ଭୁବନେଶ୍ଵର: ମହିଳା ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଗତ ବର୍ଷ ତୁଳନାରେ ପ୍ରାୟ ୩ ଗୁଣା ଅଧିକ ବ୍ୟୟବରାଦ କରିଛନ୍ତି। ମହିଳାଙ୍କ ପାଇଁ ୧୭,୯୪୨ କୋଟି ଟଙ୍କା ବ୍ୟବରାଦ ହୋଇଛି, ଯାହା ଗତ ବର୍ଷ ତୁଳନାରେ ୧୮୮% ଅଧିକ। ସେହିଭଳି ସାମାଜିକ ସୁରକ୍ଷା ପାଇଁ ୨୨,୮୪୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ୨୦୨% ଅଧିକ।
Tag: ମହିଳା ସଶକ୍ତିକରଣ
ଭୁବନେଶ୍ୱର: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଏଥିରେ ୱାନ୍ ଷ୍ଟପ ସେଣ୍ଟର, ମହିଳା ହେଲ୍ପ ଲାଇନ୍, ବେଟି ବଚାଓ ବେଟି ପଢାଓ, ମହିଳା ସଶକ୍ତିକରଣ ପାଇଁ ହବ୍ ନିର୍ମାଣ, ସଖୀ ନିବାସ, ଶକ୍ତି ସଦନ, ଶିଶୁଗୃହ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଭଳି କାର୍ଯ୍ୟକ୍ରମ ରହିଛି।
ଏହି ନିଷ୍ପତ୍ତି ଦ୍ୱାରା ଓଡିଶା ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ। ସୂଚନାଯୋଗ୍ୟ ଯେ ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ପୂର୍ଣ୍ଣ ଲାଭ ନେବା ପାଇଁ ନୂତନ ସରକାର ସ୍ଥିର କରିଛନ୍ତି।
ନୂଆଦିଲ୍ଲୀ: ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଭାରତ ସରକାର ବିଭିନ୍ନ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି । ମିଶନ ପୋଷଣ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍ଏମ୍ଭିୱାଇ) ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପରି ପ୍ରମୁଖ ଯୋଜନା ଗୁଡିକ ସମଗ୍ର ଦେଶରେ ମହିଳା ମାନଙ୍କର ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ସମର୍ପଣ ମନୋଭାବକୁ ସୂଚିତ କରିଥାଏ ।
ଝାଡ଼ଖଣ୍ଡର ଖୁଣ୍ଟିରୁ ୨୦୨୩ ନଭେମ୍ବର ୧୫ ରେ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସରକାରୀ ଯୋଜନା ଗୁଡ଼ିକର ଲାଭ ସମସ୍ତ ନାଗରିକ , ବିଶେଷ କରି ମହିଳା ମାନଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।
ସ୍ଥାନୀୟ ଭାଷାରେ ସୂଚନାରେ ସଜ୍ଜିତ ଏହି ଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ସଜ୍ଜିତ ଆଇଇସି ଭ୍ୟାନ୍ ମହିଳା ମାନଙ୍କ ମଧ୍ୟରେ ସମ୍ମାନ, ଆତ୍ମବିଶ୍ୱାସ ବୃଦ୍ଧି କରୁଛି ଏବଂ ସାମଗ୍ରିକ କଲ୍ୟାଣ ବୃଦ୍ଧି କରିବାରେ ସହାୟକ ହେଉଛି, ଯାହା ସାମାଜିକ ପ୍ରଗତି ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
ଏହି ଯାତ୍ରା ସମୟରେ ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ପଞ୍ଜୀକରଣ ପାଇଁ ଅଭିନବ ‘ଅନ ସ୍ପଟ୍ ରେଜିଷ୍ଟ୍ରେସନ୍’ (ସେହି ସ୍ଥାନରେ ପଞ୍ଜୀକରଣ) ଅଭିଯାନ ଚାଲିଛି । ଏହି ସକ୍ରିୟ ଆଭିମୁଖ୍ୟର ଉଦ୍ଦେଶ୍ୟ ହେଉଛି ଲୋକ ମାନଙ୍କୁ ଉପଲବ୍ଧ କରାଯାଉଥିବା ଯୋଜନା ଗୁଡିକର ପରିସର ଏବଂ ସେମାନଙ୍କ ସହ ଜଡ଼ିତ ଲାଭ ବିଷୟରେ ସଚେତନ କରିବା, ଯୋଗ୍ୟ ବ୍ୟକ୍ତି ମାନଙ୍କୁ ସମ୍ପୃକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏବଂ ସେଥିରୁ ସେମାନେ ଲାଭ ଉଠାଇବା ପାଇଁ ଉତ୍ସାହିତ କରିବା ।
ଏହି ଯାତ୍ରା ସମୟରେ ସରକାର “ସ୍ୱାସ୍ଥ୍ୟ ବାଳକ ସ୍ପର୍ଦ୍ଧା (ଏସ୍ବିଏସ୍)” ମଧ୍ୟ ଆୟୋଜନ କରୁଛନ୍ତି । ପୋଷଣ ପ୍ରତି ସକାରାତ୍ମକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଇ ଗୋଷ୍ଠୀ ନିୟୋଜନକୁ ଉନ୍ନତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ସୁସ୍ଥ ପିଲାମାନଙ୍କୁ ସ୍ୱୀକୃତି ପ୍ରଦାନ କରେ ଏବଂ ସମ୍ମାନିତ କରେ ।
ଭିବିଏସ୍ୱାଇର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି “ମେରି କହାନୀ ମେରି ଜୁବାନୀ (ଏମ୍କେଏମ୍ଜେଡ୍)” / ମୋ ମୁହଁରେ ମୋ କାହାଣୀ’ ପଦକ୍ଷେପ, ଯେଉଁଠାରେ ହିତାଧିକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଅନୁଭୂତି ବାଣ୍ଟିଥାନ୍ତି ଏବଂ ସେମାନଙ୍କ ଜୀବନ ଉପରେ ସରକାରୀ ଯୋଜନା ଗୁଡିକର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଉଲ୍ଲେଖ କରିଥାନ୍ତି । ଆସନ୍ତୁ ନଜର ପକାଇବା ଏଭଳି କିଛି କାହାଣୀ ଉପରେ :
ଅରୁଣାଚଳ ପ୍ରଦେଶର ଜୋବରଙ୍ଗ ଓ ରିଙ୍ଗୟାଙ୍ଗ ଗ୍ରାମ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ପୋଷଣ ଅଭିଯାନର ହିତାଧିକାରୀ କର୍ମା ଦେଚିନ୍ ‘ମେରି କହାନୀ ମେରି ଜୁବାନୀ’ ଜରିଆରେ ନିଜର କାହାଣୀ ବାଣ୍ଟିଥିଲେ । ସେ କହିଛନ୍ତି ଯେ ଅଙ୍ଗନୱାଡି କର୍ମୀମାନେ ପ୍ରତି ମାସରେ ଗସ୍ତ କରି ପିଲାମାନଙ୍କୁ ସ୍ତନ୍ୟପାନ କରିବାର ଗୁରୁତ୍ୱ ବିଷୟରେ ଅବଗତ କରାଇବା, ସେମାନଙ୍କର ବୃଦ୍ଧି ମାପିବା ଏବଂ ସେମାନଙ୍କୁ ରାସନ ମଧ୍ୟ ପ୍ରଦାନ କରନ୍ତି ।
ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍ଏମ୍ଭିୱାଇ)ର ହିତାଧିକାରୀ ପଞ୍ଜାବର ପଠାନକୋଟର କୋଟ ଭଟ୍ଟିଆନ ଗ୍ରାମର ଶ୍ରୀମତୀ ଇନ୍ଦୁ ଏହି ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇବାର ଅଭିଜ୍ଞତା ସମ୍ପର୍କରେ ନିଜର କାହାଣୀ ବାଣ୍ଟିଥିଲେ । ସେ କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ଗର୍ଭଧାରଣ ଏବଂ ତାଙ୍କୁ ଆର୍ଥିକ ସହାୟତା ମିଳିଛି ଯାହା ପାଇଁ ସେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଉଛନ୍ତି ।
ଏହା ବ୍ୟତୀତ , ମହାରାଷ୍ଟ୍ରର ଧରାଶିବ ଜିଲ୍ଲାର ଆମ୍ବେଜାଭାଲଗେ ଗ୍ରାମର ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍ଏମ୍ଭିୱାଇ) ର ଅନ୍ୟ ଜଣେ ହିତାଧିକାରୀ ରେଶମା ସାବଲେ ବର୍ଣ୍ଣନା କରିଛନ୍ତି ଯେ ଏହି ଯୋଜନା ଅଧୀନରେ ଦିଆଯାଉଥିବା ସହାୟତା ତାଙ୍କୁ ପୁଷ୍ଟିକର ଖାଦ୍ୟ ପାଇବାରେ କିପରି ସାହାଯ୍ୟ କରିଛି ।
କର୍ଣ୍ଣାଟକର ହାଭେରି ଜିଲ୍ଲାର ଡମ୍ବରମାଟ୍ଟୁର ଗ୍ରାମର ଶ୍ରୀମତୀ ନିବେଦିତା କେବି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ସେ ଉପକୃତ ହୋଇଛନ୍ତି ଏବଂ ଅଙ୍ଗନୱାଡିରେ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ଯୋଗୁଁ ତାଙ୍କ ପିଲାମାନେ ସୁସ୍ଥ ହୋଇ ବଢ଼ୁଛନ୍ତି ।
କର୍ଣ୍ଣାଟକର ନୟାମତି ତାଲୁକର ଚଟନହଲ୍ଲୀ ଗ୍ରାମର ଶ୍ରୀମତୀ ସଙ୍ଗୀତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅଧୀନରେ ତାଙ୍କର ପ୍ରଥମ ପ୍ରସବ ପାଇଁ ତାଙ୍କୁ ୫,୦୦୦ ଟଙ୍କା ମିଳିଥିଲା । ସେ କହିଥିଲେ ଯେ ଆଶା କର୍ମୀମାନେ ପ୍ରତି ମାସରେ ପୁଷ୍ଟିକର ଖାଦ୍ୟ ପ୍ରଦାନ କରନ୍ତି ଏବଂ ସଂସ୍ଥାଗତ ପ୍ରସବରେ ସାହାଯ୍ୟ କରନ୍ତି ।
