନ

କୋଟି କୋଟି ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିବାକୁ ଓ ସେମାନେ ଯେମିତି ସୁରୁଖୁରୁରେ ପ୍ରୟାଗରାଜର ସଂଗମରେ ବୁଡ଼ ପକାଇବେ ଓ ସେମାନଙ୍କ ରହିବା ଖାଇବା ପିଇବା ବ୍ୟବସ୍ଥା ପାଇଁ ସରକାରଙ୍କ ତରଫରୁ ବିଶ୍ୱସ୍ତରୀୟ ସୁବିଧା କରାଯାଇଛି।

ସୁରକ୍ଷା ଓ ଭିଡ଼ ପରିଚାଳନା: ଅତ୍ୟାଧୁନିକ ସର୍ଭେଲାନସ ବ୍ୟବସ୍ଥା, ଡ୍ରୋନ ସହାୟତାରେ ମନିଟରିଂ ଓ ପରସ୍ପର ସହିତ ସୁସମନ୍ୱୟ ରଖିଥିବା ସୁରକ୍ଷା ସଂସ୍ଥା ଦିନ ରାତି କାମ କରୁଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅର୍ଦ୍ଧ ସାମରିକ ବାହିନୀ ସହିତ ୫୦ ହଜାରରୁ ଅଧିକ ପୋଲିସ କର୍ମଚାରୀ, ୧୪ ହଜାର ହୋମଗାର୍ଡ ମୁତୟନ ହୋଇଛନ୍ତି। ଏହା ସହିତ ୨୭୫୦ ଏଆଇ ଆଧାରିତ ସିସିଟିଭି ଲଗାଯାଇଛି। ଅଧିକ ସୁରକ୍ଷା ଓ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ବହୁମୁଖୀ ଗାଡ଼ି ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

ସାର୍ବଜନୀନ ଭିତ୍ତିଭୂମି : ପ୍ରୟାଗରାଜର ଏହି ମହାକୁମ୍ଭମେଳାକୁ ଦୃଷ୍ଟିରେ ରଖି ୧୪ଟି ନୂଆ ଫ୍ଲାଏ ଓଭର, ୯ଟି ସ୍ଥାୟୀ ଘାଟ, ୭ଟି ନୂଆ ବସଷ୍ଟାଣ୍ଡ, ୧୨ କିଲୋମିଟର ଧରି ଅସ୍ଥାୟୀ ଘାଟ ନିର୍ମାଣ କରାଯାଇଛି। ଏହା ସହିତ ୨୦୦ରୁ ଅଧିକ ରାସ୍ତା ନୂଆ ଭାବେ ନିର୍ମାଣ କରାଯାଇଛି ବା ମରାମତି କରାଯାଇଛି ।

ଗମନାଗମନ : ରାସ୍ତାଘାଟ ସଂପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ୮୦୦ଟି ବହୁଭାଷୀୟ ସାଇନ୍ ବୋର୍ଡ ଲଗାଯାଇଛି। କେଉଁଠି କେତେ ଲୋକ ଅଛନ୍ତି, ଜରୁରୀକାଳୀନ ଆଲର୍ଟ, ଦିଗ ପ୍ରଦର୍ଶନ ଓ ହୋଟେଲ ସଂପର୍କରେ ସେହି ମୁହୂର୍ତ୍ତରେ ସୂଚନା ପ୍ରଦାନ କରୁଛି ଏକ ସ୍ୱତନ୍ତ୍ର ଆପ୍।

ସ୍ୱାସ୍ଥ୍ୟ ଓ ପରିମଳ : ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୬ ହଜାର ଶଯ୍ୟା, ୪୩ଟି ହସପିଟାଲର ବ୍ୟବସ୍ଥା କରାଯାଇଛି। ଏହା ସହିତ ମହାକୁମ୍ଭରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୦, ୨୦୦ ସଫେଇ କର୍ମଚାରୀ, ୧୮୦୦ ଗଙ୍ଗା ସେବାଦୂତ ନିୟୋଜିତ ହୋଇଛନ୍ତି।

ଆବାସ: ମହାକୁମ୍ଭ ନଗରକୁ ଏକ ଅସ୍ଥାୟୀ ସହରରେ ପରିଣତ କରାଯାଇଛି। ଭକ୍ତଙ୍କ ରହିବା ପାଇଁ ଏଠାରେ ତିଆରି କରାଯାଇଛି ଟେଣ୍ଟ, ଆଶ୍ରୟସ୍ଥଳୀ ଓ ସୁପର୍ ଡିଲକ୍ସ ଆବାସ।

