Categories
ଆଜିର ଖବର ରାଜ୍ୟ ଖବର

ମହେଶ୍ବର ମହାନ୍ତିଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଆଜି ଶଙ୍ଖଭବନ ଯାଇ ସେଠାରେ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ଏକ ବାର୍ତ୍ତା ରେ ସେ କହିଛନ୍ତି ଯେ ମହେଶ୍ବର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ। ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଆଉ ନାହାଁନ୍ତି, ୬୭ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ଘଟିଛି। ସେ ଭୋର ୩ ଟା ୨୫ ମିନିଟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଧରି ଅସୁସ୍ଥ ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।

ଶ୍ରୀ ମହାନ୍ତି ଓଡିଶା ରାଜନୀତିରେ ଜଣେ ପରିଚିତ ନେତା। ସେ ପୁରୀରୁ ୫ ଥର ଲଗାତର ବିଧାୟକ ଭାବେ ଜିତିଆସିଛନ୍ତି। ସେ ୧୯୯୫ ରୁ ୨୦୧୯ ପର୍ଯ୍ୟନ୍ତ ଧାରାବାହିକ ଭାବେ ପୁରୀ ବିଧାୟକ ଥିଲେ। ସେ ରାଜସ୍ବ, ପର୍ଯ୍ୟଟନ, ପଞ୍ଚାୟତିରାଜ ପରି ବିଭାଗର ମନ୍ତ୍ରୀ ଥିଲେ। ସେ ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଅସୁସ୍ଥ

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବାର ଜଣାପଡିଛି।

ଗତ ମଙ୍ଗଳବାର ଦିନ ସେ ମାଇଲଡ ବ୍ରେନଷ୍ଟ୍ରୋକ ର ଶିକାର ହୋଇଥିଲେ। ପ୍ରଥମେ ତାଙ୍କୁ ପୁରୀରେ ଚିକିତ୍ସା କରିବା ପରେ ଭୁବନେଶ୍ବର ଅଣାଯାଇଥିଲା। ଏହି ଖବର ପାଇବା ପରେ ସମର୍ଥକମାନେ ତାଙ୍କର ଶିଘ୍ର ଆରୋଗ୍ୟ କାମନା କରିଛନ୍ତି।