Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଜି ହେଉଛି ମାଣ୍ଡିଆ ଦିବସ, ଜାଣନ୍ତୁ କଣ ରହିଛି ଏହି ମିଲେଟର ଉପକାରୀତା

ଡା ତ୍ରୈଲୋକ୍ୟନାଥ ମହାରଣା

ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଜନଜାତି ବର୍ଗର ଅଂଚଳରେ ମାଣ୍ଡିଆ ଏକ ପ୍ରମୁଖ ଖାଦ୍ୟ ଭାବରେ ବିବେଚନା ହୋଇ ଆସିଛି। ଅଧିକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏହାକୁ ଲୋକପ୍ରିୟ କରାଇବାରେ ଆମ ଓଡ଼ିଶାର ମିଲେଟ କାର୍ଯ୍ୟକ୍ରମ କୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି।

ବାସ୍ତବରେ ମାଣ୍ଡିଆ ରେ ବହୁତ ଔଷଧୀୟ ଗୁଣ ରହିଛି।ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ମାଂଗାନିଜ, ଭିଟାମିନ ଡ଼ି ରହିଛି। ଏଥିରେ ତ୍ରିପୋଟୋଫାୟାଡ଼ ଆମିନୋ ଏସିଡ୍ ରହିଛି ଯାହାକି ଭୋକକୁ ନିୟନ୍ତ୍ରିତ କରିଥାଏ। ଅଧିକ ଫାଇବର ଥିବାରୁ ଭୋକ ଲାଗି ନ ଥାଏଅସ୍ଥି କ୍ଷୟ ରୋଗ ବା ଅଷ୍ଟ୍ରୀୟପୋରସିସ ରୋଗ ହୋଇ ନ ଥାଏ। ସର୍ବଦା ମାଣ୍ଡିଆ ଖାଉଥିବା ବ୍ୟକ୍ତିକୁ ମଧୁମେହ ରୋଗ ହୋଇନଥାଏ। ରକ୍ତରେ କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିଥାଏ।

ମାଣ୍ଡିଆ ରେ ଆମିନୋ ଏସିଡ୍ ଭରପୁର ଥିବାରୁ ଲିଭର ରେ ଚର୍ବୀ ଜମିବାକୁ ଦେଇ ନ ଥାଏ।ତେଣୁ ଲିଭର ବା ଯକୃତ ସୁସ୍ଥ ରଖିବାରେ ମାଣ୍ଡିଆ ର ଗୁରୁତ୍ୱ ପୂର୍ଣ ଭୂମିକା ରହିଛି।ସବୁ ଦିନ ମାଣ୍ଡିଆ ଖାଉଥିବା ବ୍ୟକ୍ତି ର ନିଦ୍ରା ହୀନତା, ଅବସାଦ ଆଦି ରହି ନ ଥାଏ। ରକ୍ତରେ ହିମୋଗ୍ଲୋବିନ ସ୍ତର ଠିକ ରହିଥାଏ। ସୁନ୍ଦର ଯୁବ ସୁଲଭ ଚେହେରା ରହିଥାଏ।

ପ୍ରତେକ ଦିନ ମାଣ୍ଡିଆ ଖାଉ ଥିବା ବ୍ୟକ୍ତି ର ଅମ୍ଳପିତ, ଗ୍ୟାଷ୍ଟ୍ରିକ,ଉଦରବିକାର, ରକ୍ତ ଗତ ରୋଗ, ଶରୀର ଦାହ ବା ପୋଡାଜଳା ରୋଗ ହୋଇନଥାଏ। ମାଣ୍ଡିଆ କୁ ଉତ୍ତମ ପଥ୍ୟ ହିସାବରେ ଗ୍ରହଣ କରାଯାଇଛି। ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୟସଓ ରୋଗାକ୍ରାନ୍ତ ବ୍ୟକ୍ତି ସମସ୍ତେ ଏହାକୁ ବ୍ୟବହାର କରିପାରିବେ।

