Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଭାରତୀୟ ରାଜନୀତି ଓ ଜନଜୀବନର ଅନନ୍ୟ ମହାନାୟକ

ଜ୍ୟୋତି ରଞ୍ଜନ ମହାପାତ୍ର

ସ୍ୱାଧୀନତା ସଂଗ୍ରାମ କାଳରେ ଆମରି ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ “ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ- ଚାଷୀ ମୂଲିଆଙ୍କ ଖପୁରୀକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି?’ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ’। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆହ୍ୱାନ ଦେଇଥିଲେ, “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’।

ସେହି ଡାକରା  ଗୁଡ଼ିକ ଆଜିର ଦିନରେ କ୍ରମାନ୍ୱୟରେ ପରିବର୍ତ୍ତିତ ହୋଇଯାଇଛି ‘(୧) ଧଳା ବଦଳରେ କଳା ହେଲେ ଜୋକ, କଟିଲାଣି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢ଼ିଲେଟି’, (୨) ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ, ଚାଲିଯାଏ ମୁଁ ଦେଶବାସୀଙ୍କ ପିଠିରେ’ ଓ (୩) “ମୋତେ ତୁମ ରକ୍ତ ଦିଅ, ମୁଁ ତୁମକୁ ଶାସନ ଶୋଷଣ କରିବି’।

ଏହିଭଳି ଏକ କିମ୍ଭୂତକିମାକାର ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ସମାଜବାଦ, ଭାଇଚାରା, ସର୍ବଧର୍ମ ସମନ୍ୱୟତା, ଧନୀ ଓ ଦରିଦ୍ରଙ୍କ ଭିତରେ ବିଶେଷ ତାରତମ୍ୟ ନ ରହିବା, ମହିଳା ସଶକ୍ତିକରଣ ଇତ୍ୟାଦି ଅନେକ ତତ୍ତ୍ୱ ଆଜି ସମାଧି ଲଭିବାକୁ ବସିଲାଣି। ଏ ସବୁର ପ୍ରତିଷ୍ଠା ପାଇଁ ସେ ନିଜ ଜୀବନରେ ଯେଉଁ ସବୁ କାର୍ଯ୍ୟପନ୍ଥା ଆପଣେଇଥିଲେ, ସେସବୁର ସମ୍ୟକ ବିବରଣୀ ନିମ୍ନରେ ପ୍ରଦତ୍ତ ଅଛି।

ତା ୨୧.୧୦.୧୯୪୩ରିଖରେ ସିଙ୍ଗାପୁରଠାରେ ଦେଶର ପ୍ରଥମ ସ୍ୱାଧୀନ ସରକାର ଗଠନ କରି ନେତାଜୀ ନିଜେ ରାଷ୍ଟ୍ରମୁଖ୍ୟ ହୋଇ ଗୃହ ଓ ବୈଦେଶିକ ବିଭାଗକୁ ନିଜ ହାତରେ ରଖିଥିଲେ ତଥା ସୈନ୍ୟବାହିନୀର ସୁପ୍ରିମ କମାଣ୍ଡର ହୋଇଥିଲେ। ଶ୍ରୀ ରାସବିହାରୀ ବୋଷ ସେହି ମନ୍ତ୍ରୀମଣ୍ଡଳର ପ୍ରମୁଖ ପରାମର୍ଶଦାତା ଥିଲେ। ମହିଳା ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥିଲେ ଶ୍ରୀମତୀ ଲକ୍ଷ୍ମୀ ସେହେଗଲ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଥିଲେ ଏସ୍.ଏ. ଆୟାର ଓ ଅର୍ଥମନ୍ତ୍ରୀ ଥିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ.ସି. ଚାଟାର୍ଜୀ। ଏ.ଏମ୍. ସହାୟଙ୍କୁ ମନ୍ତ୍ରୀପଦ ତୁଳନୀୟ ସମ୍ପାଦକ ପଦ ମିଳିଥିଲା। ଏ.ଏନ୍. ସରକାର ଥିଲେ ଆଇନ୍ ପରାମର୍ଶଦାତା। ସର୍ବଶ୍ରୀ କରିମ୍ ଗନି, ଦେବନାଥ ଦାସ, ଡ଼ି.ଏମ୍. ଖାନ୍, ଏ. ୟେଲେପ୍ପା, ଜେ. ଥିଭି, ସର୍ଦ୍ଦାର ଇଶାର ସିଂ ପ୍ରମୁଖ ଏହି ସରକାରର ପରାମର୍ଶଦାତା ଥିଲେ। ସୈନ୍ୟବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ ସର୍ବଶ୍ରୀ ଅଜିଜ୍ ଅହମ୍ମଦ, ଏସ୍.ଏନ୍. ଭଗତ, ଗୁଲ୍ଜାର ସିଂ, ଏମ୍.ଜେ. କିଆନି, ଏ. ଲୋଗନାଥନ, ଇଶାନ କ୍ୱାଦିର, ସାହାନୱାଜ ଓ କର୍ଣ୍ଣେଲ ଜେ.କେ. ଭୋଁସଲେ ପ୍ରମୁଖ ଏହି ସରକାରରେ ବିଭିନ୍ନ ପଦପଦବୀରେ ରହିଥିଲେ।

