Categories
ଆଞ୍ଚଳିକ

ବାଲୁଗାଁ: ଯୁକ୍ତ ୨ ପରୀକ୍ଷା ପ୍ରଥମ ଦିବସରେ ଦୁଇ ଜଣ ଅନୁପସ୍ଥିତ

ବାଲୁଗାଁ: ଆଜି ସାରା ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଯାଇଛି। ୧୯ଟି ସିଟିଂରେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ପ୍ରଥମ ଦିବସରେ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିଲା।

ପ୍ରଥମ ଦିବସରେ ବାଲୁଗାଁ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଦୀର୍ଘ ଦିନ ଧରି କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଯୋଗୁଁ ପାଠ୍ୟକ୍ରମ ସରି ନଥିବା ବେଳେ ପାଠ ପଢ଼ାପଢିରେ ଘୋର ବ୍ୟାଘାତ ହୋଇଥିବା କିଛି ଛାତ୍ରଛାତ୍ରୀ କହିଛନ୍ତି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ବେଳେ କପି ରୋକିବା ଦିଗରେ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିବା ଅଧିକ୍ଷକ ଜୟନ୍ତୀ ସାମଲ କହିଛନ୍ତି।

ଆଜିର ପରୀକ୍ଷାରେ ୮୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ଦୁଇ ଜଣ ଅନୁପସ୍ଥିତ ଥିବା ଅଧ୍ୟକ୍ଷା କଳ୍ପନା ଦାସ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା କେନ୍ଦ୍ରକୁ ସିସି ଟିଭି ପରିସର ଭୁକ୍ତ କରାଯିବା ସହ ପରୀକ୍ଷାରେ ଯେପରି କୌଣସି ତ୍ରୁଟି ନହେଉ ସେଥିପାଇଁ ପୁରା ବ୍ୟବସ୍ଥା କରାଯାଇଥିବା କଲେଜ ଅଧ୍ୟକ୍ଷା ଶ୍ରୀମତୀ ଦାସ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସିବିଏସଇ ସ୍କୁଲରେ ସମସ୍ତ ଭାରତୀୟ ଭାଷାରେ ପାଠପଢା ବିଜ୍ଞପ୍ତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ବିକଳ୍ପ ଭାଷା ଭାବରେ ମାତୃଭାଷାରେ ଶିକ୍ଷାଦାନ ଦିଆଯାଇପାରିବ। ଏଥିପାଇଁ ସିବିଏସଇ ବିଜ୍ଞପ୍ତି ଜାରି କରିସାରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ରାଷ୍ଟ୍ରୀୟ ଶିକ୍ଷା ନୀତି ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେଉଅଛି। ପୂର୍ବରୁ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦିରେ ପାଠ ପଢ଼ାଯିବାର ବ୍ୟବସ୍ଥା ଥିଲା। ଏଣିକି ସମସ୍ତ ସିବିଏସଇ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜି ଓ ହିନ୍ଦି ଭାଷା ବ୍ୟତିତ ପିଲାଙ୍କ ଇଚ୍ଛାନୁସାରେ ଓଡ଼ିଆ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଶିକ୍ଷା ଦିଆଯିବ।

ମାତୃଭାଷାରେ ପାଠ ପଢ଼ିଲେ ହିଁ ଛାତ୍ରଛାତ୍ରୀମାନେ ଭଲ ଭାବେ ପାଠକୁ ବୁଝି ପାରିବେ। ମୂଳ ବିଷୟର ସ୍ପଷ୍ଟତା ଆସିବ। ଛାତ୍ରଛାତ୍ରୀଙ୍କର ଚିନ୍ତନ ଶକ୍ତି ବୃଦ୍ଧି ପାଇବ, ଯାହା ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ତେବେ ପିଲାମାନେ କେଉଁ ଭାଷାରେ ପାଠ ପଢିବେ, ସେଥିପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନାହିଁ। ସିବିଏସଇ ସ୍କୁଲ ଗୁଡ଼ିକ ଧୀରେ ଧୀରେ ଏ ବ୍ୟବସ୍ଥାକୁ ଆପଣାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ପଦକ୍ଷେପ ଭାରତୀୟ ଭାଷା ଆଧାରିତ ଶିକ୍ଷାକୁ ବଢାଇବ। ଶିକ୍ଷାର ଆଉଟକମ ପାଇଁ ଏହା ଏକ ଭଲ ଶୁଭାରମ୍ଭ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସଦାବେଳେ ମା’, ମାତୃଭାଷା, ମାତୃଭୂମି ଓ ନିଜ ଜନ୍ମସ୍ଥାନକୁ ସ୍ମରଣ ରଖ: ଉପ ରାଷ୍ଟ୍ରପତି

