Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳ କମାକ୍ଷାନଗରରେ କେନ୍ଦ୍ରୀୟ ବିଦ୍ୟାଳୟ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

କାମାକ୍ଷାନଗର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ପ୍ରାୟ ୧୩୩ କୋଟି ୬୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆଜି ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଢେଙ୍କାନାଳ ଜିଲ୍ଲାକୁ ବିକଶିତ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ପ୍ରଥମେ ଆଜି ପ୍ରଥମେ କାମାକ୍ଷାନଗର ବାଇସିଙ୍ଗା ଠାରେ ଜାତୀୟ ରାଜପଥ – ୫୩ ନମ୍ବରର କାମାକ୍ଷାନଗର ବାଇପାସରୁ ଡୁବୁରି ସେକ୍ସନର ପ୍ରାୟ ୧୦ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ଓଭର ବ୍ରିଜର ଲୋକାର୍ପଣ କରିଥିଲେ। ପରେ କାମାକ୍ଷାନଗର ମହିଳା କଲେଜ କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟ, କାମାକ୍ଷାନଗରର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜନ୍ତାରିବୋଲ ଠାରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ହେବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ଏହି ଅବସରରେ ଢେଙ୍କାନାଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କର ପ୍ରାୟ ୯୩ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ପ୍ରାଚୀନ ଯୁଗରୁ ଆମର ଢେଙ୍କାନାଳ ବୀରଭୂମି ନାମରେ ଖ୍ୟାତ। ଢେଙ୍କାନାଳ ଜିଲ୍ଲା ଶହୀଦ ବୀର ବାଜି ରାଉତ, ବୈଷ୍ଣବ ଚରଣ ପଟ୍ଟନାୟକ, ‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସ, ମହେଶ ଚନ୍ଦ୍ର ସୁବାହୁ ସିଂ ଓ ମୂଷା ମଲିକଙ୍କ ସଂଗ୍ରାମୀ ଭୂମି ଭାବରେ ଜଣାଶୁଣା। ଏହି ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ଆବାସିକ ବିଦ୍ୟାଳୟ, ରାଜ୍ୟ ସରକାରଙ୍କ ସ୍କିଲ ଡେଭଲପମେଣ୍ଟ ବିଭାଗର ଏକ ଶିକ୍ଷାନୁଷ୍ଠାନ ଥିବା ବେଳେ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ୱପ୍ନ ମଧ୍ୟ ପୂରଣ ହୋଇଛି। କାମାକ୍ଷାନଗରର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଆମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ବୀରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହ ସେମାନଙ୍କ ଆଦର୍ଶ ଓ ବିଚାରରେ ଆଗକୁ ବଢିବା ପାଇଁ ଅନୁପ୍ରାଣିତ କରିବ।

କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୪୦ ଜଣ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ। ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ୨୦୨୫ -୨୬ ବର୍ଷ ପାଇଁ ୪୫,୦୦୦ରୁ ଅଧିକ ପ୍ରି- ପ୍ରାଇମେରୀ କ୍ଲାସକୁ ଶିଶୁ ବାଟିକାରେ ପରିବର୍ତ୍ତନ କରାଇଛନ୍ତି । କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଶିଶୁବାଟିକାରେ ମଧ୍ୟ ଶିଶୁମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରାଯିବ। ପ୍ରାରମ୍ଭିକ ଶିକ୍ଷା ମାତୃଭାଷାରେ ହେଲେ ହିଁ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ବିକାଶ ହେବ। ମାତୃଭାଷାରେ ପିଲାମାନେ ପାଠ ପଢିଲେ ହିଁ ଶହୀଦ ବାଜି ରାଉତ, ସାରଙ୍ଗଧର ଦାସ, ପଠାଣି ସାମନ୍ତ ଏବଂ ଡ଼. ଏପିଜେ ଅବଦୁଲ କଲାମଙ୍କ ପରି ବ୍ୟକ୍ତିତ୍ୱମାନେ ତିଆରି ହେବେ। ଢେଙ୍କାନାଳରେ ଜାତୀୟ ରାଜପଥ, ଜଳପଥ, ରେଳପଥ ସମେତ ପର୍ଯ୍ୟଟନର ଅପାର ସମ୍ଭାବନା ଅଛି। ଅମାପ ସମ୍ଭାବନାର ଜିଲ୍ଲା ଢେଙ୍କାନାଳରେ ଥିବା ଏୟାର ଷ୍ଟ୍ରିପକୁ ବିକଶିତ କରି ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ପାଇଲଟ୍ ଶିକ୍ଷା ଦେବା ପାଇଁ ଯୋଜନା କରାଯିବ।

