Categories
ଆଜିର ଖବର ଜାତୀୟ ଖବର

ମହାକୁମ୍ଭ ୨୦୨୫: ସରକାରୀ କଲ୍ୟାଣକାରୀ ଯୋଜନା ଏବଂ ମହିଳା ସଶକ୍ତୀକରଣ ସମ୍ପର୍କରେ ପ୍ରଦର୍ଶନୀ

ନୂଆଦିଲ୍ଲୀ: ‘ମହିଳା ସଶକ୍ତୀକରଣ ହେଉଛି ରାଷ୍ଟ୍ରର ଉନ୍ନତି’ ନୀତିକୁ ଅନୁସରଣ କରି ଭାରତ ସରକାର ମହିଳାଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣ ପାଇଁ ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ମହାକୁମ୍ଭ ସମୟରେ ପ୍ରୟାଗରାଜର ତ୍ରିବେଣୀ ମାର୍ଗ ପ୍ରଦର୍ଶନୀ ଅଞ୍ଚଳରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଡିଜିଟାଲ ପ୍ରଦର୍ଶନୀ ମାଧ୍ୟମରେ ଏହି ଯୋଜନା, ନୀତି ଏବଂ କାର୍ଯ୍ୟକ୍ରମ ବିଷୟରେ ସୂଚନା ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯାଉଛି।

ଏହି ପ୍ରଦର୍ଶନୀରେ ନାରୀ ଶକ୍ତି ବନ୍ଦନ ଆଇନ ଏବଂ  ନମୋ ଡ୍ରୋନ ଦିଦି ଯୋଜନା ଭଳି ବିଭିନ୍ନ ଯୋଜନା ପ୍ରଦର୍ଶିତ ହୋଇଛି, ଯାହା ମହିଳା ସଶକ୍ତୀକରଣ ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ଜୀବନ୍ତ କରୁଛି । ଡିଜିଟାଲ ପ୍ରଦର୍ଶନୀରେ ଦର୍ଶାଯାଇଛି ଯେ, ନାରୀ ଶକ୍ତି ବନ୍ଦନ ଆଇନ ମାଧ୍ୟମରେ ଲୋକସଭା ଓ ବିଧାନସଭାର ୩୩% ଆସନ ଏବେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ବର୍ତ୍ତମାନ ସୁଦ୍ଧା ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ୧ କୋଟିରୁ ଅଧିକ ମହିଳା ଲଖପତି ଦିଦି ହୋଇଛନ୍ତି । ଆହୁରି ୨ କୋଟି ମହିଳା ଲଖପତି ଦିଦିଙ୍କୁ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି ନାରୀ ସମ୍ମାନ  କାର୍ଯ୍ୟକ୍ରମ ଅଧୀନରେ ପିଏମ୍ ଆବାସ ଯୋଜନାରେ ନିର୍ମିତ ଗୃହଗୁଡ଼ିକ ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଥାଏ।

ନମୋ ଡ୍ରୋନ୍ ଦିଦି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ରଖାଯାଇଛି। ହଜାରେ ନମୋ ଡ୍ରୋନ୍ ଦିଦିଙ୍କୁ ଡ୍ରୋନ୍ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ୪ କୋଟିରୁ ଅଧିକ ସୁକନ୍ୟା ସମୃଦ୍ଧି  ଆକାଉଣ୍ଟ ଖୋଲାଯାଇଛି, ଯେଉଁଥିରେ ମୋଟ ୨.୬ ଲକ୍ଷ କୋଟି ଟଙ୍କା ଜମା ରହିଛି, ଯାହା କି ଝିଅମାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିଛି ।

