Categories
ଆଞ୍ଚଳିକ ଖେଳ

ଫେବୃୟାରୀ ୬ରୁ ଆରମ୍ଭ ହେବ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ 

ଭୁବନେଶ୍ୱର: ବିଶିଷ୍ଟ ମହିଳା ଫୁଟବଲ କୋଚ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ଫେବୃୟାରୀ ମାସ ୬ ତାରିଖରୁ ସିଟି କ୍ଲବ ନୟାପଲ୍ଲୀ, ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହେବ ବୋଲି ଭୁବନେଶ୍ୱର କ୍ଲବ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଇନ୍ଦିରା ମଇଦାନ, ନୟାପଲ୍ଲୀଠାରେ ଫେବୃୟାରୀ ୬ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ସମାପ୍ତ ହେବ। ଏଥିପାଇଁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି।

ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ପୋଲିସ୍‌, ସ୍ପୋର୍ଟସ୍ ହଷ୍ଟେଲ, ବିଜୁ ପଟ୍ଟନାୟକ ଫୁଟବଲ ଏକାଡ଼େମୀ, ବିଡ଼ାନାସୀ କ୍ଲବ କଟକ, ରାଉରକେଲା, ରାଇରଙ୍ଗପୁର, ବାରିପଦା ଦଳଗୁଡ଼ିକ ଅଂଶଗ୍ରହଣ କରିବା ପାଇଁ ସ୍ଥିର କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟଟକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଏକ କମିଟି ଗଠନ କରାଯାଇଅଛି। ଏଥିରେ ପୂର୍ବତନ ମହିଳା ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ବ୍ରାଣ୍ଡ ଆମ୍ବାସାଡ଼ର ଥିବାବେଳେ ଆୟୋଜକ କମିଟିର ଅଧ୍ୟକ୍ଷ ଭାବେ ଡ. ସୌର୍ଯ୍ୟରଞ୍ଜନ ପରିଜା ଏବଂ ମହମ୍ମମଦ ସହିଦ ଜବାର, ସହଦେବ ରାଉତ, ଭାଗ୍ୟଧର ଜଗଦେବ, ଅଶୋକ ମହାନ୍ତି, ଆର.କେ. ମଣ୍ଡଳ, ଜଲିଲ୍ ଖାନ, ସମରେନ୍ଦ୍ର ଜେନା, ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ଟିମ୍ ସ୍ପନସର ଆଜିତ ସାମନ୍ତରାୟ (ଲୁନା), ଅରୁଣ ସାହୁ, ଶୁଭେନ୍ଦୁ ପଣ୍ଡା ଏବଂ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ବାବୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟରେ ବିଜେତା ଓ ଉପବିଜେତା ଦଳକୁ ୨୦ ହଜାର ଏବଂ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ମହିଳା ଫୁଟବଲ୍ ଖେଳାଳୀମାନେ ସମ୍ବର୍ଦ୍ଧିତ ହେବେ। ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ଏହି ଟୁର୍ଣ୍ଣାମେଣ୍ଟର ଟିମ୍ ଗୁଡ଼ିକୁ ସ୍ପନସର କରିବାକୁ ଚାହୁଁଥିଲେ, ୯୯୩୭୧୯୯୧୧୮ରେ ପ୍ରଦୀପ କୁମାର ରାଉତରାୟ, ସମ୍ପାଦକ, ସିଟି କ୍ଲବ, ନୟାପଲ୍ଲୀଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ।