Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତାଳଚେର କୋଇଲା କ୍ଷେତ୍ରରୁ ଦ୍ରୁତ କୋଇଲା ପରିବହନ ପାଇଁ ମାର୍ଗ ପ୍ରଶସ୍ତ କରିବ ଏମସିଆରଏଲ ରେଳ କରିଡର

ଭୁବନେଶ୍ବର: ତାଳଚେର କୋଇଲା କ୍ଷେତ୍ରରୁ ଦ୍ରୁତ ଏବଂ ପ୍ରଭାବୀ କୋଇଲା ପରିବହନ ନିମନ୍ତେ ମହାନଦୀ କୋଇଲା ରେଳବାଇ ଲିଃ (ଏମସିଆରଏଲ) ଅଧୀନରେ ରେଳ କରିଡର ନିର୍ମାଣ କରାଯାଉଛି। ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ପରିବହନ କ୍ଷେତ୍ରରେ ଏମସିଆରଏଲର ରେଳ କରିଡର ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ଏହି ରେଳ କରିଡର ଧାମରା ଏବଂ ପାରାଦୀପ ବନ୍ଦରକୁ ଦ୍ରୁତ ଗତିରେ ଅଧିକ ସଂଖ୍ୟାରେ କୋଇଲା ରେକ୍‌ ପରିବହନ ପାଇଁ ଆବଶ୍ୟକ ସୁବିଧା ଯୋଗାଇବ। ଭିଡ଼ମୁକ୍ତ ରେଳ ନେଟୱର୍କ ପ୍ରତିଷ୍ଠା ହେବା ଫଳରେ କୋଇଲା ପରିବହନ ବାବଦ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଅନ୍ୟପଟେ ବନ୍ଦର ନିକଟରେ ସହଜରେ କୋଇଲା ପହଞ୍ଚିବା ଫଳରେ ଜାହାଜ ଯୋଗେ ଦେଶର ଦକ୍ଷିଣ ଏବଂ ପଶ୍ଚିମ କ୍ଷେତ୍ରକୁ ସହଜରେ କୋଇଲା ପଠାଇବା ସମ୍ଭବ ହୋଇପାରିବ। ସାମୁଦ୍ରିକ ମାର୍ଗରେ କୋଇଲା ପରିବହନ ରେଳ ନେଟୱର୍କରେ ପରିବହନ ତୁଳନାରେ ଅପେକ୍ଷାକୃତ ଶସ୍ତା ବିକଳ୍ପ ହେବ।

ତାଳଚେର କୋଇଲା କ୍ଷେତ୍ରରୁ ପ୍ରଭାବୀ କୋଇଲା ପରିବହନ ନିମନ୍ତେ ଏମସିଆରଏଲ ଅଧୀନରେ ପର୍ଯ୍ୟାୟକ୍ରମେ ରେଳ ଲାଇନ ନିର୍ମାଣ କରାଯାଉଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ ଉଚ୍ଚ ପ୍ରଭାବଯୁକ୍ତ ପ୍ରକଳ୍ପ ଅଧୀନରେ ଏମସିଆରଏଲ ପର୍ଯ୍ୟାୟ ୧ ଏବଂ ପର୍ଯ୍ୟାୟ ୨ ପ୍ରକଳ୍ପ ନିର୍ମାଣ ପାଇଁ କୋଇଲା ମନ୍ତ୍ରଣାଳୟ ପୂର୍ବରୁ ସ୍ଥାନ ଚିହ୍ନଟ କରିସାରିଛି।

ଅନ୍ୟପକ୍ଷରେ ୩୧.୦୮.୨୦୧୫ରେ ଏମସିଆରଏଲ ଗଠନ କରାଯାଇଥିଲା। ଏଥିରେ ମହାନଦୀ କୋଇଲାଫିଲ୍ଡସ୍‌ ଲିମିଟେଡ (ଏମସିଏଲ)ର ୬୪%, ଆଇଆରସିଓଏନର ୨୬% ଏବଂ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ (ଇଡକୋ)ର ୧୦% ଅଂଶଧନ ରହିଛି।

ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦେଇ ଏମସିଆରଏଲ ଅଧୀନରେ ରେଳ ଲାଇନ ନିର୍ମାଣ କରାଯାଉଛି। ଭାରତୀୟ ରେଳ ନେଟୱର୍କର ଅନୁଗୁଳ ଏବଂ ଜରପଡ଼ା ଷ୍ଟେସନ ଏହି ପ୍ରକଳ୍ପ ଅଧୀନରେ ଆସୁଛି । ଅନ୍ୟପଟେ ଏମସିଏଲର ତାଳଚେର-ବଳରାମ ଘରୋଇ ସାଇଡିଂ ଅଧୀନରେ ବଳରାମ ଷ୍ଟେସନକୁ ବର୍ତ୍ତମାନର ଲୋଡିଂ ଷ୍ଟେସନ ଭାବେ ସାମିଲ କରାଯାଇଛି।