ସେହିପରି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ପ୍ରାୟ ୬୮ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିଥିବା ବେଳେ ୩୬ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି। ଆୟୁଷ୍ମାନ ବୟ ବନ୍ଦନ କାର୍ଡ  ଦ୍ୱାରା ୭୦ ବର୍ଷ ରୁ ଅଧିକ ବୟସର ୬ କୋଟିରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେଉଛନ୍ତି । ମେଡିକାଲ ସିଟ୍ ସଂଖ୍ୟା ୨୦୧୪ରେ ୫୧ ହଜାର ଥିବା ବେଳେ ଏବେ ତାହା ଦ୍ୱିଗୁଣିତ ହୋଇ ୧ ଲକ୍ଷ ୧୮ ହଜାରରେ ପହଞ୍ଚିଛି। ୧୪ ହଜାରରୁ ଅଧିକ ଜନଔଷଧି କେନ୍ଦ୍ର ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ଶିଶୁ ଓ ମହିଳାଙ୍କ ପାଇଁ ନିୟମିତ ଟିକାକରଣ ରେକର୍ଡ ରଖିବା ପାଇଁ ଏକ ୟୁ-ୱିନ୍ ପୋର୍ଟାଲ ଆରମ୍ଭ କରାଯାଇଛି।

ପ୍ରୟାଗରାଜର ମହାକୁମ୍ଭରେ ଏକତା ଉପରେ କେନ୍ଦ୍ରିତ ଏହି ଦିବ୍ୟ ଏବଂ ଭବ୍ୟ ଡିଜିଟାଲ ପ୍ରଦର୍ଶନୀ ଜନସାଧାରଣଙ୍କୁ ଏହି ସୂଚନା ପ୍ରଦାନ କରୁଛି। ଏହି ପ୍ରଦର୍ଶନୀକୁ ନିୟମିତ ଶହ ଶହ ଲୋକ ପରିଦର୍ଶନ କରୁଛନ୍ତି ଏବଂ ସରକାରୀ କଲ୍ୟାଣକାରୀ ଯୋଜନା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବାରୁ ଏହାକୁ ପ୍ରଶଂସା କରାଯାଉଛି ।

Categories
ଆଜିର ଖବର ଜାତୀୟ ଖବର

ପିଏମ୍‌-ୱାନି ଅଧୀନରେ ସାରା ଭାରତରେ ୨୪୭୦୭୬ଟି ସାର୍ବଜନୀନ ୱାଇଫାଇ ହଟସ୍ପଟ୍‌ ପ୍ରତିଷ୍ଠା

ନୂଆଦିଲ୍ଲୀ: ମୋବାଇଲ୍ ଏବଂ ଇଣ୍ଟରନେଟ୍ ସଂଯୋଗ ବିଶେଷକରି ଗ୍ରାମାଞ୍ଚଳରେ ସୁଯୋଗ ଖୋଲିବା, ବ୍ୟବଧାନକୁ ଦୂର କରିବା ଏବଂ ଜୀବନରେ ପରିବର୍ତ୍ତନ ଆଣି ସ୍ୱାଧୀନତା (ଆତ୍ମନିର୍ଭରତା) ଏବଂ ମହିଳାଙ୍କ ସଶକ୍ତୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଉଦାହରଣ ଭାବେ ରୀନା କିରାରଙ୍କ କାହାଣୀକୁ ନିଆଯାଉ।

ମଧ୍ୟପ୍ରଦେଶରେ ରୀନା କିରାର ମହିଳାମାନଙ୍କର ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଗିର୍ଜା ଦେବୀ ଜନ କଲ୍ୟାଣ ସମିତିର ନେତୃତ୍ୱ ନେଉଛନ୍ତି, ଯାହାକି ପୋଷାକ, ସଳିତା, ପାମ୍ପଡ଼, ମସଲା ଏବଂ ଧୂପକାଠି ସମେତ ବିଭିନ୍ନ ଉତ୍ପାଦର ଡିଜାଇନ୍ ଏବଂ ଉତ୍ପାଦନ କରନ୍ତି। ବର୍ଷ ବର୍ଷ ଧରି, ସେମାନଙ୍କର ବଜାର ସ୍ଥାନୀୟ ସମୁଦାୟ ମଧ୍ୟରେ ସୀମିତ ଥିଲା, ଯାହା ସେମାନଙ୍କ ଅଭିବୃଦ୍ଧି ସମ୍ଭାବନାକୁ ସୀମିତ କରିଥିଲା। ତେବେ ସରକାରୀ ଇ-ମାର୍କେଟପ୍ଲେସ୍ (ଜିଇଏମ୍) ପୋର୍ଟାଲ୍ ବ୍ୟବହାର କରିବା ଆରମ୍ଭ କରିବା ପରେ ସେମାନଙ୍କ ବ୍ୟବସାୟ ଏକ ପରିବର୍ତ୍ତନକାରୀ ମୋଡ଼ ନେଇଥିଲା। ଜିଇଏମ୍ ମାଧ୍ୟମରେ, ସେମାନେ ସେମାନଙ୍କ ଉପାନ୍ତ ଅବସ୍ଥାନର ପ୍ରତିବନ୍ଧକକୁ ଅତିକ୍ରମ କରି ଅଧିକ ବଡ଼ ଗ୍ରାହକଙ୍କ ନିକଟରେ ସେମାନଙ୍କ ଉତ୍ପାଦଗୁଡିକର ମାର୍କେଟିଂ କରିପାରୁଛନ୍ତି।

