Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାବିଷୁବରେ ଉତ୍ତର ଦିଗକୁ ଯାତ୍ରା କଲେ ମା’ଭଗବତୀ, ଭଉଣୀ ଶିଦ୍ଧେଶ୍ୱରୀଙ୍କ ଠାରୁ ଆସିବ ଆଜ୍ଞାମାଳ

ବାଣପୁର (ସୀତାରାମ ଅଗ୍ରୱାଲ): ମହାବିଷୁବ ସଂକ୍ରାନ୍ତି, ଉତ୍କଳୀୟଙ୍କ ନବବର୍ଷ ଭାବରେ ପାଳନ କରାଯାଏ। ପଣା ସଂକ୍ରାନ୍ତି ଭାବରେ ମଧ୍ୟ ଏହିଦିନ ଦେବାଦେବୀଙ୍କ ପୀଠରେ ଶୀତଳ ପଣା ଭୋଗ ଲାଗି ହେବାର ପରମ୍ପରା ଚ଼ଳି ଆସିଛି। ମା’ ଭଗବତୀଙ୍କ ପୀଠରେ ନବବର୍ଷର ପ୍ରଥମ ଦିନରେ ମା’ ଉତ୍ତର ଦିଗରକ୍ଷାକାରିଣୀ, ଭାଟପଡ଼ାଗଡ଼ର ଆରାଧ୍ୟା ଦେବୀ, ଶୋଲରୀ ପାହାଡ଼ ଖୋଲରେ ପୂଜିତ।, ଭଉଣୀ ଶିଦ୍ଧେଶ୍ଵରୀଙ୍କ ପୀଠକୁ ଯାତ୍ରା କରି ଆଗମୀ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ମା’ଶିଦ୍ଧେଶ୍ୱରୀଙ୍କ ଆଜ୍ଞାମାଳ ନେଇ ଫେରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ମା’ଭଗବତୀଙ୍କ ମାନବୀୟ ଲୀଳାର ଏହା ଏକ ନିଆରା ପରମ୍ପରା’।

ବାଟରେ ଗଲାବେଳେ ବଡ଼ହନ୍ତୁ ଆଡ଼ ଗ୍ରାମର ଆରଧ୍ଯ ଦଣ୍ଡ ଠାକୁର ରାଜରାଜେଶ୍ୱର ଦେବ ତାଙ୍କୁଥାଟ ପଟୁଆରରେ ସାଦରେନିମ୍ନନ୍ତ୍ରଣ କରି ଗ୍ରାମପରିକ୍ରମା କରାଇବା ପରେ ମା’ ଅନ୍ଧାର ଭିତରେ କେବଳ ଦିକିଦିକି ମଶାଲ ଆଲୁଅରେ ଅଣୁଆ ଜଙ୍ଗଲିଆ ରାସ୍ତାରେ ଶୋଲରୀ ପାହାଡ଼ ପାଦତଳେ ତଳେ କଣ୍ଟାଲତା ଡେଇଁ ବାଟରେ ଡ଼ାଳ ଖାଇ ଠାକୁରାଣୀଙ୍କ ପୀଠରେ ପହଞ୍ଚି ବିଶ୍ରାମ ନିଅନ୍ତି। ନିଯୋଗୀ ସେବାୟତମାନେ ମା’ଙ୍କ ଭରସାରେ ବିଶ୍ୱାସରସହିତ ଅନ୍ଧାର ରାସ୍ତାରେ ଯାତ୍ରା କଲାବେଳେ କେବେହେଲେ କାହାର କ୍ଷତି ହୋଇନାହିଁ ବୋଲି କହନ୍ତି ବରିଷ୍ଠ ସେବକ ଭାସ୍କର ନାୟକ, ବସନ୍ତନାୟକ, ପରିଚ୍ଛା ପ୍ରକାଶ ମହାପାତ୍ର। ଏପରିକି ସ୍ୱାପଦ ଶଙ୍କୁଳ ପାହାଡ଼ିରାସ୍ତା, ହିଂସ୍ର ଯନ୍ତୁମାନଙ୍କ ଆଶ୍ରୟସ୍ଥଳ ଏବଂ ସଂକୀର୍ଣ୍ଣ କଂଟକପୂର୍ଣ୍ଣ ହୋଇଥିଲେ ମଧ୍ୟ ପାଦରେ କଣ୍ଟାଟିଏ ମଧ୍ୟ ଲାଗେ ନାହିଁ ବୋଲି କହନ୍ତି କାଠିନାହାକ ଗଣେଶ ନାୟକ।