ବିକଶିତ ଭାରତ ସଂକଳ୍ପ ଯାତ୍ରା ଯେତିକି ଆଗକୁ ବଢ଼ୁଛି, ଏହି ମହିଳାଭିତ୍ତିକ କଲ୍ୟାଣକାରୀ ଯୋଜନା ନାରୀ ଶକ୍ତିର ସଶକ୍ତିକରଣ ପାଇଁ ସରକାରଙ୍କ ସମର୍ପଣର ଏକ ଉଜ୍ଜ୍ୱଳ ପ୍ରମାଣ ପାଲଟିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ମହିଳା ସଶକ୍ତିକରଣ ଲାଗି ନାରୀ ଶକ୍ତି ବନ୍ଦନ ଅଧିନିୟମର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଲେଖାଯାଇଥିବା ଏକ ଆର୍ଟିକଲ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:
‘ସଂସଦରେ ସଦ୍ୟ ପାରିତ ହୋଇଥିôବା ନାରୀ ଶକ୍ତି ବନ୍ଦନ ଅଧିନିୟମ କିପରି ନାରୀ ସଶକ୍ତିକରଣର ପ୍ରତୀକ ଏବଂ ଆମ ଦେଶକୁ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଆଗେଇ ନେବାକୁ ମହିଳାଙ୍କୁ ଆହ୍ୱାନ ଦେଉଛି ତାହା କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀଙ୍କ ଆର୍ଟିକଲରେ ପ୍ରକାଶ ପାଇଛି।’
ଭୁବନେଶ୍ଵର: ମହିଳା ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସହିତ ରେଳ ମନ୍ତ୍ରଣାଳୟ ଭାରତୀୟ ରେଳ ନେଟୱର୍କରେ ମହିଳାମାନଙ୍କ ପାଇଁ ଯାତ୍ରା ଅଭିଜ୍ଞତା ବୃଦ୍ଧିକରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ଏହି ପ୍ରୟାସଗୁଡ଼ିକ ମୁଖ୍ୟତଃ ମହିଳା ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ଉପରେ ଧ୍ୟାନ ଦେଉଛି। ଏହିପରି ଏକ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ‘ମେରୀ ସହେଲି’, ଯାହା ରେଳ ସୁରକ୍ଷା ବଳ (ଆରପିଏଫ୍) ଦ୍ୱାରା ମହିଳାମାନଙ୍କ ପାଇଁ ନିରାପଦ ଯାତ୍ରା ସୁନିଶ୍ଚିତ କରିବାର ମୂଳ ଉଦ୍ଦେଶ୍ୟ ସହିତ ପ୍ରବର୍ତ୍ତିତ ହୋଇଛି, ବିଶେଷକରି ଯେଉଁମାନେ ଏକାକୀ ଯାତ୍ରା କରୁଛନ୍ତି କିମ୍ବା ମନୋନୀତ ଦୂର ଦୂରଗାମୀ ଟ୍ରେନରେ ପିଲାମାନଙ୍କ ସହିତ ଅଛନ୍ତି।
‘ମେରୀ ସହେଲି’ ଦଳ ମହିଳା ଯାତ୍ରୀଙ୍କ ଯାତ୍ରା ସମୟରେ ଉତ୍ପନ୍ନ ଯେ କୌଣସି ପରିସ୍ଥିତିକୁ ଶୀଘ୍ର ଜବାବ ଦେଇ ସେମାନଙ୍କର ଟ୍ରେନ୍ ଯାତ୍ରା ସମୟରେ ମହିଳା ଯାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରନ୍ତି।
ସମ୍ପ୍ରତି, ମହିଳା ଆରପିଏଫ୍ କର୍ମଚାରୀଙ୍କୁ ନେଇ 230 ରୁ ଅଧିକ ଉତ୍ସର୍ଗୀକୃତ “ମେରୀ ସହେଲି” ଦଳ ଦେଶର ବିଭିନ୍ନ ରେଳ ଷ୍ଟେସନରେ 400 ରୁ ଅଧିକ ଟ୍ରେନ୍ ମାନଙ୍କରେ ସେମାନଙ୍କର ଅଭିଯାନ ଜାରିରଖିଛନ୍ତି ଏବଂ ପ୍ରତିଦିନ ହାରାହାରି ଚଉଦ ହଜାରରୁ ଅଧିକ ମହିଳା ଯାତ୍ରୀଙ୍କୁ ସହାୟତା ଯୋଗାଇ ଦେଇଛନ୍ତି। ଏହା ସମଗ୍ର ଭାରତରେ ମହିଳାମାନଙ୍କ ପାଇଁ ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ କରିବାରେ ଏହି ପଦକ୍ଷେପର ଉତ୍ସର୍ଗୀକୃତତା ଏବଂ କାର୍ଯ୍ୟକାରିତାକୁ ସୂଚିତ କରୁଛି। ମହିଳା ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ସମୟରେ ନିଆଯିବାକୁ ଥିବା ସୁରକ୍ଷା ବ୍ୟବସ୍ଥା ବିଷୟରେ ଶିକ୍ଷା ଦେବାରେ ତଥା ଏହି ସମସ୍ୟାଗୁଡିକ ସହାୟତା ପାଇଁ ଉପଲବ୍ଧ ପ୍ରଣାଳୀ ଗୁଡିକ ବିଷୟରେ ସୂଚନା ପ୍ରଦାନ କରିବାରେ ଏହି ଦଳଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
‘ମେରୀ ସହେଲି’ ଦଳଗୁଡିକ ଆଧୁନିକ ଗ୍ୟାଜେଟ୍ ଏବଂ ଟେକ୍ନୋଲୋଜି ସହିତ ସୁସଜ୍ଜିତ। ଟେକ୍ନୋଲୋଜିର ସମର୍ଥନ ସେମାନଙ୍କର ସାମର୍ଥ୍ୟକୁ ବୃଦ୍ଧି କରାଇଥାଏ ଏବଂ ସେମାନଙ୍କର କାର୍ଯ୍ୟକୁ ସହଜ, ତୀବ୍ର ଏବଂ ଅଧିକ ପ୍ରଭାବଶାଳୀ କରିଥାଏ। ‘ମେରୀ ସହେଲି’ ନାମକ ଏକ ଆଇଟି ପ୍ରୟୋଗ ଏହି ଟିମ୍ ସହିତ କମ୍ପ୍ୟୁଟର ଟ୍ୟାବରେ ଚିହ୍ନିତ ଟ୍ରେନରେ ଏକାକୀ ଯାତ୍ରା କରୁଥିବା ମହିଳାଙ୍କ ତଥ୍ୟକୁ ସ୍ଥାନିତ କରେ। ମଡ୍ୟୁଲ୍ ବୋର୍ଡିଂ ଏବଂ ଏନ୍-ରୁଟ୍ ଷ୍ଟେସନରେ ମହିଳା ଯାତ୍ରୀମାନଙ୍କ ସହିତ କଥାବାର୍ତ୍ତା ଉପରେ ନଜର ରଖେ। ଏହା ଗନ୍ତବ୍ୟ ସ୍ଥଳରେ ଯାତ୍ରୀମାନଙ୍କ ମତାମତ ରେକର୍ଡ କରେ ଯାହା ଏହି ପଦକ୍ଷେପକୁ ଉନ୍ନତ କରିବା ପାଇଁ ବ୍ୟବହୃତ ହୁଏ। ସମସ୍ତଙ୍କ ପାଇଁ ଏକ ନିରାପଦ ଏବଂ ଅନ୍ତର୍ଭୂକ୍ତ ରେଳ ପରିବେଶ ସୃଷ୍ଟି ଦିଗରେ ‘ମେରୀ ସହେଲି’ ପ୍ରଗତିର ପ୍ରତୀକ ପାଲଟିଛି।
ଦୁଃଖରେ ଥିବା ମହିଳାମାନେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ବିଶ୍ୱାସ କରିବା ସହଜ ହୋଇଥାଏ। ତେଣୁ ଟ୍ରେନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ମହିଳା ଆରପିଏଫ୍ କର୍ମଚାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ରେଳ ସୁରକ୍ଷା ବଳ ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ମଧ୍ୟରେ ସର୍ବାଧିକ ମହିଳା (9%) ପାଇଥିବାରୁ ଗର୍ବିତ। ନୂତନ ଭାବରେ ନିଯୁକ୍ତ ମହିଳାମାନଙ୍କୁ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ‘ମେରୀ ସହେଲି’ ଦଳରେ ଅନ୍ତର୍ଭୁକ୍ତ କରାଯାଉଛି। ଆରପିଏଫ୍ ମହିଳାମାନେ କେବଳ ମହିଳାଯାତ୍ରୀମାନଙ୍କୁ ତାଲିମ ଦିଅନ୍ତି ନାହିଁ ବରଂ ମହିଳା ଯାତ୍ରୀମାନଙ୍କୁ ଅସୁବିଧାରେ ସାହାଯ୍ୟ କରନ୍ତି। ଅନେକ ମହିଳା ଗର୍ଭଧାରଣର ଅଗ୍ରୀମ ପର୍ଯ୍ୟାୟରେ ଟ୍ରେନ୍ ଯାତ୍ରା କରିବାକୁ ବାଧ୍ୟ ହୁଅନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ଯାତ୍ରା ସମୟରେ ପ୍ରସବ କରନ୍ତି। ଆରପିଏଫ୍ ମହିଳାମାନେ “ଅପରେସନ୍ ମାତୃଶକ୍ତି” ଅଧୀନରେ ସେମାନଙ୍କର ଗୋପନୀୟତା ରକ୍ଷା କରୁଥିବା ଏହି ମହିଳାମାନଙ୍କ ପାଇଁ ନିରାପଦ ତଥା ସମ୍ମାନଜନକ ଶିଶୁ ଜନ୍ମ ପାଇଁ ସୁବିଧା ପ୍ରଦାନ କରନ୍ତି। ଚଳିତ ବର୍ଷ ଟ୍ରେନ୍ କିମ୍ବା ରେଳ ପରିସରରେ 130 ଟି ପ୍ରସବ ମାମଲାରେ ଆରପିଏଫ୍ ସହାୟତା ପ୍ରଦାନ କରିଛି। ଆରପିଏଫ୍ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସୁଶ୍ରୀ ଶୋଭା ମୋଟେଙ୍କ ଦ୍ୱାରା “ଅପରେସନ୍ ମାତୃଶକ୍ତି” ଅଧୀନରେ ଆରପିଏଫ୍ ଦ୍ୱାରା କରାଯାଇଥିବା କାର୍ଯ୍ୟ ସମ୍ମାନଜନକ ଟିଭି ପ୍ରଦର୍ଶନୀ ‘ଇଣ୍ଡିଆ ଗଟ ଟ୍ୟାଲେଣ୍ଟ’ ରେ ସ୍ୱୀକୃତିପ୍ରାପ୍ତ ଏବଂ ପ୍ରଶଂସନୀୟ, ଯାହାର ଭିଡିଓ ୟୁ ଟ୍ୟୁବ୍ ଲିଙ୍କ୍ https://youtu.be/Zlx2c_XmOx8?si=mj85e1egEywpc9pT ରେ ଦେଖାଯାଇପାରିବ।
ଏହି ପଦକ୍ଷେପଗୁଡିକ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ରେଳବାଇରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଜନସାଧାରଣଙ୍କ ସମର୍ଥନ ହାସଲ କରିବା ପାଇଁ ରେଳ ସୁରକ୍ଷା ବଳ ମହା ନିର୍ଦେଶକ ମନୋଜ ଯାଦବଙ୍କ ନେତୃତ୍ୱରେ 25 ଜଣ ଆରପିଏଫ ଅଧିକାରୀ ଏବଂ କର୍ମଚାରୀଙ୍କ ଏକ ଟିମ୍ ଦ୍ୱାରା 15 ଅକ୍ଟୋବର 2023 ରେ ଦିଲ୍ଲୀ ଠାରେ ହାଫ (ଅଧା) ମାରାଥନ୍ ଆୟୋଜିତ କରାଯିବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଗାନ୍ଧିନଗରରେ ଆୟୋଜିତ ମହିଳା ସଶକ୍ତିକରଣ ଉପରେ ଜି -୨୦ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହାର ପ୍ରତିଷ୍ଠା ଦିବସରେ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ ଗାନ୍ଧିନଗରକୁ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କୁ ଅହମ୍ମଦାବାଦର ଗାନ୍ଧୀ ଆଶ୍ରମ ପରିଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଭଳି ସମସ୍ୟାଗୁଡିକ ପାଇଁ ଜରୁରୀ ଏବଂ ନିରନ୍ତର ସମାଧାନ ଖୋଜିବାର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାନ୍ଧୀଜୀଙ୍କ ଜୀବନଶୈଳୀର ସରଳତା ଏବଂ ଗାନ୍ଧୀ ଆଶ୍ରମରେ ସହନଶୀଳତା, ଆତ୍ମର୍ନିଭରଶୀଳତା ଏବଂ ସମାନତା ବିଷୟରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାକୁ ଯେ କେହି ଦେଖିପାରିବ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଏହା ପ୍ରେରଣାଦାୟକ ବୋଲି ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେ ଦାଣ୍ଡି କୁଟୀର ସଂଗ୍ରହାଳୟ ପରିଦର୍ଶନ କରିବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଏବଂ ଗାନ୍ଧୀଜୀଙ୍କ ପ୍ରସିଦ୍ଧ ସୂତାକଟା ଚରଖା କିମ୍ବା ଚରଖା ନିକଟସ୍ଥ ଏକ ଗାଁରେ ଗଙ୍ଗାବେନ୍ ନାମକ ଜଣେ ମହିଳାଙ୍କୁ ମିଳିଥିବା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସମୟରେ ଗାନ୍ଧିଜୀ ଖଦି ପିନ୍ଧିବା ଆରମ୍ଭ କରିଥିଲେ ଯାହା ଆତ୍ମର୍ନିଭରଶୀଳତା ଏବଂ ସହନଶୀଳତାର ପ୍ରତୀକ ପାଲଟିଥିଲା।
ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଯେ ଯେତେବେଳେ ମହିଳାମାନେ ସମୃଦ୍ଧ ହୁଅନ୍ତି, ସେତେବେଳେ ବିଶ୍ୱ ସମୃଦ୍ଧ ହୁଏ, ସେମାନଙ୍କର ଅର୍ଥନୈତିକ ସଶକ୍ତିକରଣ ଅଭିବୃଦ୍ଧିକୁ ଇନ୍ଧନ ଯୋଗାଇଥାଏ ଏବଂ ସେମାନଙ୍କର ଶିକ୍ଷା ବିଶ୍ୱକୁ ଆଗକୁ ନେଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କର ନେତୃତ୍ୱ ଅନ୍ତର୍ଭୂକ୍ତିକୁ ବୃଦ୍ଧି କରିଥାଏ ଏବଂ ସେମାନଙ୍କର ସ୍ୱର ସକାରାତ୍ମକ ପରିବର୍ତ୍ତନକୁ ପ୍ରେରଣା ଦେଇଥାଏ। ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ମହିଳା ସଶକ୍ତିକରଣର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ମହିଳା ନେତୃତ୍ୱାଧୀନ ବିକାଶ ଆଭିମୁଖ୍ୟ ଏବଂ ଭାରତ ଏହି ଦିଗରେ ବହୁତ ଅଗ୍ରଗତି କରୁଛି।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଯଦିଓ ସେ ଜଣେ ସରଳ ଆଦିବାସୀ ପୃଷ୍ଠଭୂମିରୁ ଆସିଛନ୍ତି ସେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରର ନେତୃତ୍ୱ ନେଉଛନ୍ତି ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପ୍ରତିରକ୍ଷା ବାହିନୀର ସେନାମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରର ଜନନୀ କୁହାଯାଉଥିବା ଏହି ଦେଶରେ ଭାରତୀୟ ସମ୍ବିଧାନ ଦ୍ୱାରା ମହିଳାଙ୍କ ସମେତ ସମସ୍ତ ନାଗରିକଙ୍କୁ “ଭୋଟ ଦେବାର ଅଧିକାର” ସମାନ ଭାବରେ ପ୍ରଦାନ କରାଯାଇଛି ଏବଂ ସମାନତା ଆଧାରରେ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ମଧ୍ୟ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ର୍ନିବାଚିତ ମହିଳା ପ୍ରତିନିଧୀମାନେ ଅର୍ଥନୈତିକ, ପରିବେଶ ଏବଂ ସାମାଜିକ ପରିବର୍ତ୍ତନର ପ୍ରମୁଖ ଏଜେଣ୍ଟ ଅଟନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଭାରତର ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକରେ ର୍ନିବାଚିତ ପ୍ରତିନିଧୀଙ୍କ ମଧ୍ୟରୁ ୪୬% ହେଉଛନ୍ତି ମହିଳା ଯାହା ୧.୪ ନିୟୁତ। ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳାମାନଙ୍କର ଅଂଶଗ୍ରହଣ ମଧ୍ୟ ପରିବର୍ତ୍ତନ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱୟଂ ସହାୟକା ଗୋଷ୍ଠି ଏବଂ ନିର୍ବାଚିତ ମହିଳା ପ୍ରତିନିଧିମାନେ ମହାମାରୀ ସମୟରେ ସହାୟତା ପାଇଁ ଆଗକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ସଫଳତାର ଉଦାହରଣ ଦେଇଛନ୍ତି ଏବଂ ମାସ୍କ ଏବଂ ସାନିଟାଇଜର ଉତ୍ପାଦନ ଏବଂ ସଂକ୍ରମଣ ରୋକିବା ବିଷୟରେ ସଚେତନତା ସୃଷ୍ଟି କରିବା ବିଷୟରେ ଉଲ୍ଲେଖ କରିଛନ୍ତି। ଭାରତର ୮୦% ରୁ ଅଧିକ ନର୍ସ ଏବଂ ଧାଈ ମଧ୍ୟ ମହିଳା ଅଟନ୍ତି। ମହାମାରୀ ସମୟରେ ସେମାନେ ଆମର ଆଗ ଧାଡିର ସୁରକ୍ଷାକର୍ମୀ ଥିଲେ ଏବଂ ସେମାନଙ୍କ ସଫଳତା ପାଇଁ ଆମେ ଗର୍ବିତ ବୋଲି ସେ କହିଛନ୍ତି।
ମହିଳା ନେତୃତ୍ୱାଧୀନ ବିକାଶ ସରକାରଙ୍କ ପାଇଁ ଏକ ପ୍ରମୁଖ ପ୍ରାଥମିକତା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନ ମନ୍ତ୍ର ମୁଦ୍ରା ଯୋଜନା ଅନ୍ତର୍ଗତ ମାଇକ୍ରୋ ସ୍ତରୀୟ ୟୁନିଟକୁ ସହାୟତା କରିବା ପାଇଁ ପ୍ରାୟ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରାୟ ୭୦% ମହିଳାଙ୍କୁ ମଞ୍ଜୁର କରାଯାଇଛି। ସେହିଭଳି ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ ୮୦% ମହିଳା ହିତାଧିକାରୀ ନୂତନ ପ୍ରକଳ୍ପ ପାଇଁ ବ୍ୟାଙ୍କ ଋଣ ପାଇଛନ୍ତି। ସ୍ୱଚ୍ଛ ରନ୍ଧନ ଇନ୍ଧନ ପରିବେଶ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା ଉପରେ ଆଲୋକପାତ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ପ୍ରାୟ ୧୦୦ ନିୟୁତ ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ୨୦୧୪ ମସିହାରୁ ଶିଳ୍ପ ତାଲିମ କେନ୍ଦ୍ରରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି, ଭାରତରେ ଏସଟିଇଏମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ସ୍ନାତକୋତ୍ତରର ପ୍ରାୟ ୪୩ ପ୍ରତିଶତ ଏବଂ ମହାକାଶ ବିଜ୍ଞାନର ଏକ ଚତୁର୍ଥାଂଶ ହେଉଛନ୍ତି ମହିଳା। ସେ କହିଛନ୍ତି, ଚନ୍ଦ୍ରଯାନ, ଗଗନୟାନ ଏବଂ ମିଶନ ମଙ୍ଗଳ ଭଳି ଆମର ଫ୍ଲାଗସିପ୍ କାର୍ଯ୍ୟକ୍ରମର ସଫଳତା ପଛରେ ଏହି ମହିଳା ବୈଜ୍ଞାନିକମାନଙ୍କର ପ୍ରତିଭା ଏବଂ ପରିଶ୍ରମ ରହିଛି। ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ପୁରୁଷଙ୍କ ଅପେକ୍ଷା ଅଧିକରୁ ଅଧିକ ମହିଳା ଉଚ୍ଚଶିକ୍ଷାରେ ନାମ ଲେଖାଉଛନ୍ତି। ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ବେସାମରିକ ବିମାନରେ ମହିଳା ପାଇଲଟଙ୍କ ମଧ୍ୟରେ ଭାରତରେ ସର୍ବାଧିକ ପ୍ରତିଶତ ଥିବାବେଳେ ଭାରତୀୟ ବାୟୁସେନାରେ ମହିଳା ପାଇଲଟମାନେ ମଧ୍ୟ ଯୁଦ୍ଧ ବିମାନ ଉଡ଼ାଉଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଆମର ସମସ୍ତ ସଶସ୍ତ୍ର ବାହିନୀରେ ମହିଳା ଅଧିକାରୀଙ୍କୁ ସମ୍ମୁଖ ଅଞ୍ଚଳ ଏବଂ ଯୁଦ୍ଧ ପ୍ଲାଟଫର୍ମରେ ନିୟୋଜିତ କରାଯାଉଛି।
