Categories
ଆଜିର ଖବର ରାଜ୍ୟ ଖବର

ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଉଦ୍ୟୋଗୀ ପରାମର୍ଶ ଶିବିର ଆୟୋଜନ କରାଯାଇଛି। ସୋମବାର ଦିନ ଭୁବନେଶ୍ୱରସ୍ଥିତ ଗଙ୍ଗନଗର ଗୋଷ୍ଠୀ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ‘ସ୍ୱକଳ୍ପ’ ପକ୍ଷରୁ ସେମାନଙ୍କୁ ବ୍ୟବସାୟ ସ୍ଥାପନା ଲାଗି ଆବଶ୍ୟକ ସହାୟତା ପ୍ରଦାନ କରାଯାଇଥିଲା।

ପାଲାଡିୟମ ଇଣ୍ଡିଆ ଏବଂ ହମାରା ବଚପନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ବ୍ୟବସାୟକୁ ଆଗକୁ ନେବାରେ ଏହି କାର୍ଯ୍ୟକ୍ରମ ବେଶ୍ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ଡିଏନ୍ ହୋମ୍ସର ନିର୍ଦ୍ଦେଶକ ରତ୍ନମାଳା ସ୍ୱାଇଁ ମୁଖ୍ୟ ଅତିଥି ଯୋଗ ଦେଇଥିଲେ। ସେ କହିଥିଲେ ଯେ, ‘‘ଆଗ ଭଳି ଆଉ ମହିଳାମାନେ ଘର ଭିତରେ ସୀମିତ ହୋଇ ରହି ନାହାନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଆଜି ସେମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ବାଟ ଫିଟାଇ ପାରିଛି। ‘ସ୍ୱକଳ୍ପ’ ମାଧ୍ୟମରେ ଗାଁ ଗହଳିର ଅନେକ ମହିଳା ଆଜି ଏ ଦିଗରେ ଆଗକୁ ଆସିପାରିଛନ୍ତି।’’

ଏହି କାର୍ଯ୍ୟକ୍ରମରେ ‘ସ୍ୱକଳ୍ପ’ ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ଖୋର୍ଦ୍ଧା ଜିଲ୍ଲାର ମହିଳାମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ସେହିପରି ସଫଳ ମହିଳା ଉଦ୍ୟୋଗୀ ଭାବେ ଉଦାହରଣ ସୃଷ୍ଟି କରିଥିବା ପୁରୀ ଜିଲ୍ଲାର ସୁମିତ୍ରା ସାହୁ, ସସ୍ମିତା ସାହୁ ଏବଂ ମୀନତି ମୁଦୁଲିଙ୍କୁ ବ୍ୟାଙ୍କ ୠଣ ପାଇଁ ଅନୁମତିପତ୍ର ଦିଆଯାଇଥିଲା। ଏହି ଅବସରରେ ୪ ଜଣ ମହିଳା ଉଦ୍ୟୋଗୀ ସେମାନଙ୍କ ବ୍ୟବସାୟ ବିଷୟରେ ବିଶେଷଜ୍ଞଙ୍କ ଆଗରେ ବର୍ଣ୍ଣନା କରିଥିଲେ।

ଏହି ପରାମର୍ଶ ଶିବିରରେ ‘ସ୍ୱକଳ୍ପ’ ଅଧୀନରେ ତାଲିମ ନେଇ ବ୍ୟବସାୟ ସ୍ଥାପନ କରିଥିବା ପୁରୀ ଜିଲ୍ଲାର ୩ ଜଣ ମହିଳା ଉଦ୍ୟୋଗୀ ଭାଗ ନେଇଥିଲେ। ସେମାନେ ନିଜ ନିଜର ଉଦ୍ୟୋଗ ଯାତ୍ରା ବିଷୟରେ କହିଥିଲେ। ଏହି ଅବସରରେ ସେମାନଙ୍କୁ ବ୍ୟାଙ୍କ ୠଣ ପାଇଁ ଅନୁମତିପତ୍ର ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ମୁଦ୍ରା ଯୋଜନା ଅଧୀନରେ ୧୧ ଜଣ ମହିଳା ଉଦ୍ୟୋଗୀ ବ୍ୟାଙ୍କ ୠଣ ପାଇଁ ଆବେଦନ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ମିଳୁଥିବା ସୁବିଧା ପାଇବା ପାଇଁ ୫ ଜଣ ପ୍ରାର୍ଥୀ ଆବେଦନ କରିଥିବା ବେଳେ ‘ସ୍ୱୟମ୍’ କାର୍ଯ୍ୟକ୍ରମ ଅଧୀନରେ ୧୧ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ତା’ଛଡ଼ା କେତେକ ମହିଳା ଉଦ୍ୟୋଗୀଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀମାନେ ଉଦ୍ୟମ ଆଧାର ପଞ୍ଜୀକରଣ, ଏଫଏସଏସଏଆଇ ପଞ୍ଜୀକରଣ ଏବଂ ପ୍ୟାନ୍ କାର୍ଡ ଆବେଦନ ଆଦି ବିଷୟରେ ବିଶେଷ ଧାରଣା ପାଇଥିଲେ।