ପଣାପାଣି ସାରି ପୁଣି ଭାଟିପଡ଼ା ଗଡ଼କୁ ଯାତ୍ରା ଆରମ୍ଭ ହୁଏ। ଶେଷରେ ଗଡ଼ର ପଶ୍ଚିମ ଦିଗରେ ପୂଜା ପାଉଥିବା ଗ୍ରାମଦେବତୀଙ୍କ ମନ୍ଦିରରେ ପହଞ୍ଚିବା ପରେ ଗଡ଼ର ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ସହିତ ଗ୍ରାମବାସୀ ମା’ଙ୍କୁ ପୁଷ୍ପଚନ୍ଦନ ଦେଇ ନିମନ୍ତ୍ରଣ କରିବା ପରେ ମା’ ଗଡ଼ପରିକ୍ରମା କରି ସେହି ଅନ୍ଧା କାର ଭିତରେ ଶୋଲରୀ ପାହାଡ଼ ଖୋଲରେ ଉପରେ ପୂଜିତା ମା’ ଶିଦ୍ଧେଶ୍ୱରୀଙ୍କ ପୀଠରେ ଅବସ୍ଥାନ କରନ୍ତି।

ମନ୍ଦିରର ଜାନିସଂପ୍ରଦାୟର ପୂଜକମାନେ ଦୁଇ ଭଉଣୀଙ୍କ ପାଇଁ ଚୁଡ଼ାଗୁଡ଼ ନୈବେଦ୍ୟ ଅର୍ପଣ କରି ଆଜ୍ଞାମାଳ କରିବା ପରେ ଜଣେ ପୂଜକ ଧଳା ଲୁଗା ଘୋଡ଼େଇ ହୋଇ ଆଜ୍ଞାମାଳ ନେଇ ଫେରି ଦଳବେହେରାଙ୍କ ଦୁଆରେ ପହଞ୍ଚିବା ପରେ ପନ୍ତିଭୋଗ ଖାଇ ରାତ୍ରିର ଶେଷ ପ୍ରହରରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରିବା ବାଟରେ ଟିକିରାଇ ମନ୍ଦିରରେ ପଣା ଭୋଗ ଏବଂ ଖମାରଠାରେ ଗଜପତି ମହାରାଜାଙ୍କ ଦ୍ଵାରା ପ୍ରଚଳିତ ନିଶଙ୍କୁଡ଼ି ଭୋଗ ଲାଗି ହୋଇ ଫେରନ୍ତି ବୋଲି ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟଳୟର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ପବିତ୍ର ମହାବିଷୁବରେ ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ମା’ଙ୍କ ପୀଠରେ ବାରମାସରେ ତେର ଯାତ। ଓଡ଼ିଆ ନବ ବର୍ଷ ପବିତ୍ର ପଣା ସଂକ୍ରାନ୍ତିରେ ପୀଠରେ ସମସ୍ତ ନୀତିକାନ୍ତି ସାରି ଗୋଧୂଳି ଲଗ୍ନରେ ନିଶଙ୍କୁଡ଼ି ଧୂପ ପରେ ଘଣ୍ଟା ଘଣ୍ଟ କାହାଳୀ ଆଲଟଚାମର ସହିତ ଥାଟ ପଟୁଆରରେ ନିଯୋଗୀ ସେବାୟତଙ୍କ ସହ ଉତ୍ତରଦିଗକୁ ଯାତ୍ରା ଆରମ୍ଭ କଲେ ମା’ ଭଗବତୀ।

ନୂତନ ବର୍ଷ ପ୍ରାରମ୍ଭ ଦିନରେ ସୂର୍ଯ୍ୟଦେବତାଙ୍କ ବିଷୁବ ରେଖାରେ ଅବସ୍ଥାନ ପରେ ଉତ୍ତରାୟଣ ଗତି ଆରମ୍ଭକୁ ଆଧାର କରି ମା’ଙ୍କ ଉତ୍ତର ଦିଗ ରକ୍ଷାକାରିଣୀ, ଶୋଲରୀ ପାହାଡ଼ କୋଳରେ ପୂଜିତା ଭଉଣୀ ମା’ ଶିଦ୍ଧେଶ୍ଵରୀଙ୍କ ନିକଟକୁ ଯାତ୍ରା କରିବାର ପରମ୍ପରା କେଉଁ ପ୍ରାଚୀନ କାଳରୁ ଚଳି ଆସୁଛି।