ଗ୍ରାମୀଣ କୃଷି ପରିବାରର ମେରୁଦଣ୍ଡ ଏବଂ କ୍ଷୁଦ୍ର ବ୍ୟବସାୟୀ ଏବଂ ଦୋକାନୀ ଭାବରେ ମହିଳାମାନଙ୍କ ପ୍ରମୁଖ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ପ୍ରକୃତି ସହିତ ସେମାନଙ୍କର ଘନିଷ୍ଠ ସମ୍ପର୍କକୁ ସୂଚାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପାଇଁ ଅଭିନବ ସମାଧାନର ଚାବି ମହିଳାମାନଙ୍କ ହାତରେ ରହିଛି। ସେ ମନେ ପକାଇ ଦେଇଥିଲେ ଯେ ଅଷ୍ଟାଦଶ ଶତାବ୍ଦୀରେ ଅମ୍ରିତା ଦେବୀଙ୍କ ନେତୃତ୍ୱରେ ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟ ଅନିୟମିତ କାର୍ଯ୍ୟକୁ ରୋକିବା ପାଇଁ “ଚିପ୍କୋ ଆନ୍ଦୋଳନ” ଆରମ୍ଭ କଲାବେଳେ ମହିଳାମାନେ ଭାରତରେ ପ୍ରଥମ ପ୍ରମୁଖ ଜଳବାୟୁ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସେ ଅନ୍ୟ ଅନେକ ଗ୍ରାମବାସୀଙ୍କ ସହ ପ୍ରକୃତି ପାଇଁ ନିଜ ଜୀବନ ଦେଇଥିଲେ। ‘ମିଶନ୍ ଲାଇଫ୍ – ପରିବେଶ ପାଇଁ ଜୀବନଶୈଳୀ’ ପାଇଁ ଭାରତର ମହିଳାମାନେ ମଧ୍ୟ ବ୍ରାଣ୍ଡ୍ ଆମ୍ବାସାଡର ହୋଇଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ହ୍ରାସ, ଉଦ୍ଧାର, ପୁନଃ ବ୍ୟବହାର, ଏବଂ ପୁନଃ ଉଦ୍ଦେଶ୍ୟ ପାଇଁ ସେମାନଙ୍କର ପାରମ୍ପାରିକ ଜ୍ଞାନ ଉପରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାମାନେ ସୌର ପ୍ୟାନେଲ ଏବଂ ଲାଇଟ୍ ତିଆରିରେ ସକ୍ରିୟ ଭାବରେ ତାଲିମ ନେଉଛନ୍ତି। ଦକ୍ଷିଣ ବିଶ୍ୱର ଅଂଶୀଦାର ଦେଶମାନଙ୍କ ସହ ସହଯୋଗ କରିବାରେ ସଫଳ ହୋଇଥିବା “ସୋଲାର ମାମା” ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଛନ୍ତି।
ଭାରତରେ ମହିଳା ଉଦ୍ୟୋଗୀଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳା ଉଦ୍ୟୋଗୀମାନେ ବିଶ୍ୱ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ସେ କହିଥିଲେ ଯେ ଦଶନ୍ଧି ପୂର୍ବରୁ ୧୯୫୯ ମସିହାରେ ମୁମ୍ବାଇର ସାତ ଜଣ ଗୁଜୁରାଟୀ ମହିଳା ଏକତ୍ରିତ ହୋଇ ଏକ ଐତିହାସିକ ସମବାୟ ଆନ୍ଦୋଳନ ସୃଷ୍ଟି କରିଥିଲେ – ଶ୍ରୀ ମହିଳା ଗୃହ ଉଦ୍ୟୋଗ ଯାହା ଲକ୍ଷ ଲକ୍ଷ ମହିଳା ଏବଂ ସେମାନଙ୍କ ପରିବାରର ଜୀବନକୁ ବଦଳାଇ ଦେଇଛି। ଶ୍ରୀ ମୋଦୀ ସେମାନଙ୍କର ସବୁଠାରୁ ପ୍ରସିଦ୍ଧ ଉତ୍ପାଦ ଲିଜତ ପାମ୍ପଡ ଉପରେ ଆଲୋକପାତ କରି କହିଥିଲେ ଯେ ଏହା ଗୁଜୁରାଟର ଖାଦ୍ୟ ତାଲିକାରେ ନିଶ୍ଚିତ ରହିବ! ସେ ଦୁଗ୍ଧ କ୍ଷେତ୍ରର ଉଦାହରଣ ମଧ୍ୟ ଦେଇଛନ୍ତି ଏବଂ କେବଳ ଗୁଜୁରାଟରେ ଏହି କ୍ଷେତ୍ରରେ ୩.୬ ନିୟୁତ ମହିଳା ଜଡିତ ଥିବା ସୂଚନା ଦେଇଛନ୍ତି। ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ଭାରତରେ ପ୍ରାୟ ୧୫% ୟୁନିକର୍ଣ୍ଣ ଷ୍ଟାର୍ଟଅପରେ ଅତି କମରେ ଜଣେ ମହିଳା ପ୍ରତିଷ୍ଠାତା ଅଛନ୍ତି ଏବଂ ଏହି ମହିଳା ନେତୃତ୍ୱାଧୀନ ୟୁନିକର୍ଣ୍ଣର ମିଳିତ ମୂଲ୍ୟ ୪୦ ବିଲିୟନ ଡଲାରରୁ ଅଧିକ। ଏକ ପ୍ଲାଟଫର୍ମ ସୃଷ୍ଟି କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେଉଁଠାରେ ସଫଳତା ହାସିଲ କରିଥିବା ମହିଳାମାନେ ଆଦର୍ଶ ଭାବେ ଉଭା ହେବେ। ସେହି ପ୍ରତିବନ୍ଧକଗୁଡିକୁ ହଟାଇବା ଦିଗରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ଯାହା ବଜାର, ବିଶ୍ୱର ମୂଲ୍ୟ ଶୃଙ୍ଖଳା ଏବଂ ଭଲ ଆର୍ଥିକ ସ୍ଥିତିରେ ପହଞ୍ଚିବାକୁ ସେମାନଙ୍କୁ ରୋକିଥାଏ। ଏଥି ସହିତ ଏହା ନିଶ୍ଚିତ କରିଥାଏ ଯେ ଯତ୍ନ ଏବଂ ଘରୋଇ କାର୍ଯ୍ୟର ବୋଝକୁ ଏକା ସମୟରେ ତୁଲାଇଥାନ୍ତି।
ଏହି ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ମହିଳା ଉଦ୍ୟୋଗ, ନେତୃତ୍ୱ ଏବଂ ଶିକ୍ଷା ଉପରେ ମନ୍ତ୍ରୀସ୍ତରୀୟ ସମ୍ମିଳନୀର ଧ୍ୟାନକୁ ପ୍ରଶଂସା କରିବା ସହ ମହିଳାମାନଙ୍କ ପାଇଁ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ “ଟେକ୍-ଇକ୍ୟୁଟି ପ୍ଲାଟଫର୍ମ” ର ଶୁଭାରମ୍ଭ କରି ଖୁସି ବ୍ୟକ୍ତ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ “ମହିଳା ସଶକ୍ତିକରଣ” ଉପରେ ଏକ ନୂତନ କାର୍ଯ୍ୟ ଗୋଷ୍ଠି ଗଠନ କରାଯାଉଛି। ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଗାନ୍ଧିନଗରରେ ଅକ୍ଲାନ୍ତ ପରିଶ୍ରମ ସମଗ୍ର ବିଶ୍ୱରେ ମହିଳାମାନଙ୍କୁ ଅପାର ଆଶା ଏବଂ ଆତ୍ମବିଶ୍ୱାସ ଦେବ।
ଭୁବନେଶ୍ୱର: ମହିଳାମାନଙ୍କ ଚିରନ୍ତନ ବିକାଶ, ସଶକ୍ତିକରଣ ସମେତ ସମାଜ ବିଜ୍ଞାନ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ଆରମ୍ଭ ହୋଇଛି ମା’ ରମାଦେବୀ ଚେୟାର। ଲିଙ୍ଗଗତ ସମାନତା, ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ଉପରେ ଏହି ଚେୟାର ପ୍ରାଧାନ୍ୟ ଦେବ। ମା’ ରମାଦେବୀ ଚେୟାରର ଶୁଭାରମ୍ଭ ଅବସରରେ ମାନ୍ୟବର ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଏହା ପ୍ରକାଶ କରିଛନ୍ତି।
ଆଜି ଅପରାହ୍ନରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରସ୍ଥ ନୂତନ ପ୍ର୍ରେକ୍ଷାଳୟରେ ରମାଦେବୀ ଚେୟାର ଅନ ଓମେନ୍ସ୍ ଷ୍ଟଡିଜ୍ର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଲେ ଯେ, ଆମ ଜୀବନର ପ୍ରଥମ ଶିକ୍ଷକ ହେଉଛି ମାଆ। ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାର ଶିକ୍ଷିତ ହୁଏ। ନାରୀମାନଙ୍କୁ ସମାଜରେ ଅଗ୍ରାଧିକାର ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଲକ୍ଷ୍ୟ ରହିଛି ସେ ସ୍ୱପ୍ନକୁ ସାକାର କରିବାରେ ରମାଦେବୀ ବିଶ୍ୱବିଦ୍ୟାଳୟର ଏଭଳି ସତ୍ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ।
ମା’ରମାଦେବୀ ଚୌଧୁରୀଙ୍କ ନାମରେ ବଳୀୟାନ୍ ଏହି ମହାନ୍ ଶିକ୍ଷାନୁଷ୍ଠାନ। ସେ ସ୍ୱୟଂ ଥିଲେ ଜଣେ ନାରୀ ଯୋଦ୍ଧା। ଓଡ଼ିଆ ଜାତିର ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ ସଦା ସ୍ମରଣୀୟ। ଆଜି ଆମେ ଯେଉଁ ବିଶ୍ୱବିଦ୍ୟାଳୟ ମାଟିରେ ଠିଆ ହୋଇ ଓମେନ୍ସ୍ ଷ୍ଟଡିଜ୍ରର ମହତ୍ତ୍ୱ ବିଷୟରେ ଆଲୋଚନା କରୁଛେ, ତାହା ସେହି ମହିୟସୀ ନାରୀଙ୍କ ନାମରେ ନାମିତ। ମା’ ରମାଦେବୀଙ୍କ ତ୍ୟାଗ, ଆଦର୍ଶ, ସମର୍ପଣର ପ୍ରତୀକ ଏହି ମହାନ ଶିକ୍ଷାନୁଷ୍ଠାନ। ୧୯୬୪ ମସିହାରୁ କେତେ ଯେ ନାରୀ ରନି ଏହି ଅନୁଷ୍ଠାନ ସୃଷ୍ଟି କରିଛି ତାହାର ହିସାବ ନାହିଁ।