ଆୟୁର୍ବେଦ ରେ ଏହାକୁ ମୂତ୍ର କାରକ ଦ୍ରବ୍ୟ ହିସାବରେ ଗ୍ରହଣ କରାଯାଇଛି, ମୂତ୍ର କମ ମାତ୍ରା ରେ ହେଉଥିବା ସମୟରେ ଏହାକୁ ବ୍ୟବହାର କଲେ ସରଳ ଭାବେ ମୂତ୍ର ପରିତ୍ୟାଗ ହୋଇଥାଏ। ମାଣ୍ଡିଆ ଅଧିକ ରୋଚକ ଖାଦ୍ୟ। ପୃଷ୍ଟି ସାର ଭରପୁର ମାତ୍ରା ରେ ରହିଛି।ସମସ୍ତ ପ୍ରକାର ଭିଟାମିନ, ଖଣିଜ ଦ୍ରବ୍ୟ ଆଦି ଭରପୁର ମାତ୍ରାରେ ରହିବା ଯୋଗୁଁ ସବୁ ବର୍ଗର ଲୋକ ଏହାକୁ ପସନ୍ଦ କରୁଛନ୍ତି।

ଯୁବ ବୟସରେ ଧାତୁ କ୍ଷୟ ରୋଗ ସୃଷ୍ଟି ହେଲେ, ସକାଳୁ ମାଣ୍ଡିଆ ଜାଉ କରି ବ୍ୟବହାର କରିବା ପରେ ଏଥିରୁ ଉପଶମ ମିଳେ।ବର୍ତ୍ତମାନ ରାଜ୍ୟରେ ମାଣ୍ଡିଆ କୁ ନେଇ ମିଲେଟ ମିଶନ ପୋଗ୍ରାମ ଆରମ୍ଭ ହୋଇଛି।

ମାଣ୍ଡିଆ ର ଉପକାରୀତା ଜାଣିବା ପରେ ସମସ୍ତେ ମାଣ୍ଡିଆ ବା ରାଗି କୁ ନେଇ ମାଣ୍ଡିଆ ରୁ ସୁପ, ମାଣ୍ଡିଆ ଚା, ଚକୁଳି, ଡ୍ରିଂକ୍ସ, ଉପୁମା, ଏଡିଲି, ପକୁଡି ଆଦି କରି ଲୋକେ କରି ବ୍ୟବହାର କରି ସୁସ୍ଥ ଭାବେ ବଞ୍ଚିବାକୁ ଚାହିଁଛନ୍ତି।କଂରୋନା ସମୟରେ ବହୁ ସଂଖ୍ୟକ ରୋଗୀ କେବଳ ମାଣ୍ଡିଆ ଜାତ ଦ୍ରବ୍ୟ ବ୍ୟବହାର କରି କେବଳ ଘରେ ରହି କରୋନା ଠାରୁ ସୁରକ୍ଷିତ ହୋଇପାରିଥିଲେ।

ଡା ତ୍ରୈଲୋକ୍ୟନାଥ ମହାରଣା
ଶ୍ରୀ ପୁରୁଷୋତ୍ତମ ଆୟୁର୍ବେଦିକ ଚିକିତ୍ସା ମନ୍ଦିର, ବାଲୁଗାଁ,ଖୋର୍ଦ୍ଧା
ମୋ -୯୪୩୭୩୬୫୭୨୨

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ ଜିଲ୍ଲାରେ “ମାଣ୍ଡିଆ ଦିବସ”: ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ମେଳା

ସୁନ୍ଦରଗଡ଼: ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ମାର୍ଗଶୀର ମାସର ପ୍ରଥମ ଗୁରୁବାରକୁ “ମାଣ୍ଡିଆ ଦିବସ” ଭାବେ ପାଳନ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ମେଳା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଯେଉଁସବୁ ଜିଲ୍ଲାରେ ମାଣ୍ଡିଆ ଚାଷ କରାଯାଉଛି ସେଥିମଧ୍ୟରେ ସୁନ୍ଦରଗଡ଼ ହେଉଛି ଏକ ପ୍ରମୁଖ ଜିଲ୍ଲା। ତେଣୁ “ମାଣ୍ଡିଆ ଦିବସ” ଅବସରରେ ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସହିତ ମାଣ୍ଡିଆ ଚାଷ ହେଉଥିବା ୧୨ଟି ବ୍ଳକରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ କରାଯାଇଛି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏବଂ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଉଦଘାଟନ କରିଥିଲ।