ଆକାଶବାଣୀର କୁମ୍ଭବାଣୀ : ମହାକୁମ୍ଭ ନଗରରେ ସମସ୍ତ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କୁ ସମସ୍ତ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ଆକାଶବାଣୀର କୁମ୍ଭବାଣୀରେ ଲାଇଭ୍ ଖବର ପ୍ରସାରଣ କରାଯାଉଛି।

ନୂଆ ଇଲେକଟ୍ରିକ ବସ୍: ମହାକୁମ୍ଭ ଆରମ୍ଭ ହେବା ଆଗରୁ ୧୦-୧୫ଟି ଇଲେକଟ୍ରିକ ବସ୍ ଚାଲୁଥିଲା। ଜାନୁଆରି ୨୯ ମୌନି ଅମାବାସ୍ୟା ପୂର୍ବରୁ ଆହୁରି ୩୦ଟି ଇଲେକଟ୍ରିକ ବସ୍ ଚଳାଯାଇଛି। ପ୍ରତ୍ୟେକ ବସ୍ ର ଲମ୍ୱ ହେଉଛି ୧୨ ମିଟର। ଥରେ ଚାର୍ଜ କରାଗଲେ, ଏହା ୨୦୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଥାଏ।

ଡବଲ୍ ଡେକର୍ ବସ୍ : ଦ୍ୱିତୀୟ ପର୍ଯ୍ୟାୟରେ ୧୨୦ଟି ବସ୍ ଆସିବାର ଅଛି। ସେଥି ମଧ୍ୟରୁ ୨୦ଟି ହେଉଛି ଡବଲ୍ ଡେକର୍ ବସ୍। ୯ ମିଟର ଓ ୧୨ ମିଟରର ୧୦୦ଟି ବସ୍ ଆସିବାର ଅଛି।

ସଂପ୍ରସାରିତ ରେଳ ସେବା : କୁମ୍ଭ ମେଳା ପାଇଁ ୧୫ ଦିନ ଆଗରୁ ଟିକଟ ବୁକିଂ କରିବାର ବ୍ୟବସ୍ଥା କରିଛି ରେଳ ବିଭାଗ। ଟୋଲ୍ ଫ୍ରି ହେଲପ ଲାଇନ, ଓ୍ୱେବସାଇଟ୍ ଓ ମହାକୁମ୍ଭ ମେଳା ଆପ୍ ରୁ ରେଳ ଚଳାଚଳ ସଂପର୍କରେ ସୂଚନା ମିଳି ପାରିବ।

ମହାକୁମ୍ଭ ୨୦୨୫ରେ ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା

ମହାକୁମ୍ଭ ମେଳାରେ ପ୍ରତିଦିନ ପ୍ରାୟ ୨୦ ହଜାର ଲୋକଙ୍କୁ ମାଗଣାରେ ଭୋଜନ ଦିଆଯାଉଛି। ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତର ପ୍ରଦେଶ ସରକାର ୨୫ ହଜାର ନୂଆ ରାସନ କାର୍ଡ ପ୍ରଦାନ କରିଛନ୍ତି। ମହାକୁମ୍ଭର ଶ୍ରଦ୍ଧାଳୁଙ୍କ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୩୫ ହଜାରରୁ ଅଧିକ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଇଥିବା ବେଳେ ୩୫୦୦ ନୂଆ କନେକସନ ପ୍ରଦାନ କରାଯାଇଛି। କୁମ୍ଭ ମେଳାରେ ପ୍ରତିଦିନ ୫୦୦୦ ଗ୍ୟାସ ସିଲିଣ୍ଡର ରିଫିଲ୍ କରାଯାଉଛି। ମହାକୁମ୍ଭରେ ମୁଖ୍ୟତଃ ଆଖଡ଼ାର ଅନ୍ତେବାସୀ ଓ କଳ୍ପବାସୀଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଇଛି।