ଆମ ଡବଲ ଇଞ୍ଜିନ ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ବିକଶିତ କରିବାର ଦାୟିତ୍ୱ ନେଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବଢାଇବା ପାଇଁ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି। ଏହା ଦ୍ୱାରା ପିଲାମାନଙ୍କର ବୈଜ୍ଞାନିକ ମନୋଭାବ ବୃଦ୍ଧି ହେବ। ସେହିପରି ରାଜ୍ୟରେ ୬୭୯୪ ଗ୍ରାମ ପଞ୍ଚାୟତରେ ଗୋଟିଏ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିବା ପାଇଁ ଡବଲ ଇଞ୍ଜିନ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଡ୍ରପ ଆଉଟ୍ ହାର କମାଇବା ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ବାଇସିଙ୍ଗା ଠାରେ ଲୋକାର୍ପିତ ଓଭର ବ୍ରିଜ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣମାନେ ବିଶେଷ ଭାବରେ ଉପକୃତ ହେବେ। କାମାକ୍ଷାନଗର ସବଡିଭିଜନକୁ ଏକ ଶିଳ୍ପାଞ୍ଚଳରେ ପରିଣତ କରିବା ସହ ଢେଙ୍କାନାଳ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ପାଇଁ ଆମେ ସାମୂହିକ ଦାୟିତ୍ୱ ନେବାକୁ ହେବ। ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଙ୍କରାନ୍ତିପୁର, ମହିଶାପାଟ, ବିଶ୍ଵନାଥପୁର, ଏବଂ ନିଜିଗଡରେ ପୃଥକ ପୃଥକ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଉଦଘାଟନ କରିଥିଲେ। ସେହିପରି ସେତୁ ବନ୍ଧ ଯୋଜନା ଅଧିନରେ ଗନ୍ଦିଆ ଠାରୁ ସାଆନ୍ଦାପଶି ରାସ୍ତାରେ ସାପୁଆ ନାଳ ଉପରେ ସେତୁ ନିର୍ମାଣ, କର୍ଣ୍ଣପୂର ଛକ ଠାରୁ ମହିଧରପୁର ଭାୟା ବରଡାପାଲ ରାସ୍ତା ଉପରେ ନିର୍ମାଣ ମାତେଳିଆ ନାଳ ସେତୁ, କାଣ୍ଡବିନ୍ଧା ଠାରୁ କଦଳୀପାଳ ରାସ୍ତା ଭାୟା ତାମଣ୍ଡା, ଗୋବିନ୍ଦ ପ୍ରସାଦ, ବନର ନାଳି ରାସ୍ତାର ଉଦଘାଟନ କରିଥିଲେ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାରୁଆ. ଗୁନେଇବିଲ ଓ ମାର୍ଥାପୁର ଆଦି ଅନେକ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଏତଦବ୍ୟତୀତ କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ଭୁବନ ଠାରେ ୧୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସୌର ଶକ୍ତି ଚାଳିତ ଶୀତଳ ଭଣ୍ଡାର, ବଡଝରା, ଚାନ୍ଦପୁର, ଗନ୍ଦିଆଁ, କାମାକ୍ଷାନଗର, ଘଟିପିରି ଗ୍ରାମ୍ ପଞ୍ଚାୟତ ଠାରେ ପୃଥକ ୧୦ ମେଟ୍ରିକ୍ ଟନ୍ ବିଶିଷ୍ଟ ସୋଲାର ଶୀତଳ ଭଣ୍ଡାରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷା ନୀତି ଲାଗୁ ହେଲେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆସି ପାରିବ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ଵର: ଜାତୀୟ ଶିକ୍ଷା ନୀତି ଲାଗୁ ହେଲେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆସି ପାରିବ। ଜାତିୟ ଶିକ୍ଷା ନୀତିରେ ବିଦ୍ୟାର୍ଥୀ ନିଜ ଇଚ୍ଛା ମୁତାବକ ମାତୃଭାଷାରେ ଶିକ୍ଷା ଗ୍ରହଣର ସୁଯୋଗ ରହିଛି। ଏଥି ସହ ଧନ୍ଦା ମୂଳକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି।