ସ୍ୱକଳ୍ପ ହେଉଛି ରାଜ୍ୟ ସରକାରଙ୍କର ଏକ ଅଭିନବ କାର୍ଯ୍ୟକ୍ରମ। ଏହା ଅଧୀନରେ ତାଲିମ ନେଇ ଉଦ୍ୟୋଗ ଯାତ୍ରା ଆରମ୍ଭ କରିଥିବା ପ୍ରମୁଖ ଉଦ୍ୟୋଗୀମାନେ ସେମାନଙ୍କ କାହାଣୀ ବର୍ଣ୍ଣନା କରିଥିଲେ।

‘‘ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଲାଗି ଆମର ଯେଉଁ ପ୍ରତିବଦ୍ଧତା ରହିଛି ତାହାକୁ ସାକାର କରିବାରେ ପରାମର୍ଶ ଶିବିର ବିଶେଷ ଭୂମିକା ଗ୍ରହଣ କରୁଛି। ଏଭଳି କାର୍ଯ୍ୟକ୍ରମରେ ଉଦ୍ୟୋଗ ସ୍ଥାପନା ପର୍ଯ୍ୟାୟକୁ ଆସିଥିବା ପ୍ରାର୍ଥୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି। ଏଭଳି ସାମୂହିକ ଉଦ୍ୟମ ଫଳରେ ଅଧିକ ମହିଳା ଉଦ୍ୟୋଗ କ୍ଷେତ୍ରକୁ ଆସିବା ସହ ଏକ ପ୍ରଗତିଶୀଳ ସମାଜ ଗଠନ ହୋଇପାରିବ’’, ପରାମର୍ଶ ଶିବିର ଅବସରରେ ଏହା କହିଛନ୍ତି ପାଲାଡିୟମ ଇଣ୍ଡିଆର ନିର୍ଦ୍ଦେଶକ ସନ୍ଦୀପ ଲାଞ୍ଜେୱାର।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଜେନେରାଲ ମ୍ୟାନେଜର ଜିତେନ୍ଦ୍ର ମୋହନ ସାହୁ, ହମାରା ବଚପନ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅର୍ପିତା ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଉପଦେଷ୍ଟା ଜେସଲିନ୍ ଲାଲମୁଆନାମି, ସ୍ବକଳ୍ପର ଟିମ୍ ଲିଡର ତଥା ପାଲାଡିୟମର ସହଯୋଗୀ ନିର୍ଦ୍ଦେଶକ ସୌମେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ‘ସ୍ୱକଳ୍ପ’ର ପରିଚାଳନା କରାଯାଉଛି। ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ପାଲାଡିୟମ କନସଲ୍ଟିଂ ତଥା ଏହାସହ ଥିବା ଅନ୍ୟତମ ସହଯୋଗୀ ସଂସ୍ଥା ହମାରା ବଚପନ ଟ୍ରଷ୍ଟ ‘ଉଦ୍ୟୋଗୀ ପରାମର୍ଶ ଶିବିର’ର ପରିଚାଳନା କରୁଛନ୍ତି।

‘ସ୍ୱକଳ୍ପ’ ଅଧୀନରେ ପର୍ଯ୍ୟାୟକ୍ରମେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ତାଲିମ ଦିଆଯାଉଛି। ସେମାନଙ୍କ ମଧ୍ୟରୁ ୧ ହଜାର ବ୍ୟକ୍ତି କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ସୁଦ୍ଧା ୨୭ଟି ଜିଲ୍ଲାରୁ ୮ ହଜାର ୮୦୦ ପ୍ରାର୍ଥୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ୬ ହଜାର ୩୦୦ ମହିଳା ପ୍ରାର୍ଥୀ।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱକର୍ମା ଯୋଜନା ଓ ମୋଟା ଶସ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କଲେ ‘କୁମ୍ଭାର’ ସମ୍ପ୍ରଦାୟର ମହିଳା ଉଦ୍ୟୋଗୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଜନତାଙ୍କୁ ସମ୍ବୋଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସ୍ବନିଧି ଯୋଜନାର ହିତାଧିକାରୀ କୋଟା ରାଜସ୍ଥାନର ସପ୍ନା ପ୍ରଜାପତି ମଧ୍ୟ ମହାମାରୀ ସମୟରେ ମାସ୍କ ତିଆରି କରି ଯୋଗଦାନ କରିଥିଲେ। କାରବାର ମାଧ୍ୟମରେ ତାଙ୍କର ଅଧିକାଂଶ ବ୍ୟବସାୟ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ। ସ୍ଥାନୀୟ ସାଂସଦ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ସଚେତନତା ପ୍ରସାର ପାଇଁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଯେ ସପ୍ନାଙ୍କ ଗୋଷ୍ଠୀର ମହିଳାମାନେ ମୋଟା ଶସ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ କାମ କରୁଛନ୍ତି।