ଚଳିତ ବର୍ଷ ସୁଦ୍ଧା ଏମସିଆରଏଲ ପର୍ଯ୍ୟାୟ -୧ (ଅନୁଗୁଳ-ବଳରାମ) ୧୪ କିମି ଲମ୍ବ ରେଳ ଲାଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ତାଳଚେର କୋଇଲା ଖଣିରେ ଥିବା ଏମସିଏଲ ଖଣିରୁ ଏହି ରେଳ ଲାଇନ ଜରିଆରେ ୨୫ ନିୟୁତ ଟନ୍‌ କୋଇଲା ପରିବହନ କରାଯିବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଏମସିଆରଏଲ ପର୍ଯ୍ୟାୟ-୨ ପ୍ରକଳ୍ପ ଅଧୀନରେ ୫୪ କିଲୋମିଟର ଲମ୍ବର ବଳରାମ-ଜରପଡ଼ା-ତେନ୍ତୁଲୋଇ ରେଳ ଲାଇନ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପ ତାଳଚେର କୋଇଲା କ୍ଷେତ୍ରର ଦକ୍ଷିଣ ପାର୍ଶ୍ବ ଏବଂ କେନ୍ଦ୍ରୀୟ ଭାଗରେ ଥିବା ଆବଣ୍ଟିତ କୋଇଲା ଖଣିକୁ ରେଳ ସଂଯୋଗ କରିବ।

ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପ କାମ ଦ୍ରୁତ ଗତିରେ ଜାରି ରହିଛି, ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜଙ୍ଗଲ ମଞ୍ଜୁରି ମିଳିସାରିଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ତାଳଚେର କୋଇଲା କ୍ଷେତ୍ରରେ ଥିବା ସିଆଇଏଲ ଏବଂ ଅଣ-ସିଆଇଏଲ ~୫୮ ନିୟୁତ ଟନ, କୋଇଲା ଖଣିରୁ କୋଇଲା ପରିବହନ ପାଇଁ ସୁବିଧା ମିଳିପାରିବ।

ସୂଚନା ଯୋଗ୍ୟ ଯେ, ମହାନଦୀ କୋଲ୍‌ ଫିଲ୍ଡସ୍‌ର ତାଳଚେର କୋଇଲା କ୍ଷେତ୍ର ଦେଶର ଅନ୍ୟତମ ବୃହତ କୋଇଲା କ୍ଷେତ୍ର ପାଇଁ ପରିଗଣିତ ହୋଇଥାଏ। ଏଠାରେ ଦେଶର ମୋଟ୍‌ ଆନୁମାନିକ କୋଇଲା ସମ୍ପଦର ୧୫% ଅର୍ଥାତ୍‌ ୫୨ ବିଲିୟନ ଟନ କୋଇଲା ଗଚ୍ଛିତ ହୋଇ ରହିଛି। ତାଳଚେର କୋଇଲା କ୍ଷେତ୍ରରେ ଥିବା ଖଣିଜ ସମ୍ପଦ ମଧ୍ୟରୁ, ୬୩%ରୁ ଅଧିକ (୩୩ ବିଲିୟନ ଟନ) ୩୦୦ ମିଟର ଗଭୀରତା ମଧ୍ୟରେ ରହିଛି, ଫଳରେ ଏଠାରେ ଓପନକାଷ୍ଟ ମାଇନିଂ ଜରିଆରେ କୋଇଲା ଉତ୍ତୋଳନ କରାଯାଇପାରିବ।

ତାଳଚେର କୋଇଲା କ୍ଷେତ୍ରରେ ଥିବା ମହାନଦୀ କୋଲ ଫିଲ୍ଡସ ଲିମିଟେଡ ଏବଂ ଆବଣ୍ଟିତ କୋଇଲା ଖଣିରୁ ୨୦୨୨ ଆର୍ଥିକ ବର୍ଷରେ ୯୫ ନିୟୁତ ଟନରୁ ଅଧିକ କୋଇଲା ଉତ୍ପାଦନ ହୋଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୦ ନିୟତୁ ଟନ ଏବଂ ୨୦୩୦ ଆର୍ଥିକ ବର୍ଷରେ ୩୦୦ ନିୟୁତ ଟନ କୋଇଲା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କୋଲ ଇଣ୍ଡିଆ ଲିମିଟେଡର ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ବ୍ୟବସ୍ଥା ଉଦଘାଟିତ

