Categories
ଆଜିର ଖବର ଜାତୀୟ ଖବର

ମହିଳା ଅଧିକାରୀଙ୍କୁ କର୍ଣ୍ଣେଲଭାବେ ତାଲିକାଭୁକ୍ତ କରିବାକୁ ମନା କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ, ‘ସେନାର ଆଭିମୁଖ୍ୟ ମନମୁଖୀ’

ନୂଆଦିଲ୍ଲୀ: ମହିଳା ଅଧିକାରୀଙ୍କୁ କର୍ଣ୍ଣେଲଭାବେ ତାଲିକାଭୁକ୍ତ କରିବାକୁ ମନା କରିବା ସେନାର ଆଭିମୁଖ୍ୟ ମନମୁଖୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପଦୋନ୍ନତି ପାଇଁ ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ଚୟନ ବୋର୍ଡକୁ ପୁନର୍ବାର ଡାକିବାକୁ କୋର୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମହିଳା ଅଧିକାରୀଙ୍କ ଉଚିତ ଅଧିକାରକୁ ଶେଷ କରିବାର ବାଟ ଖୋଜିବା ପାଇଁ ସେନାର ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଏଭଳି ଆଭିମୁଖ୍ୟ ମହିଳା ଅଧିକାରୀମାନଙ୍କୁ ନ୍ୟାୟ ଦେବାର ଆବଶ୍ୟକତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ, ଯେଉଁମାନେ ସେମାନଙ୍କର ପ୍ରାପ୍ୟ ଅଧିକାର ପାଇବା ପାଇଁ ଦୀର୍ଘ ଦିନ ଧରି ସଂଘର୍ଷ କରିଛନ୍ତି।

କଟ୍ ଅଫ୍‍କୁ ଯେଉଁଭଳିଭାବେ କାର୍ଯ୍ୟକାରୀ କରାଯାଇଛି ତାହା ମନମୁଖୀ

ଜଷ୍ଟିସ ଜେ ବି ପାର୍ଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କର୍ଣ୍ଣେଲଭାବେ ପ୍ୟାନେଲରେ ଯୋଗ ଦେବା ପାଇଁ ମହିଳା ଅଧିକାରୀଙ୍କ ସିଆର ହିସାବ କରିବା ପାଇଁ ଯେଉଁଭଳିଭାବେ କଟ୍ ଅଫ୍ ଲାଗୁ କରାଯାଇଛି ତାହା ମନମୁଖୀ, କାରଣ ଏହା ସେନାର ନୀତି ସର୍କୁଲାର ଏବଂ ଏହି ଅଦାଲତର ରାୟର ବିପରୀତ।

୯ ବର୍ଷ ଚାକିରି କରିବା ପରେ ସିସିଆର ଉପରେ ବିଚାର କରିବାର ଆବଶ୍ୟକତା ରହିଛି
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ନିର୍ଦ୍ଧାରିତ ନୀତି ଢାଞ୍ଚାରେ ସ୍ପଷ୍ଟ କରାଯାଇଛି ଯେ ୯ ବର୍ଷ ଚାକିରି କରିବା ପରେ ସମସ୍ତ ଗୋପନୀୟ ରିପୋର୍ଟ (ସିସିଆର) ବିଚାର କରିବା ଆବଶ୍ୟକ। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ ମାମଲାରେ ମହିଳା ଅଧିକାରୀଙ୍କୁ ସେମାନଙ୍କ ପୁରୁଷ ଅଧିକାରୀଙ୍କ ସମକକ୍ଷ କରିବା ପାଇଁ ମନଇଚ୍ଛା କଟ୍ ଅଫ୍ ଲାଗୁ କରାଯାଇଛି।

ଖାଲି ପଡ଼ିଥିବା ପଦବୀ ସଂଖ୍ୟା ଅଫିସରଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଯୁକ୍ତିକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ଅଦାଲତ ୨୦୨୧ ରାୟକୁ ଉଦାହରଣ ଦେଇଛନ୍ତି

