Categories
ବିଶେଷ ଖବର ରାଜ୍ୟ ଖବର

GOOD NEWS: ଖରାଦିନେ ପକ୍ଷୀମାନେ ପାଣି ପିଇବା ପାଇଁ ଗଂଜାମ ସ୍କୁଲରେ ହେଲା ଭିନ୍ନ ବ୍ୟବସ୍ଥା

ବ୍ରହ୍ମପୁର: ଖରାଦିନ ଆସିଲାଣି। ଚାରିଆଡେ ବର୍ତ୍ତମାନ ପାଣିର ଚାହିଦା ବେଶ ବଢିବ। ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବର୍ତ୍ତମାନ ସାରା ରାଜ୍ୟରେ ଯେପରି ତାପମାତ୍ରା ବଢିବାରେ ଲାଗିଛି ସେଥିରେ ଜଳ ସମସ୍ୟା ଜଟିଳ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏପରି ପରିସ୍ଥିତିରେ ପକ୍ଷୀମାନଙ୍କ ଅବସ୍ଥା କିପରି ହେବ ତାହା ସାଧାରଣରେ ଅନୁମେୟ।

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଗଂଜାମର କେତେକ ସ୍କୁଲରେ ଅଭିନବ ବ୍ୟବସ୍ଥା କରାଯାଇଛି। 5T ଅଧିନରେ ଥିବା ସ୍କୁଲଗୁଡିକର ବିଭିନ୍ନ ଗଛରେ ମାଟି ହାଣ୍ଡିରେ ପାଣି ରଖି ବନ୍ଧା ଯାଇଛି। ଯାହାଦ୍ବାରା ପକ୍ଷୀମାନେ ସୁବିଧାରେ ପାଣି ପିଇପାରିବେ। ମୁଖ୍ୟତଃ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଧିନରେ ଥିବା ହାଇସ୍କୁଲଗୁଡିକରେ ଏହି ବ୍ୟବସ୍ଥା କରାଯାଇଛି।

ସ୍କୁଲ କର୍ତ୍ତୁପକ୍ଷଙ୍କ କହିବା କଥା ହେଲା ଯେ, ଖରାଦିନେ ସାଧାରଣ ମଣିଷ ପାଇଁ ପାଣି ସମସ୍ୟା ଦେଖାଦେବ। ହେଲେ ସେମାନେ କେଉଁଠି ହେଲେ ପାଣି ଯୋଗାଡ କରି ପାଇ ପାରିବେ। କିନ୍ତୁ ପକ୍ଷୀମାନେ ତାହା କରିବା କଷ୍ଟକର ହେବ। କାରଣ ବର୍ତ୍ତମାନ ପୋଖରୀ, ଝରଣା, ନାଳ ଶୁଖିଯାଇଥିବାରୁ ପଶୁପକ୍ଷୀଙ୍କ ପାଇଁ ଏହା ବଡ ସମସ୍ୟା ହେଉଛି। ସେଥିପାଇଁ ସ୍କୁଲ ପରିସରରେ ପକ୍ଷୀମାନେ ପାଣି ପିଇବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି।

ସ୍କୁଲରେ ପ୍ରାୟ ଦଶଟି ମାଟି ହାଣ୍ଡି ବିଭିନ୍ନ ସ୍ଥାନରେ ରଖାଯାଇଛି। ଯେପରି ପକ୍ଷୀ ଦେଖି ଏଥିରେ ପାଣି ରହିଛି ବୋଲି ଜାଣିପାରିବେ। କେତେକ ସ୍ଥାନରେ ତଳେ ସାମାନ୍ୟ ଗାତ କରି ରଖାଯାଇଥିବା ବେଳେ କେତେକ ହାଣ୍ଡିକୁ ଗଛ ଡାଳରେ ଓହଳା ଯାଇଛି। ଯେଉଁ ହାଣ୍ଡିଗୁଡିକ ଓହଳଯାଇଛି ସେଗୁଡିକ ପକ୍ଷୀ ଡାଳରେ ବସି କିମ୍ବା ହାଣ୍ଡି ମଙ୍ଗରେ ବସି ଯେପରି ପାଣି ପିଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ସେହିପରି ପ୍ରତିଦିନ ସକାଳେ ଏହି ହାଣ୍ଡିରେ ପାଣି ଅଛି କି ନାହିଁ ତାହା ତଦାରଖ କରାଯିବ। ଯଦି ପାଣି ନ ଥିବ ତେବେ ଗଛରେ ପାଣି ଦେବା ବେଳେ ସେହି ହାଣ୍ଡିରେ ମଧ୍ୟ ପାଣି ଭର୍ତ୍ତି କରିବା ପାଇଁ ବଗିଚା ଦାୟିତ୍ବରେ ଥିବା ଲୋକଙ୍କୁ ସ୍କୁଲ କର୍ତ୍ତୁପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ବେଲଗୁଣ୍ଠା ବ୍ଲକ ହାଇସ୍କୁଲର ଏପରି ଉଦ୍ୟମକୁ ପକ୍ଷୀପ୍ରେମୀ ତଥା ଜନ ସାଧାରଣ ବେଶ ପ୍ରସଂଶା କରିଛନ୍ତି। ଏହିପରି ବ୍ୟବସ୍ଥା ସମସ୍ତ ହାଇସ୍କୁଲରେ କରିବା ଉଚିତ ବୋଲି ମତପ୍ରକାଶ ପାଇଛି।