ଓଡ଼ିଶାର ଗର୍ବ ସ୍ୱର୍ଗତଃ ବିଜୁବାବୁଙ୍କ ପ୍ରୟାସରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନ ପୂର୍ବଭାରତର ପ୍ରଥମ ମହିଳା ମହାବିଦ୍ୟାଳୟ। ଭାରତର ସର୍ବୋଚ୍ଚ ନାଗରିକ ଭାବେ ସମ୍ମାନ ପାଇଥିବା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଏହି ମହାନ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀ। ୧୯୬୪ ମସିହାରୁ ଏକ ଲମ୍ବା ଯାତ୍ରା ଅତିକ୍ରମ କରିଥିବା ରମାଦେବୀ ମହିଳା ମହାବିଦ୍ୟାଳୟ ୨୦୧୫ରେ ଓଡ଼ିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ ହୋଇଥିଲା। ଆଜି ଏହି ବିକାଶ ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ଆଜିର ଏହି ଚେୟାରର ଶୁଭାରମ୍ଭ ନାରୀ ଜାଗରଣ, ମହିଳା ସଶକ୍ତିକରଣରୁୁ କୌଣସିମତେ କମ୍ ନୁହେଁ। ମା’ରମାଦେବୀ ଚେୟାର ସମାଜରେ ନାରୀଭିତ୍ତିକ ସମସ୍ୟାଗୁଡ଼ିକର ବିଶ୍ଳେଷଣାତ୍ମକ ଓ ତୁଳନାତ୍ମକ ଗବେଷଣା କରି ସମାଧାନର ପ୍ରସ୍ତାବ ରଖିବେ। ହୁ୍ୟମାନିଟିଜ୍, ସମାଜ ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରର ସହଭାଗିତାରେ ବହୁବିଷୟକ ଅନୁସନ୍ଧାନ କରିବେ।
ବିଭିନ୍ନ ମହିୟସୀ ମହିଳାଙ୍କ ଅବଦାନ ସମେତ ସେମାନଙ୍କ ସଫଳତା ଏଠାର ଆଲୋଚ୍ୟବସ୍ତୁ ହୋଇ ଆଗାମୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରିବ। ସାମାଜିକ ବ୍ୟାଧିଗୁଡ଼ିକର ନିରାକରଣ ଓ ନାରୀ-ପୁରୁଷ ଲିଙ୍ଗଗତ ଭେଦଭାବ ଦୂର ସମ୍ଭବ ହୋଇପାରିବ। ଉନ୍ନତ ସମାଜର ମାପକାଠି ଓ ମହିଳା ସଶକ୍ତିକରଣର ପ୍ରକୃତ ପରିଚାୟକରୂପୀ ସାମାଜିକ ସମାନତା ସ୍ଥାପନ ହୋଇପାରିବ। ରମାଦେବୀ ଚେୟାର ଦ୍ୱାରା ସମାହିତ ଗବେଷଣା, ପ୍ରଶିକ୍ଷଣ, ପ୍ରଲେଖନ ଓ ସଂରକ୍ଷଣ ମାଧ୍ୟମରେ ନାରୀ ଜାତିର କଲ୍ୟାଣ ସାଧିତ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯୁଗାନ୍ତକାରୀ ଯୋଜନା ‘ମିଶନ ଶକ୍ତି’ ମହିଳା ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ। ଏହି ଯୁଗାନ୍ତକାରୀ ଯୋଜନା ମହିଳାମାନଙ୍କୁ ସାମାଜିକ-ଅର୍ଥନୈତିକ ସ୍ୱାଧୀନତା ଆଣିଦେଇଛି। ଆମ ରାଜ୍ୟରେ ମହିଳା ସଶକ୍ତିକରଣର ଏହି ସୁଦୂରପ୍ରସାରୀ ସ୍ରୋତକୁୁ ରମାଦେବୀ ଚେୟାର ଆହୁରି ବଳିଷ୍ଠ କରିପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ଆଶା ପ୍ରକାଶ କରିଥିଲେ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଏହି ଉତ୍ସବରେ ସଭାପତିତ୍ୱ କରି କହିଲେ ଯେ, ଶିକ୍ଷା ମହିଳାମାନଙ୍କୁ ସଶକ୍ତ ଓ କ୍ଷମତାପନ୍ନ କରିପାରିବ। ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିବେ। ମିଳିତ ଜାତିସଂଘ ଦ୍ୱାରା ଘୋଷିତ ୨୦୩୦ ପୋଷଣୀୟ ବିକାଶ ଲକ୍ଷ୍ୟ ମଧ୍ୟରୁ ୧୦ଟି ଲକ୍ଷ୍ୟ ହାସଲ କ୍ଷେତ୍ରରେ ମହିଳାମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ।
ନିଖିଳ ଭାରତ ମହିଳା ସମ୍ମିଳନୀର ସେକ୍ରେଟାରୀ ଜେନେରାଲ ଡଃ ମଞ୍ଜୁ କାକ୍ ସମ୍ମାନିତ ଅତିଥିଭାବେ ଯୋଗ ଦେଇ କହିଲେ ଯେ, ମହିଳାମାନେ ସ୍ୱତଃପ୍ରବୃତ୍ତ ଭାବେ ଘରର ଚାରି କାନ୍ଥରୁ ବାହାରି ନିଜ ନିଜର ସାମାଜିକ, ଅର୍ଥନୈତିକ ଉତ୍ଥାନ ଦିଗରେ ଶକ୍ତିଶାଳୀ ଅବଦାନ ପ୍ରକଟ କରିବା ଆଜି ଜରୁରୀ ହୋଇପଡିଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପୂର୍ବତନ ପ୍ରଫେସର ଓ ଓମେନ୍ସ୍ ଷ୍ଟଡିଜ୍ ନିର୍ଦ୍ଦେଶିକା ପ୍ରଫେସର ଆଶା ହଂସ କହିଲେ ଯେ, ମହିଳା ସଶକ୍ତିକରଣ, ଦେଶର ଉନ୍ନୟନ ସହିତ ଓଡିଶାର ଅର୍ଥନୈତିକ ବିକାଶ ମା’ ରମାଦେବୀ ଚେୟାର ପ୍ରତିଷ୍ଠାର ମୂଳ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପି.ଜି. କାଉନ୍ସିଲର ଚେୟାରପର୍ସନ୍ ପ୍ରଫେସର ଚଣ୍ଡୀ ଚରଣ ରଥ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅକୁଣ୍ଠ ସହଯୋଗ ବଳରେ ମା’ ରମାଦେବୀ ଚେୟାର ପ୍ରତିଷ୍ଠା ସମ୍ଭବପର ହୋଇପାରିଛି ବୋଲି ପ୍ରକାଶ କରିଥିଲେ। ମା’ ରମାଦେବୀ ଚେୟାର ପ୍ରଫେସର ସୁଚେତା ପ୍ରିୟବାଦିନୀ ସ୍ୱାଗତ ଭାଷଣ ଦେଇଥିଲେ।
ଦୃୃଷ୍ଟିବାଧିତ କ୍ରିକେଟ କ୍ଷେତ୍ରରେ ସଫଳତା ପାଇଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ବାସନ୍ତୀ ହାଁସଦା, ଫୁଲ ସୋରେନ୍, ଝିଲି ବରୁଆଙ୍କୁ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ସମ୍ବର୍ଦ୍ଧିତ କରିଥିଲେ। ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍, ଡଃ ମଞ୍ଜୁ କାକ୍, ପ୍ରଫେସର ଆଶା ହଂସଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହିଳାଙ୍କ ଆତ୍ମ ନିୟୋଜନ ଦିଗରେ ହେଉଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏକ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି, ମୁମ୍ବାଇର ୨୭ ହଜାର ମହିଳାଙ୍କୁ ସଶକ୍ତ କରାଯାଇଛି ଓ ଏହି କ୍ରମରେ ଆତ୍ମ ନିୟୋଜନ ପାଇଁ ସେମାନଙ୍କୁ ସିଲେଇ ମେସିନ, ଚକ୍କି, ମସଲା ପ୍ରସ୍ତୁତି ମେସିନ ଭଳି ବିଭିନ୍ନ ଉପକରଣ ଓ ମେସିନ ବିଏମସି ଯୋଜନା ଅନ୍ତର୍ଗତ ମୁମ୍ବାଇର ଚୁନାଭାଟି ଅନ୍ତର୍ଗତ ସୋମୈୟା ମୈଦାନରେ ବିତରଣ କରାଯାଇଛି।
ଉପମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ମହିଳା ସଶକ୍ତିକରଣ ଆଗେଇ ନେବାକୁ ଉଲ୍ଲେଖନୀୟ ଉଦ୍ୟମ।”
ବିନି ମହାଜନ, ସଚିବ, ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ
ନାରୀ ନେତ୍ରୀମାନେ ଦେଶର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନରେ ବିପୁଳ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି। ସେମାନଙ୍କ ଉଦ୍ୟମ କ୍ରମେ ଲୋକଙ୍କ ଅଭ୍ୟାସ ଓ ବ୍ୟବହାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବା ସହିତ ଅନ୍ୟମାନେ ଏ କ୍ଷେତ୍ରରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛତାକୁ ନିଜ ଜୀବନରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି।
ଏହା ନାରୀ ସଶକ୍ତିକରଣର ଯୁଗ। ସୁତରାଂ ଆମ ସମାଜରେ ମହିଳାମାନଙ୍କର ଶକ୍ତି ଓ ସାମର୍ଥ୍ୟକୁ ସ୍ୱୀକୃତି ପ୍ରଦାନ କରିବାର ଏହା ପ୍ରକୃଷ୍ଠ ସମୟ। ଯେଉଁ ମହିଳାମାନେ କ୍ରୀଡା, ରାଜନୀତି , ସିନେମା, ପ୍ରତିରକ୍ଷାବାହିନୀ, କମ୍ପାନୀ ବ୍ୟବସାୟ ଓ ଅନ୍ୟାନ୍ୟ କ୍ଷେତ୍ର ସହିତ ସମ୍ପୃକ୍ତ କେବଳ ସେମାନେ ନୁହଁନ୍ତି, ଏସବୁ କ୍ଷେତ୍ର ବାହାରେ ଥିବା ଦେଶର ଅଗଣିତ ସାଧାରଣ ନାରୀ ଯେଉଁମାନେ ଗ୍ରାମଞ୍ଚଳରେ ଅଛନ୍ତି ଏବଂ ପୁରୁଷମାନଙ୍କ ସହିତ ସମାନ ଅଧିକାର ଓ ସୁବିଧା ସୁଯୋଗ ନ ପାଇ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନର ବାହକ ହୋଇଛନ୍ତି ସେମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ସ୍ୱୀକୃତି ଦେବାର ଯଥାର୍ଥତା ରହିଛି। ଗ୍ରାମଞ୍ଚଳରେ ଏବେ ସ୍ୱଚ୍ଛ ଭାରତ ମିଶନର ଯେଉଁ ସଫଳ କାର୍ଯ୍ୟକାରିତା ସମ୍ଭବ ହୋଇଛି ତା ପଛରେ ରହିଛି ଏହି ଗ୍ରାମୀଣ ମହିଳାଙ୍କ ଅବଦାନ।
ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗର ଏକ ଅଂଶବିଶେଷ ଭାବେ ମୋତେ ଏହି ପରିବର୍ତ୍ତନ ଦେଖିବାର ସୁଯୋଗ ମିଳିଛି। ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ (ଏସବିଏମ୍ଜି) ଏବେ ଦ୍ୱିତୀୟ ପର୍ୟ୍ୟାୟରେ ପହଞ୍ଚିଛି। ଏହାର ପ୍ରଥମ ପର୍ୟ୍ୟାୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୪ ଅକ୍ଟୋବର ୨ତାରିଖରେ ଆରମ୍ଭ ହୋଇଥିଲା। ଏହାର ପ୍ରମୁଖ ଲକ୍ଷ୍ୟ ଥିଲା ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଭାରତର ଲୋକମାନଙ୍କୁୁ ବାହାରେ ମଳତ୍ୟାଗ କରିବା ଅଭ୍ୟାସରୁ ମୁକ୍ତ କରିବା। ସରଳ ଅର୍ଥରେ ସମସ୍ତଙ୍କୁ ଶୌଚାଳୟ ମୁହାଁ କରାଇବା।
ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ପର୍ୟ୍ୟାୟର ଲକ୍ଷ୍ୟ ହେଲା ବାହ୍ୟମଳ ତ୍ୟାଗମୁକ୍ତ ସ୍ଥିତିକୁ ବଜାୟ ରଖିବା ସହିତ କଠିନ ଓ ତରଳ ବର୍ଜ୍ୟର ଉପଯୁକ୍ତ ପରିଚାଳନା କରିବା। ଏଥିରେ ଗୋବର୍ଦ୍ଧନ ସହିତ ପ୍ରାକୃତିକ ଉପାୟରେ ନଷ୍ଟ ହୋଇପାରୁଥିବା ବର୍ଜ୍ୟର ପରିଚାଳନା ବା ବାୟୋ ଡିଗ୍ରେଡେବୁଲ ୱେଷ୍ଟ ମ୍ୟାନେଜମେଣ୍ଟ, ଘରୁ ନିର୍ଗତ ହେଉଥିବା ମହିଳା ପାଣି, ମଳ ଓ ଆବର୍ଜନା ଆଦିର ପରିଚାଳନା ଏବଂ ଚତୁର୍ଦ୍ଦିଗ ସଫାସୁତୁରା ଆଦି ଅନ୍ତର୍ଭୁକ୍ତ ।
ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନର ପ୍ରମୁଖ ଲକ୍ଷ୍ୟ କେବଳ ଲୋକଙ୍କ ଘରେ ବ୍ୟକ୍ତିଗତ ଭାବେ ଶୌଚାଳୟ ନିର୍ମାଣ ଏବଂ ସେଥିପାଇଁ ପାଣ୍ଠି ଯୋଗାଣ ନୁହେଁ। ଏହାର ଅସଲ ଉଦ୍ଦେଶ୍ୟ ହେଲା ସାମଗ୍ରିକ ଭାବେ ଲୋକଙ୍କ ଅଭ୍ୟାସ ଓ ବ୍ୟବହାରରେ ଏକ ପରିବର୍ତ୍ତନକୁ ସୁନିଶ୍ଚିତ କରିବା। ସୁତରାଂ ଏହି ବୃହତ୍ ଲକ୍ଷ୍ୟ ହାସଲ ଦିଗରେ ଆମେ ଗୋଷ୍ଠୀ ନେତୃତ୍ୱରେ ପରିଚାଳିତ ସମଗ୍ର ସ୍ୱଚ୍ଛତା (ସିଏଲ୍ଟିଏସ୍) ରଣନୀତି ଉପରେ ଗୁରୁତ୍ୱ ଦେଉଛୁ।
ଏହି ଆଭିମୁଖ୍ୟ ବା ରଣନୀତି ବେଶ୍ ପରୀକ୍ଷିତ ଏବଂ ବିଗତ ୧୫ରୁ ୨୦ ବର୍ଷ ଧରି ବିଭିନ୍ନ ଦେଶରେ କାର୍ୟ୍ୟକାରୀ ହେବା ସହିତ ସଫଳ ପ୍ରମାଣିତ ହୋଇଛି । ଏହି ସିଏଲ୍ଟିଏସ୍ ରଣନୀତି ଗୋଷ୍ଠୀ ଭିତରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରେ ଏବଂ ସମାଧାନ ସୂତ୍ର ବାହାର କରି ଲକ୍ଷ୍ୟ ହାସଲରେ ସହାୟକ ହୋଇଥାଏ। ଏଥିରେ ସ୍ଥାନୀୟ ମହିଳାମାନେ ସେମାନଙ୍କ ପ୍ରତି ଆଦିମ କାଳରୁ ହୋଇ ଆସୁଥିବା ଅବିଚାର, ଅନ୍ୟାୟ ଓ ପାତରଅନ୍ତର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସୁଯୋଗ ପାଇଥାନ୍ତି।
ଆମ ଦେଶର ଗ୍ରାମାଞ୍ଚଳରେ ରାତି ପାହାନ୍ତାରୁ ଉଠି ଖୋଲା ପଡିଆକୁ ମଳତ୍ୟାଗ କରିବାକୁ ଯିବାର ଅସୁବିଧା ଏବଂ ଋତୁସ୍ରାବ ଓ ଗର୍ଭଧାରଣ ସମୟରେ ଏ କାମ ଆହୁରି କେତେ ଯେ କଷ୍ଟସାଧ୍ୟ ସେ କଥା କେବଳ ଅନୁଭବୀ ମହିଳାମାନେ ହିଁ ଜାଣନ୍ତି। ଦିନରାତି, ଖରାବର୍ଷା, ଶୀତ କାକର ନିର୍ବିଶେଷରେ ମହିଳାମାନେ ମଳତ୍ୟାଗ କରିବାକୁ ଖୋଲା ପଡିଆକୁ ଦୌଡିବାକୁ ବାଧ୍ୟ ହୋଇଥାନ୍ତି । ଘରେ ଶୌଚାଳୟର ଅଭାବ ଯୋଗୁଁ ମହିଳାମାନଙ୍କର ନିରାପତ୍ତା ଓ ଏକାନ୍ତତା କେବଳ କ୍ଷୂଣ୍ଣ ହୋଇ ନ ଥାଏ, ଏହା ଦ୍ୱାରା ମଧ୍ୟ ସେମାନଙ୍କର ମୌଳିକ ଅଧିକାର ଉପରେ ଆକ୍ରମଣ ହୋଇଥାଏ।
ମହିଳାମାନେ ଓଡିଏଫ ଅଭିଯାନର ସର୍ବବୃହତ୍ ହିତାଧିକାରୀ, ସେଥିପାଇଁ ଅଧିକରୁ ଅଧିକ ମହିଳା ଏହି ଅଭିଯାନରେ ସାମିଲ ହେବା ସହିତ ଏହାର ନେତୃତ୍ୱ ନେଇ ଏହାର ସଫଳତାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି। ସାମୁହିକ ଅଭ୍ୟାସ ପରିବର୍ତ୍ତିତ ପ୍ରକ୍ରିୟାରେ ୩୦ରୁ ୪୦ ଶତାଂଶ ସ୍ୱେଚ୍ଛାଗ୍ରହୀ ମହିଳା ଉଲ୍ଲେଖନୀୟ କାର୍ୟ୍ୟ କରିଥାନ୍ତି। ସେମାନେ ହିଁ ଏହି ପ୍ରକ୍ରିୟାର ସ୍ୱାଭାବିକ ନେତ୍ରୀ ପାଲଟିଥାନ୍ତି।
ମହିଳା ତଦାରଖକାରୀ ସମିତି (ମହିଳା ନିଗ୍ରାନି ସମିତି)ର କାମ ହେଲା ଖୋଲାରେ ମଳତ୍ୟାଗକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା କଥା ଦେଖିବା। ପ୍ରାଥମିକ ମହିଳା ନେତ୍ରୀମାନେ ଏହି ଦାୟିତ୍ୱ ନିର୍ବାହ କରୁଥିବାବେଳେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ସାମଖ୍ୟ ଗୋଷ୍ଠୀ, ଏଥିରେ ସାମିଲ ହୋଇ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ୟ୍ୟରେ ଭଲମନ୍ଦ ଦେଖିଥାନ୍ତି। ପଞ୍ଜାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ମହିଳା ପ୍ରତିନିଧିମାନେ ଏଥିରେ ଅନେକ ସ୍ଥାନରେ ସକ୍ରିୟ ଭୂମିକା ନିର୍ବାହ କରିବାରେ ନଜରି ରହିଛି।
ତେଣୁ ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ମହିଳାମାନଙ୍କର ସମ୍ପୃକ୍ତ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନକୁ ଅପେକ୍ଷାକୃତ ଭାବେ ପୂର୍ବ ସ୍ୱଚ୍ଛତା ଅଭିଯାନ ତୁଳନାରେ ଅଧିକ ସଫଳ କରିଛି। ଏକ ଗୋଷ୍ଠୀ ଦ୍ୱାରା ସମରô୍ଥତ ମହିଳା ନେତ୍ରୀମାନେ ପୁରୁଷ ପ୍ରଧାନ ସମାଜରେ ମଧ୍ୟ ଗୋଷ୍ଠୀଗତ ଆଚରଣ ଓ ଅଭ୍ୟାସ ପରିବର୍ତ୍ତନରେ ଅତି ଉତ୍ତମ ସଫଳତା ହାସଲ କରୁଛନ୍ତି। ପୁରୁଷ ପ୍ରଧାନ ସମାଜ ମହିଳାଙ୍କୁ ପ୍ରାଧାନ୍ୟ ଓ ଗୁରୁତ୍ୱ ସହଜରେ ଦିଏ ନାହିଁ। ତା’ ସତ୍ତ୍ୱେ ମହିଳାମାନେ ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ଅର୍ଥ ସେମାନଙ୍କ ନେତୃତ୍ୱ ପ୍ରତି ଉଭୟ ପୁରୁଷ ଓ ସମାଜର ଆସ୍ଥା ବଢୁଛି।
କେରଳର ତ୍ରିଚି ଜିଲ୍ଲା ପୁଲ୍ଲମ୍ବାଡି ବ୍ଲକ ଅନ୍ତର୍ଗତ କୋବଳକୁରିଚି ପଞ୍ଚାୟତର ମହିଳା ଟି.ଏମ୍ ଗ୍ରେସୀ ହେଲେନ୍ ଜଣେ ଆଦର୍ଶ ସ୍ୱେଚ୍ଛାଗ୍ରହୀଙ୍କ ଉତ୍କୃଷ୍ଟ ଉଦାହରଣ। ତାଙ୍କ ନେତୃତ୍ୱରେ ଅନେକ ମହିଳା ଅନୁପ୍ରାଣିତ ହୋଇ ବେଶ୍ କିଛି ପରିବର୍ତ୍ତନ ଆଣିପାରିଛନ୍ତି। ସେ ନିଜ ଗୋଷ୍ଠୀ ଭିତରେ ଓ ବାହାରେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଭାବେ ସେ ବିଗତ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି କାମ କରିଆସୁଛନ୍ତି। ତାଙ୍କ ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ରକ୍ଷା ଓ ସ୍ୱଚ୍ଛତା କ୍ଷେତ୍ରରେ କାମ କରୁଛି।
୨୦୧୫ରେ ତାଙ୍କୁ ସାନିଟେସନ ମାଷ୍ଟର ଟ୍ରେନର ଭାବେ ପଦୋନ୍ନତି ମିଳିଥିଲା। ନିଜ ଜିଲ୍ଲାରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଗୋଷ୍ଠୀ ସହଯୋଗର ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ତାଙ୍କୁ ଆଦର୍ଶ ମୋଟିଭେଟର ଆଖ୍ୟା ମିଳିଛି। ସ୍ୱଚ୍ଛ ଭାରତ ମିଶନରେ ପ୍ରଥମ ପର୍ୟ୍ୟାୟ ଅବସରରେ ସେ ନିଜ ବ୍ଲକର ୧୫୨୦ଜଣ ହିତାଧିକାରୀଙ୍କୁ ଟ୍ୱାଇନ ପିଟ୍ ଟଏଲେଟ୍ ତିଆରି କରିବାକୁ ଉତ୍ସାହିତ କରିଥିଲେ।