ଏହି ପରିପ୍ରେକ୍ଷୀରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ନଭେମ୍ବର ୨୧ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ସେନା ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲେ ଯେ ଆମ ରାୟ ଅନୁଯାୟୀ ୧୫୦ଟି ପଦବୀ ଉପଲବ୍ଧ ହେବ। ଯେହେତୁ ୧୦୮ଟି ପଦବୀ ପୂରଣ ହୋଇଛି, ତେଣୁ ଖାଲି ନ ଥିବା ପଦବୀର ଆଧାର ଉପଲବ୍ଧ ହେବ ନାହିଁ।

୧୫ ଦିନ ଭିତରେ ଗଠନ ହେବ ସ୍ୱତନ୍ତ୍ର ଚୟନ ବୋର୍ଡ: ସୁପ୍ରିମକୋର୍ଟ

ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି ଯେ ଏହି ନିଷ୍ପତ୍ତିର ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ଚୟନ ବୋର୍ଡ ୩ବିର ପୁନର୍ଗଠନ ପ୍ରକ୍ରିୟା (କର୍ଣ୍ଣେଲଭାବେ ପଦୋନ୍ନତି ପାଇଁ) ଆରମ୍ଭ କରିବାକୁ ଆମେ ନିର୍ଦ୍ଦେଶ ଦେଉଛୁ। ଶେଷ ଦୁଇଟି ସିଆର୍ ବ୍ୟତୀତ ଅନ୍ୟସମସ୍ତ ଗୋପନୀୟ ରିପୋର୍ଟକୁ ବିଚାରକୁ ନିଆଯିବ। ବିବାଦକୁ କମ୍ କରିବା ପାଇଁ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଜୁନ୍ ୨୦୨୧ କଟ୍ ଅଫ୍ ଉପରେ ବିଚାର କରାଯିବା ଉଚିତ।

ମହିଳା ଅଧିକାରୀଙ୍କ ଆବେଦନର ଶୁଣାଣି କରିଛନ୍ତି କୋର୍ଟ

ସ୍ଥାୟୀ କମିଶନ ପାଇଥିବା ଭାରତୀୟ ସେନାର ମହିଳା ଅଧିକାରୀଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। କର୍ଣ୍ଣେଲ ପାହ୍ୟାକୁ ପଦୋନ୍ନତି ପାଇଁ ତାଙ୍କ ପ୍ୟାନେଲରେ ଯୋଗ ନଦେବା ନେଇ ବିବାଦ ଲାଗି ରହିଛି।

୨୦୨୧ରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ମହିଳା ସର୍ଟ ସର୍ଭିସ କମିଶନ ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ଦେବା ପାଇଁ ସେନା ଯେଉଁ ମୂଲ୍ୟାୟନ ମାନଦଣ୍ଡ ଧାର୍ଯ୍ୟ କରିଛି ତାହା ବ୍ୟବସ୍ଥାଗତ ଭେଦଭାବ, ଅର୍ଥନୈତିକ ଓ ମାନସିକ କ୍ଷତି ପହଞ୍ଚାଇବା ସହ ସେମାନଙ୍କ ସମ୍ମାନକୁ ଆଘାତ ପହଞ୍ଚାଉଛି।

Categories
ଆଜିର ଖବର ଜାତୀୟ ଖବର

ନିୟନ୍ତ୍ରଣ ରେଖା ନିକଟରେ ପ୍ରାଦେଶିକ ସେନା ମହିଳା ଅଧିକାରୀମାନେ ହେବେ ମୁତୟନ: ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂଗଠନାତ୍ମକ ଆବଶ୍ୟକତା ଅନୁରୂପ ପ୍ରାଦେଶିକ ସେନା ବା ଟେରିଟୋରିଆଲ ଆର୍ମୀ (ଟିଏ)ର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସାମରିକ ବ୍ୟାପାର ବିଭାଗ ପକ୍ଷରୁ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ପ୍ରାଦେଶିକ ସେନାର ମହିଳା ଅଧିକାରୀଙ୍କ ପାଇଁ ରହିଥିବା ବର୍ତ୍ତମାନର କ୍ୟାଡର ପରିଚାଳନା ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