ଏହି ଡିଜିଟାଲ ସଶକ୍ତୀକରଣ କେବଳ ଗୋଷ୍ଠୀର ଆୟ ବୃଦ୍ଧି କରିନାହିଁ ବରଂ ବୃହତ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସେମାନଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଛି, ଯାହା ପ୍ରମାଣିତ କରିଛି ଯେ ଡିଜିଟାଲ ପ୍ଲାଟଫର୍ମର ଉପଲବ୍ଧତା ଗ୍ରାମୀଣ ଉଦ୍ୟୋଗୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇପାରେ। ଆମ ଦେଶର ଗ୍ରାମୀଣ ଏବଂ ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱର୍କ ଏବଂ ଇଣ୍ଟରନେଟ୍ କଭରେଜ୍ ବିସ୍ତାର କରିବା ପାଇଁ ସରକାରଙ୍କ ପ୍ରୟାସ ଦ୍ୱାରା ଡିଜିଟାଲ ପ୍ଲାଟଫର୍ମର ଉପଲବ୍ଧତା ସମ୍ଭବ ହୋଇପାରିଛି।

ଡିଜିଟାଲ ଯୁଗରେ, ଯୋଗାଯୋଗ ସାମାଜିକ-ଆର୍ଥିକ ବିକାଶ ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରେ ତଥା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅର୍ଥନୈତିକ ସୁଯୋଗ ଉପଲବ୍ଧ କରେ। ଦେଶର ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ଓ ଇଣ୍ଟରନେଟ୍ ସଂଯୋଗକୁ ବିସ୍ତାର କରିବା, ବ୍ୟକ୍ତି ବିଶେଷ ଓ ସମାଜକୁ ସମାନ ଭାବେ ସଶକ୍ତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି। ଦେଶର ୬,୪୪,୧୩୧ ଟି ଗାଁ ମଧ୍ୟରୁ ୬,୨୨,୮୦୪ରୁ ଅଧିକ ଗ୍ରାମରେ ମୋବାଇଲ କଭରେଜ୍ ରହିଛି। ଏଥିମଧ୍ୟରୁ ସେପ୍ଟେମ୍ବର ୨୦୨୪ ସୁଦ୍ଧା ୬,୧୪,୫୬୪ରୁ ଅଧିକ ଗାଁକୁ ୪ଜି ମୋବାଇଲ୍ ସଂଯୋଗ କରାଯାଇଛି।

