Categories
ଆଞ୍ଚଳିକ

ୱାର୍ଡ଼ ନଂ ୨୮ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବୀ ପ୍ରଭାତୀ ସାହୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୱାର୍ଡ଼ ନଂ୨୮ରୁ କର୍ପୋରେଟର ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ସମାଜସେବୀ ପ୍ରଭାତୀ ସାହୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦୀର୍ଘବର୍ଷ ଧରି ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଏବଂ ୱାର୍ଡ଼ ନଂ-୨୮ରେ ଥିବା ମୌଳିକ ସମସ୍ୟାଗୁଡ଼ିକର ସମାଧାନ କରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ପ୍ରଭାତୀ ତାଙ୍କର ନାମାଙ୍କନ ପତ୍ର ଦାଖଲ ପରେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ, ଜଣେ ସମାଜସେବୀ ହିସାବରେ ଲୋକଙ୍କୁ ସେବା ଯୋଗାଇବା ମୋର ପ୍ରଥମ କର୍ତ୍ତବ୍ୟ। ବାତ୍ୟା, ବନ୍ୟା, ମହାମାରୀ କରୋନା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଁ ଲୋକଙ୍କୁ ସେବା ଯୋଗାଇ ଆସୁଛି। ରାଜଧାନୀ ଭୁବନେଶ୍ୱରକୁ ଏକ ନମ୍ବର ସହରରେ ପରିଣତ କରିବା ମୋର ପ୍ରଥମ ଲକ୍ଷ୍ୟ।

ଏଥିସହିତ ରାଜଧାନୀରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ସମସ୍ୟାକୁ ଦୂର କରି ସେମାନଙ୍କ ପାଇଁ ଆଦର୍ଶ କଲୋନୀ ପ୍ରତିଷ୍ଠା କରିବା, ଡ୍ରେନେଜ ସମସ୍ୟାକୁ ଦୂର କରିବା ସହିତ ରାଜଧାନୀରେ ବଢି ଚାଲିଥିବା ଚୋରି, ଡ଼କାୟତି, ଚୋରା ମଦ, ଗଞ୍ଜେଇ ଓ ଧଳା ଜହର କାରବାରକୁ ବନ୍ଦ କରିବା ଏବଂ ରାଜଧାନୀର ଗରିବ, ଅସହାୟ ଓ ନିଷ୍ପେସିତ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଁ ଆଜି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ମୋର ସମାଜସେବା ଓ ତ୍ୟାଗ ପାଇଁ ୱାର୍ଡ଼ ନଂ-୨୮ ସାଧାରଣ ଜନତା ମୋତେ ବିଜୟୀ କରିବେ ବୋଲି ମୋର ଆଶା ଓ ବିଶ୍ୱାସ।

ପ୍ରଭାତୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ସମାଜସେବୀ ବିବେକାନନ୍ଦ ବାରିକ, ଅମ୍ଲେଶ ଦାସ, ରଞ୍ଜନ ମହାନ୍ତି, ଅନୁଜା ଦାସ, ଅମୂଲ୍ୟ ପଣ୍ଡା, ପ୍ରଶାନ୍ତ ମହାନ୍ତି, ଶିବିର କୁମାର ପରିଡ଼ା, ଧରଣୀଧର ସାହୁ, ସରୋଜ ସାହୁ, ଆଶୁତୋଷ ଦତ୍ତ, ଶାନ୍ତିଲତା ପ୍ରଧାନ, ମଣ୍ଟୁଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୩ ମହାନଗର ନିଗମର ମେୟର ପଦବୀ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ସହିତ ରାଜ୍ୟରେ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେଥିପାଇଁ ରାଜ୍ୟରେ ମହାନଗର ନିଗମର ମେୟର ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି: ପ୍ରଥମ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାକୁ ପଠାଗଲା ଇଭିଏମ

ଭୁବନେଶ୍ବର: ରାଜ୍ୟରେ ଆଗାମୀ ପୌର ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟ ନିର୍ବାଚନ କମିଶନର ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଜିଲ୍ଲା ଗୁଡିକୁ ଇଭିଏମ ମେସିନ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଛି।

ଗତକାଲି ୫ ଟି ଜିଲ୍ଲାକୁ ଇଭିଏମ ମେସିନ ପଠାଯାଇଥିବା ବେଳେ ଆଜି ସକାଳୁ ଆଉ ୧୦ ଟି ଜିଲ୍ଲା ପାଇଁ ଇଭିଏମ ମେସିନ ପଠାଯାଇଛି। ଜାନୁୟାରୀ ଶେଷ ସପ୍ତାହ ସୁଦ୍ଧା ବାକି ସବୁ ଜିଲ୍ଲାକୁ ଇଭିଏମ ପଠାଯିବ ବୋଲି ଜଣାପଡିଛି। ଭୋଟ କେନ୍ଦ୍ରକୁ ୮ ହଜାର ଇଭିଏମ ପଠାଯିବ ବୋଲି ସୂଚନା ରହିଛି। ୧୦୫ ଟି ପୌରାଞ୍ଚଳ ଏବଂ ୩ ଟି ମହାନଗର ନିଗମରେ ଆସନ୍ତା ବର୍ଷ ନିର୍ବାଚନ ହେବ। ଏହି ନିର୍ବାଚନରେ ମୋଟ ୪୭ ଲକ୍ଷ ଲୋକ ମତଦାନ କରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ଼ ଟିକାକାରଣ ଲାଗି ଗାଇଡଲାଇନ ଜାରି: ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ କରାଗଲା ଚିଠି

ଭୁବନେଶ୍ବର: ରାଜ୍ୟ ସରକାର କୋଭିଡ଼ ଟିକାକାରଣ ଲାଗି ଗାଇଡଲାଇନ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି। ବର୍ତ୍ତମାନ ରାଜ୍ୟକୁ କୋଭିସିଲ୍ଡ ଏବଂ କୋଭାକ୍ସିନ ନାମକ ଦୁଇ ପ୍ରକାର ଟିକା ମିଳିଛି। ପ୍ରତି କୋଭିସିଲ୍ଡ ଭାଏଲ ୧୦ ଡୋଜ ଏବଂ କୋଭାକ୍ସିନ ଭାଏଲ ୨୦ ଡୋଜ ବିଶିଷ୍ଟ। ଉଭୟ କୋରୋନା ଟିକାର ବ୍ୟବହାର ସମୟ ୬ ମାସ ପର୍ଯ୍ୟନ୍ତ ରହିଛି। ଭାଏଲରେ ଉତ୍ପାଦନ ସମୟ ଲେଖାଯାଇଛି। କିନ୍ତୁ ଏକ୍ସପାରି ତାରିଖ ଲେଖାଯାଇ ନାହିଁ। ଭାଏଲ ଖୋଲିବାର ୪ ଘଣ୍ଟା ଭିତରେ ହିଁ ବ୍ୟବହାର କରାଯାଇପାରିବ। ଆସିଥିବା ମୋଟ ଟିକାରୁ ୫୦ ପ୍ରତିଶତ ପ୍ରଥମ ଡୋଜରେ ବ୍ୟବହାର କରାଯିବ। ସମସ୍ତ ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ଟିକା ନେବେ, ଟିକାକୁ ପରିବର୍ତ୍ତନ କରାଯିବ ନାହଁ।