ମାଣ୍ଡିଆ ଦିବସ ଉପଲକ୍ଷେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସ୍ୱତନ୍ତ୍ର ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା। ଏଠାରେ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଭଳିକି ଭଳି ସୁଆଦିଅ। ଖାଦ୍ୟର ପସରା ଖୋଲିଥିଲା। ସେଥିମଧ୍ୟରେ ରହିଥିଲା ମାଣ୍ଡିଆ ଲଡ଼ୁ, କେକ୍‌, ଆରିସା ପିଠା, ବରା, ଆଳୁଚପ, ସିଙ୍ଗଡ଼ା, ଗୁପଚୁପ, ଖିରି ଭଳି ଖାଦ୍ୟ। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥିଲେ।

ଏହି ମେଳା ବୁଲିବାକୁ ଆସିଥିବା ସାଧାରଣ ଲୋକେ ଏହିସବୁ ଖାଦ୍ୟର ମଜା ନେଇଥିଲେ। ତା’ଛଡ଼ା ସୁନ୍ଦରଗଡ଼ ଜିଲ୍ଲା କାରାଗାରର ଅନ୍ତେବାସୀମାନଙ୍କୁ ମଧ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ବଣ୍ଟନ କରାଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଭିତରେ ମାଣ୍ଡିଆର ପୁଷ୍ଟିକର ଗୁଣ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ସ୍ଲୋଗାନ ପ୍ରତିଯୋଗିତା କରାଯାଇଥିଲା। “ମାଣ୍ଡିଆ ଦିବସ’ ଅବସରରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏହି କାର୍ଯ୍ୟକ୍ରମରେ ଭାଗନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ସର୍ଜନାତ୍ମକ ସ୍ଲୋଗାନ ଲେଖି ପଢ଼ିଥିଲେ।

ଏହି ପ୍ରତିଯୋଗିତାରେ ଲହୁଣୀପଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସାରଦା ସାହୁ ପ୍ରଥମ ହୋଇଥିଲେ। ସେହିପରି କୁଆରମୁଣ୍ଡା ବ୍ଳକ କୁମଝରିଆ ହାଇସ୍କୁଲର ଛାତ୍ରୀ ଅମ୍ରିତା ପତି ଦ୍ୱିତୀୟ ଏବଂ କୁତ୍ରା ବ୍ଲକ ତରକେରା ହାଇସ୍କୁଲର ଛାତ୍ରୀ ପ୍ରିୟଙ୍କା ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଜିଲ୍ଲାସ୍ତରୀୟ “ମାଣ୍ଡିଆ ଦିବସ” କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୀରେନ୍ଦ୍ର କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଡିଏମଏଫ ସିଇଓ ରିତା ଡାଙ୍ଗ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜିକା ନିଖିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ବ୍ଲକସ୍ତରରେ ହୋଇଥିବା କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓଙ୍କ ସହିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ବ୍ଲକ ସଂଯୋଜକମାନେ ଉପସ୍ଥିତ ଥିଲେ।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୧୨ଟି ବ୍ଳକରେ ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ବର୍ତ୍ତମାନ ଜିଲ୍ଲାର ନୂଆଗାଁ, ଲାଠିକଟା, କୁଆରମୁଣ୍ଡା, ଲହୁଣୀପଡ଼ା, ଗୁରୁଣ୍ଡିଆ, ବଣାଇଁ, କୁତ୍ରା, ବାଲିଶଙ୍କରା, ରାଜଗାଙ୍ଗପୁର, ଟାଙ୍ଗରପାଲି, ଲେଫ୍ରିପଡ଼ା ଏବଂ ହେମଗିର ବ୍ଲକରେ ଏହି ଚାଷ କରାଯାଉଛି। ସେଥିମଧ୍ୟରୁ ୮ଟି ବ୍ଲକ ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏହି ଚାଷ ପାଇଁ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ସାର ବିହନ ସହିତ ଆବଶ୍ୟକ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଉଥିବାରୁ ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି।

ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି କାର୍ଯ୍ୟକ୍ରମରେ ଯୋଡ଼ାଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଛି। ଏସଏଚଜି ମା’ମାନେ ମିଲେଟ ଶକ୍ତି ଟିଫିନ ସେଣ୍ଟର କରି ଭଲ ଦି’ପଇସା ରୋଜଗାର କରିପାରୁଛନ୍ତି। ଏହି ଟିଫିନ ସେଣ୍ଟର ପରିଚାଳନା ସହିତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଲାଗି ସେମାନଙ୍କୁ ପ୍ରଶାସନ ପକ୍ଷରୁ ତାଲିମ ଦିଆଯାଉଛି। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୧ଟି ଟିଫିନ ସେଣ୍ଟର ରହିଥିବା ବେଳେ ରାଉରକେଲାରେ ଗୋଟିଏ “ମିଲେଟ୍ ଶକ୍ତି କାଫେ” ରହିଛି। କୁତ୍ରା ଏବଂ ନୂଆଗାଁ ବ୍ଲକରେ ‘ମିଲେଟ୍ ଅନ୍ ହୁଇଲ୍‌’ ମାଧ୍ୟମରେ ପୁଷ୍ଟିଶସ୍ୟ ଖାଦ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇ ଯାଇ ଲୋକପ୍ରିୟ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ମାଣ୍ଡିଆ ଦିବସ ଉପଲକ୍ଷେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଚାଷ ଜମି ଓ ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟର ପୁନଃ ପ୍ରଚଳନ ନିମନ୍ତେ ଓଡିଶା ସରକାରଙ୍କ ଦ୍ୱାରା କୃଷି ଓ କୃଷକ କଲ୍ୟାଣ ବିଭାଗ ତରଫରୁ ୧୦ ନଭେମ୍ବର ଠାରୁ ମାଣ୍ଡିଆ ଦିବସ ଭାବରେ ପାଳନ କରାଯାଉଛି। ପୁଷ୍ଟିସାର ଫସଲର ଗୁରୁତ୍ୱକୁ ଉପଲବ୍ଧି କରି ସାରା ଦେଶରେ ପ୍ରଥମ ରାଜ୍ୟ ଭାବରେ ଆମେ ଏହି ମାଣ୍ଡିଆ ଦିବସ ପାଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବ୍ଲକ ସ୍ତରୀୟ ଏବଂ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। କଳାହାଣ୍ଡି ଵିଶ୍ଵ ବିଦ୍ୟାଳୟରେ ମଧ୍ୟ ଏକ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ର ଆୟୋଜନ କରାଯାଇଥିଲା। କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟ ର କୁଳପତି, ଡ଼ଃ ସଂଜୟ ଶତପଥି, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଡ଼ଃ ଅମିତାଭ ପଣ୍ଡା, ଜିଲ୍ଲା ସୂଚନା ଅଧିକାରୀ ମନୋଜ ବେହେରା, ମୃତ୍ୟୁଞ୍ଜୟ ନାୟକ ବ୍ଲକ କାର୍ଯ୍ୟାଳୟ, ଭବାନୀପାଟଣା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓଡିଶା ମିଲ୍ଲେଟ୍ସ ମିଶନ ଜିତୁ ନାୟକ, ଉପ କୃଷି ଅଧିକାରୀ ଭବାନୀପାଟଣା, ବ୍ଲକ ସ୍ତରୀୟ ମିଲ୍ଲେଟ୍ସ ମିଶନ ସଂଚାଳକ ସଂସ୍ଥା ଦାପ୍ତା, କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀବୃନ୍ଦ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ କ୍ଷୁଦ୍ରଶସ୍ୟ ଜାତୀୟ ଖାଦ୍ୟ ଏବଂ ତାହାର ମହତ୍ଵ, ମାଣ୍ଡିଆ ଦିବସ ପାଳନ ର ମୂଳ ଲକ୍ଷ୍ୟ, ଓଡିଶା ମିଲ୍ଲେଟ୍ସ ମିଶନ ର ଉଦ୍ଦେଶ୍ୟ ବିଷୟରେ ଅବଗତ କରା ଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମାଣ୍ଡିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଏପରି କଥା

ଭୁବନେଶ୍ବର: ପୁଷ୍ଟି ସହ ସମୃଦ୍ଧି ଯୋଡି ହୋଇ ରହିଛି । ଆଜି ହେଉଛି ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କ ପୂଜାର ଦିନ । ଆଜି ଦିନଟିକୁ ଓଡିଶା ସରକାର ମାଣ୍ଡିଆ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ଆମେ ମାଣ୍ଡିଆ ଦିବସ ଭାବରେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି।

ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପୁଷ୍ଟି ଯୋଗାଉଛି।

ଆମ ରାଜ୍ୟରେ ଛୋଟ ଚାଷୀ, ଗରିବ ଆଦିବାସୀ ଚାଷୀ ମାଣ୍ଡିଆ ଚାଷ କରିଥାନ୍ତି । ସେମାନଙ୍କ ଅବସ୍ଥାରେ ଉନ୍ନତି ଏବଂ ଲୋକଙ୍କୁ ପୁଷ୍ଟି ଯୋଗାଣ – ଏ ଦୁଇଟି ବିଷୟକୁ ଧ୍ୟାନ ଦେଇ ଆମେ ମିଲେଟ ମିଶନ୍ ଆରମ୍ଭ କରିଛୁ । ଏଥିରେ ପାଞ୍ଚ ବର୍ଷରେ ଦୁଇ ହଜାର ଆଠ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଆମର ମିଲେଟ ମିଶନ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ଜାତିସଂଘ ମଧ୍ୟ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଛି । ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇଛି ।

ମୁଁ ଘୋଷଣା କରିବାକୁ ଚାହେଁ ଯେ ରାଜ୍ୟର ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି । ଏବେ ଏହି ମିଶନ ସହ ୨ ଲକ୍ଷ ଚାଷୀ, ୮୨ଟି FPO ଓ ୧୨୦୦ ମିଶନ ଶକ୍ତି ଗ୍ରୁପ ସାମିଲ ହୋଇଛନ୍ତି । ଆଗକୁ ଆହୁରି ଚାଷୀ ଓ ମିଶନ ଶକ୍ତି ଗ୍ରୁପ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଆସନ୍ତୁ, ମାଣ୍ଡିଆକୁ ଶ୍ରେଷ୍ଠ ଆହାର ଭାବରେ ଲୋକପ୍ରିୟ କରିବା ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଆଶ୍ଚର୍ଯ୍ୟ ହେବେ ଏବେ ମିଳୁଛି ମାଣ୍ଡିଆ ପକୋଡି ଆଉ ବରା, ଆଜି ମାଣ୍ଡିଆ ଦିବସରେ ଖାଇ ଯାଆନ୍ତୁ

ଭୁବନେଶ୍ବର: ବର୍ତ୍ତମାନ ଜନ୍ମଦିନ ପାର୍ଟିରେ ମିଳିବ ମାଣ୍ଡିଆ କେକ୍। ବିଶ୍ବାସ ହେଉ ନାହିଁ କି ! ଏହା ସତକଥା। ଏବେ ମାଣ୍ଡିଆର ଭେଳିକି ଭେଳି ଖାଦ୍ୟ ପଦାର୍ଥ ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ମାଣ୍ଡିଆ ଆଉ ଖିରି ବା ଜାଉ ଭିତରେ ସୀମିତ ହୋଇ ରହି ନାହିଁ।

ଏହି ମାଣ୍ଡିଆରୁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଦେଖାଇଛନ୍ତି ସୁନ୍ଦରଗଡ ସ୍ବୟଂ ସହାୟକ ଗୋଷ୍ଠୀ। ଜିଲ୍ଲା ପ୍ରଶାସନର ସହାୟତାରେ ଏହି ଗୋଷ୍ଠି ମାଣ୍ଡିଆର ପକୋଡା, ମାଣ୍ଡିଆର ବରା, ଲଡୁ, ଉପମା, ହାଲୁଆ ଏବଂ ଖେଚୁଡି ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ମିଲଟ ମିଶନ ମାଧ୍ୟମରେ ସୁନ୍ଦରଗଡର ଏହି ଏସଏଚଜି ଗୋଷ୍ଟୀ ଏହି ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ବର୍ତ୍ତମାନ ମାଣ୍ଡିଆର ଏହି ଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଯୋଗାଇବାରେ ଲାଗିଛନ୍ତି। ତେବେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପ୍ରସ୍ତୁତ ନେଇ ଜିଲ୍ଲା ପ୍ରଶାସନ ତରଫରୁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ମହିଳାମାନେ ମଧ୍ୟ ଏହି ଖାଦ୍ୟ ପଦାର୍ଥ କରିବାରେ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ବ୍ୟବସାୟୀକ ଭାବେ ଏହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ।