ଭୁବନେଶ୍ବର: ନିଜର ଜନ୍ମସ୍ଥାନ ଉପରେ ଗୁରୁତ୍ୱ ଦେବା ଲାଗି ଉପ ରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ ମତ ପୋଷଣ କରିଛନ୍ତି। ଏଥି ସହ ନିଜର ମୂଳ ଜନ୍ମସ୍ଥାନକୁ ସ୍ମରଣ ରଖିବା ସହ ନିଜର ମା’, ମାତୃଭାଷା , ମାତୃଭୂମି ଓ ଜନ୍ମସ୍ଥାନ ପ୍ରତି ମନରେ ସମ୍ମାନବୋଧ ରଖିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି।

ଭୁବନେଶ୍ୱରର ରାଜଭବନଠାରେ ‘ନୀଳିମାରାଣୀ- ମୋ ମା’, ମୋ ହୀରୋ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିବା ଅବସରରେ ଉଦ୍‍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷା, ବିଚାରାଳୟ ଓ ପ୍ରଶାସନିକ କ୍ଷେତ୍ରରେ ମାତୃଭାଷାର ବହୁଳ ବ୍ୟବହାର କରାଯିବା ଆବଶ୍ୟକ। ଅତି ନିଷ୍ଠା ଓ ମାନସିକତାର ସହିତ ଏହାର ‘ପ୍ରଚାର ଓ ଯତ୍ନ’ ଭାବନା ମନରେ ରଖିବା ଲାଗି ସେ ସମସ୍ତଙ୍କୁ ନିବେଦନ କରିବା ସହିତ କହିଥିଲେ ଯେ ସମାଜର ସଫଳ ବ୍ୟକ୍ତିବିଶେଷ ସେମାନଙ୍କର ନିଜ ନିଜ ପୈତୃକ ଗ୍ରାମର ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ସହିତ ସେମାନଙ୍କର ଉନ୍ନତି କରିବା ଜରୁରି।

ଲୋକସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ରଚିତ ତାଙ୍କ ସ୍ୱର୍ଗୀୟ ମା’ ନୀଳିମାରାଣୀଙ୍କ ଜୀବନୀ ପୁସ୍ତକୁ ଉପ ରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ଆଜି ଉନ୍ମୋଚନ କରିଥିଲେ। ନିଜ ମା’ଙ୍କ ଜୀବନ ଓ ସଂଗ୍ରାମର କାହାଣୀକୁ ଶ୍ରୀ ସାମନ୍ତ ଲେଖିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ନାଇଡ଼ୁ କହିଲେ ଯେ ଏଭଳି ଜଣେ ମା’ଙ୍କ ଜୀବନୀକୁ ଉନ୍ମୋଚନ କରିବା ଆନନ୍ଦର କଥା। କାରଣ, ନିଜର ଲାଳନପାଳନ ଏବଂ ମୂଲ୍ୟବୋଧ ଜରିଆରେ ଜଣେ ମା’ ହିଁ ନିଜର ସନ୍ତାନମାନଙ୍କୁ ଏଭଳି ସଫଳତାର ଶୀର୍ଷର ପହଞ୍ଚାଇବାରେ ସହାୟକ ହୋଇଥାନ୍ତି।

ନୀଳିମା ରାଣୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଉପ ରାଷ୍ଟ୍ରପତି କହିଳେ ଯେ ଉତ୍କଟ ଦାରିଦ୍ର‌୍ୟ ଏବଂ ସମ୍ବଳର ଅଭାବ ସତ୍ତ୍ୱେ ସେ ନିଜର ସନ୍ତାନମାନଙ୍କୁ ଉତ୍ତମ ଶିକ୍ଷା ଦେଇଥିଲେ ଏବଂ ଗରିବ ତଥା ଅବହେଳିତ ଲୋକମାନଙ୍କ ଉନ୍ନତି ନିମନ୍ତେ କାର‌୍ୟ୍ୟ ଜାରି ରଖି ପାରିଥିଲେ। ନିଜ ପୁତ୍ରମାନଙ୍କ ସହାୟତାରେ ନୀଳିମାରାଣୀଜୀ ନିଜ ପୈତୃକ ଗ୍ରାମ କଲାରବାଙ୍କକୁ ଦେଶର ପ୍ରଥମ ସ୍ମାର୍ଟ ଗ୍ରାମରେ ପରିଣତ କରିପାରିଥିବାରୁ ଶ୍ରୀ ନାଇଡ଼ୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହାକୁ ଏକ ପ୍ରେରଣା ବୋଲି ଅଭିହିତ କରି ସେ କହିଲେ ଯେ ତାଙ୍କର ଏଭଳି ଭାବନା ଓ କାର୍ଯ୍ୟରୁ ଅନ୍ୟମାନେ ଅନୁକରଣ କରିବା ଉଚିତ ଏବଂ ଏହା ଦ୍ୱାରା ନିଜ ପୈତୃକ ଗ୍ରାମର ଲୋକମାନଙ୍କ ଉନ୍ନତି ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ଲୋକସଭା ସଦସ୍ୟ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।