ଏହାବ୍ୟତୀତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅଧୀନରେ ୪୫୪୩ରୁ ଅଧିକ ଅତି ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ବସ୍ତିକୁ ମୋବାଇଲ୍ ସଂଯୋଗ ଯୋଗାଇ ଦେବା ପାଇଁ ଚିହ୍ନଟ କରାଯାଇଥିବା ବେଳେ ବର୍ତ୍ତମାନସୁଦ୍ଧା ସେଥିମଧ୍ୟରୁ ୧୧୩୬ଟି ପିଭିଟିଜି ବସ୍ତିକୁ ମୋବାଇଲ୍ ସଂଯୋଗ କରାଯାଇଛି। ଅକ୍ଟୋବର ୨୦୨୪ ସୁଦ୍ଧା ପିଭିଟିଜି ବସ୍ତିଗୁଡ଼ିକୁ ୧୦୧୪ କୋଟି ଟଙ୍କା ବ୍ୟୟ ଅଟକଳରେ ୪ଜି କଭରେଜ୍ ପ୍ରଦାନ କରିବା ପାଇଁ ବିଭିନ୍ନ ଡିଜିଟାଲ ଭାରତ ନିଧି ଅନୁଦାନ ପ୍ରାପ୍ତ ମୋବାଇଲ୍ ପ୍ରକଳ୍ପ ଅଧୀନରେ ସମୁଦାୟ ୧,୦୧୮ଟି ମୋବାଇଲ୍ ଟାୱାର ମଞ୍ଜୁର କରାଯାଇଛି।

ଡିଜିଟାଲ ଭାରତ ନିଧି ଅଧୀନରେ ଭାରତ ବ୍ରଡବ୍ୟାଣ୍ଡ ନେଟୱର୍କ ଲିମିଟେଡ ଦ୍ୱାରା ୧.୯୯ ଲକ୍ଷରୁ ଅଧିକ ଗାଁରେ ୮୭୩୦ ମୋବାଇଲ ଟାୱାର୍‌ ସଂଯୋଗ କରାଯାଇଛି। ୨୭ ଡିସେମ୍ବର ୨୦୨୪ ସୁଦ୍ଧା ୨.୧୪ ଲକ୍ଷ ଗ୍ରାମପଞ୍ଚାୟତକୁ ଭାରତ ନେଟ୍‌ ଅଧୀନରେ ଶସ୍ତା ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସଂଯୋଗ କରାଯାଇଛି। ସେହିପରି ପିଏମ୍‌-ୱାନି ଅଧୀନରେ ସାରା ଭାରତରେ ୨୪ ଡିସେମ୍ବର ୨୦୨୪ ସୁଦ୍ଧା ୨୪୭୦୭୬ଟି ସାର୍ବଜନୀନ ୱାଇଫାଇ ହଟସ୍ପଟ୍‌ ପ୍ରତିଷ୍ଠା କରାଯାଇଛି।

ଭାରତ ସରକାର ମଧ୍ୟ ଦୂରସଞ୍ଚାର ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ସଞ୍ଚାର ସାଥୀ ପୋର୍ଟାଲରେ ଥିବା ‘‘ନୋ ୟୋର ମୋବାଇଲ୍ କନେକ୍ସନ’’ ସୁବିଧା ରହିଛି, ଯାହା ନାଗରିକମାନଙ୍କୁ ଅନଧିକୃତ ସଂଯୋଗଟ୍ରାକ୍ ଏବଂ ରିପୋର୍ଟ କରିବାରେ ସାହାଯ୍ୟ କରେ। ଟେଲିକମ୍ କମର୍ସିଆଲ୍ କମ୍ୟୁନିକେସନ୍ କଷ୍ଟମର୍ ପ୍ରିଫରେନ୍ସ ରେଗୁଲେସନ୍ (ଟିସିସିସିପିଆର), ୨୦୧୮, ବ୍ୟବହାରକାରୀଙ୍କୁ ଅବାଞ୍ଛିତ କଲ୍ ଏବଂ ବାର୍ତ୍ତାଗୁଡ଼ିକୁ ବ୍ଲକ୍ କରିବା ପାଇଁ ‘‘ଡୁ ନଟ୍ ଡିଷ୍ଟର୍ବ୍” (ଡିଏନବି) ସେବା ପାଇଁ ପଞ୍ଜୀକରଣ କରିବାକୁ ଅନୁମତି ଦେଇଥାଏ। ଟେଲିମାର୍କେଟର ଓ ବ୍ୟାଙ୍କ ପାଇଁ ଟେଲିକମ୍ ବିଭାଗ ନିର୍ଦ୍ଦିଷ୍ଟ ନମ୍ବର ସିରିଜ୍ ଆବଣ୍ଟନ କରିଥିବା ବେଳେ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଅଣପଞ୍ଜୀକୃତ ଟେଲିମାର୍କେଟରଙ୍କୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରୁଛି। ଅବାଞ୍ଛିତ ଯୋଗାଯୋଗକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଟ୍ରାଇ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ଉପରେ ଜରିମାନା କରିଛି।