ଉତ୍ତର ପ୍ରଦେଶ ସରକାର ଖାଦ୍ୟ ପାନୀୟର ଗୁଣବତ୍ତା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି। ସେଥିପାଇଁ ମହାକୁମ୍ଭ ଅଞ୍ଚଳକୁ ୫ଟି ଜୋନ୍ ଓ ୨୫ଟି ସେକ୍ଟରରେ ବିଭକ୍ତ କରାଯାଇଛି। ହୋଟେଲ, ଢାବା, ଷ୍ଟଲରେ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଫୁଡ୍ ସେଫଟି ଅଧିକାରୀ। ଅପମିଶ୍ରଣକୁ ରୋକିବା ପାଇଁ ସେହି ସ୍ଥାନରେ ହିଁ ଫୁଡ୍ ସେଫଟି ଅନ୍ ହ୍ୱିଲ୍ ଲାବରୋଟୋରି ଦ୍ୱାରା ଯାଞ୍ଚ କରାଯାଉଛି। ଯେଉଁ ଖାଦ୍ୟ ବଣ୍ଟନ କରାଯାଉଛି, ତାହା ଯେମିତି ସଫାସୁତୁରା ଓ ସ୍ୱାସ୍ଥ୍ୟକର ହୋଇଥିବ, ତାହା ଯାଞ୍ଚ କରୁଛନ୍ତି ୧୦ଟି ମୋବାଇଲ୍ ଫୁଡ୍ ଲାବ୍।

ଶେଷ କଥା

ଶ୍ରଦ୍ଧାଳୁଙ୍କ ସମାଗମ, ଭିତ୍ତିଭୂମି ଓ ବିଶ୍ୱର ଧ୍ୟାନ ଆକର୍ଷଣ କରିବାରେ ମହାକୁମ୍ଭ ୨୦୨୫ ନୂଆ ରେକର୍ଡ କରିଛି। ମହାକୁମ୍ଭରେ ଏପର୍ଯ୍ୟନ୍ତ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳଙ୍କୁ ସମାଗମ ହେବା କେବଳ ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ଦର୍ଶାଉ ନାହିଁ ବରଂ ଏତେ ବଡ଼ କାର୍ଯ୍ୟକ୍ରମକୁ ଅସାଧାରଣ ଭାବେ ଯୋଜନା କରି ସୁରୁଖୁରୁରେ କାର୍ଯ୍ୟକାରୀ କରିବାରେ ଭାରତ ଯେ କେତେ ପାରଙ୍ଗମ, ତାହା ଏଥିରୁ ପ୍ରତିଫଳିତ ହେଉଛି। ପ୍ରୟାଗରାଜର ତ୍ରିବେଣୀ ସଂଗମରେ ବୁଡ଼ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଥିବା ବେଳେ ଆସ୍ଥା, ଏକତା ଓ ସାଂସ୍କୃତିକ ମହାମିଳନ ପାଲଟିଛି ମହାକୁମ୍ଭ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟର ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବଙ୍କ ସମୀକ୍ଷା

ନୂଆଦିଲ୍ଲୀ: ମହାକୁମ୍ଭ ମେଳାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁ ସ୍ଥିତି ସମୀକ୍ଷା କରିଛନ୍ତି। ମଲଟି ମିଡିଆ ହଲରେ ଜନ ଭାଗିଦାରୀରୁ ଜନ କଲ୍ୟାଣ ଉପରେ କରାଯାଇଥିବା  ପ୍ରଦର୍ଶନୀର ସମୀକ୍ଷା କରାଯାଇଛି। ଗତ ଦଶ ବର୍ଷର ବିଭିନ୍ନ ସରକାରୀ ଯୋଜନା, ସଫଳତା, କାର୍ଯ୍ୟକ୍ରମ ଉପରେ ମହାକୁମ୍ଭର ତ୍ରିବେଣୀ ମାର୍ଗରେ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀକୁ ସଚିବ ବୁଲି ଦେଖିଛନ୍ତି।