ଏହି ଅନୁସାରେ ଯାତ୍ରା ପଥରେ ବଡ଼ହନ୍ତୁ ଆଡ଼ ଗ୍ରାମର ଦଣ୍ଡଠାକୁର ରାଜରାଜେଶ୍ଵରଙ୍କ ନିମନ୍ତ୍ରଣ ରକ୍ଷା କରି ଐତିହାସିକ ପଲଟଣ ପଡ଼ିଆରେ ଉଭୟ ଦେବା ଦେବୀ ବାଣ ରୋଷଣୀର ଶବ୍ଦ ସହିତ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ବନୀରେ ଶ୍ରୀ ଶ୍ରୀ ଚରଣ ଚକା ଦେବଙ୍କୁ ଦର୍ଶନ କରିଫୁଲ ଚନ୍ଦନ ଗ୍ରହଣ କରିବା ପରେ ଗ୍ରାମ ପରିକ୍ରମା କରି ଟିକରାଇ ଦେବୀଙ୍କ ମନ୍ଦିର ପାର୍ଶ୍ଵ ଦେଇ ଯାତ୍ରା କରନ୍ତି। ଘନ ଅନ୍ଧାର ରାତିରେ ସେବାୟତମାନେ ଦିହୁଡ଼ି ଆଲୁଅରେ ଅଣବାଟରେ ରାମଚନ୍ଦ୍ରପୁର ଗ୍ରାମର ପାହାଡ଼ ତଳି ରାସ୍ତାରେ ଯାଇ ବାଟରେ ଡାଳ ଖାଇ ଠାକୁରାଣୀଙ୍କ ନିକଟରେ ବିଶ୍ରାମ ନିଅନ୍ତି।

ଭାଟପଡ଼ା ଗଡ଼ର ଦଳବେହେରାଙ୍କ ନିମନ୍ତ୍ରଣ କ୍ରମେ ଗ୍ରାମବାସୀଙ୍କ ତରଫରୁ ପୁଷ୍ପଚନ୍ଦନ ଗ୍ରହଣ କରି ପଟୁଆରରେ ଗ୍ରାମ ପରିକ୍ରମା ପରେ ଶୋଲରୀ ପାହାଡ଼ର ଖୋଲରେ ପୂଜିତା ମା’ ଶିଦ୍ଧେଶ୍ଵରୀଙ୍କ ମନ୍ଦିରକୁ ବିଜେ କରନ୍ତି। ସେଠାରେ ମନ୍ଦିର ଜାନି ସେବାୟତଙ୍କ ଦ୍ଵାରା ଉଭୟ ଠାକୁରାଣୀଙ୍କୁ ନୈବେଦ୍ୟ ଅର୍ପଣ ପରେ ସେବାୟତମାନେ ପ୍ରସାଦ ଗ୍ରହଣ କରିବା ପରେ ଆଜ୍ଞାମାଳ ହୁଏ।

ଆଗାମୀ ଶାରଦୀୟ ପର୍ବକୁ ଭଉଣୀ ଶିଦ୍ଧେଶ୍ଵରୀଙ୍କୁ ନିମନ୍ତ୍ରଣ କରି ଆଜ୍ଞାମାଳ ଧରି ଭାଟପଡ଼ାଗଡ଼ ଦଳ ବେହେରାଙ୍କ ଉଆସ ଆଗରେ ଦଧିବାମନ ମନ୍ଦିର ସମ୍ମୁଖରେ ପନ୍ତି ଭୋଗ ଖାଇ ପାହାନ୍ତି ପହରକୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ମା’ଙ୍କୁ ପଣା ସଂକ୍ରାନ୍ତି ଦିନ ଦର୍ଶନ କରିବା ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ଭାଟପଡ଼ାଗଡ଼ ଉତ୍ସବମୁଖର ହୋଇ ଉଠିଥିଲା।

ଗ୍ରାମରେ ପାଲା ସଂକୀର୍ତ୍ତନ ସହିତ ପାରମ୍ପରିକ ନୃତ୍ୟସଂଗୀତ ଆସରର ଆୟୋଜନ କରାଯାଇଥିଲା। ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ତରଫରୁ ମା’ଙ୍କ ନୀତିକାନ୍ତି ସହିତ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିବା କଥା ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।