ଗ୍ରାମାଞ୍ଚଳରେ ମୋବାଇଲ୍ ଏବଂ ନେଟୱର୍କର ପ୍ରସାର ପାଇଁ ଭାରତର ଅତୁଟ ପ୍ରତିବଦ୍ଧତା ସାମାଜିକ-ଆର୍ଥିକ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରୁଛି। ରୀନା କିରାରଙ୍କ ଭଳି କାହାଣୀ ଡିଜିଟାଲ ସଶକ୍ତୀକରଣର ଗଭୀର ପ୍ରଭାବକୁ ଆଲୋକପାତ କରେ, ଯାହା ଗାଁଗୁଡ଼ିକୁ ସୁଯୋଗର ସକ୍ରିୟ କେନ୍ଦ୍ରରେ ପରିଣତ କରେ। ଡିବିଏନ୍, ଭାରତ ନେଟ୍ ଏବଂ ପିଏମ୍-ୱାନି ଭଳି ରଣନୀତିକ ପଦକ୍ଷେପ ମାଧ୍ୟମରେ ସରକାର କେବଳ ଭିତ୍ତିଭୂମି ନିର୍ମାଣ କରୁନାହାନ୍ତି ବରଂ ନାଗରିକମାନଙ୍କୁ ଡିଜିଟାଲ୍ ଭବିଷ୍ୟତରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସକ୍ଷମ କରୁଛନ୍ତି। ଡିଜିଟାଲ ଭାବରେ ସମାବେଶୀ ଭାରତର ସ୍ୱପ୍ନ ଦ୍ରୁତ ଗତିରେ ବାସ୍ତବ ରୂପ ନେଉଛି। ପ୍ରତ୍ୟେକ ନାଗରିକ ସେମାନଙ୍କର ବାସସ୍ଥାନ ନିର୍ବିଶେଷରେ ଆଧୁନିକ ଦୁନିଆରେ ପ୍ରଗତି ହାସଲ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ଗ୍ରାମାଞ୍ଚଳରେ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଛି ଜଳଜୀବନ ମିଶନ

ନୂଆଦିଲ୍ଲୀ: ଜଳଜୀବନ ମିଶନ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଏହା ପରିଲକ୍ଷିତ ହୋଇଛି। ସେ କହିଛନ୍ତି ଯେ, ଘରେ ଘରେ ସ୍ୱଚ୍ଛ ଜଳ ଉପଲବ୍ଧ ହୋଇପାରିଲେ ମହିଳାମାନେ ଏବେ କୌଶଳ ବିକାଶ ଓ ଆତ୍ମନିର୍ଭରତା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ।

ଏକ୍ସ ରେ ଏ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

“ଜଳଜୀବନ ମିଶନ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଛି, ବିଶେଷ କରି ଗ୍ରାମାଞ୍ଚଳରେ ଏହା ପରିଲକ୍ଷିତ ହେବା ଏକ ଉତ୍ତମ ପରିଦୃଶ୍ୟ। ନିଜ ଘଷର ସ୍ୱଚ୍ଛ ଉପଲବ୍ଧତା ଯୋଗୁ ମହିଳାମାନେ ଏବେ କୌଶଳ ବିକାଶ ଓ ଆତ୍ମନିର୍ଭରତା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ।”