ପ୍ରଦର୍ଶନୀକୁ ଏକ ନିଆରା କାର୍ଯ୍ୟକ୍ରମ ବୋଲି ଅଭିହିତ କରି ଏହା ଲୋକାଭିମୁଖୀ ହୋଇଥିବା ସଚିବ କହିଛନ୍ତି। କାନ୍ଥ, ଏଲଇଡି କାନ୍ଥ, ହୋଲୋଗ୍ରାଫିକ ସିଲିଣ୍ଡର ପରି ବିଭିନ୍ନ ଉନ୍ନତମାନର ଯାନ୍ତ୍ରିକ ଜ୍ଞାନ କୌଶଳର ଉପଯୋଗ କରାଯାଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିବା ସେ କହିଛନ୍ତି। ମହାକୁମ୍ଭରେ ପଡିଥିବା ମିଡିଆ ସେଂଟରକୁ ଯାଇ ବିଭିନ୍ନ ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁ ସମୀକ୍ଷା କରିଛନ୍ତି। ସେଠାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସହ କଥା ହୋଇ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ସେ ପଚାରି ବୁଝିଛନ୍ତି।

ମହାକୁମ୍ଭ ମେଳା ଅଂଚଳର ସେକ୍ଟର-୪ରେ ଅବସ୍ଥାପିତ ଦୂରଦର୍ଶନ ଓ ଆକାଶବାଣୀର ଅସ୍ଥାୟୀ କେନ୍ଦ୍ରକୁ ଯାଇ ଶ୍ରୀ ଜାଜୁ ସ୍ଥିତିର ସମୀକ୍ଷା କରିଛନ୍ତି। ରେଡିଓ, ଟେଲିଭିଜନ, ମୋବାଇଲ ଓ ଅନ୍ୟ ମାଧ୍ୟମ ଯୋଗେ ମହାକୁମ୍ଭର ଟିକିନିଖି ଖବର ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କରାଯାଉଥିବା ସରକାରୀ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରସାର ଭାରତୀ ପକ୍ଷରୁ ବହୁମୁଖୀ କ୍ୟାମେରା ବ୍ୟବସ୍ଥାର ଆୟୋଜନ କରାଯାଇଥିବା ବେଳେ ଏଠାରୁ ସିଧା ପ୍ରସାରଣ ପାଇଁ ବି ଉଦ୍ୟମ କରାଯାଉଥିବା ସେ କହିଛନ୍ତି।

କୁମ୍ଭବାଣୀ ରେଡିଓ କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଜନତାଙ୍କ ପାଖରେ ଖବର ପହଂଚା ଯାଉଥିବା ସେ ଉଲ୍ଲେଖ କରିଛନ୍ତି। ଏଫଏମ ସେବା ପ୍ରସାରଣ ଫଳରେ ସାଧାରଣ ଜନତାଙ୍କ ସମେତ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଉପକୃତ ହେଉଥିବା କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ପଦାଧିକାରୀଙ୍କ ସହ ବିଭାଗୀୟ ସଚିବ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି।

ଦୀର୍ଘ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଏହି ମହାକୁମ୍ଭକୁ ସଫଳ କରିବା ପାଇଁ ସମସ୍ତେ ପ୍ରୟାସ କରୁଥିବା ବିଭାଗୀୟ ସଚିବ କହିଛନ୍ତି। ମହାକୁମ୍ଭକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବୁଲି ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିଥିବା କୁହାଯାଇଛି। ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ପାଇଁ ମହାକୁମ୍ଭ ମେଳାର ଯଥେଷ୍ଟ ଭୂମିକା ରହିଥିବା ସଚିବ ସଞ୍ଜୟ ଜାଜୁ ମତପ୍ରକାଶ କରିଛନ୍ତି। ପରେ ପ୍ରକାଶନୀ ସଂସ୍ଥା ଷ୍ଟଲ ଗସ୍ତ କରି ସଚିବ ସଞ୍ଜୟ ଜାଜୁ ନିଜ ପିଲାଦିନ କଥା ମନେ ପକାଇ ବିହ୍ୱଳିତ ହୋଇଥିଲେ। ଷ୍ଟଲରେ ବାଲ ଭାରତୀ ପତ୍ରିକା ଦେଖି ପିଲା ଦିନର ସୁଖଦ ଅନୁଭୂତିକୁ ସଚିବ ମନେ ପକାଇ ଏହା ନିରନ୍ତର ପ୍ରକାଶ ପାଇବା ଦରକାର ବୋଲି ମତବ୍ୟକ୍ତି କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭରେ ଆଖଡ଼ା: ସମାବେଶୀ ଓ ପ୍ରତିବଦ୍ଧ ସମାଜିକ ନେତୃତ୍ୱର ଅନନ୍ୟ ନିଦର୍ଶନ