ପ୍ରଧାନମନ୍ତ୍ରୀ ‘କୁମ୍ଭାର’ ସମ୍ପ୍ରଦାୟର ଉଦ୍ୟୋଗୀମାନଙ୍କୁ ବିଶ୍ୱକର୍ମା ଯୋଜନା ବିଷୟରେ ଅବଗତ କରାଇଥିଲେ। ଆପଣଙ୍କ ସାମୂହିକ ମାତୃ ଶକ୍ତି ଆପଣଙ୍କୁ ନୂଆ ଉଚ୍ଚତାରେ ପହଞ୍ଚାଇବ ଏବଂ ମୁଁ ଆପଣମାନଙ୍କ ସମସ୍ତ ଦିଦିଙ୍କୁ ଅନୁରୋଧ କରୁଛି ଯେ ଲୋକମାନଙ୍କୁ ସେମାନଙ୍କ ପାଇ ଥିବା ଲାଭ ବିଷୟରେ ଅବଗତ କରାଇ ମୋଦୀ କି ଗ୍ୟାରେଣ୍ଟି କି ଗାଡ଼ିକୁ ଏକ ମହାନ ସଫଳତା ଦିଅନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ଗଧ ଦୁଗ୍ଧରୁ ଆଂଟି ଏଜିଙ୍ଗ ସାବୁନ୍ ପ୍ରସ୍ତୁତ

ଭୁବନେଶ୍ୱର: ତ୍ୱଚାରେ ବାର୍ଦ୍ଧକ୍ୟର ଚିହ୍ନକୁ ହ୍ରାସ କରାଇବା ସହ ଶରୀରରେ ଚମକ ଆଣିବା ଦିଗରେ ସହାୟକ ହୋଇପାରୁଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ୍। ପ୍ରସାଧନ ନିମନ୍ତେ ପ୍ରସ୍ତୁତ ସାମଗ୍ରୀରେ ଯୋଡ଼ି ହୋଇଯାଇଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌ରେ ଏଭଳି ପ୍ରସାଧନକାରୀ ଉତ୍ପାଦ ପ୍ରସ୍ତୁତ କରିଥିବା ଷ୍ଟାର୍ଟଅପ୍‌ର କାର୍ଯ୍ୟ ସାମ୍ନାକୁ ଆସିଛି।

ଉତ୍ତର ପ୍ରଦେଶର ପୂଜା କୌଲ୍ ନାମକ ଜଣେ ଗବେଷିକା ଅର୍ଗାନିକୋ ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବା ସହ ଲଦାଖ ଅଂଚଳରୁ ଗଧଙ୍କ ଦୁଗ୍ଧ ସଂଗ୍ରହ କରି ସେଥିରୁ ବିଭିନ୍ନ ପ୍ରକାରର ସାବୁନ୍ ପ୍ରସ୍ତୁତ କରିଛନ୍ତି। ଲିଟର ପ୍ରତି ୧୩୦୦ ଟଙ୍କା ମୂଲ୍ୟର ଗଧ ଦୁଗ୍ଧରେ ଅଧିକ ପରିମାଣର ଆଂଟି ଏଜିଙ୍ଗ୍‌, ନ୍ୟୁଟ୍ରାସ୍ୟୁଟିକାଲ୍‌, ଆଂଟିବାୟୋଟିକ୍ ଏବଂ ପୁଷ୍ଟିକାରକ ପଦାର୍ଥ ରହିଛି। ଏହି ସାବୁନ୍‌ର ବ୍ୟବହାରର ୪ ରୁ ୫ ସପ୍ତାହ ମଧ୍ୟରେ ଏହାର ସୁଫଳ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ପୂଜା। ୩ ବର୍ଷ ମଧ୍ୟରେ ଆମେ କୌଣସି କେମିକାଲ୍ ବ୍ୟବହାର ନ କରି ଆଂଟି ଏଜିଙ୍ଗ୍‌, ଆଂଟି ଆକ୍ନେ, ଆଂଟି ପିଗ୍‌ମେନ୍‌ଟେସନ୍ ଏବଂ ହାଇଡେଟିଙ୍ଗ୍ ସାବୁନ୍‌ର ଉତ୍ପାଦନ କରିଛୁ ବୋଲି ସେ କହିଛନ୍ତି। ଏହି ସାବୁନର ବଜାର ଦର ଗୋଟିକୁ ୫୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି।