Categories
ଆଜିର ଖବର ଜାତୀୟ ଖବର

ଏନଡିଏ ସରକାରଙ୍କ ପ୍ରତିଟି ପଦକ୍ଷେପ ନାରୀଶକ୍ତିର ଅସୀମ ଦକ୍ଷତାରେ ଆମ ବିଶ୍ୱାସକୁ ଦର୍ଶାଏ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷରେ ମହିଳା ସଶକ୍ତୀକରଣ ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ଆଲେଖ୍ୟ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନାକୁ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଏନଡିଏ ସରକାରଙ୍କ ପ୍ରତିଟି ପଦକ୍ଷେପ ନାରୀଶକ୍ତିର ଅସୀମ ଦକ୍ଷତାରେ ଆମର ବିଶ୍ୱାସକୁ ଦର୍ଶାଏ। ସେମାନଙ୍କ ସ୍ୱପ୍ନ ଏକ ମଜଭୁତ, ସମାବେଶୀ ଏବଂ ଉଜ୍ଜ୍ୱଳ ଭାରତର ନିର୍ମାଣ କରୁଛି। ୯ ବର୍ଷରେ ମହିଳାଙ୍କ ନେତୃତ୍ୱରେ ବିକାଶ ଉପରେ ଆକର୍ଷଣୀୟ ବିଷୟବସ୍ତୁ ଦେଖିବା ପାଇଁ ନମୋ ଆପ୍ ଦେଖନ୍ତୁ।’

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଜିଓର ଏକ ବଳିଷ୍ଠ ପଦକ୍ଷେପ: ଜେସିଏ

ଭୁବନେଶ୍ୱର: ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଜିଓ ଏକ ଅଭିନବ ପଦକ୍ଷେପ ହାତକୁ ନେଇଛି। ମହିଳାମାନଙ୍କୁ ସଶକ୍ତ କରିବା ସହିତ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶା ସମେତ ସାରା ଦେଶରେ ଅତ୍ୟନ୍ତ ଉତ୍ସାହର ସହ କମ୍ପାନି ଏହି ନୂଆ କାର୍ଯ୍ୟକ୍ରମ ଚଳାଇଛି। ଘରେ ରହି କାର୍ଯ୍ୟ କରିବାର ସୁବିଧା ଏବଂ ଅର୍ଥ ଉପାର୍ଜନର ଯେଉଁ ବଳିଷ୍ଠ ସୁଯୋଗ ମହିଳାମାନଙ୍କୁ ମିଳିଛି ତାହା ହେଲା ଜିଓ କଷ୍ଟମର ଆସୋସିଏଟ୍ ପ୍ରୋଗ୍ରାମ (ଜେସିଏ)।

ଏହି ଅତ୍ୟନ୍ତ ଉଚ୍ଚାଭିଳାଷୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୫୦୦ରୁ ଅଧିକ ସୁଖୀ ମହିଳା ଜେସିଏଭାବେ କାର୍ଯ୍ୟ କରୁଛନ୍ତି। ଛାତ୍ରୀ, ଆତ୍ମନିଯୁକ୍ତ ଯୁବତୀ, ଗୃହିଣୀ, କ୍ଷୁଦ୍ର ବ୍ୟବସାୟ ଆଦି ଭିନ୍ନ ଭିନ୍ନ ପୃଷ୍ଠଭୂମିର ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ଜିଓ ଗ୍ରାହକମାନଙ୍କୁ ସହାୟତା କରୁଛନ୍ତି।

ନିରନ୍ତର ତାଲିମ, ଦକ୍ଷତା ବିକାଶ ଏବଂ ଡିଜିଟାଲ ଉପକରଣ ଜରିଆରେ ଏହି ଜେସିଏମାନେ ଗ୍ରାହକମାନଙ୍କୁ ସବୁପ୍ରକାର ସହାୟତା ପ୍ରଦାନ କରିବାରେ ସମର୍ଥ ହେଉଛନ୍ତି। ଫୋନ୍ ରିଚାର୍ଜ କରିବା, ଅନଲାଇନ୍ ଦେୟ ପ୍ରଦାନ ସହିତ ଗ୍ରାହକଙ୍କୁ ଅଭ୍ୟସ୍ତ କରାଇବା, ସମ୍ଭାବ୍ୟ ଗ୍ରାହକଙ୍କୁ କ୍ରୟ ନିଷ୍ପତ୍ତି ନେବା ଆଦି ର ସହଯୋଗ କରିବା କ୍ଷେତ୍ରରେ ଜେସିଏମାନେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଗ୍ରାହକଙ୍କୁ ସେବା ପ୍ରଦାନ ସମୟରେ ସେମାନଙ୍କୁ କିଭଳି ବ୍ୟବହାର ପ୍ରଦାନ କରାଯିବ ତାହା ଡିଜିଟାଲ ଜରିଆରେ କାର୍ଯ୍ୟ କରିବା ସମୟରେ ଶିଖିବା ଫଳରେ ଏହି ମହିଳାମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ। ଏହା କେବଳ ସେମାନଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସହାୟକ ହେଉନାହିଁ ବରଂ ସବୁ ଭାରତୀୟଙ୍କ ପାଇଁ ଜିଓ ଡିଜିଟାଲ ଲାଇଫ ମିସନକୁ ଫଳପ୍ରଦ କରିପାରୁଛି।