ଜାତୀୟ ଶିକ୍ଷା ନୀତି ଲାଗୁହେଲେ ପ୍ରାକ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା କ୍ଷେତ୍ର ର ଢାଞ୍ଚା ପରିବର୍ତ୍ତନ ହେବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭିନ୍ନ କାର୍ଯ୍ୟକ୍ରମର ଯୋଗ ଦେଇଥିଲେ। ନବରଙ୍ଗପୁର ମହିଳାସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡିଶା ଉଚ୍ଚଶିକ୍ଷା ସର୍ବୋତ୍ତମତା ଓ ସମତା କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଶୈକ୍ଷିକ ଶ୍ରେଣୀ କୋଠା ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ବିଧାୟକ ମନୋହର ରନ୍ଧାରୀ, ବିଧାୟକ ଗୌରୀ ଶଙ୍କର ମାଝୀ, ଅତିରିକ୍ତ ଜିଲ୍ଲପାଳ ମହେଶ୍ୱର ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆ ଭାଷାରେ ଇଗ୍ନୋର ଏମବିଏ ଅଧ୍ୟୟନ ପୁସ୍ତିକା ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଏକ ଜ୍ଞାନ ଆଧାରିତ ସମାଜ ଏବଂ ଭାଷା ଆମ ପ୍ରଗତିର ସବୁଠୁ ବଡ଼ ସହାୟକ। ଭାଷାର ପ୍ରଗତିରେ ହିଁ ସମାଜର ପ୍ରଗତି ଘଟିଥାଏ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଏଆଇସିଟିଇ ସହଯୋଗରେ ଇନ୍ଦିରା ଗାନ୍ଧୀ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ଏମବିଏ ଅଧ୍ୟୟନ ପୁସ୍ତିକା ଓଡ଼ିଆ ଭାଷାରେ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଆଜିର ପଦକ୍ଷେପ ଦ୍ୱାରା ଓଡ଼ିଶାର ଉଚ୍ଚ ଶିକ୍ଷା ତଥା ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିହେଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏହା ଏକ ସାଧୁ ଉଦ୍ୟମ। ଭାରତରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର ଅଗ୍ରଗତିରେ ଏଆଇସିଟିଇର ଭୂମିକା ଅତୁଳନୀୟ। ଉଭୟ ଇଗ୍ନୋ ଏବଂ ଏଆଇସିଟିଇ ଦେଶ ତଥା ଦେଶ ବାହାରେ ବିଭିନ୍ନ ଶିକ୍ଷାର୍ଥୀଙ୍କୁ ସୁଲଭ ମୂଲ୍ୟରେ ଶିକ୍ଷଣ ସୁଯୋଗ ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏଆଇସିଟିଇ ଆଜି ତାହାର ସମସ୍ତ ବୈଷୟିକ ଶିକ୍ଷାଦାନକୁ ଭାରତୀୟ ଭାଷାକୁ ଯୋଡ଼ିଛି। ଆଜି ଏହି ଦୁଇ ଅନୁଷ୍ଠାନ ମିଳିତ ଭାବରେ ଓଡ଼ିଆ ଭାଷାରେ ଏମବିଏ କୋର୍ସର ପାଠ୍ୟପୁସ୍ତକ ପ୍ରସ୍ତୁତ କରି ସାମଗ୍ରିକ ଶିକ୍ଷା ଦିଗରେ ନିଜର ସମର୍ପଣ ଭାବନାକୁ ପ୍ରମାଣିତ କରିଛନ୍ତି। ଏହି ପ୍ରୟାସ ପାଇଁ ଶ୍ରୀ ପ୍ରଧାନ ଇଗ୍ନୋ ଏବଂ ଏଆଇସିଟିଇକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଗତିଶୀଳ ରାଷ୍ଟ୍ର ଗୁଡ଼ିକରେ ଇଂରାଜୀ ଭାଷାର ବ୍ୟବହାସ କମ ହେବା ସତ୍ତ୍ୱେ ରାଷ୍ଟ୍ର ଗୁଡ଼ିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଉନ୍ନତ ଓ ସଶକ୍ତ। ଜନ୍ମ ନେଉଥିବା ଶିଶୁ ନିଜର ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାରେ ପାଠ ପଢିଲେ ହିଁ ତା’ର ବୌଦ୍ଧିକ କ୍ଷମତାର ବିକାଶ ଘଟିଥାଏ ବୋଲି ଅନେକ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି। ମୌଳିକ ଚିନ୍ତାଧାରାକୁ ବଢେଇବା ପାଇଁ ହେଲେ ଆମକୁ ମାତୃଭାଷା ଆଧାରିତ ଶିକ୍ଷା ପ୍ରଦାନ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡିଆ ଏକ ପ୍ରାଚୀନ ଭାଷା ଯାହାର ସମୃଦ୍ଧ ଇତିହାସ ଓ ଐତିହ୍ୟ ରହିଛି । ୨୦୧୪ ମସିହାରୁ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା। ଓଡ଼ିଆ ଭାଷାର ଶିକ୍ଷାକୁ ଗଭୀର କରିବା ପାଇଁ ଓଡ଼ିଶା ସରକାର ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଆ ଭାଷା ଓ ଶିକ୍ଷାର ପରିସର ବୃଦ୍ଧି କରିବା ଆମ ପାଇଁ ଏକ ପ୍ରାଥମିକତା ଏଜେଣ୍ଡା । ଏହି ପରିପ୍ରେକ୍ଷୀରେ ଆଜିର କାର୍ଯ୍ୟକ୍ରମ ଏହି ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ। ଏଆଇସିଟିଇ ସହଯୋଗରେ ଇଗ୍ନୋ ଇ-କୁମ୍ଭ ପ୍ରକଳ୍ପ ଅଧୀନରେ ୧୨ଟି ଭାରତୀୟ ଭାଷାରେ ଇଗ୍ନୋର ଏମବିଏ ପାଠ୍ୟକ୍ରମ ଅନୁବାଦ କରୁଛି ।

