Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମହିଳା ସରପଞ୍ଚ ସାବଧାନ: ଆପଣଙ୍କ ସଂପର୍କୀୟ ଆପଣଙ୍କ ନାମରେ ଆଉ କରିପାରିବେନି ଶାସନ

ଭୁବନେଶ୍ବର: ଏଣିକି ମହିଳା ସରପଞ୍ଚଙ୍କ ନାମରେ ତାଙ୍କ ସଂପର୍କୀୟଙ୍କ ଶାସନ ଚଳିବ ନାହିଁ। ଏ ନେଇ ଜିଲ୍ଲାପାଳମାନେ ତଦାରଖ କରିବେ ବୋଲି ରାଜ୍ୟ ସରକାର ରୋକଠୋକ ଜଣାଇ ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବ ସୁଶୀଲ ଲୋହାନୀ ସବୁ ଜିଲ୍ଲାପାଳଙ୍କୁ ଚିଠି କରି ଏ ନେଇ ତାଗଦ କରିଛନ୍ତି।

ଏହି ଚିଠିରେ କୁହାଯାଇଛି ଯେ, ଯେଉଁ ପଞ୍ଚାୟତରେ ମହିଳା ସରପଞ୍ଚଙ୍କ ସ୍ବାମୀ, ବାପା, ଦିଅର, ପୁଅ କିମ୍ବା ଅନ୍ୟ ସଂପର୍କୀୟ ରାଜ କରୁଛନ୍ତି ସେମାନଙ୍କୁ ଚିହ୍ନଟ କର। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରିବ ବୋଲି କୁହାଯାଇଛି। ତାଙ୍କ ବିରୋଧରେ ଫୌଜଦାରୀ ମାମଲ ଋଜୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜଣେ ସରପଞ୍ଚ ଭାବେ ନିର୍ବାଚିତ ହେବ, ଆଉ ଜଣେ ଶାସନ କରିବା କାର୍ଯ୍ୟ ଚଳିବ ନାହିଁ ବୋଲି କୁହାଯାଇଛି।

ସାଧାରଣତଃ ଯେଉଁଠି ମହିଳା ସରପଞ୍ଚ ଅଛନ୍ତି ସେଠାରେ ସେ ଘରୁ ନ ଯାଇ ତାଙ୍କର ସଂପର୍କୀୟମାନେ ପଞ୍ଚାୟତ ଅଫିସ ଯାଇ ସବୁକଥା ବୁଝୁଛନ୍ତି। ଏପରିକି ପଞ୍ଚାୟତ ବୈଠକ ମଧ୍ୟ ସେମାନେ କରୁଛନ୍ତି। ସରପଞ୍ଚ କେବଳ ଦସ୍ତଖତ କରିବା ଛଡା ଅନ୍ୟ କୌଣସି କାର୍ଯ୍ୟ କରନ୍ତି ନାହିଁ। ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି।