ନୂଆଦିଲ୍ଲୀ: ସନାତନ ସମ୍ପ୍ରଦାୟ, ପରମ୍ପରା ଓ ଅଭ୍ୟାସରେ ଆଖଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରେ। ‘ଅଖଣ୍ଡ’ ଶବ୍ଦରୁ ସୃଷ୍ଟି ଏହି ବିଚାରଧାରା ପ୍ରଥମେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରଣୀତ ହୋଇଥିଲା। ତା’ପରେ ନିରନ୍ତର ଭାବେ ଏହା ସାଂଗଠନିକ ରୂପରେ ଆମ ସଂସ୍କୃତି,  ଆଧ୍ୟାତ୍ମିକ ପରମ୍ପରାକୁ ନିରନ୍ତର ଭାବେ ସମାଜରେ ପ୍ରବାହିତ କରି ସାରା ବିଶ୍ୱରେ ସମାବେଶୀ ଓ ପ୍ରତିବଦ୍ଧ ସାମାଜିକ ନେତୃତ୍ୱର ଅନନ୍ୟ ନିଦର୍ଶନ ପାଲଟିଛି। ଯୁଗ ଯୁଗ ଧରି ମହାକୁମ୍ଭର ଆୟୋଜନରେ ତାଙ୍କର ସ୍ଥାନ ସର୍ବାଗ୍ରେ ରହି ଆସିଛି। ସାଧୁ ସନ୍ଥଙ୍କ ଶୃଙ୍ଖଳା ଓ ଦୂରଦୃଷ୍ଟିଦ୍ୱାରା ଆଖଡ଼ାଗୁଡ଼ିକ  ସ୍ୱତନ୍ତ୍ର ମର୍ଯ୍ୟାଦା ସହ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ପ୍ରୟାଗରାଜର ମହାକୁମ୍ଭ ୨୦୨୫ରେ ଉପସ୍ଥିତ ୧୩ଟି ଆଖଡ଼ା ଭିତରେ ଶୈବ, ବୈଷ୍ଣବ ଓ ଉଦାସୀନ ସମ୍ପ୍ରଦାୟ ଉଲ୍ଲେଖନୀୟ। ସେମାନେ ଧାର୍ମିକ ମହତ୍ତ୍ୱ ସହ ଭକ୍ତି, ପୂଜା ଏବଂ ସାମୂହିକ ଜୀବନ ଉପରେ  ଅନନ୍ୟ ଦୃଷ୍ଟିକୋଣକୁ ବ୍ୟାଖ୍ୟା କରନ୍ତି। ଶୈବ ଆଖଡ଼ାର ନେତୃତ୍ୱ ନିଅନ୍ତି ନାଗା ସନ୍ନ୍ୟାସୀ।ସେମାନେ ଭଗବାନ ଶିବଙ୍କୁ ପୂଜା କରନ୍ତି ଏବଂ ନିଜର ଆଧ୍ୟାତ୍ମିକ ଏବଂ ସାମରିକ ଦକ୍ଷତା ପାଇଁ ବେଶ୍‍ ଜଣାଶୁଣା। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଯଥା ଭାଲା ଓ ଖଣ୍ଡା ଧରି ଥିବା ଏହି ନାଗା ସନ୍ନ୍ୟାସୀମାନେ କୁମ୍ଭମେଳାରେ ଭବ୍ୟ ଶୋଭାଯାତ୍ରା ଓ ରୀତିନୀତି ମଧ୍ୟମରେ ସାହି ସ୍ନାନର ମହତ୍ତ୍ୱକୁ ବଢ଼ାଇଥାଆନ୍ତି। ଏହି ବର୍ଗରେ ଜୁନା ଆଖଡ଼ାର ନାଗା ସନ୍ନ୍ୟାସୀମାନେ କୁମ୍ଭର ସବୁଠାରୁ ମାନ୍ୟ ଅଂଶଗ୍ରହଣକାରୀ ଭାବେ ଜଣାଯାଆନ୍ତି। କଠୋର ଅଭ୍ୟାସ ଏବଂ  ଆତ୍ମରକ୍ଷା କୌଶଳରେ ପାରଦର୍ଶିତା ଲାଗି ତାଙ୍କର ସ୍ୱତନ୍ତ୍ର ଖ୍ୟାତି ରହିଛି।

ଐତିହାସିକ ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଖଡ଼ା ହେଉଛି ଶ୍ରୀ ପଞ୍ଚଦଶନାମ ଆବାହନ ଆଖଡ଼ା, ଯାହା ୧୨୦୦ ବର୍ଷରୁ ଅଧିକ ସମୟ ଧରି କୁମ୍ଭମେଳାର ଅଂଶଗ୍ରହଣ କରିଆସୁଛି। ହନ୍ତ ଗୋପାଳ ଗିରିଙ୍କ ନେତୃତ୍ୱରେ ଏହି ଆଖଡ଼ା ଛଡ଼ି ଯାତ୍ରାର ପବିତ୍ର ପରମ୍ପରାକୁ ବଜାୟ ରଖିଛି। ଏହାର ନିରନ୍ତର ଉପସ୍ଥିତି ସନାତନ ଧର୍ମର ଆଧ୍ୟାତ୍ମିକ ଐତିହ୍ୟର ସଂରକ୍ଷଣରେ ଆଖଡ଼ାମାନଙ୍କର କାଳଜୟୀ ପ୍ରାସଙ୍ଗିକତାକୁ ସୂଚାଇଥାଏ।

କୁମ୍ଭରେଶ୍ରୀ ପଞ୍ଚ ନିର୍ମୋହୀ ଆନି ଆଖଡ଼ା, ଶ୍ରୀ ପଞ୍ଚ ନିର୍ବାଣୀ ଆନି ଆଖଡ଼ା ଏବଂ ପଞ୍ଚ ଦିଗମ୍ବର ଅନି ଆଖଡ଼ା ସମେତ ବୈଷ୍ଣବ ଆଖଡ଼ାଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଆଖଡ଼ାମାନେ ଭଗବାନ ବିଷ୍ଣୁଙ୍କ ପୂଜା କରିଥଆନ୍ତି।  ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତି ଥିବା ଧର୍ମ ଧ୍ୱଜ ଏହି ଆଖଡ଼ା ପକ୍ଷରୁ ଭକ୍ତଙ୍କୁ ପ୍ରଦାନ କରାଯାଇଥାଏ। ଏହା ଦିବ୍ୟ ସୁରକ୍ଷା ଏବଂ ଆଶୀର୍ବାଦର ପ୍ରତୀକ।

ପ୍ରଥମଥର ପାଇଁ ପ୍ରୟାଗରାଜର ମହାକୁମ୍ଭରେ ସାମିଲ ମହିଳାଙ୍କ ଆଖଡ଼ା ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି।  ପ୍ରାୟ ୧୦୦୦ ମହିଳା ଏହି ଆଖଡ଼ାରେ ଯୋଗ ଦେଇଛନ୍ତି। ସଂସ୍କୃତରେ ପିଏଚଡି ପ୍ରାର୍ଥୀ ରାଧେନନ୍ଦ ଭାରତୀଙ୍କ ଭଳି ମହିଳାଙ୍କ ସମେତ ଅନେକ ବିଦ୍ୱତୀ ଏଥିରେ ଯୋଗ  ଦେଇଛନ୍ତି। ଆଖଡ଼ାରେ ନାରୀମାନଙ୍କୁ ଅନ୍ତର୍ଭୁକ୍ତ କରି ଆଧ୍ୟାତ୍ମିକ ଜୀବନରେ ସେମାନଙ୍କ ଭୂମିକାକୁ ସ୍ୱୀକୃତି ପ୍ରଦାନ କରେ।

ଏହି ଆନ୍ଦୋଳନର ଏକ ପ୍ରମୁଖ ଭୂମିକା ହେଉଛି କୁମ୍ଭର ସବୁଠାରୁ ବଡ଼ ଏବଂ ପ୍ରଭାବଶାଳୀ ଆଖଡ଼ା ଶ୍ରୀ ପଞ୍ଚଦଶନାମ ଜୁନା ଆଖଡ଼ା। ଏହି ଆଖଡ଼ାରେ ୨୦୦ରୁ ଅଧିକ ମହିଳା ସନ୍ନ୍ୟାସୀ ରହିଛନ୍ତି। ପୁଣି ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଲିଙ୍ଗଗତ ସମାନତାକୁ ଗ୍ରହଣ କରି ଏହି ଆଖଡ଼ାମାନେ କେବଳ ସେମାନଙ୍କର ଆଭ୍ୟନ୍ତରୀଣ ଢାଞ୍ଚାକୁ ନୂଆ ରୂପ ଦେଉନାହାନ୍ତି ବରଂ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଢାଞ୍ଚାରେ ସକ୍ରିୟ ଯୋଗଦାନ କରିବା ପାଇଁ ମହିଳାମାନଙ୍କୁ ସଶକ୍ତ କରୁଛନ୍ତି।