ଏଥିସହିତ ଅସଂଖ୍ୟ ଜିଓ ଗ୍ରାହକ, ବିଶେଷକରି ଆଭ୍ୟନ୍ତରୀଣ ଅଂଚଳରେ ବସବାସ କରୁଥିବା ଗ୍ରାହକଙ୍କ ପାଇଁ ଜିଓ କଷ୍ଟମର ଆସୋସିଏଟ ପ୍ରୋଗ୍ରାମ ବରଦାନ ସାବ୍ୟସ୍ତ ହୋଇଛି । କାରଣ ସେହି ଗ୍ରାହକଙ୍କ ପାଇଁ ଭାଷା ଆଉ ପ୍ରତିବନ୍ଧକ ହୋଇ ରହିନାହିଁ। ଗ୍ରାହକମାନେ ସେମାନଙ୍କ ନିଜ ଆଞ୍ଚଳିକ ବା କଥିତ ଭାଷାରେ କଥାବାର୍ତ୍ତା ହୋଇ ପାରୁଛନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସେମାନେ ବିଭିନ୍ନ ଉତ୍ପାଦ ଓ ସେବା ସମ୍ପର୍କରେ ଭଲଭାବେ ଅବଗତ ହୋଇପାରୁଛନ୍ତି।

ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ର ଜଣେ ଗୃହିଣୀ ତରଙ୍ଗିଣୀ ରାଉତରାୟ କୁହନ୍ତି, ଜେସିଏ କାର୍ଯ୍ୟକ୍ରମ ତାଙ୍କ ଆତ୍ମବିଶ୍ୱାସକୁ ବଢ଼ାଇପାରିଛି ଏବଂ ଆର୍ଥିକ ଦୃଷ୍ଟିରୁ ସେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଘରେ ରହି ସେ ରୋଜଗାର କରିପାରୁଛନ୍ତି। ଏହାଦ୍ୱାରା ସେ ତାଙ୍କ ପରିବାରକୁ ଆର୍ଥିକ ଦୃଷ୍ଟିରୁ ସହଯୋଗ କରିବା ସହିତ ତାଙ୍କ ୭ ବର୍ଷର ପୁଅ ପାଇଁ ଭଲ ଶିକ୍ଷାର ବ୍ୟବସ୍ଥା କରିପାରିଛନ୍ତି। ଘରୁ ଆରାମରେ ଏବଂ ନିରାପଦରେ ତାଙ୍କ ସୁବିଧା ଅନୁଯାୟୀ କାମ କରିପାରୁଥିବାରୁ ସେ ଅତ୍ୟନ୍ତ ଖୁସି। ଜେସିଏ ଭାବେ କାର୍ଯ୍ୟ କରି ସେ ତାଙ୍କ କାମ ଏବଂ ପାରିବାରିକ ଦାୟିତ୍ୱ ସଂପାଦନ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିପାରୁଛନ୍ତି ବୋଲି ମତ ରଖିଛନ୍ତି।