ବର୍ତ୍ତମାନ ପଞ୍ଚାୟତ ସ୍ତରରେ 50 ପ୍ରତିଶତ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ କରାଯାଇଛି। ଫଳରେ ରାଜ୍ୟର ମୋଟ ପଞ୍ଚାୟତ ମଧ୍ୟରୁ 50 ପ୍ରତିଶତ ମହିଳା ସରପଞ୍ଚ ଅଛନ୍ତି। ଏପରି କରିବାର ଅର୍ଥ ହେଲା ଯେ, ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ହାତରେ ଶାସନ ଭାର ଦେବା। ହେଲେ ତାହା କେବଳ କାଗଜପତ୍ରରେ ରହୁଥିବାରୁ ପଞ୍ଚାୟତିରାଜ ବିଭାଗ ଏହି କଡା ପଦକ୍ଷେପ ଗ୍ରହଣ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଜାମ୍ମୁର ସୀମାନ୍ତ ଅଞ୍ଚଳର ମହିଳା ସରପଞ୍ଚଙ୍କୁ ତାଙ୍କର ସମର୍ପିତ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଜାମ୍ମୁର ସୀମାନ୍ତ ଅଞ୍ଚଳ ରଙ୍ଗପୁରର ଜଣେ ମହିଳା ସରପଞ୍ଚ ବଲବୀର କୌର ଓ ଜଣେ ଚାଷୀଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ। ତାଙ୍କର ଜନସେବା ଓ ସମର୍ପିତ କାର୍ଯ୍ୟ ବିଷୟରେ ଶୁଣିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ବଲବୀର କୌର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ସେ ସୀମନ୍ତବର୍ତ୍ତୀ ଆର୍ଣ୍ଣିଆ ଅଂଚଳର ଜଣେ ମହିଳା ଚାଷୀ । ଏବେ ସେ ରଙ୍ଗପୁରର ସରପଞ୍ଚ ଅଛନ୍ତି । ନିଜ ପଞ୍ଚାୟତର ବିକାଶ ପାଇଁ ସେ ବିଭିନ୍ନ ସରକାରୀ ଯୋଜନାକୁ ନିଷ୍ଠାର ସହିତ କାର୍ଯ୍ୟକାରୀ କରୁଛନ୍ତି । ସେ ନିଜେ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ଯଥା କିିଷାନ କ୍ରେଡିଟ କାର୍ଡ, କୃଷି ଯନ୍ତ୍ରପାତି ଋଣ ଯୋଜନା ଓ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ । ତାଙ୍କର ନିଜର ଏକ ଟ୍ରାକ୍ଟର ଅଛି ଓ ତାହାକୁ ସେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ କିଣିଛନ୍ତି । ସେ ସୀମାନ୍ତ ଅଞ୍ଚଳରେ ହୋଇଥିବାରୁ ଓ ନିଷ୍ଠାପର ତଥା ସମର୍ପିତ ଭାବେ ସରପଞ୍ଚ ଦାୟିତ୍ୱ ନିର୍ବାହ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀମତୀ ବଲବୀର କୌରଙ୍କୁ ପ୍ରଶଂସା କରିଥିଲେ ।

ବଲବୀର କୌରଙ୍କୁ ପ୍ରଧାନମନ୍ତ୍ର ଯେତେ ସବୁ ପ୍ରଶ୍ନ ପଚାରିଥିଲେ ତାହାର ସବୁ ଉତ୍ତର ସେ ନିର୍ଭୁଲ ଭାବରେ ଦେଇଥିଲେ । ସେହି ଅଞ୍ଚଳର ସବୁ ତଥ୍ୟ ତାଙ୍କ ଆଙ୍ଗୁଳି ଅଗରେ ଥିଲା । ଏତେ କଥା କିପରି ମନେ ରଖୁଛ ଓ ନିଷ୍ଠାପର ଭାବେ କାମ କରୁଛ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିବାରୁ ବଲବୀର କହିଥିଲେ “ସମାଜର ତଳସ୍ତରରେ କିପରି କାମ କରିବାକୁ ହୁଏ ଆପଣଙ୍କଠାରୁ ତାହା ଶିଖିଛି । ସବୁ କଥା ଟିକିନିଖି ମନେ ରଖିଛି ।” ବିଭିନ୍ନ ସରକାରୀ ଯୋଜନାର ଲାଭ ସମ୍ପର୍କରେ ଆଖାପାଖ ଗ୍ରାମରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ଏହି ମହିଳା ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ସରକାରୀ ଯୋଜନାର ହିତାଧିକାରୀଙ୍କ ଠାରୁ ସେମାନଙ୍କ ଅନୁଭୂତି ସଂଗ୍ରହ କରାଯାଉଛି । ଯେଉଁମାନେ ଏସବୁ ସୁବିଧା ପାଇ ନାହାନ୍ତି ସେମାନଙ୍କୁ ଏହାର ଲାଭ ଦେବାକୁ ଉଦ୍ୟମ କରାଯାଉଛି । “ଶେଷତମ ବ୍ୟକ୍ତିଙ୍କ ପାଖରେ ସବୁ ସରକାରୀ ଲାଭ ପହଂଚାଇବାକୁ ଆମେ ସୁନିଶ୍ଚିତ କରିବୁ; ‘ମୋଦୀ କି ଗ୍ୟାରେଣ୍ଟି’ ଯାନ’ ପ୍ରତ୍ୟେକ ଗାଁକୁ ଯିବ” ପ୍ରଧାନମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।