ସେହିପରି ଗୋମୂତ୍ରରୁ ପ୍ରସ୍ତୁତ ସାରକୁ କୃଷି କାର୍ଯ୍ୟରେ ବ୍ୟବହାର କରିବା ନେଇ ଷ୍ଟାର୍ଟଅପ୍ ଆରମ୍ଭ କରିଥିବା ଗୁଜରାଟର ଦେବରାମ ପୁରୋହିତ୍ ମଧ୍ୟ ଏହି କନ୍‌କ୍ଲେଭ୍‌ରେ ସାମିଲ ହୋଇଥିଲେ। ଧେନୁପ୍ରସାଦ ଆଗ୍ରୋଭାଟ୍ ପ୍ରାଇଭେଟ ଲିମିଟେଡ୍ ନାମକ ଷ୍ଟାର୍ଟଅପ୍ ଆରମ୍ଭ କରିଥିବା ଶ୍ରୀ ପୁରୋହିତ ବିନା କେମିକାଲ୍‌ରେ ଗୋମୂତ୍ରରୁ ପ୍ରସ୍ତୁତ ପାଉଡରକୁ ସାର ଭଳି ବ୍ୟବହାର କରି କିଭଳି ଅର୍ଗାନିକ୍ କୃଷି କରାଯାଇପାରିବ ସେ ନେଇ ତଥ୍ୟ ରଖିଥିଲେ।

ଅନ୍ୟପଟେ କଳାହାଣ୍ଡିର ଦୁଇ ଜଣ ଯୁବକ ବିରେନ୍ ସାହୁ ଏବଂ ବିଶ୍ୱବନ୍ଧୁ ପାଢ଼ୀ ମାନିକ୍‌ସ୍ତୁ ନାମକ ଷ୍ଟାର୍ଟଅପ୍ ପ୍ରସ୍ତୁତ କରି କିଭଳି ଛେଳିଚାଷ ଦିଗରେ କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ଏବଂ ଛେଳି ଦୁଗ୍ଧରୁ ଘିଅ ପ୍ରସ୍ତୁତ କରାଯାଇପାରିବ ସେ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ।

ପୁନେର ସ୍ୱପ୍ନିଲ୍ ଆମ୍ବୋରେ ୪୫ ଡିଗ୍ରୀ ଗ୍ରୀଷ୍ମରେ ଚାଷ କାର୍ଯ୍ୟ କରିବା ନିମନ୍ତେ ପଲିହାଉସ୍ ଏବଂ ପ୍ଲାଷ୍ଟିକ୍ ବାୟୋଡିଗ୍ରେଡେବୁଲ୍ ସେଡ୍ ପ୍ରସ୍ତୁତ କରି କିଭଳି ଚାଷ ଜମିକୁ ସୁରକ୍ଷିତ କରାଯାଇପାରିବ ସେ ବିଷୟରେ ଆମ୍ବ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଥିବା ସୂଚନା ଦେଇଥିଲେ।

କୃଷକମାନଙ୍କୁ ଜଳବାୟୁ ପରିବର୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅପ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ସୋଆର ମିଳିତ ଭାବେ ଏହି ଦୁଇ ଦିନିଆ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଆୟୋଜନ କରିଛନ୍ତି। ଏଥିରେ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ଦେଶର ୬୦ ଟି ଷ୍ଟାର୍ଟଅପ୍ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାର ୧୦ଟି ଷ୍ଟାର୍ଟଅପ୍ ରହିଛି। ଓଡ଼ିଶାର ୬୫ଟି ବ୍ଲକ୍‌ରୁ ୩୦୦ ଚାଷୀ ଏହି କନ୍‌କ୍ଲେଭ୍‌ରେ ସାମିଲ ହୋଇଛନ୍ତି। କନ୍‌କ୍ଲେଭର ବିଷୟବସ୍ତୁ ରହିଛି “ଚିନ୍ତାଧାରାରୁ ବ୍ୟବସାୟୀକରଣ”।