ଏହି ପ୍ରକ୍ରିୟାରେ ତାଙ୍କ ନିଜ ପଞ୍ଚାୟତର ପ୍ରତ୍ୟେକ ପରିବାର ଏହି ଶୌଚାଳୟ ସୁଯୋଗ ଉପଯୋଗ କରି ବାହ୍ୟମଳ ମୁକ୍ତ ମର୍ୟ୍ୟାଦା ହାସଲ କରିଥିଲା । ଏଥିରେ ଗ୍ରେସୀଙ୍କର ଆତ୍ମବିଶ୍ୱାସ, ପରିଶ୍ରମ, ନିଷ୍ଠା, ଲୋକଙ୍କୁ ବୁଝାଇବାର ଶକ୍ତି ଓ ଧୈର୍ୟ୍ୟ ଏବଂ ସର୍ବୋପରି ତାଙ୍କ ପ୍ରେରଣାଦାୟୀ କଥାବାର୍ତ୍ତାର ଭୂମିକା ଥିଲା ଅଧିକ। ଏହା ଫଳରେ ତାଙ୍କ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ଓଡିଏଫ ମାନ୍ୟତା ବିଜାୟ ରଖି ସ୍ୱଚ୍ଛତା କ୍ଷେତ୍ରରେ ଆଗକୁ ବଢିବାରେ ଏକ ନୂଆ ସଫଳତା ପାଇଥିଲା।
ଜଣେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ହୋଇଥିବାରୁ ସେ ୨୦୦୦ରୁ ଅଧିକ ମୋଟିଭେଟର୍ସଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିଛନ୍ତି। ଏଥିରେ ଅଛନ୍ତି ପଞ୍ଚାୟତିରାଜ ପ୍ରତିଷ୍ଠାରେ ପ୍ରତିନିଧି, ଗ୍ରାମ୍ୟ ଦାରିଦ୍ର୍ୟ ହ୍ରାସକରଣ କମିଟି ସଦସ୍ୟ, ଏସ୍ଏଚ୍ଚି ସଦସ୍ୟ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ କମିଟିର ସଭ୍ୟ।
ଶ୍ରୀମତୀ ଏସ ଇ ପଂଘତେ ଆଉ ଜଣେ ସାଧାରଣ ମହିଳା ଯେ ଗ୍ରାମୀଣ ସ୍ୱଚ୍ଛ ଭାରତ ଅଭିଯାନରେ ଅସାଧାରଣ ଭୂମିକା ନିର୍ବାହ କରିଛନ୍ତି। ସେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ କୋରପଣା ତାଲୁକର ପିମ୍ପିଲଗାଁର ଅଧିବାସୀ। ତାଙ୍କର ପ୍ରତ୍ୟକ୍ଷ ନେତୃତ୍ୱ ତଥା ଦିଗ୍ଦର୍ଶନରେ ୨୧ଖଣ୍ଡ ଆଦିବାସୀ ଗାଁ ଓଡିଏଫ ମାନ୍ୟତା ପାଇଛି । ସେ ପ୍ରଥମ ଏସବୁ ଗାଁର ଗ୍ରାମୀଣ ଅଧିକାରୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ସେସବୁ ଗାଁକୁ ସ୍ୱଚ୍ଛ ଏବଂ ବାହାରେ ମଳତ୍ୟାଗ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ।
ଏହା ପରେ ସମ୍ପୃକ୍ତ ଗାଁର କିଛି ଉତ୍ସାହୀ ପୁରୁଷ ଓ ମହିଳାଙ୍କୁ ଧରି ସେ ସ୍ୱଚ୍ଛତାର ବାର୍ତ୍ତା ପ୍ରଚାର କରିବା ସହିତ ସବୁ ପରିବାରେ ଶୌଚାଳୟ ସ୍ଥାପନ ଉଦ୍ୟମ ଆରମ୍ଭ କଲେ। କ୍ରମଶଃ ତାଙ୍କ ଅଭିଯାନ ସମ୍ପୃକ୍ତ ଗାଁରେ ଏକ ଆନ୍ଦୋଳନର ରୂପ ନେଇଥିଲା। ଯେଉଁ ପରିବାରର ଶୌଚାଳୟ ନ ଥିଲା ସେସବୁ ପରିବାରକୁ ପଂଘତେ ନିଜେ ବ୍ୟକ୍ତିଗତ ଭାବେ ଯାଇ ସେମାନଙ୍କୁ ବୁଝାସୁଝା କରି ଶୌଚାଳୟ ସ୍ଥାପନ କରିବାକୁ ରାଜି କରାଉଥିଲେ। ଲୋକଙ୍କୁ ବୁଝାଇ, ପ୍ରବର୍ତ୍ତାଇ ସେମାନଙ୍କ ଅଭ୍ୟାସ ବଦଳଇବା ସହ ଗାଁ ଗୁଡିକରେ ଖୋଲାରେ ମଳତ୍ୟାଗ କରିବା ପରମ୍ପରାର ଅବସାନ ଘଟାଇଥିଲେ। ସେ ମଧ୍ୟ ନିଜ ପଞ୍ଚାୟତରେ କଠିନ ଓ ତରଳ ବର୍ଜ୍ୟବସ୍ତୁର ସୁପରିଚାଳନା କାମ ନିଜେ ତଦାରଖ କରୁଥିଲେ।
ଏହ ନାରୀନେତ୍ରୀମାନେ ସ୍ୱଚ୍ଛଭାରତ ମିଶନର ବାର୍ତ୍ତା ପ୍ରଚାର ପ୍ରସାରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ଭଳି ଆଉ ଅନେକ ମହିଳା ମଧ୍ୟ ଏବେ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବାକୁ ଅବିଶ୍ରାନ୍ତ ଭାବେ କାମ କରୁଛନ୍ତି। ସେମାନେ ସେମାନଙ୍କ କାର୍ୟ୍ୟ ଯୋଗୁଁ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।
(ଲେଖିକା ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟର ପାନୀୟଜଳ ଓ ସ୍ୱଚ୍ଛତା ବିଭାଗର ସଚିବ)
ଭୁବନେଶ୍ୱର: ମହିଳା ସଶକ୍ତିକରଣ ମିଶନଶକ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ। ଯାହା ଫଳରେ ଆଜି ଓଡ଼ିଶାରେ ରାଜନୈତିକ ସ୍ତରରେ, ସାମାଜିକ ସ୍ତରରେ, ଆର୍ଥିକ ସ୍ତରରେ ମହିଳାମାନଙ୍କର ବିକାଶ ହୋଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ମିଶନଶକ୍ତି ଆଜି ଏକ ଉଦାହରଣ ପାଲଟିଛି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ।
ଆଜି ଗଣମାଧ୍ୟମ ସାମ୍ବାଦିକମାନଙ୍କୁ ଶ୍ରୀ ସାହୁ କହିଛନ୍ତି ଯେ, ମିଶନଶକ୍ତିରେ ମା’ମାନଙ୍କର ରାଜନୈତିକ, ସାମାଜିକ ଓ ଆର୍ଥିକ ସ୍ତରରେ ବିକାଶ ଓଡ଼ିଶା ସରକାରଙ୍କ ଦ୍ୱାରା ହୋଇଛି। ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ତାରତମ୍ୟ କମିଛି, ସମତା ଓ ସମାନତା ଆସିଛି। ମହିଳାଟିଏ ଗାଁରେ, ସହରରେ, ସମାଜରେ ମୁଣ୍ଡ ଟେକି ବାଟ ଚାଲୁଛନ୍ତି। ନିଜେ ରୋଜଗାର କରି ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛନ୍ତି। ଏ ହେଉଛି ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ।
ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ଏହାକୁ ଯେଉଁ ବିରୋଧୀ ଦଳମାନେ ବିରୋଧ କରୁଛନ୍ତି, ସେମାନେ ରୁଗ୍ଣ ମାନସିକତାରେ ବର୍ତ୍ତମାନ ପଡ଼ିଛନ୍ତି। ମହିଳାମାନଙ୍କୁ ଆଗକୁ ଆଣିବାର ଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଏବଂ ତାକୁ କାର୍ଯ୍ୟକାରୀ କରୁଛନ୍ତି, ଯାହା ଫଳରେ ଓଡ଼ିଶା ଆଜି ବିକାଶର ବହୁ ଆଗକୁ ଯାଇଛି। ପୁରୁଷ ଏବଂ ମହିଳା ଉଭୟଙ୍କ ଭାଗିଦାରୀରେ ସମାଜ ଏକ ବିକଶିତ ସମାଜରେ ପରିଣତ ହୋଇଛି। ‘ମା’ଙ୍କୁ ଭକ୍ତି, ମା’ଙ୍କ ଶକ୍ତି ମିଶନଶକ୍ତି’। ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ । ବିରୋଧୀ ଦଳ ମହିଳା ଜାତିକୁ ଅପମାନିତ କରନ୍ତୁ ନାହିଁ। ଯଦି ଅପମାନ କରିବେ ମା’ମାନେ ଉଚିତ୍ ଜବାବ ଦେଇଛନ୍ତି, ଆଗକୁ ଆହୁରି ମଧ୍ୟ ଜବାବ ଦେବେ ବୋଲି ଶ୍ରୀ ସାହୁ କହିଛନ୍ତି।
ନୂଆଦିଲ୍ଲୀ: ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନାରୀ ଶକ୍ତି ପୁରସ୍କାର-2022 ପାଇଁ ଆବେଦନ/ନାମାଙ୍କନ ଆମନ୍ତ୍ରିତ କରାଯାଉଛି। ନାରୀ ଶକ୍ତି ପୁରସ୍କାର, 2022 ପାଇଁ ଆବେଦନ/ନାମାଙ୍କନ କେବଳ ନିର୍ଦ୍ଦିଷ୍ଟ ୱେବସାଇଟ୍ www.awards.gov.in.ମାଧ୍ୟମରେ ଗ୍ରହଣ କରାଯିବ।
31 ଅକ୍ଟୋବର, 2022 ପର୍ଯ୍ୟନ୍ତ ପ୍ରାପ୍ତ ସମସ୍ତ ଆବେଦନ ପତ୍ର/ନାମାଙ୍କନ ଉପରେ ବର୍ଷ 2022 ପାଇଁ ନାରୀ ଶକ୍ତି ପୁରସ୍କାର ପାଇଁ ବିଚାର କରାଯିବ।
ନାରୀ ଶକ୍ତି ପୁରସ୍କାର-2022 ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅର୍ଥାତ୍ 8 ମାର୍ଚ୍ଚ 2023 ରେ ମହିଳା ସଶକ୍ତିକରଣ, ବିଶେଷ ଭାବରେ ଆର୍ଥିକ ଅନଗ୍ରସର ଏବଂ ସାଧାରଣ ସୁବିଧାରୁ ବଞ୍ଚିତ ଥିବା ମହିଳାମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରଦାନ କରାଯିବ।
ଯୋଗ୍ୟତା ମାନଦଣ୍ଡ ଏବଂ ଅନ୍ୟ ବିବରଣୀ ପାଇଁ, ନାରୀ ଶକ୍ତି ପୁରସ୍କାର ନିମନ୍ତେ ପାଇଁ ନିର୍ଦ୍ଦେଶାବଳୀ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ୱେବସାଇଟ୍ https://wcd.nic.in/acts/guidelines-nari-shakti-puraskar-2022-onwards ରେ ଏବଂ ଆବେଦନ /ନାମାଙ୍କନ ପୋର୍ଟାଲ୍ www.awards.gov.in ରେ ଉପଲବ୍ଧ ରହିଛି।