୨୦୧୯ ପରଠାରୁ ପ୍ରାଦେଶିକ ସେନାରେ ମହିଳା ଅଧିକାରୀମାନଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ମହିଳା ଅଧିକାରୀମାନେ ଇକୋଲୋଜିକାଲ ଟାସ୍କ ଫୋର୍ସ ୟୁନିଟ, ଟିଏ ତୈଳ କ୍ଷେତ୍ର ୟୁନିଟ ଏବଂ ଟିଏ ରେଳ ଇଞ୍ଜିନିୟର ରେଜିମେଣ୍ଟରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଛନ୍ତି । ଏହି ଅବଧି ମଧ୍ୟରେ ସେମାନେ ହାସଲ କରିଥିବା ଅଭିଜ୍ଞତାକୁ ଆଧାର କରି, ମହିଳା ଅଧିକାରୀମାନଙ୍କର ନିଯୁକ୍ତି ପରିସରକୁ ବଢ଼ାଇବା ଲାଗି ଏକ ବିଚାର ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା। ଚଳିତ ଏପ୍ରିଲ ମାସରେ ମାନନୀୟ ପ୍ରତିରକ୍ଷା ମନ୍ତ୍ରୀ ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

ଏଣିକି ପ୍ରାଦେଶିକ ସେନାର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରାଦେଶିକ ସେନାର ଇଞ୍ଜିନିୟରିଂ ରେଜିମେଣ୍ଟରେ ନିଯୁକ୍ତି ଦିଆଯିବ । ସେହିପରି ଏମାନଙ୍କୁ ନୂଆଦିଲ୍ଲୀସ୍ଥିତ ଟିଏ ଗ୍ରୁପ ମୁଖ୍ୟାଳୟ/ପ୍ରାଦେଶିକ ସେନାର ମହାନିର୍ଦ୍ଦେଶାଳୟରେ କାର୍ମିକ ଅଧିକାରୀ ଭାବେ ସଂଗଠନାତ୍ମକ ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ଦିଆଯିବ ।

ମହିଳା ଅଧିକାରୀମାନଙ୍କର ନିଯୁକ୍ତି ସୁଯୋଗ ଓ ପରିସର ବଢ଼ାଇବା ପାଇଁ ଏହି ପ୍ରଗତିଶୀଳ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସେମାନଙ୍କର ବୃତ୍ତିଗତ ଆକାଂକ୍ଷାକୁ ପୂରଣ କରିବ । କାରଣ ସେମାନଙ୍କୁ ଏବେ ସୁଦ୍ଧା ନିଜର ପୁରୁଷ ସହକର୍ମୀଙ୍କ ଭଳି ସମାନ ପରିସ୍ଥିତିରେ ପ୍ରଶିକ୍ଷଣ ନେଇଛନ୍ତି ଏବଂ ସେମାନଙ୍କ ଭଳି ଦେଶ ସେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ମହିଳା ଅଧିକାରୀମାନେ ପୁରୁଷ ଅଧିକାରୀମାନଙ୍କ ଭଳି ବିଭିନ୍ନ ୟୁନିଟ୍‌, ପଦପଦବୀରେ ତଥା ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ମିକ ପଦବୀରେ କାର୍ଯ୍ୟ କରିବା ଲାଗି ସକ୍ଷମ ଅଟନ୍ତି।

ପ୍ରାଦେଶିକ ସେନା ‘ନାଗରିକ ସୈନିକ’ ସେନା ଅବଧାରଣା ଉପରେ ଆଧାରିତ ଏବଂ ଏହାର ଅଧିକାରୀ ନାଗରିକ ଜୀବନରେ ଲାଭକରୀ ରୂପରେ କାର୍ଯ୍ୟରତ ରହି ମୌଳିକ ସୈନ୍ୟ ପ୍ରଶିକ୍ଷଣ ସମ୍ବନ୍ଧୀୟ ବାର୍ଷିକ ପ୍ରଶିକ୍ଷଣ ପ୍ରାପ୍ତ କରିପାରିବେ ।

********

P.S.