Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକଡାଉନରେ ମାତିଲେ ଚୋର: ଦୁଇଟି ବାଇକ ଜବତ କରିବା ସହ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଅସମାଜିକ ଯୁବକମାନଙ୍କ ପାଇଁ ଲକଡାଉନ ଏକ ଭଲ ସୁଯୋଗ ନେଇଆସିଛି। ଏହି ସମୟରେ ସବୁ କିଛି ବନ୍ଦ ଯୋଗୁଁ ରାସ୍ତା ଘାଟ ଜନଶୂନ୍ୟ ରହୁଛି। ତେଣୁ ଏହାର ସୁଯୋଗ ନେଇ ଅସମାଜିକ କାର୍ଯ୍ୟକଳାପରେ କିଛି ଯୁବକ ଲିପ୍ତ ରହୁଛନ୍ତି। କେଉଁଠି ଚୋରୀ ହେଉଥିବା ଘଟଣା ସାମ୍ନାକୁ ଆସୁଛି ତ କେଉଁଠି ନିଶା କାରବାର ଏବଂ କେଉଁଠି ବେଆଇନ ଗୋଚାଲାଣ ହେଉଥିବା ଖବର ଶୁଣିବାକୁ ମିଳୁଛି। ତେବେ ଏହି ସମୟରେ ଟାଙ୍ଗୀ ଅଞ୍ଚଳରେ ମଧ୍ୟ ବାଇକ ଚୋରୀ ଘଟଣା ଶୁଣିବାକୁ ମିଳିଛି। କିନ୍ତୁ ଟାଙ୍ଗୀ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ଜଣଙ୍କୁ ଗିରଫ କରିଛି।

ମିଳିଥିବା ଖବର ମୁତାବକ, ଟାଙ୍ଗୀ ଥାନା ଅନ୍ତର୍ଗତ ଶୋରଣ ବଜାରରେ ଦୁଇ ଜଣ ବ୍ୟକ୍ତି ନିଜ ନିଜର ଗାଡି ରଖି କିଛି ଆବଶ୍ୟକୀୟ ଜିନିଷ କିଣୁଥିବା ବେଳେ ଦୁଇଟି ଯାକ ବାଇକକୁ କେହି ଚୋରୀ କରି ନେଇଥିବା ଜାଣିପାରିଲେ। ତେଣୁ ବାଇକ ମାଲିକ ଦ୍ୱୟ ତୁରନ୍ତ ଏବିଷୟରେ ଟାଙ୍ଗୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ସଙ୍ଗେସଙ୍ଗେ ପଦକ୍ଷେପ ସ୍ୱରୂପ ଅଞ୍ଚଳର ଚାରି ପଟେ ଘେରବନ୍ଦୀ କରିଥିଲା। ଯାହାଫଳରେ ବାଇକ ଦୁଇଟିକୁ ଅନ୍ୟତ୍ର ନେବା ପାଇଁ ଚୋର ସକ୍ଷମ ହୋଇପାରିନଥିଲା। ଟାଙ୍ଗୀ ପୋଲିସ ଦୁଇଟି ଯାକ ବାଇକକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

କିନ୍ତୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ପୂର୍ବରୁ ଏଭଳି କେତୋଟି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଜାଣିପାରିଛି। ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୧୭୯/୨୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଆଗକୁ ଏଭଳି କାର୍ଯ୍ୟକଳାପ ଉପରେ କଡା ନଜର ରଖାଯିବ ଏବଂ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ସୂଚନା ଦେଇଛନ୍ତି।