ନୂଆଦିଲ୍ଲୀ, ପ୍ରଥମ ଥର ପାଇଁ କୋଇଲା ମନ୍ତ୍ରଣାଳୟ ଅଧୀନ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ)ରେ ଇନୋଭେଟିଭ୍ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ (ଆରପିଏଏସ) ବ୍ୟବସ୍ଥା କାଯ୍ୟକାରୀ ହୋଇଛି। ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ରେ ଏହି ବ୍ୟବସ୍ଥାକୁ ଗତକାଲି ଉଦଘାଟନ କରାଯାଇଛି।

ଏହାକୁ ଏମସିଏଲର ଇନୋଭେସନ ସେଲ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ଡିଜାଇନ କରାଯାଇଛି। ରିମୋଟ ମନିଟରିଂ ପାଇଁ “ବିହଙ୍ଗମ” ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ମୁମ୍ବାଇସ୍ଥିତ ଡ୍ରୋନ ନିର୍ମାଣ, ରୋବୋଟିକ୍ସ ଏବଂ ଅଟୋମେସନ ଷ୍ଟାର୍ଟଅପ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି।

ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଏହି ପ୍ରୟାସ ଦ୍ବାରା କମ୍ପାନୀ ଇଣ୍ଟରନେଟ ମାଧ୍ୟମରେ ରିୟଲ-ଟାଇମ ଭିଡିଓ ପର‌୍ୟ୍ୟନ୍ତ ପହଞ୍ଚିବାରେ ସକ୍ଷମ ହୋଇପାରିବ। ସେହିପରି ଖଣିରେ ଡ୍ରୋନ ଏବଂ ଅନ୍ୟ ଆନୁସଙ୍ଗିକ ଉପକରଣର ସମ୍ଭାବ୍ୟ ଉପଯୋଗ ପାଇଁ ଏହା ମାର୍ଗ ପ୍ରଶସ୍ତ କରିବ।
କୋଲ ଇଣ୍ଡିଆ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ଅଗ୍ରଓ୍ବାଲ ୨୮୫.୦୫ କୋଟି ଟଙ୍କାର ପ୍ରଥମ ମାଇଲ ସଂଯୋଗ (ଏଫଏମସି) ପ୍ରକଳ୍ପ-ଲକଜୁରା ସାଇଲୋର ଶିଳାନ୍ୟାସ କରିଛନ୍ତି।

ଏହାଦ୍ବାରା ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମସିଏଲ)ର ବାର୍ଷିକ କୋଇଲା ପ୍ରେରଣ କ୍ଷମତା ୧୫ ମିଲିୟନ ଟନ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ। କୋଲ ଇଣ୍ଡିଆ ଅଧ୍ୟକ୍ଷ ମଧ୍ୟ ସମଲେଶ୍ବରୀ ଓଏସପିରେ ଚାରିଟି ଶହେ ଟନ ଡମ୍ପର ଏବଂ ଗୋଟିଏ ମୋବାଇଲ ଜଳ ସିଞ୍ଚନ ସେବାର ଶୁଭାରମ୍ଭ କରିଥିଲେ।

ଦୀର୍ଘସ୍ଥାୟୀ ଖନନ ଲକ୍ଷ୍ୟକୁ ଆଗକୁ ବଢ଼ାଇ, ଏମସିଏଲ ମୋଟ ୩,୬୦୦ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ଜରିଆରେ ପ୍ରଦୂଷଣମୁକ୍ତ ଅତ୍ୟାଧୁନିକ ରେକ ଲୋଡିଂ ସିଷ୍ଟମ ପ୍ରଦାନ କରିବା ଲାଗି ନଅଟି ଏମଏମସି ପ୍ରକଳ୍ପ କାର‌୍ୟ୍ୟକାରୀ କରିଛି। ଏହାଦ୍ବାରା ବାର୍ଷିକ ୧୨୬ ମିଲିୟନ ଟନ ପ୍ରେରଣ କ୍ଷମତା ବୃଦ୍ଧି ପାଇବ, ଏହା ୨୦୨୪ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି।

ଏମସିଏଲ ୧୯୯୯ରେ ପରିବେଶ ଅନୁକୂଳ ଭୂତଳ ଖଣିଜ ପ୍ରଯୁକ୍ତି ପ୍ରଚଳନ କରିବାରେ ପ୍ରଥମ କୋଇଲା କମ୍ପାନୀ ଥିଲା। ୬୬ ସରଫେସ ମାଇନର୍ସମାନଙ୍କୁ ନେଇ ସବୁଠୁ ବଡ଼ କୋଇଲା କମ୍ପାନୀ ଭାବେ ଏମସିଏଲ ମୋଟ କୋଇଲା ଉତ୍ପାଦନରେ ୯୫ ପ୍ରତିଶତ ଯୋଗଦାନ ଦେଇଥାଏ।