Categories
ଆଞ୍ଚଳିକ

ବାଲୁଗାଁ: ଯୁକ୍ତ ୨ ପରୀକ୍ଷା ପ୍ରଥମ ଦିବସରେ ଦୁଇ ଜଣ ଅନୁପସ୍ଥିତ

ବାଲୁଗାଁ: ଆଜି ସାରା ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଯାଇଛି। ୧୯ଟି ସିଟିଂରେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ପ୍ରଥମ ଦିବସରେ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିଲା।

ପ୍ରଥମ ଦିବସରେ ବାଲୁଗାଁ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଦୀର୍ଘ ଦିନ ଧରି କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଯୋଗୁଁ ପାଠ୍ୟକ୍ରମ ସରି ନଥିବା ବେଳେ ପାଠ ପଢ଼ାପଢିରେ ଘୋର ବ୍ୟାଘାତ ହୋଇଥିବା କିଛି ଛାତ୍ରଛାତ୍ରୀ କହିଛନ୍ତି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ବେଳେ କପି ରୋକିବା ଦିଗରେ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିବା ଅଧିକ୍ଷକ ଜୟନ୍ତୀ ସାମଲ କହିଛନ୍ତି।

ଆଜିର ପରୀକ୍ଷାରେ ୮୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ଦୁଇ ଜଣ ଅନୁପସ୍ଥିତ ଥିବା ଅଧ୍ୟକ୍ଷା କଳ୍ପନା ଦାସ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା କେନ୍ଦ୍ରକୁ ସିସି ଟିଭି ପରିସର ଭୁକ୍ତ କରାଯିବା ସହ ପରୀକ୍ଷାରେ ଯେପରି କୌଣସି ତ୍ରୁଟି ନହେଉ ସେଥିପାଇଁ ପୁରା ବ୍ୟବସ୍ଥା କରାଯାଇଥିବା କଲେଜ ଅଧ୍ୟକ୍ଷା ଶ୍ରୀମତୀ ଦାସ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସିବିଏସଇ ସ୍କୁଲରେ ସମସ୍ତ ଭାରତୀୟ ଭାଷାରେ ପାଠପଢା ବିଜ୍ଞପ୍ତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ଶିକ୍ଷାଦାନ ଦିଆଯାଇପାରିବ। ଏଥିପାଇଁ ସିବିଏସଇ ବିଜ୍ଞପ୍ତି ଜାରି କରିସାରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ରାଷ୍ଟ୍ରୀୟ ଶିକ୍ଷା ନୀତି ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେଉଅଛି। ପୂର୍ବରୁ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦିରେ ପାଠ ପଢ଼ାଯିବାର ବ୍ୟବସ୍ଥା ଥିଲା। ଏଣିକି ସମସ୍ତ ସିବିଏସଇ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜି ଓ ହିନ୍ଦି ଭାଷା ବ୍ୟତିତ ପିଲାଙ୍କ ଇଚ୍ଛାନୁସାରେ ଓଡ଼ିଆ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଶିକ୍ଷା ଦିଆଯିବ।

ମାତୃଭାଷାରେ ପାଠ ପଢ଼ିଲେ ହିଁ ଛାତ୍ରଛାତ୍ରୀମାନେ ଭଲ ଭାବେ ପାଠକୁ ବୁଝି ପାରିବେ। ମୂଳ ବିଷୟର ସ୍ପଷ୍ଟତା ଆସିବ। ଛାତ୍ରଛାତ୍ରୀଙ୍କର ଚିନ୍ତନ ଶକ୍ତି ବୃଦ୍ଧି ପାଇବ, ଯାହା ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ତେବେ ପିଲାମାନେ କେଉଁ ଭାଷାରେ ପାଠ ପଢିବେ, ସେଥିପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନାହିଁ। ସିବିଏସଇ ସ୍କୁଲ ଗୁଡ଼ିକ ଧୀରେ ଧୀରେ ଏ ବ୍ୟବସ୍ଥାକୁ ଆପଣାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ପଦକ୍ଷେପ ଭାରତୀୟ ଭାଷା ଆଧାରିତ ଶିକ୍ଷାକୁ ବଢାଇବ। ଶିକ୍ଷାର ଆଉଟକମ ପାଇଁ ଏହା ଏକ ଭଲ ଶୁଭାରମ୍ଭ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସଦାବେଳେ ମା’, ମାତୃଭାଷା, ମାତୃଭୂମି ଓ ନିଜ ଜନ୍ମସ୍ଥାନକୁ ସ୍ମରଣ ରଖ: ଉପ ରାଷ୍ଟ୍ରପତି

ଭୁବନେଶ୍ବର: ନିଜର ଜନ୍ମସ୍ଥାନ ଉପରେ ଗୁରୁତ୍ୱ ଦେବା ଲାଗି ଉପ ରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ ମତ ପୋଷଣ କରିଛନ୍ତି। ଏଥି ସହ ନିଜର ମୂଳ ଜନ୍ମସ୍ଥାନକୁ ସ୍ମରଣ ରଖିବା ସହ ନିଜର ମା’, ମାତୃଭାଷା , ମାତୃଭୂମି ଓ ଜନ୍ମସ୍ଥାନ ପ୍ରତି ମନରେ ସମ୍ମାନବୋଧ ରଖିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି।