ରାୟଗଡ଼ାର ଗୃହିଣୀ ବନ୍ଦନା ମହାରଣା ପ୍ରଥମେ ଯେତେବେଳେ ଜେସିଏ କାର୍ଯ୍ୟକ୍ରମ ସଂପର୍କରେ ଜାଣିବାକୁ ପାଇଲେ ସେତେବେଳେ ସେ ବିଶ୍ୱାସ କରିପାରିଲେ ନାହିଁ ଯେ ଘରୁ ତାଙ୍କ ସମୟ ସୁବିଧା ଅନୁସାରେ କାମ କରି ରୋଜଗାର କରିପାରିବେ। ସେ ସଦାସର୍ବଦା ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବାକୁ ଉଦ୍ୟମ କରୁଥିଲେ। ତେବେ ବିବାହ ପରେ ପରିବାରର ଦାୟିତ୍ୱ ସମ୍ଭାଳିବା ପାଇଁ ପୂର୍ବରୁ ଏକ କ୍ଷୁଦ୍ର ସଂସ୍ଥାରେ ସେ କରୁଥିବା ଆକାଉଟାଂଟ ଚାକିରି ତାଙ୍କୁ ଛାଡ଼ିବାକୁ ପଡ଼ିଲା। ତେବେ ସେ ବର୍ତ୍ତମାନ ଅତ୍ୟନ୍ତ ଖୁସି। କାରଣ ପୂର୍ବରୁ ପୂର୍ଣ୍ଣକାଳୀନ କାର୍ଯ୍ୟ କରି ସେ ଯେତିକି ରୋଜଗାର କରୁଥିଲେ ବର୍ତ୍ତମାନ ଘର ଦାୟିତ୍ୱ ସମ୍ଭାଳିବା ସହିତ ଘରୁ ସାମୟିକ ଭାବେ କାର୍ଯ୍ୟ କରି ତା’ଠାରୁ ଅଧିକ ରୋଜଗାର କରିପାରୁଛନ୍ତି । ସେ ଗର୍ବର ସହିତ କୁହନ୍ତି, ଜେସିଏ ଭାବେ କାର୍ଯ୍ୟ କରିବା ପରେ ନିଜ ପାଇଁ ସ୍କୁଟର କିଣିବା ଲାଗି ରଖିଥିବା ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିପାରିଛନ୍ତି।

କଳାହାଣ୍ଡି ଗୋଲାମୁଣ୍ଡାର କୁମୁଦିନୀ ଓ ଋକ୍ମିଣୀ ଗତବର୍ଷ ସେମାନଙ୍କ ସ୍ନାତକ ପାଠପଢ଼ା ଶେଷ କରିବା ପରେ ଜେସିଏ ଭାବେ ପ୍ରାୟ ବର୍ଷେ ହେଲା କାର୍ଯ୍ୟ କରୁଛନ୍ତି। ଜେସିଏ ଭାବେ କାମ କରିବାର ଅଭିଜ୍ଞତା ସଂପର୍କରେ କୁମୁଦିନୀ କୁହନ୍ତି, ଭିଡିଓ କନଫରେନ୍ସିଂ ଜରିଆରେ ତାଲିମ ନେବା ସମୟରେ ସେ ଅନେକ କିଛି ଶିଖିବାକୁ ପାଇଛନ୍ତି। ତାଲିମ ତାଙ୍କ ଆତ୍ମବିଶ୍ୱାସ ଏବଂ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବାର ଦକ୍ଷତାକୁ ବଢ଼ାଇଛି। ସେହିଭଳି ଋକ୍ମିଣୀ କୁହନ୍ତି, ଗ୍ରାହକଙ୍କୁ ସେ ତାଙ୍କ ନିଜ ଭାଷାରେ ବିସ୍ତୃତ ଭାବେ ବୁଝାଇବା ଏବଂ କଥା ହେବା ସମୟରେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥାନ୍ତି। ଏଥିସହିତ ଜେସିଏ ଭାବେ କାମ କରି ସେ ଯେଉଁ ରୋଜଗାର କରୁଛନ୍ତି ସେଥିରେ ସେ ତାଙ୍କ ସାନ ଭଉଣୀର ପଢ଼ା ଖର୍ଚ୍ଚ ମଧ୍ୟ ବହନ କରିପାରୁଥିବାରୁ ବେଶ୍ ଖୁସୀ ବୋଲି ସେ କୁହନ୍ତି।