ଏହି ସରକାର “ଆଜାଦ ହିନ୍ଦ୍ ଫୌଜ’ ନାମକ ନିଜର ସୈନ୍ୟବାହିନୀ, ‘ଆଜଦ୍ ହିନ୍ଦ ରେଡ଼ିଓ’ ନାମକ ନିଜର ରେଡ଼ିଓ ଷ୍ଟେସନ, ମୁଦ୍ରା, ଡ଼ାକଘର,  “ଆଜାଦ୍ ହିନ୍ଦ୍ ବ୍ୟାଙ୍କ’ ନାମକ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ଯେଉଁ ରାଷ୍ଟ୍ରମାନେ ଏହି ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିଥିଲେ ସେଗୁଡ଼ିକ ଥିଲେ ଜର୍ମାନୀ, କ୍ରୋଏସିଆ, ·ଇନା, ମାଞ୍ଚୁକୁଓ, ଫିଲିପାଇନ୍ସ, ବର୍ମା, ଇଟାଲୀ, ଜାପାନ ଓ ଇରିଶଯୁକ୍ତ ରାଜ୍ୟ ସମୂହ। ଏହିସବୁ ଦେଶରେ ନେତାଜୀଙ୍କ ସରକାରର ରାଷ୍ଟ୍ରଦୂତମାନେ ନିଯୁକ୍ତି ପାଇଥିଲେ।

ନେତାଜୀ ଯୁବଶକ୍ତି ପ୍ରସଙ୍ଗରେ ଆହ୍ୱାନ ଦେଇ କହିଥିଲେ, ‘ବନ୍ଧୁଗଣ! ଯୁବଶକ୍ତିର ଜାଗରଣରେ ସାହାଯ୍ୟ କର। ଯୁବ ଆନ୍ଦୋଳନ ପାଇଁ ସଙ୍ଗଠନ ଗଢ଼ିଉଠୁ। ଆତ୍ମସଚେତନ ଯୁବଶକ୍ତି କେବେଳ କାର୍ଯ୍ୟ କରିବ ନୁହେଁ, ସ୍ୱପ୍ନ ମଧ୍ୟ ଦେଖିବ। କେବଳ ଧ୍ୱଂସ କରିବ ନାହିଁ, ନିର୍ମାଣ ମଧ୍ୟ କରିବ। ଆମେ ସବୁ ବିଫଳ ହୋଇଯିବା କିନ୍ତୁ ଯୁବଶକ୍ତି ବିଫଳ ହେବନାହିଁ। ଆମମାନଙ୍କ ପାଇଁ ସେମାନେ ଏକ ନବଭାରତ ନିର୍ମାଣ କରିବାରେ ସଫଳ ହେବେ। ସମସ୍ତ ବ୍ୟର୍ଥତା, ସମସ୍ତ ପରୀକ୍ଷା ଓ ଅତୀତର ତିକ୍ତ ଅଭିଜ୍ଞତାରୁ, ଯୁବଶକ୍ତି ସଫଳତା ଦିଗରେ କାର୍ଯ୍ୟ କରିଯିବ। ଯଦି ସାମ୍ପ୍ରଦାୟିକତା ଓ ଅନ୍ଧବିଶ୍ୱାସକୁ ଆମେ ଦୂର କରିବାକୁ ଚାହୁଁ, ତାହାହେଲେ ଯୁବକମାନଙ୍କ ଭିତରେ ହିଁ ଆମକୁ କାର୍ଯ୍ୟ କରିବାକୁ ହେବ।’ ନେତାଜୀଙ୍କ ଆହ୍ୱାନ ଥିଲା “ଯେଉଁ ଦେଶର ସରକାର ବା ଶାସନ ସାଧାରଣ ଜନତାଙ୍କୁ ତାଙ୍କ ଅଧିକାରରୁ ବଞ୍ôଚତ କରୁଛି, ସେହି ଦେଶର ଯୁବକ-ଛାତ୍ରମାନଙ୍କ ଦାୟିତ୍ୱ ନୁହେଁ, କର୍ତ୍ତବ୍ୟ ହୋଇଯାଉଛି କି, ସେଭଳି ଏକ ସରକାର ବା ଶାସନକୁ ବଦଳାଇ ଦେବେ, ନଚେତ୍ ଶାସନ ଗାଦିରୁ କାଢିଦେବେ’।