କନ୍‌କ୍ଲେଭର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲାଇଭଲିହୁଡ୍ ଅଲ୍ଟରନେଟିଭ୍‌ସର ଅଧ୍ୟକ୍ଷ ତଥା ପରିଚାଳନ। ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ କନ୍‌କ୍ଲେଭ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ନୂଆ ପିଢ଼ିକୁ ନୂତନ ଜ୍ଞାନକୌଶଳ ଓ ଚିନ୍ତାଧାରା ବିଷୟରେ ଶିକ୍ଷିତ କରି କିଭଳି ଜଳବାୟୁ ପରିବର୍ତନ ସହ ଖାପ ଖୁଆଇ କୃଷି ଉତ୍ପାଦନକୁ ବୃଦ୍ଧି କରିହେବ ସେ ଦିଗରେ ଶ୍ରୀ ତ୍ରିପାଠୀ ତଥ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା) ର ନିର୍ଦ୍ଦେଶକ ପ୍ରଫେସର ଉମାକାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଚାକିରି ପଛରେ ନ ଗୋଡାଇ ନିଜର ଉଦ୍ୟୋଗ ଉପରେ ଅଧିକ ମନୋନିବେଶ କରିବା ଉପରେ ଗୁରୁତ୍ୱ ଦେଇଥିଲେ। କୃଷି କାର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତେଣୁ ଛାତ୍ରଛାତ୍ରୀମାନେ ଏ ଦିଗରେ ମନୋନିବେଶ କରିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ସ୍ତମ୍ଭକାର ତଥା ମୋଟିଭେସ୍‌ନାଲ୍ ସ୍ପିକର ଓ ୱାଓ ଫ୍ୟାକ୍ଟରସ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶଙ୍କର ଗୋଏଙ୍କା ତାଙ୍କର କମ୍ପାନୀ ପ୍ରସ୍ତୁତ କରୁଥିବା ଡ୍ରୋନ୍ ସମ୍ପର୍କରେ ତଥ୍ୟ ରଖିଥିଲେ। ଡକ୍ଟର ଗୋଏଙ୍କା କହିଥିଲେ ଯେ ଚାଷ କାର୍ଯ୍ୟରେ ଡ୍ରୋନ୍‌ର ବ୍ୟବହାର ଦ୍ୱାରା ପାଣି କମ୍ ଖର୍ଚ୍ଚ ହେବ, ଚାଷୀମାନେ ସାପ କାମୁଡାରେ ମୃତ୍ୟୁ ବରଣ କରିବେ ନାର୍ହି କିମ୍ବା କୀଟନାଶକ ଓ ସାରର ବ୍ୟବହାର ସମୟରେ ସଂକ୍ରମିତ ହୋଇ ଅସୁସ୍ଥ ହେବେ ନାହିଁ। ପ୍ରତିବର୍ଷ ଭାରତରେ ସାପ କାମୁଡ଼ାରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଚାଷୀ ମୃତ୍ୟୁ ବରଣ କରନ୍ତି ବୋଲି ସେ କହିଥିଲେ।

ଆଗାମୀ ୩ ବର୍ଷରେ ଭାରତର ୬ ଲକ୍ଷ ରୁ ଊର୍ଦ୍ଧ୍ୱ ଗ୍ରାମରେ କୃଷି କାର୍ଯ୍ୟରେ ଡ୍ରୋନର ବ୍ୟବହାର ତାଙ୍କର ଲକ୍ଷ୍ୟ ରହିଥିବା ସେ କହିଛନ୍ତି।

ଏହି ଅବସରରେ ଆଇଓସିଏଲ୍‌ର ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀରଞ୍ଜନ ମହାପାତ୍ର ଏବଂ ଏଲ୍‌ଆଇସି-ଏଚ୍‌ଏଫ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୱାଇ ବିଶ୍ୱନାଥ ଗୌଡ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଭିନ୍ନ ଷ୍ଟାର୍ଟଅପ୍ ସହିତ ଲାଇଭଲିହୁଡ ଅଲ୍ଟରନେଟିଭ୍‌ସ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।

କାର୍ଯ୍ୟକ୍ରମ ଶେଷରେ ଇର୍ମା-ଆଇସିଡ୍‌ର ଚେୟାର ଡକ୍ଟର ରାକେଶ ଆରାୱାଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ଷ୍ଟାର୍ଟଅପ୍ ପ୍ରଦର୍ଶନୀର ମଧ୍ୟ ଉଦ୍‌ଘାଟନ ହୋଇଥିଲା।