ଭୁବନେଶ୍ୱରର ରାଜଭବନଠାରେ ‘ନୀଳିମାରାଣୀ- ମୋ ମା’, ମୋ ହୀରୋ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଉଦ୍‍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷା, ବିଚାରାଳୟ ଓ ପ୍ରଶାସନିକ କ୍ଷେତ୍ରରେ ମାତୃଭାଷାର ବହୁଳ ବ୍ୟବହାର କରାଯିବା ଆବଶ୍ୟକ। ଅତି ନିଷ୍ଠା ଓ ମାନସିକତାର ସହିତ ଏହାର ‘ପ୍ରଚାର ଓ ଯତ୍ନ’ ଭାବନା ମନରେ ରଖିବା ଲାଗି ସେ ସମସ୍ତଙ୍କୁ ନିବେଦନ କରିବା ସହିତ କହିଥିଲେ ଯେ ସମାଜର ସଫଳ ବ୍ୟକ୍ତିବିଶେଷ ସେମାନଙ୍କର ନିଜ ନିଜ ପୈତୃକ ଗ୍ରାମର ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ସହିତ ସେମାନଙ୍କର ଉନ୍ନତି କରିବା ଜରୁରି।

ଲୋକସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ରଚିତ ତାଙ୍କ ସ୍ୱର୍ଗୀୟ ମା’ ନୀଳିମାରାଣୀଙ୍କ ଜୀବନୀ ପୁସ୍ତକୁ ଉପ ରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ଆଜି ଉନ୍ମୋଚନ କରିଥିଲେ। ନିଜ ମା’ଙ୍କ ଜୀବନ ଓ ସଂଗ୍ରାମର କାହାଣୀକୁ ଶ୍ରୀ ସାମନ୍ତ ଲେଖିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ନାଇଡ଼ୁ କହିଲେ ଯେ ଏଭଳି ଜଣେ ମା’ଙ୍କ ଜୀବନୀକୁ ଉନ୍ମୋଚନ କରିବା ଆନନ୍ଦର କଥା। କାରଣ, ନିଜର ଲାଳନପାଳନ ଏବଂ ମୂଲ୍ୟବୋଧ ଜରିଆରେ ଜଣେ ମା’ ହିଁ ନିଜର ସନ୍ତାନମାନଙ୍କୁ ଏଭଳି ସଫଳତାର ଶୀର୍ଷର ପହଞ୍ଚାଇବାରେ ସହାୟକ ହୋଇଥାନ୍ତି।

ନୀଳିମା ରାଣୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଉପ ରାଷ୍ଟ୍ରପତି କହିଳେ ଯେ ଉତ୍କଟ ଦାରିଦ୍ର‌୍ୟ ଏବଂ ସମ୍ବଳର ଅଭାବ ସତ୍ତ୍ୱେ ସେ ନିଜର ସନ୍ତାନମାନଙ୍କୁ ଉତ୍ତମ ଶିକ୍ଷା ଦେଇଥିଲେ ଏବଂ ଗରିବ ତଥା ଅବହେଳିତ ଲୋକମାନଙ୍କ ଉନ୍ନତି ନିମନ୍ତେ କାର‌୍ୟ୍ୟ ଜାରି ରଖି ପାରିଥିଲେ। ନିଜ ପୁତ୍ରମାନଙ୍କ ସହାୟତାରେ ନୀଳିମାରାଣୀଜୀ ନିଜ ପୈତୃକ ଗ୍ରାମ କଲାରବାଙ୍କକୁ ଦେଶର ପ୍ରଥମ ସ୍ମାର୍ଟ ଗ୍ରାମରେ ପରିଣତ କରିପାରିଥିବାରୁ ଶ୍ରୀ ନାଇଡ଼ୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହାକୁ ଏକ ପ୍ରେରଣା ବୋଲି ଅଭିହିତ କରି ସେ କହିଲେ ଯେ ତାଙ୍କର ଏଭଳି ଭାବନା ଓ କାର୍ଯ୍ୟରୁ ଅନ୍ୟମାନେ ଅନୁକରଣ କରିବା ଉଚିତ ଏବଂ ଏହା ଦ୍ୱାରା ନିଜ ପୈତୃକ ଗ୍ରାମର ଲୋକମାନଙ୍କ ଉନ୍ନତି ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ଲୋକସଭା ସଦସ୍ୟ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।