ନେତାଜୀ ଯୋଜନା କମିଟି (ବର୍ତ୍ତମାନର ନାମ ନୀତି ଆୟୋଗ)ର ପ୍ରତିଷ୍ଠାତା ଥିଲେ ଓ ତା ୧୭-୧୨-୧୯୩୮ରିଖରେ ମୁମ୍ବାଇରେ ଏହାକୁ ଗଠନ କରିଥିଲେ। ଏଥିରେ ଭି.ବି. ଗିରି, ଜେ.ବି. କୃପାଳିନୀ, ବିଶ୍ୱେଶ୍ୱରାୟ, ମେଘନାଦ ସାହା ସଦସ୍ୟବୃନ୍ଦ ଓ ନେହେରୁ ଅଧ୍ୟକ୍ଷ ଭାବେ ସଭାପତି ନେତାଜୀ ସୁଭାଷ ବୋଷଙ୍କ ଦ୍ୱାରା ମନୋନୀତ ହୋଇଥିଲେ।

ନେତାଜୀ ଜାତୀୟ କଂଗ୍ରେସର ସଭାପତି ରୂପେ ତା ୧୯-୧୨-୧୯୩୮ ଓ ୨୯-୦୧-୧୯୩୯ରିଖରେ ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିଗତ ପ୍ରାର୍ଥୀକୁ ହରାଇ ବିଜୟଲାଭ କରିଥିଲେ ଓ ପରେ ସେଥିରୁ ଇସ୍ତଫା ଦେଇଥିଲେ।

ନେତାଜୀ ମହିଳା ସଶକ୍ତିକରଣର ପୃଷ୍ଠପୋଷକ ଥିଲେ। ଯାହାଙ୍କ ନେତୃତ୍ୱରେ ସମ୍ଭବତଃ ବିଶ୍ୱର ପ୍ରଥମ ମହିଳା ସେନାବାହିନୀ ଭାବରେ ଗଠିତ ହୋଇଥିଲା ଝାନ୍ସୀ ରାଣୀ ରେଜିମେଣ୍ଟ। ଯେଉଁ ମହିଳା ସେନାବାହିନୀର କ୍ୟାପଟେନ୍ (ଡାକ୍ତରାଣୀ) ଲକ୍ଷ୍ମୀ ସ୍ୱାମୀନାଥନ ସେହେଗଲଙ୍କ ଠାରୁ ସୁଦୂର ଅଗମ୍ୟ କୋରାପୁଟର ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପର୍ଯ୍ୟନ୍ତ ମହିଳାମାନେ ନେତୃତ୍ୱ ନେଉଥିଲେ।

ନେତାଜୀ ଥିଲେ ସାମ୍ପ୍ରଦାୟିକ ଐକ୍ୟର ପ୍ରବକ୍ତା। ତାଙ୍କର ବିଶ୍ୱସ୍ତ ସହଯୋଗୀ ଥିଲେ କର୍ଣ୍ଣେଲ ହବିବୁର ରହମନ, ମୋଇରାଙ୍ଗ ବିଜୟର ନାୟକ ସଉକତ ଅଲ୍ଳୀ ମଲ୍ଲିକ (ତା ୧୪-୦୪-୧୯୪୪)। ନେତାଜୀଙ୍କ ଡ୍ରାଇଭର ଥିଲେ ନିଜାମୁଦ୍ଦିନ ଓ ରୋଷେଇଆ ଥିଲେ ଶେଖ ରମଜାନ କୁରେସୀ। ନେତାଜୀଙ୍କ ଗଠିତ ପ୍ରଥମ ଆଇ.ଏନ୍.ଏ.ର ସଦସ୍ୟଗଣ ଥିଲେ ଫଉଜା ସିଂହ (ପଞ୍ଜାବୀ), ସତ୍ୟଚନ୍ଦ୍ର ବର୍ଦ୍ଧନ (ତ୍ରିପୁରା), କେ ଅନନ୍ତନ ଆୟାର (କେରଳୀ ବ୍ରାହ୍ମଣ), ଓକମ୍ କାଦର (କେରଳୀ ମୁସଲମାନ) ଯେଉଁମାନଙ୍କୁ ସେପ୍ଟେମ୍ବର ୧୦-୧୯୪୩ରେ ମାଡ୍ରାସ ଜେଲରେ ବ୍ରିଟିଶ ଫାଶୀ ଦେଇଥିଲା। ବୋନ ଫିସ ପେରେରା (କେରଳୀ ଖ୍ରଷ୍ଟିୟାନ୍) ନାବାଳକ ହୋଇଥିବାରୁ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। ଆଣ୍ଡାମାନ ଓ ନିକୋବାର ଆଇଲାଣ୍ଡକୁ ନେତାଜୀ ସହୀଦ ଓ ସ୍ୱରାଜ ନାମରେ ନାମକରଣ କରିଥିଲେ ତା ୨୯-୧୨-୧୯୪୩ରିଖରେ।

