Categories
ଅପରାଧ ଆଜିର ଖବର ଆଞ୍ଚଳିକ

ବେଆଇନ ମାଙ୍କଡା ପଥର ଚାଲାଣ: ଟାଙ୍ଗୀ ତହସିଲ ଏବଂ ପୋଲିସର ମିଳିତ ଚଢ଼ାଉରେ ଜବତ ହେଲା ଦୁଇ ଜେ.ସି.ବି ଓ ଟ୍ରକ

ସୀତାରାମ ଅଗ୍ରୱାଲ 

ଟାଙ୍ଗୀ: କିଛି ମାସର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଟାଙ୍ଗୀରେ ଖଣି ମାଫିଆ ଏବଂ ବେଆଇନ ମାଙ୍କଡା ପଥର ଚାଲାଣକାରୀ। ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲ ଏବଂ ଟାଙ୍ଗୀ ପୋଲିସର ମିଳିତ ସହଯୋଗରେ ବେଆଇନ ମାଙ୍କଡାପଥର ଚାଲାଣ ଗାଡ଼ିଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଦୁଇ ଗୋଟି ଜେ.ସି.ବି ଏବଂ ଗୋଟିଏ ମାଙ୍କଡାପଥର ବୋଝେଇ ଟ୍ରକ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ଟାଙ୍ଗୀ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ତହସିଲ କର୍ମଚାରୀ, ଟାଙ୍ଗୀ ଥାନା ଆଇ.ଆଇ.ସି ଏବଂ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀଙ୍କ ମିଳିତ ସହଯୋଗରେ ଏକ ଟିମ ଗଠନ କରାଯାଇ ଟାଙ୍ଗୀ ତହସିଲ ଅନ୍ତର୍ଗତ ପାତ୍ରପଡ଼ା ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ସେହି ଅଞ୍ଚଳରୁ ଦୁଇ ଗୋଟି ଜେ.ସି.ବି ମେସିନ ସହ ଗୋଟାଏ ମାଙ୍କଡାପଥର ବୋଝେଇ ଟ୍ରକକୁ ଉକ୍ତ ଟିମ ଜବତ କରିଛି। ଜବତ ହୋଇଥିବା ଗାଡ଼ି ଏବଂ ଜେ.ସି.ବି ମେସିନ ବର୍ତ୍ତମାନ ଟାଙ୍ଗୀ ଥାନା ପରିସରରେ ଅଛି ବୋଲି ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ ଦାସ ସୂଚନା ଦେଇଛନ୍ତି।

ସୂଚନା ଥାଉ କି କିଛି ମାସ ତଳେ ଟାଙ୍ଗୀ ତହସିଲ ଅଞ୍ଚଳରେ ବାରମ୍ବାର ତହସିଲଦାରଙ୍କ ବେଆଇନ ଖଣି ଉପରେ ଚଢ଼ାଉ ଏବଂ କାର୍ଯ୍ୟାନୁଷ୍ଠାନ ଲାଗି ତାଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ ହୋଇଥିଲା।