ଭୁବନେଶ୍ୱର: ଓଡ଼ିଶାରେ ମହିଳାମାନଙ୍କର ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ଲିଙ୍ଗଗତ, ଆର୍ଥିକ ଓ ସାମାଜିକ ଅସମାନତାକୁ ଦୂର କରିବା ଦିଗରେ ପଦକ୍ଷେପ ନେଇ ଆଜି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଭାରତ (ୟୁଏନ୍ଏଫ୍ପିଏ) ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।
“ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଓଡ଼ିଶାରେ ମହିଳାଙ୍କ ସାମାଜିକ ସଶକ୍ତିକରଣ’’ ଶୀର୍ଷକ ଏହି ପଦକ୍ଷେପ ଏକ ବିସ୍ତୃତ ଯୋଜନା ଏବଂ ସୁଦୃଢ଼ ଭିତ୍ତିଭୂମି ଦ୍ୱାରା ସମର୍ଥିତ । ଏହି ସ୍ୱତନ୍ତ୍ର ଯୋଜନା ମିଳିତ ଜାତିସଂଘର ୨୦୩୦ କାର୍ଯ୍ୟସୂଚୀ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସ୍ଡିଜି), ବିଶେଷକରି ଲକ୍ଷ୍ୟ-୩(ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ)ଏବଂ ଲକ୍ଷ୍ୟ-୫(ଲିଙ୍ଗଗତ ସମାନତା)କୁ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ସହିତ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଏହି ତିନି ବର୍ଷିଆ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ।
ଡିଜିଟାଲ ସାକ୍ଷରତା ମହିଳାମାନଙ୍କୁ ଅଧିକ ସଂଯୋଜିତ, ସୂଚିତ ଏବଂ ବାହ୍ୟଜଗତ ସହିତ ଜଡ଼ିତ ଓ ଯୋଗାଯୋଗ ରକ୍ଷା କରିବାରେ ସାହାଯ୍ୟ କରିବ । ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ନୂତନ ମାର୍ଗ ଖୋଜିବାରେ ସହାୟତା ଦେବା ସହ ଅନ୍ଲାଇନରେ ଉପଲବ୍ଧ ବିଭିନ୍ନ ସେବା ଏବଂ କଲ୍ୟାଣକାରୀ ଯୋଜନା ବିଷୟରେ ଅଧିକ ତଥ୍ୟ ଓ ସୂଚନା ପାଇବାରେ ସହାୟକ ହେବ ।
ଆର୍ଥିକ ସାକ୍ଷରତା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସଠିକ୍ ଜ୍ଞାନ କୌଶଳର ବ୍ୟବହାର ମାଧ୍ୟମରେ ଟଙ୍କା ପଇସାର କୁଶଳ ପରିଚାଳନା କରିବାରେ ସାହାଯ୍ୟ କରିବ । ସ୍ୱୟଂ ସହାୟିକା ସଦସ୍ୟାମାନଙ୍କର ଆର୍ଥିକ ପରିଚାଳନା ଯଥା ସଂଚୟ ଓ ନିବେଶ ଭଳି କ୍ଷମତା ବୃଦ୍ଧିରେ ସହାୟତା ପ୍ରଦାନ କରିବ ।
ଏହି ଆଭିମୁଖ୍ୟରେ ୟୁଏନ୍ଏଫ୍ପିଏ ସହିତ ସ୍ୱାକ୍ଷରିତ ଏହି ଚୁକ୍ତିନାମା ପ୍ରାୟ ୬ ଲକ୍ଷ ମହିଳାଙ୍କୁ ବିଭିନ୍ନ ଡିଜିଟାଲ ଏବଂ ଆର୍ଥିକ କୌଶଳ(ଯେପରିକି ଅନ୍ଲାଇନ ଜନସେବା, ବ୍ୟାଙ୍କିଙ୍ଗ୍ ସେବା ଏବଂ ସୋସିଆଲ ମିଡିଆ ଆଦିର ବ୍ୟବହାର)ରେ ଦକ୍ଷ କରିବ । ଡିଜି ଶକ୍ତି ଭାବରେ ପରିଚିତ ଏହି ମହିଳାମାନେ ଲକ୍ଷ ଲକ୍ଷ ମହିଳାଙ୍କୁ ସମାନ ଜ୍ଞାନକୌଶଳ ଉପରେ ତାଲିମ ଦେବେ ।
ମିଶନ୍ ଶକ୍ତି ପ୍ଲାଟଫର୍ମକୁ ବ୍ୟବହାର କରି ଏହି ପ୍ରକଳ୍ପ ସମାଜର ବିଶେଷ ଭାବେ ବଞ୍ଚିତ ତଥା ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ସ୍ତରର ମହିଳାଙ୍କ ସଶକ୍ତିକରଣ ଦିଗରେ ବିଶେଷ ସହାୟକ ହେବ । ଏହି ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେବା ଦ୍ୱାରା ଆଦିବାସୀ ତଥା ଅନୁସୂଚିତ ଜାତି ସମ୍ପ୍ରଦାୟ ତଥା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବ ପରିବାରର ମହିଳାମାନେ ଲାଭବାନ ହେବେ ।
ଏହି ପ୍ରକଳ୍ପ ୨,୫୦,୦୦୦ରୁ ଅଧିକ ମହିଳାଙ୍କୁ ପ୍ରଜନନ ତଥା ସେମାନଙ୍କର ସମାଜିକ ଅଧିକାର ବିଷୟରେ ସୂଚିତ କରିବା ସହିତ ସେମାନଙ୍କୁ ସାମ୍ପ୍ରଦାୟିକ ହିଂସା, ଭେଦଭାବ ଏବଂ ବାଲ୍ୟବିବାହ, ଯୌତୁକ ପରି ସାମାଜିକ କୁପ୍ରଥାର ମୁକାବିଲା କରିବା ଦିଗରେ ସହାୟତା ଦେବ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ସେମାନଙ୍କର ସାମାଜିକ ବିକାଶ ପାଇଁ ସୂଚନା ଜ୍ଞାନକୌଶଳ ସହିତ ସଶକ୍ତ ହେବା ସହିତ ସେମାନଙ୍କର ପରିବାର ବିଶେଷକରି କିଶୋରୀ ବାଳିକା ଏବଂ ବୃଦ୍ଧାଙ୍କ ଦୁର୍ବଳତାକୁ ଦୂର କରିବାରେ ସକାରାତ୍ମକ ପ୍ରଭାବ ଆଣିବ ।
ଏହି ଚୁକ୍ତି ସ୍ୱାକ୍ଷର ଅବସରରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍. କାର୍ତ୍ତିକେୟନ କହିଛନ୍ତି “ଆମର ଅଭିଜ୍ଞତାରୁ ଜଣାଯାଏ ଯେ, ମହିଳାମାନଙ୍କର ସାମାଜିକ ଏବଂ ଆର୍ଥିକ ସଶକ୍ତିକରଣରେ ବିନିଯୋଗ ସାମୂହିକ ସାମାଜିକ ପ୍ରଗତି ସ୍ଥାନୀୟ ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶକୁ ବିପୁଳ ଲାଭ ମିଳିଥାଏ । ମିଶନ୍ ଶକ୍ତି ଏବଂ ୟୁଏନ୍ଏଫ୍ପିଏ ମଧ୍ୟରେ ଏହି ସମୟାନୁବର୍ତ୍ତୀ ଓ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ‘ସଶକ୍ତ ମହିଳା, ସଶକ୍ତ ଓଡ଼ିଶା’ ଲକ୍ଷ୍ୟ ଅଭିମୁଖୀ ଯାତ୍ରା ନିମନ୍ତେ ବିଶେଷ ସହାୟକ ହେବ ।
ଏହି ଅବସରରେ ୟୁଏନ୍ଏଫ୍ପିଏ ଇଣ୍ଡିଆର ପ୍ରତିନିଧି ଆଣ୍ଡ୍ରେୟା ଏମ୍ େୱାଜନାର୍ କହିଛନ୍ତି ଯେ “ଏହି ଦୂରଦୃଷ୍ଟିକୁ ଆଖିରେ ରଖି ମିଶନ ଶକ୍ତି ପ୍ରକଳ୍ପ ସହିତ ୬୦ ଲକ୍ଷରୁ ଅଧିକ ମହିଳା ଡିଜିଟାଲ ଏବଂ ଆର୍ଥିକ ଦକ୍ଷତା ହାସଲ କରିବା ସହିତ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଉପରେ ନିୟନ୍ତ୍ରଣ ରଖିବାରେ ସମର୍ଥ ହେବେ । ଏହା ଉଭୟ ମହିଳା ଓ ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ନିଶ୍ଚିତ ବିଜୟ ଭାବେ ଗଣା ହେବ ।
ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ଆନ୍ତର୍ଜାତିକ ମହିଳା ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ.ଏ.ସି ର ସମସ୍ତ ମହିଳା ସଂଘଗୁଡିକର ମିଳିତ ଆନୁକୁଲ୍ୟରେ ଉକ୍ତ ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏନ୍ଏସିର ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ୍ଵ ମହିଳାମାନେ ସ୍ଥାନୀୟ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ କଲ୍ୟାଣମଣ୍ଡପ ଠାରେ ଏକତ୍ରିତ ହୋଇ ଉକ୍ତ ଦିବସ ପାଳନ କରଥିଲେ। ମହିଳା ମାନଙ୍କ ଦ୍ୱାରା ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତାରୂପେ ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବାଲୁଗାଁ ଶାଖାର ମୁଖ୍ୟ ଭଉଣୀ ବି. କେ ସରିତା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିରୂପେ ବାଲୁଗାଁ ଏନ୍ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଆକୃତି ଗୋଏଙ୍କା ଯୋଗଦେଇଥିଲେ।
ସମସ୍ତ ଅତିଥିମାନେ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିବା ସହ କରୋନା କଟକଣାକୁ ମାନି ଚଳିବା ପାଇଁ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲୁଗାଁ ସମବାୟ ସମିତିର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ମିଶ୍ର, ଚିଲିକା ବ୍ଲକ ସାଂସଦ ପ୍ରତିନିଧି ରମେଶ ମହାପାତ୍ର, ବାଣପୁର ବ୍ଲକ ବିଜେଡି ସମ୍ପାଦକ ସୁକାନ୍ତ ଭୋଳ, ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପରିଡା, ସୁକାନ୍ତ ମାଝୀ, ଅକ୍ଷୟ ରଣସିଂହ ଏବଂ ଯୁବ ସଂଗଠକ ରଂଜିତ ସାହୁ ଆଦି ଉପସ୍ଥିତ ଥିଲେ।