ନେତାଜୀ କଂଗ୍ରେସର ସଭାପତି ଥିବା ସମୟରେ ଆଚାର୍ଯ୍ୟ ଜେବି କୃପାଲିନୀ ସାଧାରଣ ସମ୍ପାଦକ ଓ ଯମୁନାଲାଲ ବଜାଜ କୋଷାଧ୍ୟକ୍ଷ ଥିଲେ।

ମହାତ୍ମା ଗାନ୍ଧୀଙ୍କୁ “ଜାତିର ପିତା’ ବୋଲି ନେତାଜୀ ହିଁ ପ୍ରଥମେ ଅଭିହିତ-ସମ୍ବୋଧନ କରିଥିଲେ। ନେତାଜୀ କଟକର ରେଭେନ୍ସା କଲିଜିଏଟ୍ ସ୍କୁଲର ଛାତ୍ର ଥିବା ବେଳେ ଶହୀଦ ଖୁଦିରାମ ବୋଷଙ୍କୁ ଫାଶୀର ପ୍ରତିବାଦରେ ଛାତ୍ରାବାସରେ ସମୂହ ଅନଶନ କରି ଗୋରା ହାକିମଙ୍କଠାରୁ ବେତ୍ରାଘାତ ଦଣ୍ଡ ପାଇଥିଲେ।

ଆଜିର ଭାରତବର୍ଷ, ଏହାର ଶାସକ ଓ ପ୍ରଶାସକଙ୍କ ଜରିଆରେ ସମାଜର ଏକ ଭାଗ ଧନୀଙ୍କ ହାତରେ ଦେଶର ସବୁ ସମ୍ପତ୍ତିର ୯୯ ଭାଗ ଟେକିଦେବାକୁ ଉଦ୍ୟମରତ। “ମୁଁ ହିନ୍ଦୁ, ସେ ମୁସଲିମ୍, ସେ ଖ୍ରୀଷ୍ଟିୟାନ୍” ଧ୍ୱନି ଜରିଆରେ ସମାଜକୁ ଖଣ୍ଡଖଣ୍ଡ କରିବାକୁ ଶାସକ ଓ ପ୍ରଶାସକମାନେ ଶତତ ଚେଷ୍ଟିତ ଓ ସଫଳକାମ ହେଉଛନ୍ତି। ଏଭଳି ଏକ ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ମାର୍ଗ “ସାଧାରଣ ଜନତାଙ୍କ ହାତରେ ଶାସନର ଡ଼ୋରୀ’ ଯେ ଦେଶକୁ ରକ୍ଷା କରି ଏକ ସମତାଭିତ୍ତିକ ସମାଜ ପ୍ରତିଷ୍ଠାରେ ସହାୟକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ। ସର୍ବୋପରି ଆମ ଦେଶରେ ଦେଶପ୍ରେମର ସର୍ବୋଚ୍ଚ ନିଦର୍ଶନ ନେତାଜୀ ସୁଭାଷଙ୍କ ଜନ୍ମଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ଆଜିର ଯୁବପିଢୀ ଓ ସାଧାରଣ ଜନତା ପାଳନ କରି ତାଙ୍କ ପଥର ପଥିକ ହୋଇପାରିଲେ  ତାହା ହିଁ ହେବ ନେତାଜୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ।

(ଶ୍ରୀ ମହାପାତ୍ର ନେତାଜୀଙ୍କ ପ୍ରତିଷ୍ଠିତ “ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍”ର ଓଡ଼ିଶା ରାଜ୍ୟ ସମ୍ପାଦକ)