ଅନ୍ୟତମ ଧନୀ ଓ ପ୍ରଭାବଶାଳୀ ଆଖଡ଼ା ହେଉଛି ମହା ନିର୍ବାଣୀ ଆଖଡ଼ା। ଏହା ମଧ୍ୟ ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠାରେ ଆଗରେ ରହିଛି। ମହିଳାମାନଙ୍କ ପାଇଁ ମହାମଣ୍ଡଳେଶ୍ୱର ପାହ୍ୟା ପ୍ରତିଷ୍ଠା କରିଥିବା ପ୍ରଥମ ଆଖଡ଼ା ଭାବରେ ଏହା ପରିଚିତ। ସାଧ୍ୱୀ ଗୀତା ଭାରତୀ ଏବଂ ସନ୍ତୋଷ ପୁରୀଙ୍କ ଭଳି ମହିଳା ମହାମଣ୍ଡଳେଶ୍ୱରଙ୍କ ଅଂଶଗ୍ରହଣ ଆଧ୍ୟାତ୍ମିକ ସମ୍ପ୍ରଦାୟର ନେତୃତ୍ୱ ଏବଂ ମାର୍ଗଦର୍ଶନ ପାଇଁ ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ଆଖଡ଼ାର ପ୍ରତିବଦ୍ଧତାକୁ ଦର୍ଶାଇଥାଆନ୍ତି। ଏହା ବ୍ୟତୀତ ମହା ନିର୍ବାଣୀଆଖଡ଼ାରେ ପରିବେଶ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ଯାହା ସାମାଜିକ ଏବଂ ଆଧ୍ୟାତ୍ମିକ ଦାୟିତ୍ୱ ପ୍ରତି ଆଖଡ଼ାର ବ୍ୟାପକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ସେହିପରି ମହାକୁମ୍ଭରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି କିନ୍ନର ଆଖଡ଼ାର ଉପସ୍ଥିତି। ଏହା ମହାକୁମ୍ଭକୁ ଏକ ସମାବେଶୀ ସ୍ଥାନ ଭାବରେ ପରିସ୍ଫୁଟିତ କରିଛି।

ମହାକୁମ୍ଭ- ୨୦୨୫ରେ ଏହି ପ୍ରମୁଖ ଆଖଡ଼ାମାନଙ୍କର ଯୋଗଦାନ ଭାରତର ଆଧ୍ୟାତ୍ମିକ ଜୀବନରେ ଆଖଡ଼ାମାନଙ୍କର ସ୍ଥାୟୀ ପ୍ରାସଙ୍ଗିକତାର ପ୍ରମାଣ ଦିଏ। ଏହି ଅନୁଷ୍ଠାନଗୁଡ଼ିକ କେବଳ ସନାତନ ଧର୍ମର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖନ୍ତି ନାହିଁ ବରଂ ଆଧୁନିକ ସମ୍ବେଦନଶୀଳତାକୁ ଗ୍ରହଣ କରି ଅନ୍ତର୍ଭୁକ୍ତୀକରଣ ଏବଂ ସମାନତାକୁ ଗ୍ରହଣ କରନ୍ତି। ମହାକୁମ୍ଭରେ ଆଖଡ଼ାମାନେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ଉନ୍ନତି, ଶୃଙ୍ଖଳା ଓ ଏକତାର ମାର୍ଗ ପ୍ରଦାନ କରି ପ୍ରେରଣା ଯୋଗାଇ ଆସୁଛନ୍ତି । ଆସନ୍ତା ଦିନମାନଙ୍କରେ ସେମାନଙ୍କ ପ୍ରତିବଦ୍ଧତା ଭାରତୀୟତା ମନ୍ତ୍ରକୁ ଚିରନ୍ତନୀକରିବ ଏଥିରେ ସନ୍ଦହ ନାହିଁ।