ସାଧାରଣତଃ ମାଣ୍ଡିଆକୁ ସମସ୍ତେ ଗରିବ ଘରର ଖାଦ୍ୟ ବୋଲି ବିବେଚନା କରିଥାନ୍ତି। ହେଲେ ଯେବେ ଲୋକଙ୍କ ଭିତରେ ଖାଦ୍ୟ ପଦାର୍ଥ ଉପରେ ସଚେତନତା ସୃଷ୍ଟି ହେଲା ସେତେବେଳେ ମାଣ୍ଡିଆକୁ ଅନେକ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ଅସୁବିଧା ହେଲା ଯେ, ମାଣ୍ଡିଆରୁ କେବଳ ଖିରି ବା ଜାଉ ବ୍ୟତିତ ଅନ୍ୟ କିଛି ହୋଇପାରୁ ନ ଥିଲା। ତେବେ ଏହାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଏହି ସ୍ବୟଂ ସହାୟକ ଗୋଷ୍ଠୀ।

ବର୍ତ୍ତମାନ ଲୋକମାନେ ଯେପରି ସ୍ବାସ୍ଥ୍ୟ ସଚେତନ ସହ ଖାଦ୍ୟ ପଦାର୍ଥ ଉପରେ ଗୁରୁତ୍ବ ଦେଲେଣି ଏଥିରେ ମାଣ୍ଡିଆ ପ୍ରସ୍ତୁତ ଏହି ଭିନ୍ନ ଭିନ୍ନ ଖାଦ୍ୟ ବେଶ ଆଦୃତ ହେବ। ଏ ନେଇ ଖାଦ୍ୟ ଗବେଷକଙ୍କ କହିବା କଥା ମାଣ୍ଡିଆ ହେଉଛି ବିଭିନ୍ନ ଖାଦ୍ୟ ପଦାର୍ଥ ମଧ୍ୟରୁ ସର୍ବୋକୃଷ୍ଟ। କାରଣ ଏଥିରେ ଯେପରି ଭିଟାମିନ ଭରି ରହିଛି ତାହା ଅନ୍ୟ ଡାଲି ଜାତୀୟ ଖାଦ୍ୟରେ ନାହିଁ।

ଡାକ୍ତରମାନେ ସକାଳୁ ସକାଳୁ ମାଣ୍ଡିଆ ଖିରି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ହେଲେ ମାଣ୍ଡିଆରେ କେବଳ ଖିରି ହେଉଥିବାରୁ ତାହାର ଆଦର ମିଳିପାରୁ ନାହିଁ। ଯଦି ମାଣ୍ଡିଆର ବିିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେବ ତେବେ ଏହା ନିଶ୍ଚିତ ଘରେ ଘରେ ଆଦୃତ ହେବ। ହୁଏତ ପଞ୍ଚତାରକା ହୋଟେଲର ମେନୁରେ ଏହା ସ୍ଥାନ ପାଇପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶା ପାଳୁଛି ମାଣ୍ଡିଆ ଦିବସ, ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ଓଡିଶା ପାଳନ କରୁଛି ମାଣ୍ଡିଆ ଦିବସ। ନୂଆ ଭାବେ ଏହି ଦିବସ ପାଳନ ପାଇଁ ନିଷ୍ପତି କରିଛି ରାଜ୍ୟ କୃଷି ବିଭାଗର ମିଲଟ ମିଶନ। ପ୍ରତି ବର୍ଷ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଏହି ଦିବସ ପାଳନ ହେବ। ମାଣ୍ଡିଆ ସ୍ବାସ୍ଥ୍ୟ ପକ୍ଷେ କେତେ ଭଲ ତାହାର ପ୍ରସାର ପାଇଁ ଏହି ଦିବସ ପାଳନ କରାଯିବ।

ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ମାର୍ଗଶିର ମାସ ପ୍ରଥମ ଗୁରୁବାର, ମାଣ୍ଡିଆଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା। ଆସନ୍ତୁ ସମସ୍ତେ ସଂକଳ୍ପ ନେବା, ଆମ ଖାଦ୍ୟରେ ପୁଷ୍ଟିକର ଓ ଜଳବାୟୁ ଉପଯୋଗୀ ମିଲେଟକୁ ସାମିଲ କରିବା ଏବଂ ଖାଦ୍ୟ ବ୍ୟବସ୍ଥାରେ ସ୍ୱତନ୍ତ୍ର ସ୍ଥାନ ଦେଇ ଏକ ସୁସ୍ଥ ସମାଜ ସହ ଚାଷୀଙ୍କ କଲ୍ୟାଣ ଓ ଚିରସ୍ଥାୟୀ ପୃଥିବୀ ଗଠନ ଦିଗରେ ଆଗକୁ ବଢ଼ିବା।